ପିପିଲି ଓ ଡେଲାଙ୍ଗବାସୀଙ୍କୁ ୬୮କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ପିପିଲି ଓ ଡେଲାଙ୍କବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିଛନ୍ତି ।

ଏହି ଅବସରରେ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ଏଥିରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସଷ୍ଟାଣ୍ଡ  ଆଦି ବିଭିନ୍ନ ବିକାଶ କାମ କରାଯିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସବୁବେଳେ ଗାଁ ର ବିକାଶ ଉପରେ ଫୋକସ୍ କରିଆସିଛନ୍ତି । ମହିଳା ଓ ଚାଷୀ ଭାଇଙ୍କ କଲ୍ୟାଣ ଉପରେ ଫୋକସ୍ କରିଆସିଛନ୍ତି । ଗରିବ ଲୋକଙ୍କ  ମୁହଁରେ ହସ ହିଁ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ବୋଲି ସେ କହିଥିଲେ ।

କରୋନା ଲକଡାଉନ ସମୟରେ ମିଶନ ଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଆମର ମିଶନ ଶକ୍ତିର ମା’ ମାନେ ବହୁତ ଭଲ କାମ କରିଛନ୍ତି। ଆମର ଚାଷୀ ଭାଇମାନେ ମଧ୍ୟ ଲକ୍ ଡାଉନ ସମୟରେ କରୋନାକୁ ଭୟ ନ କରି ଚାଷ କାମ ଜାରି ରଖିଥିଲେ । ଚାଷୀ ଭାଇର ପରିଶ୍ରମ ଯୋଗୁ ଦେଶର ଅର୍ଥନୀତି ଆଜି ବଞ୍ଚି ରହିଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁଃଖର କଥା,  ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଭିତରେ ନାହାନ୍ତି । ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ । ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସାଥିରେ ରହିଥିଲେ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି। ଏହି ଅବସରରେ  ପ୍ରଦୀପ ମହାରଥୀଙ୍କ  ସ୍ମୃତି ପ୍ରତି  ସେ  ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଉପରେ ସମସ୍ତଙ୍କର ଅଧିକାର ରହିଛି । ବିଶେଷକରି ଗରିବ ଲୋକମାନଙ୍କର ବିକାଶ ଉପରେ ପ୍ରଥମ ଅଧିକାର ରହିଛି । ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ସାଧାରଣ ଲୋକକୁ ତାର ହକ୍‌ ଦେବା ପାଇଁ ସେ କାମ କରୁଛନ୍ତି ଓ କରିଚାଲିବେ ବୋଲି କହିଥିଲେ ।

ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ସମଗ୍ର ପୁରୀ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ପିପିଲି ଓ ଡେଲାଙ୍ଗ ଦୁଇଟି ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା । ପିପିଲିଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ପିପିଲି ସମେତ ସମଗ୍ର ପୁରୀ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଡେଲାଙ୍ଗଠାରେ ଆୟୋଜିତ ସମାବେଶରେ ଯୋଗଦେଇ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲାର ବିକାଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ  । ଶ୍ରୀମନ୍ଦିରର ବିକାଶ ପୁରୀ ଜିଲ୍ଲା ପାଇଁ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବ ବୋଲି ସେ କହିଥିଲେ ।

ଏହି ଅବସରରେ ପିପିଲିଠାରେ ୧୭୬୧ ଜଣଙ୍କୁ ରାସନ କାର୍ଡ, ୩୦୫୯ ଜଣଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଡେଲାଙ୍ଗଠାରେ ୩୨୦ ଜଣଙ୍କୁ ରାସନ କାର୍ଡ, ୧୨୩୦ ଜଣଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । ପିପିଲି ବଡକଣ୍ଟି ଗ୍ରାମର ହିତାଧିକାରୀ ପ୍ରମୋଦିନୀ ମାଝୀ ଏବଂ ଡେଲାଙ୍ଗର ପ୍ରମୋଦ ଭୋଇ ହିତାଧିକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

ବ୍ରେକିଂ