ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ପରିବାର ଅଦାଲତରେ ନିଜର ପତ୍ନୀକୁ ହତ୍ୟା କରିବା ସହ ଶାଶୁ ମାଆ ଓ ଝିଆରୀକୁ ମରଣାନ୍ତକ ଆକ୍ରମଣ ଅଭିଯୋଗର ବିଚାର କରି ଜିଲ୍ଲା ଦୌରାଜଜ୍ ବିରଞ୍ଚି ନାରାୟଣ ମହାନ୍ତି, ଅଭିଯୁକ୍ତ ସ୍ୱାମୀ ରମେଶ କୁମ୍ଭାରକୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା, ଅନାଦାୟ ଅଧିକ ୨ ବର୍ଷ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ।

ଜିଲ୍ଲା ଦୌରାଜଜ୍ ବିଭିନ୍ନ ଦଫାରେ ପୃଥକ ଜେଲ ଦଣ୍ଡାଦେଶ ଓ ଜୋରିମାନା ଆଦେଶ କରିଛନ୍ତି, ଯାହା ଏକକାଳୀନ ଦଣ୍ଡାଦେଶ ଭାବରେ ପରିଗଣିତ ହେବ । ଗତ ୨୩.୪.୨୦୧୮ ମସିହା ସକାଳ ସାଢ଼େ ୯ଟା ସମୟରେ ସ୍ଥାନୀୟ ପରିବାର ଅଦାଲତରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମାମଲାର ବିବରଣୀ ଅନୁସାରେ ସିନ୍ଦୁରପଙ୍କର ରମେଶ କୁମ୍ଭାର ଓ ସଂଜିତା ଚୌଧୁରୀ ପରସ୍ପର ଭଲ ପାଇବା ପରେ ଘରୁ ଚାଲିଯାଇ ଅନ୍ୟତ୍ର ବିବାହ ବନ୍ଧନରେ ଆବଦ୍ଧ ସ୍ୱାମୀ-ସ୍ତ୍ରୀ ଭାବରେ ରହୁଥିଲେ ।

ତେବେ ସଂଜିତା ପରିବାର ସଦସ୍ୟ ଏହି ସମ୍ପର୍କ ସ୍ୱୀକାର କରିନଥିଲେ । ବିବାହର ପାଞ୍ଚ ମାସ ପରେ ଉଭୟଙ୍କ ମଧ୍ୟରେ କୌଣସି ମନାନ୍ତର ଘଟି ସଂଜିତା ନିଜ ବାପାଘରକୁ ଫେରି ଆସିଥିଲେ । ପ୍ରାୟ ଦେଢ଼/ଦୁଇ ବର୍ଷ ପରେ ସଂଜିତାର ବାହାଘର ଅନ୍ୟତ୍ର ସ୍ଥିର ହେବାରୁ ତାର ବାପା-ମାଆ ରମେଶଠାରୁ ବିଚ୍ଛେଦ ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ । ୨୦୧୮ଏପ୍ରିଲ ୨୩   ତାରିଖରେ ପରାମର୍ଶ ପାଇଁ ପରିବାର କୋର୍ଟ ପକ୍ଷରୁ ଉଭୟ ପକ୍ଷଙ୍କୁ ଡକାଯାଇଥିଲା । ସଂଜିତା, ତାଙ୍କ ମାଆ ଓ ଛୋଟ ଭଉଣୀର ୩ ବର୍ଷର ଛୋଟ ଝିଅ ଅଦାଲତ ଅପେକ୍ଷା ଗୃହରେ ବସିଥିବା ବେଳେ ରମେଶ ସୁଚିନ୍ତ ଭାବରେ ଏକ ଖଣ୍ଡା ନେଇ ଅଦାଲତ ଅପେକ୍ଷା ଗୃହକୁ ଆସି ସଂଜିତା ଉପରେ ପ୍ରାଣଘାତୀ ଆକ୍ରମଣ କରିଥିଲା ।

ଶାଶୁ ମାଆ ଓ ଛୋଟ ଝିଅ ଉପରେ ମଧ୍ୟ ଆକ୍ରମଣ କରିଥିଲା ।  ପରିବାର ଅଦାଲତ ଅପେକ୍ଷା ଗୃହ ରକ୍ତ ରଂଜତ ହୋଇଯାଇଥିଲା । ସେଠାରେ ଉପସ୍ଥିତ ଆଇନଜୀବୀ ଓ ଜନସାଧାରଣ ରମେଶକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଟାଉନ ପୋଲିସ କେସ ନମ୍ବର ୬୩/୨୦୧୮, ଆଇପିସି ୩୦୨,୩୦୭, ୩୨୩, ୪୪୯ ଓ ୨୭ ଆର୍ମସ ଆକ୍ଟରେ ମମଲା ରୁଜୁ କରିଥିଲେ ।

ଜିଲ୍ଲା ଦୌରାଜଜ୍ ଶ୍ରୀ ମହାନ୍ତ ମାମଲାର ବିଚାର କରି ୩୦୨ ପାଇଁ ଆଜୀବନ କାରାଦଣ୍ଡ, ୧୦ ହଜାର ଜୋରିମାନା, ଅନାଦେୟ ୨ ବର୍ଷ କାରାଦଣ୍ଡ, ୩୦୭ ଓ ୪୪୯ ପାଇଁ ୭ ବର୍ଷ ଲେକାଏଁ କାରାଦଣ୍ଡ ଓ ୫ ହଜାର ଲେଖାଏଁ ଜୋରିମାନା, ଅନାଦେୟ ୧ ବର୍ଷ କାରାଦଣ୍ଡ, ୩୨୩ ପାଇଁ ୬ ମାସ କାରାଦଣ୍ଡ ଓ ୨୭ ଆର୍ମସ ଆକ୍ଟା ପାଇଁ ୫ ବର୍ଷ କାରାଦଣ୍ଡ, ୨ ହଜାର ଜୋରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡ ଆଦେଶ କରିଛନ୍ତି । ସରକାରୀ ଓକିଲ (ପିପି) ଦୀପ୍ତିରଂଜନ ଷଣ୍ଢ ମାମଲା ପରିଚାଳନା କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ