ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ମିଲିଲା ୩୪୦ କୋଟି ୩୬ ଲକ୍ଷ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ପୁଣି ୩୪୦ କୋଟି ୩୬ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ର୍ପୂବରୁ ଏହି ପ୍ରକଳ୍ପ ପାଇଁ ୧୧୩୮କୋଟି ଟଙ୍କା ଅନୁମୋଦନ ହୋଇଥିଲା । ଫଳରେ ଏହି ପ୍ରକଳ୍ପର ଅନୁଦାନ ୧୫ ଶହ କୋଟିରେ ପହଂଚିଛି ।

ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଳା ଅଣଜଳସେଚିତ ଅଚଂଳ ବିଜେପୁର ସୋହେଲା ଆଦି ଅଚଂଳରେ ଜଳସେଚନର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ ।  ହୀରାକୁଦ ନଦୀବନ୍ଧର ପାଣି ସିଧାସଳଖ ବିଜେପୁର, ସୋହେଲା, ବରପାଲି ଆଦି ଅଣଜଳସେଚିତ ଅଚଂଳର ଜଳସେଚିତ ହୋଇପାରିବ ।

ଏନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ୧୧୩୮ କୋଟି ଟଙ୍କା ଘୋଷଣା କରିଥିଲେ । ତେବେ ମୁଖ୍ୟକେନାଲ ରୁ ପାଣି ଅଣାଗଲେ ୩୪ କିଲୋମିଟର ପର୍ଯ୍ୟନ୍ତ ଲାଇନିଂ କରିବା ସହିତ ତତ୍ ସଂଲଗ୍ନ ଷ୍ଟକଚର ଗୁଡିକର ସଂପ୍ରସାରଣ ତଥା ମରାମତି ଆବଶ୍ୟକ ରହିଛି । ଏହି କାର୍ଯ୍ୟ ପାଇଁ ମୁଖ୍ୟ କେନାଲକୁ ଅନୁନ୍ୟ ୨ ବର୍ଷ ବନ୍ଦ କରିବାକୁ ହେବ । ଯଦ୍ୱାରା ଜଳସେଚନ ବାଧାପ୍ରାପ୍ତ ହେବା ସହ କେନାଲ ଉପରେ ନିର୍ଭର କରୁଥିବା ଚାଷୀ ଅସନ୍ତୋଷ ଦେଖାଦବେ ।

ଯାହାକୁ ନେଇ ବିକଳ୍ପ ପ୍ରସ୍ତାବ ସ୍ୱରୂପ ବରଗଡ଼ ମୁଖ୍ୟ କେନାଲରୁ ୩୪ କିଲୋମିଟର ପର୍ଯ୍ୟନ୍ତ ପାଇପ ବିଛାଇ ଜଳ ଉତୋଳନ କରି ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପକୁ ଜଳ ଯୋଗାଇ ଦିଆଯିବ । ଏଥିପାଇଁ  ଆବଶ୍ୟକ ୩୪୦ କୋଟି ୩୬ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ମଞ୍ଜୁର କରିବା ସହ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ପ୍ରକଳ୍ପ ଦ୍ୱାରା ସର୍ବମୋଟ ୨୫, ୬୦୦ ହେକ୍ଟର ଜମି ଜଳସେଚିତ ହେବାକୁ ଥିବା ବେଳେ ସେଥିମଧ୍ୟରୁ ବିଜେପୁର ବ୍ଳକର ୧୫,୨୦୦ ହେକ୍ଟର, ସୋହେଲା ବ୍ଳକର ୬୪୦୦ ହେକ୍ଟର , ବରପାଲି ବ୍ଳକର ୩୮୪୦ ହେକ୍ଟର ଏବଂ ଡୁଙ୍ଗୁରିପାଲି ବ୍ଳକର ୧୬୦ ହେକ୍ଟର ଜମି ଜଳସେଚିତ ହେବ ବୋଲି ସୂଚନା ଦିଆଯାଇଛି  । ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଧାୟିକା ରୀତା ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ