ଦୀର୍ଘ ଦିନ ପରେ ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ : ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ପୁଣିଥରେ ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର । ଚଳିତ ବର୍ଷ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି ।  ବୁଧବାର ଦିନ ପେଟ୍ରୋଲ ଦର ଲିଟର ପିଛା ୨୪ରୁ ୨୬ ପଇସା ବଢ଼ିଥିବା ବେଳେ ଡିଜେଲ ଦର ଲିଟର ପିଛା ୨୫ରୁ ୨୭ ପଇସା ବୃଦ୍ଧି ପାଇଛି ।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା  ୮୩.୯୭ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୪.୧୨ ଟଙ୍କା ହୋଇଛି। ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୪.୬୧ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୦.୭୪ ଟଙ୍କା ହୋଇଛି ।

ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର  ବୃଦ୍ଧି କରାଯାଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା  ୯୦.୬୦ ଟଙ୍କା ଏବଂ ଡିଜେଲ ୮୦.୭୮ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୮୫.୪୪ ଟଙ୍କା ଏବଂ ଡିଜେଲ ୭୭.୭୦ ଟଙ୍କା ରହିଛି ।  ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୬.୭୫ ଟଙ୍କା ଏବଂ ଡିଜେଲ ୭୯.୪୬ ଟଙ୍କା ରହିଛି ।

ସେହିଭଳି ନୋଏଡାରେ ପେଟ୍ରୋଲ ଲିଟର ପିଛା ୮୩.୮୮ ଟଙ୍କା ଏବଂ ଡିଜେଲ ୭୪.୫୫ ଟଙ୍କା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷର ଦ୍ୱିତୀୟାର୍ଦ୍ଧରେ ପେଟ୍ରୋଲ ଦର ବହୁତ ବୃଦ୍ଧି ପାଇଥିଲା। ସେହି ସମୟରେ, ଅଗଷ୍ଟ ମାସରୁ ପେଟ୍ରୋଲର ଦର ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନେକ ଥର ହ୍ରାସ ଏବଂ ବୃଦ୍ଧି ପାଇଲା ।  ତେବେ ଡିସେମ୍ବର ୮  ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲା।

Leave A Reply

Your email address will not be published.

ବ୍ରେକିଂ