ଛାତ୍ରଙ୍କ ପାଇଁ ବଦଳିଲା ମୋ ବସ ଚଳାଚଳର ସମୟ, ସହୟତା କଲେ ବୋଥ୍ରା

ଭୁବନେଶ୍ୱର: ଛାତ୍ରଙ୍କ ପାଇଁ ପରିବର୍ତ୍ତନ ହେଲା ମୋ ବସ ର ସମୟ। ପାଠକ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହେଲେ ଏହା ସତ। ଭୁବନେଶ୍ୱରର ଜଣେ ଛାତ୍ରଙ୍କୁ ସଠିକ ସମୟରେ ସ୍କୁଲରେ ପହଞ୍ଚାଇବା ପାଇଁ ମୋ ବସ ତାର ଚଳାଚଳର ସମୟ ପରିବର୍ତ୍ତନ କରିଛି। ବସ୍ ଉପରେ ନିର୍ଭର କରୁଥିବା ରାଜଧାନୀର ଜଣେ ଛାତ୍ର କରିଥିବା ଟ୍ୱିଟକୁ ନେଇ ଏବେ ଚର୍ଚ୍ଚାରେ ।

ଦୀର୍ଘ ୯ ମାସର ବ୍ୟବଧାନ ପରେ ରାଜ୍ୟରେ ଖୋଲିଛି ବିଦ୍ୟାଳୟ । କୋଭିଡ ସଂକ୍ରମଣକୁ ଦେଖି ସ୍କୁଲ ବସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ହେଲେ ସବୁ ଅଭିଭାବକଙ୍କ ପକ୍ଷେ ପିଲାଙ୍କୁ ସବୁଦିନ ବିଦ୍ୟାଳୟରେ ଛାଡିବା ସମ୍ଭବପର ନୁହେଁ । ଏଥିପାଇଁ ଅନେକ ଛାତ୍ର ସ୍କୁଲ ଯିବା ପାଇଁ ଟାଉନ ବସ ଉପରେ ମଧ୍ୟ ନିର୍ଭରଶୀଳ ହୋଇଥାନ୍ତି ।
ସୂଚନାନୁସାରେ ଭୁବନେଶ୍ୱରର ଏମବିଏସ୍ ପବ୍ଲିକ ସ୍କୁଲରେ ପଢୁଥିବା ସାଇ ଅନ୍ୱେଷ ଅମୃତମ ପ୍ରଧାନ ନାମକ ଜଣେ ଛାତ୍ର ଯିବାଆସିବା ମୋ ବସ ଉପରେ ନିର୍ଭର କରନ୍ତି । ହେଲେ ମୋ ବସର ସମୟରେ ପରିବର୍ତ୍ତନ ଯୋଗୁ ଠିକ୍ ସମୟରେ ସେ ସ୍କୁଲ ପହଞ୍ଚିବା ସମ୍ଭବପର ହେଉ ନଥିଲା। ଏନେଇ ସେ ଟ୍ୱିଟ୍ ମାଧ୍ୟମରେ କ୍ରୁଟ୍ ଭୁବନେଶ୍ୱର ଓ ଏହାର ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥାଙ୍କୁ ଜଣାଇ ସହାୟତା ଲୋଡିଥିଲେ।

ସାଇ ଅନ୍ୱେଷଙ୍କ ସ୍କୁଲରେ ରିପୋର୍ଟିଂ କରିବା ସମୟ ସକାଳ ସାଢେ ୭ଟା ହୋଇଥିବା ବେଳେ ସେ ରହୁଥିବା ଲିଙ୍ଗିପୁର ଦେଇ(ରୁଟ୍ ନମ୍ବର-୧୩) ପ୍ରଥମ ବସ ସକାଳ ୭ଟା ୪୦ମିନିଟରେ ଲିଙ୍ଗିପୁରରୁ ଛାଡ଼ୁଛି। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।

 

ଛାତ୍ରଙ୍କ ଟ୍ୱିଟର ଜବାବ ଦେବା ସହ ପଦକ୍ଷେପ ନେଇଛନ୍ତି ଆଇପିଏସ୍ ବୋଥ୍ରା । ଟ୍ୱିଟ୍ କରି ଅରୁଣ ବୋଥ୍ରା ଲେଖିଛନ୍ତି- ପ୍ରିୟ, ସାଇ ବସର ସମୟ ଆସନ୍ତା ସୋମବାରଠାରୁ ପରିବର୍ତ୍ତନ କରାଯାଇଛି । ଏବେ ବସ୍ ୭ଟାରୁ ଗଡ଼ିବ । ଏହାଦ୍ୱାରା ତୁମକୁ ଆଉ ବିଳମ୍ବ ହେବନାହିଁ ।

କ୍ରୁଟ୍ ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବୋଥ୍ରାଙ୍କର ଏଭଳି ପଦକ୍ଷେପକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଇଛି।

 

Leave A Reply

Your email address will not be published.

ବ୍ରେକିଂ