ପନିର ପଟିଆଲା

ଆବଶ୍ୟକ ସାମଗ୍ରୀ

ପନିର୍‌, ଚିଜ୍‌, ଲୁଣ, ତେଲ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା, କଂଚା ଲଙ୍କା, ଧନିଆ ପତ୍ର, ପିଆଜ, କସ୍ତୁରୀ ମେଥି, ପାମ୍ପଡ, ଅଦା-ରସୁଣ ପେଷ୍ଟ, ତେଜପତ୍ର, ଗୋଲମରିଚ, ଡାଲଚିନି, ଗୋଟା ଜିରା, କାଜୁ ପେଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପନିର୍‌କୁ ଗ୍ରେଡ୍ କରି ରଖିବେ । ଏହାପରେ ଅଳ୍ପ ଚିଜ୍ ନେଇ ତାକୁ ମଧ୍ୟ ଗ୍ରେଡ୍ କରି ପନିର୍ ସହ ଏକ ପାତ୍ରରେ ରଖିବେ । ସେଥିରେ ଲୁଣ, ଭଜା ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଅଦା, କଟା କଂଚା ଲଙ୍କା, କଟା ଧନିଆ ପତ୍ର, କଟା ପିଆଜ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏକ ବଡ ପାମ୍ପଡ ନେଇ ତାକୁ ପାଣିରେ ବୁଡାଇ ଉଠାଇବେ । ତାକୁ ଏକ କପଡା ଉପରେ ରଖି ୨ ରୁ ୩ ସେକେଣ୍ଡ ପାଇଁ ଛାଡିବେ ।

ତା ଉପରେ ପ୍ରସ୍ତୁତ କରି ରଖିଥିବା ପନିର ମସଲା ଦେଇ ପ୍ରଥମେ ପାମ୍ପଡର ଦୁଇ ସାଇଡ୍‌କୁ ଫୋଲ୍ଡ କରି ରୋଲ୍ କରିବେ । ତାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ, ଏହି ରୋଲ୍ ପକାଇ ଫ୍ରାଏ କରିବେ । ଏହାପରେ ପିଆଜକୁ ବଡବଡ ଖଣ୍ଡ କରି କାଟିବେ ।

ପୁଣିଥରେ ଗ୍ୟାସ୍‌ରେ କଡେଇ ବସେଇ ସେଥିରେ ପାଣି ଢାଳି କଟା ପିଆଜ ପକାଇ ଅଳ୍ପ ସିଝାଇ ଗ୍ରାଇଣ୍ଡି କରିବେ । ଏହାପରେ ଟମାଟୋ ପ୍ୟୁରୀ ପ୍ରସ୍ତୁତ କରିବେ । ଏହାପରେ ଏକ ପାତ୍ରରେ ଅଦା-ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ସେଥିରେ ଅଳ୍ପ ପାଣି ପକାଇ ଗୋଳାଇବେ । ତାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ତେଜପତ୍ର, ଗୋଲମରିଚ, ଡାଲଚିନି ପକାଇ ହାଲ୍‌କା ଫ୍ରାଏ କରିବେ । ସେଥିରେ ଗୋଟା ଜିରା ପକାଇ ଫ୍ରାଏ କରିବେ ।

ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ପିଆଜ ପକାଇ ଭଲଭାବେ ଫ୍ରାଏ କରିବେ । ଦେଖିବେ ପିଆଜ ଭାଜି ହୋଇ ଆସିଲେ, ସେଥିରେ ଗୋଳାଇ ରଖିଥିବା ମସଲା ଏବଂ ଟମାଟୋ ପ୍ୟୁରୀ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ପକାଇ ୫ ରୁ ୭ ମିନିଟ ଯାଏଁ ମଧ୍ୟମ ଆଂଚରେ ଘୋଡଣୀ ଘୋଡାଇ ରଖିବେ । ଏହାପରେ ସେଥିରେ କାଜୁ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ଗରମ ପାଣି ଢାଳି ଫୁଟିବାକୁ ଛାଡିବେ । ତାପରେ ସେଥିରେ କସ୍ତୁରୀ ମେଥି ପକାଇ ଗ୍ୟାସ୍ ବନ୍ଦ କରି ସେଥିରେ ଫ୍ରାଏ କରି ରଖିଥିବା ପନିର୍ ରୋଲ୍ ପକାଇ ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ପଟିଆଲା ପନିର୍  । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ