ଭୁବନେଶ୍ୱର: ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍। ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ। ଲକ୍ଷ୍ମୀସାଗର ଥାନା ପୋଲିସକୁ ଏନେଇ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। କିଡନୀ କେଳେଙ୍କାରୀ ଘଟଣାରେ ଡାକ୍ତରଙ୍କ ଲିଙ୍କ୍ ଥିବା ନେଇ ଗୁମର ଖୋଲିପାରେ। ଏନେଇ କିଛି ଘରୋଇ ମେଡିକାଲକୁ କମିଶନରେଟ ପୋଲିସ ନୋଟିସ ମଧ୍ୟ କରିଛି।
ସୂଚନାଯୋଗ୍ୟ, କିଡନୀ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ହୋଇଛି। କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଠଙ୍କା ଠକେଇ ଅଭିଯୋଗ ହୋଇଥିଲା। ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲା ଅଭିଯୁକ୍ତ। ଜାନୁଆରୀ ୨୦୨୦ ସୁଦ୍ଧା କିଡନୀ ପ୍ରତିରୋପଣ କରିବ କହି ଠକିଥିଲା।
ଏନେଇ ହିମାଂଶୁ ନାଁରେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ ହୋଇଥିଲା। ନୟାପଲ୍ଲୀରେ ୫.୫୦ ଲକ୍ଷ ଟଙ୍କାର ଠକେଇ ଓ ଲକ୍ଷ୍ମୀସାଗରରେ ୩.୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ପରେ ସହିଦ ନଗର ଥାନାରେ ଠକେଇର ଶିକାର ହୋଇ ଆଉ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ।