ଭୁବନେଶ୍ୱର : ପରୀ ହତ୍ୟାକାରୀକୁ ଧରିବ କ୍ରାଇମବାଞ୍ଚ । ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲେରେ ତଦନ୍ତ କରିବ କ୍ରାଇମବାଞ୍ଚ । ଏନେଇ ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ ୩୪ ଜଣଙ୍କୁ ଜେରା କରାଯିବା ସହ ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି । ନୟାଗଡ ଏସଡିପିଓ ମାମଲାର ତଦନ୍ତ କରୁଛନ୍ତି ବୋଲି ସେ ରଖିଛନ୍ତି ।
ସୂଚନା ଅନୁଯାୟୀ , ଗତ ୧୪ ଜୁଲ୍ଲାଇରେ ନୟାଗଡ ସଦର ଥାନାର ଯଦୁପୁର ଗାଁର ପରି ନାମକ ଏକ ୫ ବର୍ଷୀୟ ନାବାଳିକାକୁ କେହି ହତ୍ୟା କରି ଫୋପାଡି ଦେଇଥିଲା । ଏହି ଘଟଣାକୁ ଏପର୍ଯ୍ୟନ୍ତ ୫ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ୍ କୌଣସି ଅପରାଧୀକୁ ଧରିପାରିନାହିଁ । ପୋଲିସର ବିଫଳତା ପ୍ରତିବାଦରେ ଗତକାଲି ପରୀର ବାପା ମା ବିଧାନସଭା ଆଗରେ ଆତ୍ମାହୂତି ଦେବା ପାଇଁ ପ୍ରୟାସ କରିଥିଲେ । ପିରୀର ହତ୍ୟା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ଅଛି ବୋଲି ସେ ଅଭିଯୋଗ କରିଥିଲେ । ପୋଲିସ୍ ତାଙ୍କୁ କାବୁ କରି ନିଜ ହେପାଜତରେ ନେଇଥିଲା ।
ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ବିରୋଧି ବିଜେପି ଓ କଂଗ୍ରେସ୍ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଘଟଣାରେ ହସ୍ତକ୍ଷେପ କରି ବାଚସ୍ପତି ଗୃହ ମନ୍ତ୍ରୀଙ୍କୁ ବୁଧବାର ବିଧାନସଭାରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।