ପ୍ରେମ ହିଁ ପ୍ରିୟଦର୍ଶୀନୀଙ୍କ ହତ୍ୟାର କାରଣ

ଭୁବନେଶ୍ବର : ଏୟାରପିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରିୟଙ୍କା ପ୍ରିୟଦର୍ଶୀନୀ ସାହୁ ନାମକ ଜଣେ ମହିଳାଙ୍କ ଘର ଭିତରେ ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକଙ୍କ ପ୍ରବେଶ କରିବା ସହ ତାଙ୍କୁ ଅତି ନିର୍ମମ ଭାବେ ଧାରୁଆ ଛୁରୀରେ ଗଳାକାଟି ହତ୍ୟା କରିଥିଲେ।  ଏହି ଘଟଣାରେ ପୋଲିସକୁ ମଙ୍ଗଳବାର ଠୋସ ସୁରାଗ ମିଳିଛି।  ପୋଲିସ ସୂଚନା ଅନୁଯାୟୀ, ପ୍ରିୟଙ୍କାଙ୍କୁ ହତ୍ୟା କରିବା ପଛରେ ପ୍ରେମ କାହାଣୀ ରହିଥିବା ସ୍ପଷ୍ଟ ହୋଇଛି।  ଯଦିଓ ଏନେଇ ଜଗନ୍ନାଥ ବିଶେଷ କିଛି ତଥ୍ୟ ପୋଲିସକୁ ପ୍ରଦାନ କରିନାହାନ୍ତି କିନ୍ତୁ ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।  ଉଭୟ ପ୍ରିୟଙ୍କା ଏବଂ ଜଗନ୍ନାଥ ବେଶ କିଛିବର୍ଷ ହେବ ଜଣାଶୁଣା ଥିଲେ।

୨୦୧୪ ମସିହାରେ ପ୍ରିୟଙ୍କାଙ୍କ ବାହାଘର ପରେ ଉଭୟ ଆଉ ଯୋଗାଯୋଗରେ ନ ଥିଲେ।  ତେବେ ଗତବର୍ଷ ଠାରୁ ପୁଣିଥରେ ଉଭୟ ସୋସିଆଲ ମିଡ଼ିଆରେ ଯୋଗାଯୋଗରେ ରହିବା ଆରମ୍ଭ କରି ଦେଇଥିଲେ।  ଏପରିକି ବିଭିନ୍ନ ସମୟରେ ସ୍ବାମୀଙ୍କ ଅଜଣାତରେ ପ୍ରିୟଙ୍କା ଭୀମଟାଙ୍ଗୀ ସ୍ଥିତ ଘରକୁ ଜଗନ୍ନାଥକୁ ଡାକୁଥିବା ପୋଲିସ ତଦନ୍ତ ବେଳେ ଜାଣିପାରିଛି।  ଯେଉଁ କାରଣରୁ ଜଗନ୍ନାଥ ସୋମବାର ପ୍ରିୟଙ୍କାଙ୍କ ଘରକୁ ଆସିବା ସମୟରେ ବିନା କୌଣସି ପ୍ରତିବଦ୍ଧକରେ ଘର ଭିତରକୁ ପ୍ରବେଶ କରିଥିଲେ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଯାହାକି ସ୍ପଷ୍ଟ କରିଛି କି , ପ୍ରିୟଙ୍କା ଏବଂ ଜଗନ୍ନାଥ ପରସ୍ପରର ପୂର୍ବରୁ ଜଣାଶୁଣା ଥିଲେ। ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ବାପଘର ଲୋକେ ଜଗନ୍ନାଥଙ୍କୁ ଚିହ୍ନି ନ ଥିବା କହିଛନ୍ତି।  ପ୍ରିୟଙ୍କାଙ୍କ ଭାଇ ଏହି ହତ୍ୟା ମାମଲାରେ ନିଜ ଭିଣୋଇଙ୍କୁ କ୍ଲିନ ଚିଟ ଦେଇଥିବା ବେଳେ ଜଗନ୍ନାଥଙ୍କୁ ସେ କିମ୍ବା ତାଙ୍କ ପରିବାର ଲୋକେ ଜାଣି ନ ଥିବା କହିଛନ୍ତି।  ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ମାମଲାରେ କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ଯାଜପୁର ଜିଲ୍ଲା ଧର୍ମଶାଳା ସ୍ଥିତ ମଙ୍ଗଳପୁର ଅଞ୍ଚଳକୁ ଯାଇ ସେଠାରେ ଜଗନ୍ନାଥଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

ଏସବୁ ମଧ୍ୟରେ ଅଭିଯୁକ୍ତ ଜଗନ୍ନାଥଙ୍କ ମା’ ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ପ୍ରଦାନ କରିଛନ୍ତି।  ସେ କହିଛନ୍ତି ଯେ, ତାଙ୍କ ପୁଅ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା।  ୨୦୧୪ ମସିହାରେ ପ୍ରିୟଙ୍କାଙ୍କ ବିବାହ ପରେ ଏଥିରେ ପୂର୍ଣ୍ଣଛେଦ ପଡ଼ିଥିଲା। ତେବେ ଗତବର୍ଷ ଲକଡାଉନ ସମୟରେ ପୁଣିଥରେ ପ୍ରିୟଙ୍କା ନିଜ ତରଫରୁ ଜଗନ୍ନାଥଙ୍କୁ ପ୍ରେମ ନିବେଦନ କରିବା ସହ ସୋସିଆଲ ମିଡ଼ଆରେ ମେସେଜ ଦେଉଥିଲେ।  ଯେଉଁ କାରଣରୁ ପୁଣିଥରେ ଉଭୟ ବିଭିନ୍ନ ସମୟରେ କଥାବାର୍ତ୍ତା ହେଉଥିବା ଜଗନ୍ନାଥଙ୍କ ମା’ ଗଣମାଧ୍ୟମରେ ବିବୃତି ଦେଇଛନ୍ତି।

ଏପରିକି ସୋମବାର ଭୁବନେଶ୍ବର ଯିବା ପୂର୍ବରୁ ଜଗନ୍ନାଥ ତାଙ୍କ ଭାଇ ଏବଂ ଭାଉଜକୁ ବିଭିନ୍ନ ପ୍ରସଙ୍ଗରେ ହ୍ବାର୍ଟସପରେ ମେସେଜ କରିବା ସହ ସେ ତାଙ୍କ ଜୀବନରେ ଅତିଷ୍ଠ ହୋଇ ଗଲେଣି ବୋଲି ଉଲ୍ଲେଖ କରିଛନ୍ତି।  ଏଥିସହ ସେ ଜୀବନରେ ଏକ ଚିରମ ନିଷ୍ପତ୍ତି ନେବାକୁ ସ୍ଥିର କରିଥିବା ଜଗନ୍ନାଥ ତାଙ୍କ ସମ୍ପର୍କୀୟଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

ଏସବୁ ମଧ୍ୟରେ ମୃତ ପ୍ରିୟଙ୍କାଙ୍କ ଘର ଭିତରୁ ପୋଲିସକୁ ଏକ ସୁଇସାଇଡାଲ ନୋଟ ମିଳିଛି।  ଯେଉଁଥିରେ ରକ୍ତ ଲାଗିଥିବା ବେଳେ ଏଥିରେ ଜଗନ୍ନାଥ ପ୍ରଥମେ ପ୍ରିୟଙ୍କାଙ୍କ ୩ ବର୍ଷର ପୁଅକୁ ହତ୍ୟା କରିବା ପରେ ପ୍ରିୟଙ୍କାଙ୍କୁ ମାରିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି।  ଏଥିସହ ଏହା ପରେ ସେ ନିଜେ ହାତକାଟି ଆତ୍ମହତ୍ୟା କରିବେ ବୋଲି ପୋଲିସକୁ ମିଳିଥିବା ସୁଇସାଇଡାଲ ନୋଟରେ ଉଲ୍ଲେଖ ରହିଛି।  ଏନେଇ ଭୁବନେଶ୍ବର ଡିସିପି ଶ୍ରୀ ଦାଶ କହିଛନ୍ତି ଯେ, ଉକ୍ତ ସୁଇସାଇଡ଼ାଲ ନୋଟକୁ ପୋଲିସ ଜବତ କରିବା ସହ ଏହାର ଯାଞ୍ଚ ନିମନ୍ତେ ରାଜ୍ୟ ଫରେନ୍ସିକ ଲାବକୁ ପଠାଯାଇଛି।  ସେହିପରି ବର୍ତ୍ତମାନ ସମୟରେ ଅଭିଯୁକ୍ତ ଜଗନ୍ନାଥଙ୍କ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଚାଲିଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।  ତେଣୁ ତାଙ୍କୁ ପୋଲିସ ଏବେ ପର୍ଯ୍ୟନ୍ତ ଗିରଫ କରିପାରିନାହିଁ।  ଜଗନ୍ନାଥ ସୁସ୍ଥ ହେବା ପରେ ତାଙ୍କୁ ଅଧିକ ପଚରାଉଚରା କରାଯିବ ବୋଲି ଡିସିପି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ