ଦୁଇ ମାସରେ ଅମାନିଆଙ୍କ ଠାରୁ ସାଢ଼େ ୧୪ କୋଟି ଆଦାୟ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉମ ଜାରି ରହିଛି । ତେବେ ଏହି ଲକଡାଉନକୁ କିଛି ଲୋକେ ଅବମାନନା କରୁଥିବା ଦେଖିବାକୁ ମିଳିଛି । ତେବେ ଅମାନିଆଙ୍କଠାରୁ ଗତ ୨ ମାସ ମଧ୍ୟରେ ସାଢ଼େ ୧୪ କୋଟି ଜୋରିମାନା ଆଦାୟ କରାଯାଇଛି  । ଏନେଇ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଗତ ଏପ୍ରିଲ ୧ ତାରିଖରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଛି। ସେମାନଙ୍କ ଠାରୁ ୧୪ କୋଟି ୫୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି। ଏହାରି ମଧ୍ୟରେ  ୩୫ ଶହ ଦୋକାନ ସିଲ୍ କରାଯାଇ ଥିବାବେଳେ ୨୭୮ ମାମଲା ମଧ୍ୟ ରୁଜୁ କରାଯାଇଛି ।

ସେହିପରି ଏହି ଦୁଇ ମାସ ଭିତରେ ୧୩୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନିୟମ ଭାଙ୍ଗିଥିବା ୨୯ ହଜାର ଗାଡ଼ି ସିଜ୍ କରାଯାଇଛି । ଲକଡାଉନ୍ କଟକଣା ଭିତରେ ଅଧିକ ସାଇବର ଠକେଇ ଘଟୁଥିବା କହିଛନ୍ତି ଏଡିଜି। ସାଇବର ଠକେଇରେ ପଡ଼ିଲେ ତୁରନ୍ତ ୧୫୫୨୬୦କୁ ଜଣାନ୍ତୁ ବୋଲି ଏଡିଜି କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ  ୨୬୫୧ଟି ଲୋକାଲ୍ କେସ୍‌ ରହିଛି ।

Leave A Reply

Your email address will not be published.

ବ୍ରେକିଂ