ନୂଆଦିଲ୍ଲୀ: ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାର ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟରେ ଲେଖିଛନ୍ତି, ଭାରତ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଯୋଜାନଗୁଡ଼ିକ ନିମନ୍ତେ ବର୍ଷ ୨୦୨୦-୨୦୨୧ର ଶେଷ ୪ ମାସରେ ସୁଧହାର ଯାହା ଥିଲା ତାହା ହିଁ ରହିବ। ଅର୍ଥାତ୍, ୨୦୨୧ ମାର୍ଚ ପର୍ଯ୍ୟନ୍ତ ଯେଉଁ ହାରରେ ସୁଧ ମିଳୁଥିଲା ତାହା ବଜାୟ ରହିବ।
ବିଳମ୍ବିତ ରାତିରେ ଖବର ଆସିଥିଲା ଯେ, ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ ପାଇଁ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ କରାଯାଇଛି । ତାହା ଆଜିଠାରୁ ଲାଗୁ ହେବ । କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଏହି ନିର୍ଦ୍ଦେଶ ଭୁଲ୍ବଶତଃ ଜାରି ହୋଇଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ବୁଧବାର ଦିନ କେନ୍ଦ୍ର ସରକାର ‘ଜାତୀୟ ସଞ୍ଚୟ ସାର୍ଟିଫିକେଟ୍’ (ଏନ୍ଏସ୍ସି) ଏବଂ ‘ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ପିପିଏଫ୍) ସମେତ ସ୍ୱଳ୍ପ ସଞ୍ଚୟ ଯୋଜନାଗୁଡ଼ିକ ଉପରେ ୧.୧% ସୁଧ ହ୍ରାସ ଘୋଷଣା କରିଥିଲେ। ସେହିଭଳି ‘ପିପିଏଫ୍’ରେ ସୁଧହାର ୦.୭% କଟାଯାଇ ୬.୪%କୁ ହ୍ରାସ କରାଯାଇଥିଲା। ସୁଧହାର ୬.୮% ଥିବା ‘ଏନ୍ଏସ୍ସି’ ସୁଧହାର ୫.୯% ହ୍ରାସ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟର ଲାଗି ଏହି ସୁଧ ହାର ଧାର୍ଯ୍ୟ ହୋଇଥିଲା ।