ଭୁବନେଶ୍ୱର : ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ଚାଷୀ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ଗୃହ ଆରମ୍ଭରୁ ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ । ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ ଲକ୍ଷ ଟନ୍ ମେଟ୍ରିକ ଟନ୍ ସଂଗ୍ରହ ହୋଇଛି । ଗତବର୍ଷ ଅପେକ୍ଷା ଏଯାଏଁ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ରହିଥିବା ବେଳେ ଆଗକୁ ଆହୁରି ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଗୃହରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ମଧ୍ୟ ବିରୋଧୀ ହଙ୍ଗାମା ଜାରି ରଖିଥିଲେ । ସେପଟେ ବାଚସ୍ପତିଙ୍କ ପୋଡିୟମ ପାଖରେ ଲଗାତାର ନାରାବାଜି କରିବା ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।