ମହାନଦୀରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର: ଉପର ମୁଣ୍ଡରେ ବର୍ଷାର ପରିମାଣ କମିବା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ଖସିବାରେ ଲାଗିଛି । ହେଲେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ହେବ । ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଏବେ ହୀରାକୁଦରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପର ମୁଣ୍ଡରେ ବର୍ଷା କମିବା ଯୋଗୁ ହୀରାକୁଦର ଜଳସ୍ତର ଖସୁଛି। ହୀରାକୁଦରେ ୪.୭୫ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୪.୮୭ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦରଜଳ ସ୍ତର ୬୨୮.୭୯ ଫୁଟ୍ ରହିଛି। ତେବେ ପରିସ୍ଥିତିକୁ ଦଅଷ୍ଟିରେ ରଖି ହୀରାକୁଦ ଗେଟ୍ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ। ରେଙ୍ଗାଳି ଡ୍ୟାମର ଜଳସ୍ତର ବଢୁଛି। ଫଳରେ ୨ଟି ଗେଟ୍ ଖୋଲା ଯାଇଛି।’

ସେହିପରି ମହାନଦୀ ଜଳସ୍ତର ବଢ଼ିବାରୁ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ମହାନଦୀ ଜଳ ପଶିଛି । ମନ୍ଦିରର ମୁଖ୍ୟଦ୍ୱାରକୁ ପାଣି ଛୁଇଁବାରୁ ମନ୍ଦିର ମୁଖଶାଳାକୁ ବନ୍ଦ କରାଯାଇଛି।

ହୀରାକୁଦ ଡ୍ୟାମ୍‌ରୁ ବନ୍ୟା ଜଳ ଛଡ଼ାଯିବା ପରେ ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି। ଓରବରସିଂହ, ବ୍ରଜମୋହନପୁର, ନରଣଗଡ଼ ପଞ୍ଚାୟତ ଏବେ ପାଣି ଘେରରେ ଥିବା ବେଳେ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ଯାଇଛନ୍ତି। ତଳିଆ ଗାଁଗୁଡ଼ିକରେ ରାଜୁଆ, ମଲାଗୁଣୀ, ଓ ଦୟାନଦୀ ପାଣି ପଶି ଚାରିଆଡ଼େ ଜଳମଗ୍ନ ହୋଇଗଲାଣି। ଏଥିଯୋଗୁ ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ହିରିମୂଳ ଗାଁରେ ଯାତାୟତ ପାଇଁ ଡଙ୍ଗା ହିଁ ଏବେ ଏକମାତ୍ର ଭରସା।

ଅନ୍ୟପକ୍ଷେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ଏନେଇ ସତର୍କ ସୂଚନା ବି ଜାରି କରାଯାଇଛି। ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ଏବଂ ଅଗ୍ନିଶମ ବିଭାଗ ଟିମକୁ ମୁତୟନ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ