ଆଜିଠୁ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଜଗା ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ

ପୁରୀ : ଆଜିଠୁ ବିନା କଟକଣାରେ ଆରମ୍ଭ ହୋଇଛି ଜଗା ଦର୍ଶନ । ନିର୍ବିଘ୍ନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ତେବେ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ମଧ୍ଯ ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ ।

ଶ୍ରଦ୍ଧାଳୁମାନେ ଥର୍ମାଲ ସ୍କାନିଂ ଓ ସାନିଟାଇଜ ହେବା ପରେ ସିଂହଦ୍ୱାର ଦେଇ ମନ୍ଦ୍ରରେ ପ୍ରବେଶ କରୁଛନ୍ତି । ତେବେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହେଉଥିଲେ କିମ୍ବା ତାପମାତ୍ରା 100 ଡିଗ୍ରୀରୁ ଅଧିକ ଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ । ଆଜି ସକାଳ ୬ଟାରୁ ପ୍ରଥମେ ଘଣ୍ଟାଏ ପୁରୀବାସୀ ଶ୍ରୀଜିଉଙ୍କର ଦର୍ଶନ କରିଛନ୍ତି । ଏହାପରେ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

ଭକ୍ତ ବ୍ୟାରିକେଡରେ ଯାଇ ହାତ ସାନିଟାଇଜ୍ କରିବା ପରେ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରଖାଯାଇଛି । ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ କି ଫୁଲ, ଦୀପ ଓ ଭୋଗ ଆଜି ଶ୍ରୀମନ୍ଦିର ଭିତରକୁ ନେବେ ନାହିଁ । ପ୍ରତିଦିନ ୩୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ବ୍ୟବସ୍ଥା କରିଛି ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାଯୋଗ୍ଯ ଯେ, ପୂର୍ବରୁ ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ଯତାମୂଳକ କରାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ଯରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ କଟକଣା କୋହଳ କରାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ