ନିଯୁକ୍ତି ତଥ୍ୟ ସର୍ଭେରେ ତ୍ରୁଟି

ନିକଟରେ ଶ୍ରମ ବ୍ୟୁରୋ ପକ୍ଷରୁ ପ୍ରକାଶିତ ତ୍ରୈମାସିକ ଅର୍ଥନୈତିକ ସର୍ଭେ ନିଯୁକ୍ତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ଏକ ଉଦ୍ୟମ। ଅର୍ଥନୀତିର ଅନୁଧ୍ୟାନ କରି ନୀତି ପ୍ରଣୟନ ଲାଗି ଏହାର ବେଶ ଗୁରୁତ୍ବ ରହିଛି। ଭାରତରେ ଅଧିକାଂଶ ସମୟରେ ସନ୍ତୋଷଜନକ ଅର୍ଥନୈତିକ ପକ୍ଷ ମିଳେନାହିଁ। ବିଶେଷ ଭାବରେ ନିଯୁକ୍ତି ପରିସଂଖ୍ୟାନରେ ଯଥେଷ୍ଟ ଦୁର୍ବଳତା ଥାଏ। ଯେହେତୁ ଦେଶକୁ ଏକ ସମୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ଏବଂ ପୃଥିବୀର ଏହି ଦ୍ବିତୀୟ ଜନବହୁଳ ଦେଶରେ ଦାରିଦ୍ର୍ୟ ଦୂରୀକରଣ ପ୍ରଥମ ଆବଶ୍ୟକତା। ସେ କାରଣରୁ ନିୟମିତ ଭାବେ ନିର୍ଭୁଲ ତଥ୍ୟ ନମିଳିଲେ ଉପଯୁକ୍ତ ନୀତି ଓ ଯୋଜନା ପ୍ରଣୟନ କରିବା କଷ୍ଟକର ହେବ ଏବଂ ସେସବୁର ସୁଫଳ ମଧ୍ୟ ଠିକଭାବେ ଜାଣିହେବନାହିଁ। ପୃଥିବୀର ସବୁ ବୃହତ ଅର୍ଥନୀତିରେ ସମୟାନୁକ୍ରମେ ନିର୍ଭରଯୋଗ୍ୟ ଧାରା ଓ ତଥ୍ୟକୁ  ଠାବ କରାଯାଏ ଓ ନିୟମିତ ସର୍ଭେ ଦ୍ବାରା ଅଗ୍ରଗତିକୁ ଜାଣିହୁଏ। ତେବେ ଦେଶର ଶ୍ରମ ବ୍ୟୁରୋ ପ୍ରକାଶ କରିଥିବା  ତ୍ରୈମାସିକ ଅର୍ଥନୈତିକ ସର୍ଭେରେ ଚଳିତ ଆର୍ଥିକ ବର୍ଷର  ଏପ୍ରିଲରୁ ଜୁନ ଯାଏଁ ତିନିମାସର ତଥ୍ୟ ଦିଆଯାଇଛି। ଏଥିରେ ସହରାଞ୍ଚଳ ଅର୍ଥନୀତିର ୯ଟି ପ୍ରଧାନ ଉଦ୍ୟୋଗ ସମ୍ପର୍କରେ ତଥ୍ୟ ରଖାଯାଇଛି।

ସେଥିରେ ମାନ୍ୟୁଫାକ୍‌ଚରିଂ ବା ଉତ୍ପାଦନ , ନିର୍ମାଣ , ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ଆତିଥେୟତା,ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଆର୍ଥିକ ସେବା ରହିଛି। ଉପରୋକ୍ତ ସର୍ଭେ କରୋନାର ଦ୍ବିତୀୟ ଲହର ବେଳେ କରାଯାଇଥିଲା। କୁହାଯାଇଛି ଯେ, ତାହା କରୋନା ସମସ୍ୟା ଯୋଗୁଁ ପ୍ରାୟତଃ ଟେଲିଫୋନ ଯୋଗେ କରାଯାଇଥିଲା୤ ବୋଧହୁଏ ସେହି କାରଣରୁ ସବୁ ତଥ୍ୟ ଦକ୍ଷତାର ସହ ସଂଗ୍ରହ କରାଯାଇ ପାରିନାହିଁ। ତଥାପି ଯାହା କରାଯାଇଛି ତାହା ପ୍ରଶଂସନୀୟ।

ଏହି ସର୍ଭେର ଚୂଡାନ୍ତ ବିବରଣୀକୁ ଦେଖିଲେ ଓ ଏଥିରେ ଯେଉଁ ପଦ୍ଧତି ଏବଂ ଅନୁମାନ ସବୁକୁ ଗ୍ରହଣ କରାଯାଇଛି ସେସବୁରେ କିଛି ଦୁର୍ବଳତା ରହିଯାଇଥିବା ଜଣାପଡିଛି। ଏଥିରେ କୁହାଯାଇଛି ଯେ, ଗତ ଏପ୍ରିଲ-ଜୁନ ତ୍ରୈମାସିକରେ ୩୦ ନିୟୁତ ସଦ୍ୟ ଚାକିରି ସୃଷ୍ଟି ହୋଇଥିଲା। ତାକୁ ୨୦୧୩-୧୪ର ଷଷ୍ଠ ଅର୍ଥନୈତିକ ଜନଗଣନା ସହ ତୁଳନା କରାଯାଇଛି। ଯେଉଁଥିରେ ୨୩.୭ନିୟୁତ ନିଯୁକ୍ତି ସୃଷ୍ଟି  ହୋଇଥିଲା।  ଅର୍ଥାତ ଏଥରର ନିଯୁକ୍ତି ପୂର୍ବ ଠାରୁ ୨୯ ପ୍ରତିଶତ ବଢିଛି। ଏତେବର୍ଷ  ବ୍ୟବଧାନ ମଧ୍ୟରେ ତୁଳନା ବିଶେଷ କିଛି ଫାଇଦା ଦେବ ବୋଲି ଆଶା କରାଯାଇନପାରେ। ଯଦି ଏହି ତୁଳନା ପିଛିଲା ବର୍ଷକ ତଳର ତଥ୍ୟ ସହ କରାଯାଇଥାନ୍ତା ତେବେ ହୁଏତ ଯୋଜନା ପ୍ରଣୟନକାରୀମାନେ ଏଥିରୁ ସନ୍ତୋଷଜନକ ନିଷ୍କର୍ସ ପାଇଥାନ୍ତେ। ସରଳ ଭାବେ ଦେଖିବାକୁ ଗଲେ ୨୦୧୩-୧୪ ତଥ୍ୟ ସହ ୨୦୨୧-୨୨ର ପରିସଂଖ୍ୟାନକୁ ତୁଳନା ଅନେକାଂଶରେ ମୂଲ୍ୟହୀନ।୨୦୧୩-୧୪ରେ ଯେଉଁସବୁ ଶିଳ୍ପ ବ୍ୟବସାୟ ସଂସ୍ଥା ଥିଲା ସେସବୁର ଅନେକ ଏବେ ବନ୍ଦ ହୋଇଗଲାଣି। ଏହାମଧ୍ୟରେ ଅନେକ ନୂଆ ସଂସ୍ଥା ଖୋଲିଲାଣି। ଏଣୁ ଏବେକାର ସର୍ଭେରେ ତଥ୍ୟର ବିକୃତିକରଣ ହୋଇଛି ବୋଲି କୁହାଯିବ। କାରଣ ୨୦୧୩-୧୪ ପରେ ଖୋଲିଥିବା ଶିଳ୍ପ ବ୍ୟବସାୟ ସଂସ୍ଥାଗୁଡିକର ତଥ୍ୟକୁ ସର୍ଭେ ଧରିନାହିଁ।

ନିକଟ ଅତୀତରେ  ଦେଶରେ ବହୁ ସଂଖ୍ୟାରେ ଚାକିରି ଚାଲିଯାଇଛି। ଏହି ସମୟରେ ନୂଆ ଚାକିରି ମଧ୍ୟ ସୃଷ୍ଟି ହୋଇନାହିଁ। ଗତବର୍ଷ କରୋନା ପରେ ଏହା ଦେଖାଗଲା୤ ପ୍ରତିବର୍ଷ ୨ କୋଟି ଚାକିରି ସୃଷ୍ଟି କରାଯିବ ବୋଲି  ସରକାର ଦେଇଥିବା ପ୍ରତିଶ୍ରୁତି ମଧ୍ୟ ସାକାର ରୂପ ନେଇନାହିଁ। ଏସବୁକୁ ଦେଖିଲେ ସର୍ଭେର ତଥ୍ୟ ଆଶା ସୃଷ୍ଟି କରୁନାହିଁ । ସର୍ଭେର  ଆଉ ଏକ ସୀମିତ ଦିଗ ହେଲା ଏଥିରେ କେବଳ ଆନୁଷ୍ଠାନିକ ଉଦ୍ୟୋଗର ତଥ୍ୟ ଦିଆଯାଇଛି। ଏହି ଉଦ୍ୟୋଗରେ ଯେଉଁ ସବୁ ସଂସ୍ଥାର ୧୦ରୁ ଅଧିକ କର୍ମଚାରୀ ଅଛନ୍ତି ସେଗୁଡିକୁ ସର୍ଭେରେ ହିସାବକୁ ନିଆଯାଇଛି। କିନ୍ତୁ ଭାରତରେ ଅଣଆନୁଷ୍ଠାନିକ ଉଦ୍ୟୋଗ  ନିଯୁକ୍ତି ଦୃଷ୍ଟିରୁ ବୃହତ କ୍ଷେତ୍ର। ସଂଗଠିତ ଉଦ୍ୟୋଗ ଅପେକ୍ଷା ଏହି କ୍ଷେତ୍ରରେ ବେଶୀ ନିଯୁକ୍ତିର ସୁଯୋଗ ଥାଏ। କିନ୍ତୁ ୨୦୧୬ ନଭେମ୍ବରରେ  ବିମୁଦ୍ରୀକରଣ  ଅଣଆନୁଷ୍ଠାନିକ  ଉଦ୍ୟୋଗକୁ ଏପରି ଧକ୍କା ଦେଲା ଯେ, ତାହା ଏଯାଏଁ ଖରାପ ଅବସ୍ଥାରେ ରହିଛି।

ସର୍ଭେରୁ ମଧ୍ୟ ଜଣାପଡିଛି ଯେ, ସଂଗଠିତ ଉଦ୍ୟୋଗରେ ଯେଉଁମାନେ ଚାକିରି କରୁଛନ୍ତି ସେମାନେ କରୋନାଜନିତ ଲକଡାଉନ ବେଳେ ପ୍ରଭାବିତ ହୋଇଥିଲେ୤ ସେମାନଙ୍କ ମଧ୍ୟରୁ କେତେକ ପୁରା ଦରମା ପାଇଥିବା ବେଳେ ଅନେକଙ୍କୁ ଆଂଶିକ ପାଉଣା ମିଳିଥିଲା। ସର୍ଭେରୁ ଦେଖାଯାଇଛି ଯେ, ଆନୁଷ୍ଠାନିକ କ୍ଷେତ୍ରର ଅନେକ ୟୁନିକ ନିଜ କର୍ମଚାରୀମାନଙ୍କୁ କୌଶଳ ବିକାଶ ତାଲିମ ଦେଉଛନ୍ତି ଏହା ସ୍ବାଗତଯୋଗ୍ୟ।  କିନ୍ତୁ ଚିନ୍ତାର ବିଷୟ ହେଲା ସଂଗଠିତ ଉଦ୍ୟୋଗରେ ମହିଳା କର୍ମଚାରୀଙ୍କ ସଂଖ୍ୟା କମୁଛି। ଏହି ଉଦ୍ୟୋଗର ମୋଟ କର୍ମଜୀବୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୨୦୧୩-୧୪ରେ ୩୧ ପ୍ରତିଶତ ଥିବା ବେଳେ  ଗତ ଏ

ପ୍ରିଲରେ ଜୁନ ତ୍ରୈମାସିକରେ ତାହା ୨୯ପ୍ରତିଶତକୁ ହ୍ରାସପାଇଛି। ସେ ଯାହାହେଉ ଉପରୋକ୍ତ ସର୍ଭେ ଉଭୟ ସରକାରୀ ତଥା ଘରୋଇ ଉଦ୍ୟୋଗ ପାଇଁ ଉପକାରରେ ଆସିବ। ସର୍ଭେରୁ ଯେତିକି ସଙ୍କେତ ମିଳିଛି ତାକୁ ଦେଖି ଦୁର୍ବଳତା ଗୁଡିକୁ ଦୂର କରାଯିବା ଉଚିତ।  କିନ୍ତୁ ନିର୍ଭୁଲ ତଥ୍ୟ ସଂଗ୍ରହର ଗୁରୁତ୍ବ ବଢୁଥିବାରୁ ଏଣିକି ନିର୍ଭରଯୋଗ୍ୟ ତଥ୍ୟ ମିଳିବା ଦରକାର୤ ତା’ର ଠିକ ଅନୁଶୀଳନ ମଧ୍ୟ ଆବଶ୍ୟକ। ଡିଜିଟାଲ ବ୍ୟବସ୍ଥାର ପ୍ରସାର ନିଶ୍ଚିତ ଭାବେ ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଅଧିକ ସହାୟକ ହେବ। ତା’ର ସାହାଯ୍ୟ ନିଆଯାଇପାରିବ।

Leave A Reply

Your email address will not be published.

ବ୍ରେକିଂ