ଭାରତୀୟ ଅଲମ୍ପିକ୍ସଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେଲେ

ନୂଆଦିଲ୍ଲୀ: ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି। ଓଡ଼ିଶାରୁ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ମଧ୍ୟ ମୋଦୀ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଦୂତୀ ଚାନ୍ଦଙ୍କୁ ତାଙ୍କ ପ୍ରସ୍ତୁତି ସମ୍ବନ୍ଧରେ ପଚାରିଥିଲେ। ପ୍ରଧାନମନ୍ତ୍ରୀ ଦୂତୀଙ୍କୁ କହିଥିଲେ, ଦୂତୀ ଅର୍ଥ ଚମକ। ଟୋକିଓରେ ଆପଣଙ୍କ ଚମକ ଅପେକ୍ଷାରେ ରହିଛି ଭାରତ। ଆପଣ ଦେଶ ପାଇଁ ବହୁତ ରେକର୍ଡ କରିଛନ୍ତି। ଆପଣ ଅଲିମ୍ପିକ୍ ପୋଡିୟମରେ ନିଶ୍ଚତ ସ୍ଥାନ ହାସଲ କରିବେ ବୋଲି ପୂରା ଦେଶବାସୀ ଆଶାବାଦୀ ଅଛନ୍ତି।

ନିକଟରେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୪ର ୧୦୦ ମିଟର ଇଭେଣ୍ଟକୁ ୧୧.୧୭ ସେକେଣ୍ଡ ଅତିକ୍ରମ କରି ନିଜର ପୂର୍ବ ରେକର୍ଡକୁ କାଟିଦେଇଥିଲେ । ସେ ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ଅଳ୍ପକେ ସିଧାସଳଖ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିପାରିନଥିଲେ । ତେବେ ନିଜର ବିଶ୍ୱ ମାନ୍ୟତା ଅନୁସାରେ ସେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱ ଚାମ୍ପିୟନ୍ ଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ଏମସି ମ୍ୟାରୀ କମ୍, ଟେନିସ୍ ତାରକା ସାନିଆ ମିର୍ଜା, ଆର୍ଚର ଦୀପିକା କୁମାରୀ ଓ ପ୍ରବୀଣ ଯାଦବ, ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା, ରେସଲର୍ ଆଶିଷ କୁମାର, ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ, ଶୁଟର୍ ସୌରଭ ଚୌଧୁରୀ, ଶୁଟର୍ ଏନାଭେନିଲ୍ ବାଲାରିଭନ୍, ଟେବୁଲ୍ ଟେନିସ୍ ଖେଳାଳି ଶରତ କମଲ୍ ଓ ମନିକା ବାତ୍ରା, ରେସଲର୍ ଭିନେଶ୍ ଫୋଗଟ୍, ସୁଇମର୍ ସାଜନ ପ୍ରକାଶ ଓ ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ସହ କଥା ହୋଇଥିଲେ।

ସୂଚନାଯୋଗ୍ୟ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ କ୍ରୀଡ଼ା ମହାକୁମ୍ଭ।

Leave A Reply

Your email address will not be published.

ବ୍ରେକିଂ