ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ ହେବ

ନୂଆଦିଲ୍ଲୀ : ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ ହେବ। ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ କରାଯିବକୁ ଥିବା ବେଳେ  ପିଏମ ମୋଦିଙ୍କ କ୍ୟାବିନେଟରେ ନୂଆ ମୁହଁଙ୍କୁ ସାମିଲ୍‌ କରାଯିବାର ସମ୍ଭାବନା ରହିଛି । ତେବେ କ୍ୟାବିନେଟରେ ମୋଟ ୨୫ ନୂଆ ମନ୍ତ୍ରୀଙ୍କୁ ସାମିଲ୍ କରାଯାଇପାରେ ।

ଆସନ୍ତାକାଲି ସଂଧ୍ୟାରେ ହେବାକୁ ଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଦିଲ୍ଲୀ ଅଭିମୁଖେ ଅନେକ ନେତା । ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଦିଲ୍ଲୀରେ ପହଞ୍ଚି ସାରିଥିବା ବେଳେ, ଆଉ ମନ୍ତ୍ରୀ ପଦ ପାଇଁ ଡକରା ପାଇଥିବା ଆଉ କିଛି ନେତା ମଧ୍ୟ ପହଞ୍ଚି ସାରିଲେଣି । କ୍ୟାବିନେଟ ସଂପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟରେ ତୁହାକୁ ତୁହା ବୈଠକ ହୋଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟରେ ବିହାରର ଚାରିଜଣ ନେତାଙ୍କୁ ସାମିଲ୍‌ କରାଯାଇପାରେ। ବିହାରର କେଉଁ ଚାରିଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା ରହିଛି, ସେମାନଙ୍କ ମଧ୍ୟରୁ ଜେଡିୟୁର ଦୁଇଜଣ, ଏଲଜେପିରୁ ଜଣେ ଏବଂ ବିଜେପିର ଜଣେ ଅଛନ୍ତି।

ସେହିପରି କିଛି ଅନ୍ୟ ନେତାଙ୍କୁ ମଧ୍ୟ ଦିଲ୍ଲୀ ଆସିବା ପାଇଁ କୁହାଯାଇଛି। ସୂତ୍ର ଅନୁଯାୟୀ, ଏଥର ମୋଦି ମନ୍ତ୍ରୀମଣ୍ଡଳରେ ପଛୁଆ ବର୍ଗର ମନ୍ତ୍ରୀଙ୍କୁ ପ୍ରାଥମିକତା ଦିଆଯିବ ଏବଂ ଯୁବ ନେତା ଓ ଦଳିତ ପ୍ରତିନିଧି ମଧ୍ୟ ସାମିଲ୍‌ ହୋଇପାରନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଅନୁପ୍ରିୟା ପଟେଲ, ମନୋଜ ତିୱାରୀ, ହିନା ଗାବିତ୍ ଓ ରାହୁଲ୍ କାସୱାନଙ୍କ ଭଳି ଯୁବ ନେତାଙ୍କ ନାଁ ସମ୍ଭାବ୍ୟ ମନ୍ତ୍ରୀ ପଦ ତାଲିକାରେ ଥିବା ସୂଚନା ମିଳିଛି।

ୟୁପିଏ ସରକାରରେ ମନ୍ତ୍ରୀ ରହିସାରିଥିବା ସିନ୍ଧିଆ ଆଜି ଦିଲ୍ଲୀ ଆସିବା ପୂର୍ବରୁ ଇନ୍ଦୋରରେ ଗଣମାଧ୍ୟମକୁ କହିଥିଲେ, ‘ମୋର ଉଜୈନ ଗସ୍ତ ଶେଷ ହୋଇଛି ଏବଂ ଏବେ ମୁଁ ଦିଲ୍ଲୀ ଯାଉଛି। ମୁଁ ଆସନ୍ତା ସପ୍ତାହରେ ଫେରିବି।’ ହେଲେ ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ୍‌ ହେବା ଖବର ଉପରେ ନୀରବ ରହିଥିବା ବେଳେ ଏ ସମ୍ବନ୍ଧରେ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଥିଲେ।

Leave A Reply

Your email address will not be published.

ବ୍ରେକିଂ