ଜାତୀୟ ହସ୍ତତନ୍ତ ମେଳା, ୨୦୨୧: ଆଉ ମାତ୍ର ଦୁଇଦିନ
ଭୁବନେଶ୍ୱର: ବୟନିକା ଦ୍ୱାରା ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ବିଂଶତମ ଜାତୀୟ ହସ୍ତତନ୍ତ ମେଳା, ୨୦୨୧’ ସମାପ୍ତ ହେବାକୁ ଆଉ ମାତ୍ର ଦୁଇଦିନ ବାକି ରହିଲା । ଆଜି ସରସ୍ୱତୀ ପୂଜା ପାଇଁ ସରକାରୀ ଛୁଟି ଥିବାରୁ ମେଳାରେ ଗ୍ରାହକଙ୍କ ଉପସ୍ଥିତି ସହ ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।
ବୁଧବାର ଅର୍ଥାତ୍ ତା.୧୭/୦୨/୨୦୨୧ରିଖ ହେଉଛି, ମେଳାର ଶେଷ ଦିବସ । ୨୦ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ମେଳାରେ ଅଦ୍ୟାବଧି ଟ.୮.୦୦ କୋଟି ଟଙ୍କାର ବ୍ୟବସାୟ ହୋଇଛି ।
କେବଳ ବୟନିକା ଷ୍ଟଲ୍ରେ ଏକ କୋଟି ୪୦ ଲକ୍ଷ ଟଙ୍କା ବ୍ୟବସାୟ ହୋଇଛି । ଆଶା, ବୟନିକା ମେଳା ଶେଷସୁଦ୍ଧା ଏକ କୋଟି ପଚାଶ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିବ । ବୟନିକା ପରି ତାମିଲନାଡ଼ୁର ‘କୋପ୍ଟେକ୍ସ’, ଆନ୍ଧ୍ରପ୍ରଦେଶର ‘ଆପ୍କୋ’, ମଧ୍ୟପ୍ରଦେଶର ‘ମୃଗନୟନୀ’ ଆଦି ମଧ୍ୟ ଭଲ ବ୍ୟବସାୟ କରି ସନ୍ତୋଷ ପ୍ରକାଶ କରିଛନ୍ତି ।
ଚଳିତ ବର୍ଷ ମେଳାର ପରିପାଟି ଓ ସାଜସଜ୍ଜା ବହୁତ ସୁନ୍ଦର ହୋଇଛି ବୋଲି ଅଧିକାଂଶ ଗ୍ରାହକ ମତ ପ୍ରକାଶ କରିଛନ୍ତି । ମେଳାର ସମ୍ମିଳନୀ କକ୍ଷରେ ବୁଣାକାରଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ସଚେତନତା ଶିବିର, ବିକ୍ରୟ ସହକାରୀଙ୍କ ପାଇଁ କାପାସିଟି ବିଲଡିଂ କର୍ମଶାଳାମାନ ଆୟୋଜିତ ହୋଇଯାଇଛି, ଯାହା ସେମାନଙ୍କ ଜ୍ଞାନବର୍ଦ୍ଧନରେ ସହାୟକ ହେବ ।