ଚଳିତ ରବି ଋତୁରେ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ ଟନ୍‌ ଧାନ ସଂଗ୍ରହ

ଭୁବନେଶ୍ୱର :  ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ରବିଋତୁରେ ମୋଟ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ରବିଧାନ ବିକ୍ରି ନିମନ୍ତେ ନାମ ପଂଜୀକୃତ କରିଥିବା ଓ ଯାଞ୍ଚ କରାଯାଇଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ସରକାରଙ୍କୁ ବିକ୍ରି କରିଛନ୍ତି । କୋଭିଡ୍‌ କଟକଣାକୁ ଅନୁପାଳନ କରି ରାଜ୍ୟର ୧୭ଟି ଜିଲ୍ଲାରେ ୧୦୨୫ଟି ଧାନସଂଗ୍ରହ କେନ୍ଦ୍ରରେ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କରାଯାଇଥିଲା ।

ରାଜ୍ୟର ୧୭ଟି ଜିଲ୍ଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କର ନାମ ପଂଜୀକୃତ ଓ ଯାଞ୍ଚ ହୋଇଥିବାବେଳେ ୨ ଲକ୍ଷ ୩ ହଜାର ୭୮୯ ଜଣ ଚାଷୀ ଧାନ ବିକ୍ରି କରିଥିଲେ । ୨୦୨୦ ରବି ଧାନସଂଗ୍ରହ କାର୍ଯ୍ୟକ୍ରମରେ ପଂଜୀକୃତ ଓ ଯାଞ୍ଚ ଚାଷୀଙ୍କ ମଧ୍ୟରୁ ୮୨.୬୯ ପ୍ରତିଶତ ଚାଷୀ ରବିଧାନ ବିକ୍ରି କରିଥିଲେ । ସେହପରି ଖରିଫରେ ୮୦.୯୫ ପ୍ରତିଶତ ପଂଜୀକୃତ ଓ ଯାଞ୍ଚ ଚାଷୀ ଧାନ ବିକ୍ରି କରିଥିଲେ । ଗତ ଖରିଫଠାରୁ ଚଳିତ ରବିରେ ପ୍ରାୟ ୧୦ ପ୍ରତିଶତ ଅଧିକ ପଂଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ଚଳିତ ରବିଧାନ ସଂଗ୍ରହ ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ସମୁଚିତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଖରିଫ ବିପଣନ ଋତୁ ୨୦୨-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧ ଲକ୍ଷ ମେଟ୍ରିକ ଟନ୍‌ ଖରିଫ ଓ ରବିଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୭୭ ଲକ୍ଷ ୩୭ ହଜାର ୮୭୩ ମେଟି୍ରକ ଟନ୍‌ ସଂଗ୍ରହ କରାଯାଇପାରିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ୩୭ ହଜାର ମେଟି୍ରକ୍‌ ଟନ୍‌ରୁ ଅଧିକ ।

ସେହିପରି ଖରିଫ ବିପଣନ ଋତୁ ୨୦୧୯-୨୦ ବର୍ଷରେ ମୋଟ ୭୦ ଲକ୍ଷ ୫୬ ହଜାର ୫୧୪ ମେଟି୍ରକ୍‌ ଟନ୍‌ ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ଖରିଫ ବିପଣନ ଋତୁଠାରୁ ଚଳିତ ୨୦୨୦-୨୧ ଖରିଫ ବିପଣନ ଋତୁରେ ୬ ଲକ୍ଷ ୮୧ ହଜାର ୩୫୧ ମେଟ୍ରିକ ଟନ୍‌ ଅଧିକ ଧାନ ସଂଗ୍ରହ ହୋଇଛି ।

ଚଳିତ ରବିଧାନ ସଂଗ୍ରହରେ ରାଜ୍ୟରେ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୯୭ କୋଟି ୬୨ ଲକ୍ଷ ଟଙ୍କା ମୂଲ୍ୟର ଧାନସଂଗ୍ରହ କରାଯାଇଛି । ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ୫,୧୧,୦୬୮ ମେଟି୍ରକ୍‌ ଟନ, କଳାହାଣ୍ଡିରୁ ୨,୩୦,୮୪୩ ମେଟି୍ରକ୍‌ ଟନ, ସୁବର୍ଣ୍ଣପୁର ୨,୩୪,୯୪୬ ମେଟି୍ରକ ଟନ, କୋରାପୁଟ ୧,୨୮,୭୪୩ ମେଟ୍ରିକ ଟନ ଏବଂ ସମ୍ବଲପୁର ଜିଲ୍ଲାରୁ ୧,୨୮,୮୧୨ ମେଟି୍ରକ ଟନ ଧାନ ସଂଗ୍ରହ ହୋଇଛି ।

ସେହିପରି ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୯୫.୪୩ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ବିକ୍ରି କରିଥିବାବେଳେ, ଝାରସୁଗୁଡ଼ାରେ୯୪.୦୩ ପ୍ରତିଶତ, ସୁବର୍ଣ୍ଣପୁରରେ ୯୪.୭୩ ପ୍ରତିଶତ, ନୂଆପଡ଼ାରେ ୯୬.୯୪ ପ୍ରତିଶତ, ସମ୍ବଲପୁରରେ ୯୩.୯୦ ପ୍ରତିଶତ, କୋରାପୁଟରେ ୯୨.୨୨ ପ୍ରତିଶତ ଓ ଖୋର୍ଦ୍ଧା ଜିଲ୍ଲାରେ ୯୩.୫୭ ପ୍ରତିଶତ ଚାଷୀ ସେମାନଙ୍କ ଧାନ ବିକ୍ରି କରିଛନ୍ତି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ଓଡ଼ିଶା ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ  ବିଶ୍ୱଜିତ କେଶରୀ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ