କଦଳୀ ପଟରୁ ଦଉଡ଼ି ଓ ମଞ୍ଜାରୁ ଆଚାର ପ୍ରସ୍ତୁତି, ଏମ୍‌ଏସ୍‌ଏମ୍‌ଇ କଦଳୀ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ଆଣିଲା

ଭୁବନେଶ୍ୱର :  କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍‌ ଓ ଡିସ୍‌ପୋଜେବୁଲ କପ୍‌ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ । ଏଥି ସହିତ କଦଳୀ ମଞ୍ଜାରୁ ଆଚାର ଏବଂ ପାମ୍ପଡ଼ ପ୍ରସ୍ତୁତ ହେବା ଭଳି ସୁଯୋଗ ସୃଷ୍ଟି ହୋଇଛି । ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ପରେ ଅବଶିଷ୍ଟ ବର୍ଜ୍ୟରୁ ଉଦ୍ୟାନ ପାଇଁ ବ୍ୟବହୃତ ଯୋଗ୍ୟ ଜିଆ ଖତ (ଭର୍ମି-କମ୍ପୋଷ୍ଟ) ପ୍ରସ୍ତୁତ ହୋଇପାରୁଛି । ଏହାକୁ ସମ୍ଭବ କରି ପାରିଛନ୍ତି ‘ସ୍ପୁର୍ତ୍ତି’ କ୍ଲଷ୍ଟରରେ କାର୍ଯ୍ୟରତ ଉଦ୍ୟୋଗ ଜୟଦେବ ବନାନା ଫାଇବର ଏକ୍ସଷ୍ଟ୍ରାକ୍ସନ୍‌ । ଏହି ଉଦ୍ୟୋଗ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାଠାରେ ପ୍ରତିଷ୍ଠା କରିଥିବା ଶିଳ୍ପାନୁଷ୍ଠାନରେ ଏହି ଉତ୍ପାଦଗୁଡ଼ିକ ଉତ୍ପାଦନ କରିବାକୁ ଯାଉଛି ।

ଏହି ଧରଣର ଉତ୍ପାଦନ ଓଡ଼ିଶାରେ ପ୍ରଥମ ହେବ । ପୂର୍ବରୁ କଦଳୀ ଗଛରୁ କଦଳୀ ବାହାରିବା ପରେ ଗଛକୁ ସଂପୂର୍ଣ୍ଣ ନଷ୍ଟ କରି ଦିଆଯାଉଥିଲା । କାଁ ଭାଁ ଏହାର ମଞ୍ଜାକୁ ପରିବା ଭାବେ ଖିଆ ଯାଉଥିଲା । ଏ ଧରଣର ଉଦ୍ୟୋଗ ହେବା ଏବଂ ନୂତନ ଜ୍ଞାନକୌଶଳ ଯୋଗୁଁ ଏବେ କଦଳୀ ଏକ ବହୁ ଅର୍ଥକରୀ ଫସଲ ଭାବେ ସାବ୍ୟସ୍ତ ହୋଇପାରିବ ଏବଂ ଅଧିକ କଦଳୀ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହ ଯୋଗାଇପାରିବ ।

ରାଜ୍ୟରେ ବହୁଳ ଭାବେ କଦଳୀ ଚାଷ ହେଉଥିବା ହେତୁ ଏହି ଉଦ୍ୟୋଗ ପାଇଁ କଞ୍ଚାମାଲର ଅଭାବ ରହିବ ନାହିଁ । ସ୍ପୁର୍ତ୍ତି ଯୋଜନାରେ ଏହି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ ୩୫୦ ଜଣ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀଗତ ଶିଳ୍ପାନୁଷ୍ଠାନ ଭାବେ ଆରମ୍ଭ କରାଯାଇଛି । ଖୁବ୍‌ଶୀଘ୍ର ଏହା ତା’ର ଉତ୍ପାଦନ ଆରମ୍ଭ କରିବ । ଆଜି ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ  ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ ଏହି ଉଦ୍ୟୋଗ ପାଇଁ ୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହାର ସତ୍ତ୍ୱାଧିକାରୀ ସମାଜ କଲ୍ୟାଣ ଫାଉଣ୍ଡେସନ୍‌ ରହିଛି । ଆଜିର ସମୀକ୍ଷା ବୈଠକରେ ୭ଟି ବିଭିନ୍ନ କ୍ଲଷ୍ଟର ଉପରେ ଟିକିନିଖି ସମୀକ୍ଷା କରାଯାଇଥିଲା ।

ଏଥିରେ ଚାନ୍ଦୁଆ ତିଆରି, ପଥର ଖୋଦେଇ କାମ, ନଡ଼ିଆ କତା, ବେଲ୍‌ ମେଟାଲ୍‌ ଓ କାଠ କାମ, ମହୁଆ ପ୍ରକ୍ରିୟାକରଣ, ଶୁଖୁଆ ମାଛ ପ୍ରସ୍ତୁତି ପ୍ରଭୃତି ଅନ୍ତର୍ଭୁକ୍ତ । ତେବେ ଏସବୁ କ୍ଲଷ୍ଟର ଉଦ୍ୟୋଗଗୁଡ଼ିକୁ ଯଥାସମ୍ଭବ ତାଙ୍କର ଉତ୍ପାଦନ ଆରମ୍ଭ ଦିଗରେ ବାକିଆ ରହିଥିବା କାର୍ଯ୍ୟ ତୁରନ୍ତ ସାରିବାକୁ କୁହାଯାଇଛି ।

ଏଥି ସହିତ ସମସ୍ତ କ୍ଲଷ୍ଟରଗୁଡ଼ିକ ଯେଉଁ ଜମି ଉପରେ ତାଙ୍କର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି, ସେହି ଜମିର ବୈଧତା ଯାଞ୍ଚ ନିମନ୍ତେ ସପ୍ତାହ ମଧ୍ୟରେ ବିଭାଗରେ ତାଙ୍କର ଜମି ରେଜିଷ୍ଟ୍ରେସନ୍‌ କାଗଜାତ୍‌ ଦାଖଲ କରିବାକୁ କୁହାଯାଇଛି । ତା’ଛଡ଼ା ଏସବୁ ଉଦ୍ୟୋଗ ବିଦୁ୍ୟତ ସଂଯୋଗ ବିଳମ୍ବ ଯୋଗୁଁ ଉତ୍ପାଦନ ଆରମ୍ଭ କରିବାରେ ସମସ୍ୟା ଉପୁଜୁଥିବା ଦର୍ଶାଇବାରୁ ସେ ଦିଗରେ ବିଭାଗ ତରଫରୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି ।

ପ୍ରମୁଖ ଶାସନ ସଚିବ ସାହୁ ଉତ୍ପାଦଗୁଡ଼ିକର ଆକର୍ଷଣୀୟ ପ୍ୟାକେଜ୍‌ ବ୍ୟବସ୍ଥା ସହିତ ଅନ୍‌ଲାଇନ୍‌ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରିଥିଲେ । କେତେକ କ୍ଲଷ୍ଟର ଅହେତୁକ ଭାବେ ନିର୍ମାଣ କାର୍ଯ୍ୟରେ ଧିମେଇ ଯାଇଥିବା ଯୋଗୁଁ ଯଦି ସେ ଦିଗରେ ସଂପୃକ୍ତ ଅନୁଷ୍ଠାନଗୁଡ଼ିକ ତତ୍ପରତା ପ୍ରକାଶ ନକରିବେ ତେବେ ସେମାନଙ୍କ ସଂସ୍ଥାକୁ ଅନ୍ୟ ଆଗ୍ରହୀ ଅନୁଷ୍ଠାନକୁ ପ୍ରଦାନ କରାଯିବ ବୋଲି ତାଗିଦ୍‌ କରିଥିଲେ ।

ଏସବୁ କ୍ଲଷ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ରାଜ୍ୟର ଅର୍ଥନୀତିରେ ଏକ ବିରାଟ ପରିବର୍ତ୍ତନର ସୂତ୍ରପାତ କରିବ ଏବଂ ଏଥିରେ ସଂପୃକ୍ତ ଲୋକଙ୍କ ଆୟ ବୃଦ୍ଧି ହେବା ସହ କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ । କିଛି ନୂଆ ପ୍ରସ୍ତାବ ଥିଲେ ତୁରନ୍ତ ଏଗୁଡ଼ିକୁ ଶିଳ୍ପ ନିର୍ଦ୍ଦେଶକଙ୍କ ପାଖକୁ ପଠାଇବାକୁ କୁହାଯାଇଛି । ସେ ଆଗକୁ ସରଳ ଓ ସହଜ ସମୀକ୍ଷା ନିମନ୍ତେ ଏକ ଉନ୍ନତ ଫର୍ମାଟ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ କାର୍ଯ୍ୟରତ ସର୍ବମୋଟ ୪୭ଟି ‘ସ୍ପୁର୍ତ୍ତି’ ଉଦ୍ୟୋଗର ସମୀକ୍ଷା ସମାପ୍ତ ହୋଇଛି ।

ଆଜିର ଏହି ଭର୍ଚୁଆଲ ସମୀକ୍ଷାରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ୍‌, ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ସିଟିଟିସିର  ଏସ୍‌.କେ. କର,  ଏଲ୍‌, ରାଜଶେଖର, ହସ୍ତଶିଳ୍ପ ନିର୍ଦ୍ଦେଶକ ସନାତନ ମହାପାତ୍ର, କତା ନିଗମର ଦେଶବନ୍ଧୁ ଦାସ, କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ନିର୍ଦ୍ଦେଶକ  ପି.କେ. ଗୁପ୍ତା, ଆଞ୍ଚଳିକ ନିର୍ଦ୍ଦେଶକ ଭି.ପି. ଠାକୁର, ଏଫ୍‌ଏମ୍‌ସି ସୁଚିସ୍ମିତା ଓ ଇଭାନ୍‌ଜେଲିିଷ୍ଟ ସୁଶ୍ରୀ ସଂଯୁକ୍ତା ବଢ଼ାଇ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ