ଜୁଲାଇ ୫ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ଆରମ୍ଭ

ଭୁବନେଶ୍ୱର : ମାଟ୍ରିକ ଫଳାଫଳକୁ ନେଇ ଅନେକ ସ୍ଥାନରେ ବିବାଦ ସୃଷ୍ଟି ହେବା ସହ ଅପ୍ରୀତିକର ସ୍ଥିତି ବି ସୃଷ୍ଟିହୋଇଛି । ମାଟ୍ରିକ ମାର୍କ ବୃଦ୍ଧି ପାଇଁ ଦାବି କରାଯାଉଛି । ତେବେ ସାମ୍ବାଦିକ ସମ୍ମିଳନୀରେ ବୋର୍ଡପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ମାଟ୍ରିକ୍ ମୂଲ୍ୟାୟନ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ବୋର୍ଡ ପକ୍ଷରୁ ପ୍ରୟାସ କରାଯାଇଛି।

ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ପାଇଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ୍ କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ କହିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ବିଚାରବିମର୍ଶ, ପରାମର୍ଶ ପରେ ବିକଳ୍ପ ଆସେସମେଣ୍ଟ ବ୍ୟବସ୍ଥା କରିଥିଲା । ଏହାକୁ ୱେବସାଇଟରେ ଦିଆଯାଇ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠା ଯାଇଥିଲା । ମେ ୭ ତାରିଖରେ ଉକ୍ତ ଗାଇଡଲାଇନକୁ ସାର୍ବଜନୀନ କରାଯାଇଥିଲା । ସେହି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ମାର୍କକୁ ଫଳାଫଳ ମୂଲ୍ୟାୟନ କରାଯାଇଥିଲା ।

ସ୍କୁଲ୍ ମାନେ ମାର୍କ ଅପଲୋଡ୍ କରିବା ପରେ ମୂଲ୍ୟାୟନ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା ବାତିଲ୍ ପରେ ବୋର୍ଡ କର୍ତ୍ତୃପକ୍ଷ ଶିକ୍ଷାବିତ୍, ଡିଇଓ ଓ କୋର୍ କମିଟି ସହ ଆଲୋଚନା କରିଥିଲା । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କ ସହ ଦଶମର ୩ଟି ଅଭ୍ୟାସ ଟେଷ୍ଟର ୨ଟି ସର୍ବୋଚ୍ଚ ମାର୍କକୁ ନେଇ ଫଳ ପ୍ରକାଶିତ ହୋଇଛି । ଏହି ସବୁ ମାର୍କକୁ ସ୍କୁଲ୍ କର୍ତ୍ତୃପକ୍ଷ ଅପଲୋଡ୍ କରିଥିଲେ । ତାପରେ ବିଗତ ୪ ବର୍ଷର ଫଳାଫଳ ମଧ୍ୟ ଆନାଲିସିସ୍ କରାଯାଇଥିଲା । ସୁରୁଖୁରୁରେ ପିଲାଙ୍କ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପଦକ୍ଷେପ ନେଇଥିଲା । ସିବିଏସଇ ଗୋଟିଏ ବର୍ଷ ମାର୍କ ନେଇଛି, ଆମେ ନେଇନୁ ବୋଲି କହିଛନ୍ତି ବୋର୍ଡର ଉପାଧ୍ୟକ୍ଷ ।

ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଫର୍ମ ଫିଲଅପ୍ କରି ଅଫଲାଇନ୍ ପରୀକ୍ଷା ଦେଇ ପାରିବେ । ଜୁଲାଇ ୫ରେ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ନୋଟିଫିକେସନ୍ ହେବ । ଫର୍ମ ଫିଲଅପ୍ ପାଇଁ ୧୦ ଦିନ ଦିଆଯିବ । ଜୁଲାଇ ମାସରେ ହିଁ ଅଫଲାଇନ୍ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ଦିନ ମଧ୍ୟରେ ହିଁ ରେଜଲ୍ଟ ବାହାରିବ । ସେହି ରେଜଲ୍ଟକୁ ଯୁକ୍ତ ୨ ପଢ଼ିବେ । ଅଫଲାଇନ୍ ପରୀକ୍ଷା ମାର୍କକୁ ଚୂଡ଼ାନ୍ତ ମାର୍କ ଧରାଯିବ ।

Leave A Reply

Your email address will not be published.

ବ୍ରେକିଂ