୨୦୩୦ ସୁଦ୍ଧା ଓଡିଶା ଦେଶର ଇସ୍ପାତ ହବ୍ ହେବ

ଭୁବନେଶ୍ୱର: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି,  କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି । ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ ହିଁ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍‌ସ ଲିମିଟେଡର ସମନ୍ବିତ ଇସ୍ପାତ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପରୁ ବର୍ତ୍ତମାନ ୩ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ବର୍ତ୍ତମାନ ଏଥିରୁ ୭.୫୫ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହେବ । ଏହି ସଂପ୍ରସାରିତ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ଖୁସି ଆଣିଛି ।

ସେହିପରି ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲା ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧ । ଢେଙ୍କାନାଳର ଖଣିଜ ସଂପଦର ବିନିଯୋଗ କରି ଏହାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢିତୋଳିବା ତାଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଏ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୦୦ ମସିହାରେ ସେ ଶାସନ ଦାୟିତ୍ୱ ନେବାବେଳେ ରାଜ୍ୟରେ ମାତ୍ର ୨ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୩୦ ମିଲିଅନ ଟନ୍‌ରେ ପହଞ୍ଚିପାରିଛି ।

ଇସ୍ପାତ କାରଖାନା ଯୋଗୁ ହିଁ ଆମେ ଆଜି ଦେଶର ୧୭ଟି ରାଜ୍ୟକୁ କୋଭିଡର ଦ୍ବିତୀୟ ଲହର ସମୟରେ ଅକ୍‌ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଛୁ । ତେଣୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯେପରି ଠିକ୍‌ ସମୟରେ ଶେଷ ହେବ, ସେଥିପାଇଁ ଲୋକପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନସାଧାରଣ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ବର୍ତ୍ତମାନ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହାଦ୍ବାରା ଜିଲ୍ଲାର ୮ଟି ବ୍ଲକ ଓ ସବୁ ସହରାଞ୍ଚଳରେ ଘରେ ଘରେ ପାଇପ ପାଣି ସୁବିଧାରେ ମିଳିପାରିବ । ଜିଲ୍ଲାରେ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ସେହିଭଳି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ମାଇଲ ଖୁଣ୍ଟ ହେବ। ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମକୁ ମନ୍ତ୍ରୀ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ