ଦୁଷ୍କର୍ମ ଅଭିଯୋଗରେ ବନପାଳ ଗିରଫ 

ମାଲକାନଗିରି :  ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବନପାଳ ଜଣକ ହେଲେ ମୁରଲିଧର ଅନୁଗୁଳିଆ ।

ମୁରଲିଧର ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ପୂର୍ବରୁ ପରିଚିତ ଥିଲେ । ତେବେ ଗତ ଏପ୍ରେଲ୍ ମାସ ୫ ତାରିଖରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଯାଇଥିଲେ ।  ଉକ୍ତ ଦିନ ରାତ୍ରିରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ଅଭିଯୁକ୍ତ ବନପାଳ ଦୁଷ୍କର୍ମ କରିଥିଲେ । ପରେ ପିଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ରଖିବା ସହ କାହାକୁ ନଜଣାଇବାକୁ କହିଥିଲେ ।

ଏସମ୍ପର୍କରେ ଉଭୟଙ୍କ ପରିବାର ଜାଣିବା ପରେ ସେମାନଙ୍କ ବିବାହ କରିବାକୁ ଅନୁଗୁଳିଆଙ୍କ ପରିବାର ଲୋକ ସହମତି ପ୍ରକାଶ କରିଥିଲେ। ତାଙ୍କୁ ଖୁବ ଶୀଘ୍ର ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ।  ଇତି ମଧ୍ୟରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇବା ପରେ ବନପାଳଙ୍କୁ ପଚାରିବାରୁ ସେ ଧମକ ଦେବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ତେଣୁ ବାଧ୍ୟ ହୋଇ ପିଡିତା ଜଣକ ମାଲକାନଗିରି ଏସ.ଡି.ଜେ.ଏମ୍ କୋର୍ଟରେ ଅଭିଯୋଗ ପରେ ଆଜି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.

ବ୍ରେକିଂ