କ୍ରୀଡ଼ା ଭିତ୍ତିଭୂମିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଆମେ ବେଶ୍‌ ଆଖିଦୃଶିଆ କାର୍ଯ୍ୟକରି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ପାଇଁ ଏହା ସମ୍ଭବ ହୋଇପାରିଛି । ତେବେ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରି ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ଆମେ ଏକାଠି ହୋଇ ପୂରଣ କରିବାକୁ ପଡ଼ିବ ବୋଲି ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ସମୀକ୍ଷା ବୈଠକରେ ପରାମର୍ଶ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କ୍ରୀଡ଼ା ବିଭାଗର ସମୀକ୍ଷା ବୈଠକରେ ହାଇ-ପରଫମାନ୍ସ ସେଣ୍ଟରର ପରିଚାଳନା, ନୂତନ କ୍ରୀଡ଼ା ନୀତି, କଳିଙ୍ଗ ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ, କ୍ରୀଡ଼ାବିତ୍‌ଙ୍କୁ ପରିଚୟ ପତ୍ର ପ୍ରଦାନ, କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହଷ୍ଟେଲ ନିର୍ମାଣ ଏବଂ କୋଭିଡ୍‌ ଯୋଗୁଁ ଧିମେଇ ଯାଇଥିବା କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା ।

ଏଥି ସହିତ ରାଉରକେଲାଠାରେ ନିର୍ମାଣାଧୀନ ହକି ଷ୍ଟାଡିୟମ୍‌ର କାର୍ଯ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ପଡ଼ିଆରେ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଭାଗ ପକ୍ଷରୁ ୫,୫୦୦ ଜଣ ପିଇଟି ଶିକ୍ଷକଙ୍କୁ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିବାରୁ ମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ ।

ଭୁବନେଶ୍ୱରକୁ ସ୍ପୋଟର୍ସ କ୍ୟାପିଟାଲ୍‌ ଅଫ୍‌ ଇଣ୍ଡିଆ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହାର ବାସ୍ତବତା ନେଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସହ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ୱରରେ ୫ଟି ପଡ଼ିଆ ପ୍ରସ୍ତୁତ ହୋଇସାରିଛି । କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ନିର୍ମାଣାଧୀନ ହଷ୍ଟେଲ ନିର୍ମାଣ ଖୁବ୍‌ଶୀଘ୍ର ଶେଷ ହୋଇଯିବ ।

ଏଥି ସହିତ କଳିଙ୍ଗ ଷ୍ଟାଡିୟମ୍‌ର ସଂପ୍ରସାରଣ କାର୍ଯ୍ୟ ଯଥା ଟେନିସ୍‌ କୋର୍ଟ, ଜଳକ୍ରୀଡ଼ା କମ୍ପ୍ଲେକ୍ସ, ସୁଇମିଂ ପୁଲ, ଆଥ୍‌ଲେଟିକ୍ସ ଏଚ୍‌ପିସି ବିଲ୍‌ଡିଂ, ଅଫିସିଆଲ୍‌ମାନଙ୍କ ରହଣି କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ବିଭାଗୀର ପ୍ରମୁଖ ଶାସନ ସଚିବ  ବିଶାଲ କୁମାର ଦେବ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କ୍ରୀଡ଼ାବିତ୍‌ଙ୍କୁ ଅନ୍ତର୍ଜାତୀୟ ସ୍ତରର ତାଲିମ ଦିଆଯିବା ସହ ବର୍ତ୍ତମାନ ସୁଦ୍ଧା ୧୧ଟି ଏଚ୍‌ପିସି ମଧ୍ୟରୁ ୯ଟି କାର୍ଯ୍ୟକ୍ଷମ ହୋଇଛି । ଯୁବକମାନଙ୍କୁ ଉତ୍ସାହିତ କରି କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ବ୍ଲକ୍‌ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ସାମାଜିକ ଅନୁଷ୍ଠାନ ସହିତ ମିଳିତ ଉଦ୍ୟମ କରିବା ଉପରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ  ବିଶାଲ କୁମାର ଦେବ, ସ୍ୱତନ୍ତ୍ର ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା, ଉପଶାସନ ସଚିବ ରଂଜିତ କୁମାର ପରିଡ଼ା ଏବଂ ଶୈଳେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ