୧୧ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଦେଶରେ କରୋନା ଟିକାଦାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଏହି ଟିକାଦାନ ପୂର୍ବରୁ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିବେ ।

ସୂଚନାନୁସାରେ ଏହି ବୈଠକ ଅପରାହ୍ଣ ୪ଟା ବେଳେ ହେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆୟୋଜନ କରାଯିବ । ବୈଠକରେ କରୋନା ଟିକାଦାନ ସଂପର୍କରେ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଦେଶରେ କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ମୋଦୀ ଆଲୋଚନା କରିବାର ସମ୍ଭାବନା ରହିଛି ।

ପୂର୍ବରୁ DCGI ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମୋଦନ ଦେଇଥିଲା। ଯାହା ପରେ ଭାରତ ସରକାର ଚଳିତ ମାସ ୧୩ ତାରିଖ ସୁଦ୍ଧା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଟିକାକରଣ ପୂର୍ବରୁ ସବୁ ରାଜ୍ୟରେ ଡ୍ରାଏ ରନ୍ ମଧ୍ୟ ଆରମ୍ଭ ହୋଇସାରିଛି।

ସେପଟେ ଭାରତରେ କରୋନା ଭାଇରସ୍ ମାମଲା ଲଗାତର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୮୧୩୯ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ୨୦,୫୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ