ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: କରୋନା ପରିଚାଳନା ପାଇଁ ନବୀନ ୩୦୦ କୋଟି ଟଙ୍କା ମାଗିଲେ

ନୂଆଦିଲ୍ଲୀ : କରୋନା ଦ୍ୱିତୀୟ ଲହରୀକୁ ରୋକିବା ଲାଗି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି।  ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି- କୋଭିଡ୍ ବିରୋଧରେ ଆମର ଲଢେଇ ଜାରି ରହିବ । ତେଣୁ ଆମକୁ ସଚେତନା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ପଡିବ ନହେଲେ ସ୍ଥିତି ବିଗିଡେଇ ଦେବ । ଆଉ ଏହାର ନିୟନ୍ତ୍ରଣ ପାଇଁ ଲକଡାଉନର କୌଣସି ଆବଶ୍ୟକତା ନାହିଁ ।

ଆମକୁ ସ୍ଥାନୀୟ ଅବରୋଧ ଅଞ୍ଚଳ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଫୋକସ ଦେବାକୁ ହେବ । ଏଥିସହ ଆମକୁ କରୋନା ପରୀକ୍ଷା ବ୍ୟାପକ କରିବାକୁ ପଡିବ ।  ୭୦ ପ୍ରତିଶତ ଆରଟି-ପିସିଆର ପରୀକ୍ଷା କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଂପ୍ରତି ଦେଶରେ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ।  ଦେଶରେ ପୁଣି ଥରେ ଆହ୍ଵାନପୂର୍ଣ୍ଣ ସ୍ଥିତି ସମ୍ମୁଖୀନ ହେଉଛି। ବିଶେଷ କରି କିଛି ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି। ଆମକୁ ମୁକାବିଲା ସମୟରେ ଉଚିତ୍ ସମନ୍ଵୟ ଉପରେ ଜୋର ଦେବାକୁ ପଡିବ। ଦେଶ ପ୍ରଥମ କରୋନ ଲହରର ଚରମ ସୀମାକୁ ଅତିକ୍ରମ କରି ସାରିଛି। ଏଥର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ଭୟଙ୍କର ରହିଛି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥର ଜନତା ସଂକ୍ରମଣକୁ ପୂର୍ବାପେକ୍ଷା ଅଧିକ ହାଲକା ନେଇଛନ୍ତି। ପୁଣି ଥରେ ଆମକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ପଡିବ। ଜନ ଭାଗିଦାରୀ ସହିତ ଡାକ୍ତର ସ୍ଥିତିର ମୁକାବିଲା ପାଇଁ ନିଜ କର୍ତ୍ତବ୍ୟରେ ଲାଗି ପଡିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶ ରାତ୍ରକାଳୀନ କର୍ଫ୍ୟୁ ସ୍ଵୀକାର କରିଛି। ଏହାକୁ ଆମକୁ ନାଇଟ୍‌ କର୍ଫ୍ୟୁ ବଦଳରେ କରୋନା କର୍ଫ୍ୟୁ ଭାବେ ମନେ ରଖିବା ଉଚିତ୍।

ଅନ୍ୟପକ୍ଷରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ବ ଦେବାକୁ ହେବ । ଏଥିସହ ଯେଉଁଠାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି ତାକୁ ‘କରୋନା କର୍ଫ୍ୟୁ’ ଆଲର୍ଟ ରହିବା । ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି । ମୃତ୍ୟୁହାର୍ କମ୍ ରହିବା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର । ଏପ୍ରିଲ୍ ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଆମେ କରୋନା ଟେଷ୍ଟିଂକୁ ଭୁଲି ଯାଇ ଟିକାକରଣ ଉପରେ ଧ୍ୟାନ ଦେଇଥିବା ଏକ ସମସ୍ୟା ବୋଲି କହିଛନ୍ତି ମୋଦି । ଭ୍ୟାକ୍ସିନ୍ ବିନା ଆମେ କୋଭିଡ୍ ବିରୋଧୀ ଯୁଦ୍ଧ ଜିତି ପାରିବା ନାହିଁ । କିନ୍ତୁ ଆମକୁ ତା’ସହ କରୋନା ଟେଷ୍ଟିଂ ଉପରେ ଧ୍ୟାନ ଦେବାକୁ ପଡ଼ିବ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କରୋନା ପରିଚାଳନା ପାଇଁ   ୩୦୦ କୋଟି ଟଙ୍କା ମାଗିଛନ୍ତି। ଏଥିସହ ଅତିକମରେ ୧୦ଦିନ ପାଇଁ ଟିକା ଷ୍ଟକ୍ ଦିଆଯାଉ ବୋଲି ନବୀନ ମୋଦିଙ୍କୁ କହିଛନ୍ତି। SDRF ପାଣ୍ଠିର ୫୦% ଖର୍ଚ୍ଚ ନେଇ ଏବର୍ଷ ପାଇଁ ବି ଅନୁମତି ମିଳୁ ନବୀନ ଦାବି କରିଛନ୍ତି।

କୋଭିଡ ପରିଚାଳନା ପାଇଁ  ପୂର୍ବରୁ କେନ୍ଦ୍ର ସରକାରକୁ ୪୦୦ କୋଟି ଟଙ୍କା ମାଗିଥିଲେ ଓଡିଶା ସରକାର। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟକୁ ମାତ୍ର ୧୪୬ କୋଟି ଟଙ୍କା ମିଳିଥିବା ନବୀନ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ