ସାଂସଦ ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ସେବାୟତଙ୍କ ନିନ୍ଦା

ଭୁବନେଶ୍ୱର: ବହୁତ ଦୁଃଖର କଥା, ଭୁବନେଶ୍ୱରର ମାନ୍ୟବର ସାଂସଦ ତାଙ୍କ ନିର୍ବାଚନ ମଣ୍ଡଳୀର ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମସ୍ୟା ଉପରେ ଏତେ ଦିନ ପରେ ମୁହଁ ଖୋଲିଲେ । ଭୁବନେଶ୍ୱର ଆସି ଶ୍ରୀଲିଙ୍ଗରାଜଙ୍କ ସେବାୟତ ତଥା ସ୍ଥାନୀୟ ଲୋକଙ୍କ ସହ ପରାମର୍ଶ କରି ଏବଂ ସ୍ଥିତିକୁ ଭଲ ଭାବରେ ଅନୁଧ୍ୟାନ କରି ସାଂସଦ ମହାଶୟା ମତାମତ ଦେଇଥିଲେ ଭଲ ହୋଇଥାନ୍ତା ।  କିନ୍ତୁ ସେ ସିଧାସଳଖ ବିମାନ ବନ୍ଦରରୁ ଆସି ପ୍ରେସ୍‌ କନଫରେନ୍ସରେ ଯୋଗ ଦେଇଥିଲେ ।

ପ୍ରେସ୍‌ କନଫରେନ୍ସକୁ ଯିବା ପୂର୍ବରୁ ପୁରୁଣା ଭୁବନେଶ୍ୱରର ବାସିନ୍ଦା, ସେବାୟତ ତଥା ନିଯୋଗ ମାନଙ୍କ ସହିତ ଆଲୋଚନା କରି ବାଇ-ଲ ଦ୍ୱାରା ସେମାନେ କିପରି ଭାବରେ ପ୍ରଭାବିତ ହେବେ, ତାହା ଭଲ ଭାବରେ ବୁଝି ତା ଉପରେ ଟିପ୍ପଣୀ ଦେଇଥିଲେ ଭଲ ହୋଇଥାନ୍ତା ।

ଲୋକ ପ୍ରତିନିଧି ଭାବରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ଦାୟିତ୍ବହୀନ ମନ୍ତବ୍ୟ ପୁରୁଣା ଭୁବନେଶ୍ୱରବାସୀଙ୍କୁ ମର୍ମାହତ କରିଛି । ଯେଉଁ ଲୋକମାନେ ତାଙ୍କ ନିର୍ବାଚିତ କରିଥିଲେ, ସେମାନଙ୍କୁ ବିଶ୍ବାସକୁ ନନେଇ, ସେମାନଙ୍କ ଅସୁବିଧା ସମୟରେ ଏଭଳି ହାଲୁକା ମନ୍ତବ୍ୟ ଦେବା ଲୋକଙ୍କ ସହିତ ଧୋକା । ଯଦି ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ବାଇ-ଲ ଭୁଲ ହୋଇଛି ବୋଲି ପ୍ରତ୍ୟାହାର କରାଗଲା, ତେବେ ଭୁବନେଶ୍ୱର କ୍ଷେତ୍ରରେ ପ୍ରତ୍ୟାହର କରିବାରେ ଅସୁବିଧା କେଉଁଠି ରହିଲା ?

ମାନ୍ୟବର ସାଂସଦ, ଓଡିଶାର ପାଣି ପବନ ଓ ସଂସ୍କୃତି ସହ ବୋଧହୁଏ ଏପର୍ଯ୍ୟନ୍ତ ଭଲ ଭାବରେ ପରିଚିତ ହୋଇନାହାନ୍ତି । ସେ ଜାଣି ରଖିବା ଉଚିତ ଯେ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ଶ୍ରୀ ଅନନ୍ତ ବାସୁଦେବ ଏବଂ ଶ୍ରୀ ବ୍ରହ୍ମେଶ୍ବର ହେଉଛନ୍ତି ଜୀବନ ଠାକୁର । କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର । ଲୋକ ପ୍ରତିନିଧି ଭାବରେ ଯଦି ସାଂସଦ ଲୋକଙ୍କ ଦୁଃଖ ସମୟରେ ଠିଆ ହୋଇ ନପାରିଲେ, ତେବେ ଚୁପ୍‌ ରହିଥିଲେ ଭଲ ହୋଇଥାନ୍ତା ।

ସାଂସଦଙ୍କ ମନ୍ତବ୍ୟ ପୁରୁଣା ଭୁବନେଶ୍ୱରବାସୀଙ୍କ ପାଇଁ ତଥା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଭକ୍ତ ମାନଙ୍କ ପାଇଁ କଟା ଘାରେ ଚୂନ ଦେବା ଭଳି ହୋଇଛି । ମାନ୍ୟବର ସାଂସଦ ଜାଣି ରଖିବା ଉଚିତ ଯେ ପୁରୁଣା ଭୁବନେଶ୍ୱରବାସୀଙ୍କ ଏହି ଅସୁବିଧା ସମୟରେ ରାଜ୍ୟ ସରକାର, ଲୋକଙ୍କ ସାଥିରେ ଅଛନ୍ତି ଏବଂ ବାଇ-ଲ ସଂପୂର୍ଣ୍ଣ ପ୍ରତ୍ୟାହାର ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।

Leave A Reply

Your email address will not be published.

ବ୍ରେକିଂ