ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ନିଖୋଜ ଅଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଥିବା ବେଳେ, ୪ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ।

ଉତ୍ତରାଖଣ୍ଡର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ସ୍ଥିତି ଉପରେ ମୁଁ ଲଗାତାର ନଜର ରଖିଛନ୍ତି। ସାରା ଭାରତ ଆଜି ଉତ୍ତରାଖଣ୍ଡ ସହିତ ଛିଡ଼ା ହେଇଛି ବୋଲି ମୋଦି କହିଛନ୍ତି । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗଇ ଦେବାକୁ ଘୋଷଣା କରିଛନ୍ତି ।ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ କହିଛନ୍ତି ଯେ, ବର୍ତ୍ତମାନ ବନ୍ୟା ପରିସ୍ଥିତି ଏବଂ ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ନଥିବା ସହ ପାଖ ଗାଁ ବାସିନ୍ଦାଙ୍କ ପାଇଁ ମଧ୍ୟ କୌଣସି ବିପଦ ନାହିଁ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରର ସାହାଯ୍ୟ ପାଇଁ ହେଲପଲାଇନ ନମ୍ବର ଜାରି କରିଥିଲେ। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିବାକୁ କୁହାଯାଇଥିଲା।

ଏହି ହିମସ୍ଖଳନ କାରଣରୁ ବିଦ୍ୟୁତ୍ ପ୍ରକଳ୍ପ ଋଷି ଗଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ରୁ ୫୦ଜଣ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହା ସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ସହ ବାୟୁସେନାର ହେଲିକପ୍ଟରକୁ କାମରେ ଲଗାଯାଇଛି।

Leave A Reply

Your email address will not be published.

ବ୍ରେକିଂ