ଟ୍ରିବ୍ୟୁନାଲଗୁଡ଼ିକର ସମସ୍ୟା

ଦେଶରେ ବିଭିନ୍ନ  ଟ୍ରିବ୍ୟୁନାଲରେ ଖାଲି ପଡିଥିବା ପ୍ରାୟ ୨୫୦ଟି  ପଦବୀ ପୂରଣରେ ସୀମାରିକ୍ତ ବିଳମ୍ବ  ଉପରେ ସୁପ୍ରିମକୋର୍ଟ  ବିଷୋଦଗାର କରିଛନ୍ତି । ସରକାର ଓ ନ୍ୟାୟପାଳିକା ମଧ୍ୟରେ ମୁହାଁମୁହିଁ  ସ୍ଥିତିର ଆଶଙ୍କା ଏଥିଯୋଗୁଁ ସୃଷ୍ଟି ହୋଇଛି। ଯଦିଓ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ  କୋର୍ଟ ମୁକାବିଲା ଚାହାଁନ୍ତି ନାହିଁ ତଥାପି  ସରକାର ଯେ ଟ୍ରିବ୍ୟୁନାଲ ଗୁଡିକରେ ନିଯୁକ୍ତି ନଦେଇ ସେଗୁଡିକୁ ନଫୁସଙ୍ଗ କରିଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କୋର୍ଟଙ୍କର ମନ୍ତବ୍ୟ  ସର୍ବୋଚ୍ଚ ନ୍ୟାୟାଳୟ ସ୍ତରରେ  ହତାଶାବୋଧକୁ ସ୍ପଷ୍ଟ କରିଛି। ‘ଏହି କୋର୍ଟଙ୍କର ରାୟଗୁଡିକ ପ୍ରତି କୌଣସି ସମ୍ମାନ ନାହିଁ’ବୋଲି ଉଲ୍ଲେଖ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନର ସତର୍କବାଣୀ ଶୁଣାଇଛନ୍ତି । ନିକଟରେ ସୁପ୍ରିମକୋର୍ଟ ନିଜର ତଥା ଅନେକ ହାଇକୋର୍ଟର  ବିଚାରପତି ପଦବୀ ପୂରଣରେ ସଫଳ ହୋଇଛନ୍ତି। ଏଥିରୁ ଜଣାପଡୁଛି ସର୍ବୋଚ୍ଚ ନ୍ୟାୟାଳୟ ଏବେ ବିଭିନ୍ନ ବିଚାରବିଭାଗୀୟ ପଦବୀ ପୂରଣକୁ ଗୁରୁତ୍ବ ଦେଉଛନ୍ତି। ସେହି ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲଗୁଡ଼ିକର ଖାଲି ସ୍ଥାନ ପୂରଣ ସମ୍ପର୍କରେ କୋର୍ଟଙ୍କର ଅସନ୍ତୋଷକୁ ଗୁରୁତ୍ବ ଦେବାକୁ ହେବ।

ରାଷ୍ଟ୍ରର ଏକ ମୁଖ୍ୟଦାୟିତ୍ବ ହେଲା ବିବାଦ ତୁଟାଇବା । ଏହା ମୁଖ୍ୟତଃ ତ୍ରିସ୍ତରୀୟ କୋର୍ଟ ବ୍ୟବସ୍ଥା ଜରିଆରେ କାର୍ଯ୍ୟକାରୀ ହୁଏ। ଟ୍ରିବ୍ୟୁନାଲ ଗୁଡିକ ଆପାତତଃ ନ୍ୟାୟିକ ସଂସ୍ଥା । ସମ୍ବିଧାନରେ ଏଥିପାଇଁ ମୂଳରୁ ବ୍ୟବସ୍ଥା ନଥିଲା। ୪୨ତମ ସମ୍ବିଧାନ ସଂଶୋଧନ ଜରିଆରେ ଏହାର ପ୍ରବର୍ତ୍ତନ କରାଗଲା। ଏଥିରେ ୩୨୩ (ଏ) ଧାରାକୁ ସହାୟତା ଦିଆଯାଇ ପ୍ରଶାସନିକ ଟ୍ରିବ୍ୟୁନାଲ ଗଠନ ସକାଶେ ବ୍ୟବସ୍ଥା ହେଲା। ସେହିପରି ସମ୍ବିଧାନ ୩୨୩ (ବି)ଧାରା ଅନୁସାରେ ଅନ୍ୟ ଟ୍ରିବ୍ୟୁନାଲ ଗୁଡିକର ଗଠନ ପାଇଁ ପରିସର ଉନ୍ମୁକ୍ତ କରାଗଲା। କୋର୍ଟ ଗୁଡିକରେ କେବଳ ବିଚାରପତି ରହୁଥିବା ବେଳେ ଟ୍ରିବ୍ୟୁନାଲଗୁଡିକରେ ଉଭୟ ଜଜ ଓ ବିଶେଷଜ୍ଞ ସଭ୍ୟ ରୁହନ୍ତି।

ଟ୍ରିବ୍ୟୁନାଲଗୁଡିକର ସ୍ବତନ୍ତ୍ର ଦାୟିତ୍ବ ଥିବାରୁ ସମ୍ପୃକ୍ତ ବିଷୟ ବୁଝିବା ପାଇଁ ବିଶେଷଜ୍ଞ  ସଭ୍ୟଙ୍କୁ ନିଆଯାଏ। ବେଳେ ବେଳେ କେତେକ ଟ୍ରିବ୍ୟୁନାଲକୁ ମଧ୍ୟ ଉଚ୍ଛେଦ କରିଦିଆଯାଏ, ଯେପରି ସରକାରୀ ଚାକିରିଆଙ୍କ ସମ୍ପର୍କରେ ଥିବା ଓଡ଼ିଶା ପ୍ରଶାସନିକ  ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ଉଚ୍ଛେଦ କରି ଦେଇଛନ୍ତି।  କିନ୍ତୁ ଅନୁରୂପ କାମ ପାଇଁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଅଛି। ତା’ସହ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ସାମରିକ ବାହିନୀ ଟ୍ରିବ୍ୟୁନାଲ, ନ୍ୟାସନାଲ କମ୍ପାନୀ ଲ’ ଆପଲେଟ ଟ୍ରିବ୍ୟୁନାଲ ଓ ଜିଏସଟି ଆପଲେଟ ଟ୍ରିବ୍ୟୁନାଲ ପରି ସଂସ୍ଥାଗୁଡିକ ନିଜ ନିଜ ବିଷୟରେ ନ୍ୟାୟ ପ୍ରଦାନ କରିବାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଛନ୍ତି। ୨୦୧୭ ଅର୍ଥ ଆଇନ ବଳରେ ୭ଟି ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିଦିଆଗଲା ବା  ସମାନ କାମ ଥିବାରୁ ମିଶାଇ ଦିଆଗଲା। ସେସବୁ ଟ୍ରିବ୍ୟୁନାଲର ସଭ୍ୟ ସଂଖ୍ୟାକୁ ୨୬ରୁ ୧୯କୁ କମାଇ ଦିଆଗଲା।

କୁହାଗଲା ଯେ,ଯେଉଁ ଟ୍ରିବ୍ୟୁନାଲ ଗୁଡିକର ଆବଶ୍ୟକତା ନାହିଁ ସେଗୁଡିକୁ ବନ୍ଦ କରି ଦିଆଯିବ ଏବଂ ସମାନ କାମ ଥିବା ଟ୍ରିବ୍ୟୁନାଲଗୁଡିକର ମିଶ୍ରଣ କରାଯିବ। ଗତ ତିନିବର୍ଷରେ ବିଭିନ୍ନ କ୍ଷେତ୍ରରେ ଥିବା ଟ୍ରିବ୍ୟୁନାଲ ଗୁଡିକର କାର୍ଯ୍ୟକାରିତାକୁ ଦେଖିଲେ କୁହାଯିବ ଯେ, ସେଗୁଡିକ ଦ୍ବାରା ଶୀଘ୍ର ନ୍ୟାୟ ପ୍ରଦାନ ଯେ ସମ୍ଭବ ହୋଇଛି ତାହା କୁହାଯାଇ ପାରିବନାହିଁ। ଅଥଚ ସରକାରୀ ରାଜକୋଷରୁ ବେଶ ଅର୍ଥ ଖର୍ଚ୍ଚ କରାଯାଇ ଟ୍ରିବ୍ୟୁନାଲଗୁଡିକୁ ରଖାଯାଇଛି। ଭାରତରେ ସବୁ ଉଦ୍ୟୋଗ ନିଜ ନିଜର ସମ୍ପ୍ରସାରଣ ଚାହାଁନ୍ତି। ସେମାନେ ନିଜର ଆବଶ୍ୟକତା ସପକ୍ଷରେ ଯୁକ୍ତି କରି  ଏହି ଦାବି ବାଢନ୍ତି। ବିଚାର ବିଭାଗ ଏଥିରୁ ମୁକ୍ତ ନୁହେଁ । କିନ୍ତୁ ବେଳେ ବେଳେ ପ୍ରଶ୍ନ ଉଠେ ବିପୁଳ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଯାହା ସେଥିରେ ପିଇବା ପାଣି ପରି ମୌଳିକ ସୁବିଧା ସବୁ ଲୋକଙ୍କ ପାଖରେ ପହଞ୍ଚିନଥିବା ବେଳେ ଅଧିକ କୋର୍ଟ ବା ଟ୍ରିବ୍ୟୁନାଲ ଖୋଲିବା କେତେଦୂର ଯଥାର୍ଥ।

ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ବେଳେ ନ୍ୟୁନତମ ସରକାର ଓ ଅଧିକତମ ଶାସନର ସ୍ଲୋଗାନ ଦେଇଥିଲେ। କିନ୍ତୁ ଗତ ୭ ବର୍ଷ ମଧ୍ୟରେ ତାହା କାର୍ଯ୍ୟକାରୀ ହେବା ଦୂରେ ଥାଉ ବରଂ ବିପରୀତ ଢଙ୍ଗରେ ତାହା ଲାଗୁ ହୋଇଛି। ଦେଶରେ ଅଦାଲତ ମାମଲା ସଂଖ୍ୟା କିପରି କମିବ ଓ ଲୋକେ କିପରି କୋର୍ଟ କଚେରୀକୁ ଯିବେନାହିଁ ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବା ଉଚିତ। ଯଦି ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବାରୁ ସେଗୁଡିକର ମିଶ୍ରଣ ହେଉଛି ତେବେ ମାମଲା ବା ବିବାଦ କମିଲେ କୋର୍ଟ ବା  ଟ୍ରିବ୍ୟୁନାଲଗୁଡିକୁ ଅଧିକ ସଂଖ୍ୟାରେ ରଖିବା ଆବଶ୍ୟକ ହେବନାହିଁ। ସରକାର ସେଥିପ୍ରତି ଧ୍ୟାନ ଦେବା ଉଚିତ। ତଦ୍ଦ୍ବାରା ସରକାର ସୀମିତ ସମ୍ବଳକୁ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧାସୁଯୋଗ ଯୋଗାଇବାରେ ଖର୍ଚ୍ଚ କରିପାରିବେ। ଟ୍ରିବ୍ୟୁନାଲ ସଂସ୍କାର କ୍ଷେତ୍ରରେ କେନ୍ଦ୍ର ସରକାର ୨୦୨୧ରେ ସରଳୀକରଣ ଓ ସେବାସର୍ତ୍ତ ସମ୍ପର୍କିତ ଯେଉଁ ଅଧ୍ୟାଦେଶ ଜାରି କରିଥିଲେ ତା’ପଛରେ  ସରକାରଙ୍କର ଅଭିଜ୍ଞତା ଭିତ୍ତିକ ମହତ୍ବ ଉଦ୍ଦେଶ୍ୟ ଥିଲା। ସେଥିରେ ୨୦୧୭ ଅର୍ଥ ଆଇନର କେତେକ ବ୍ୟବସ୍ଥାକୁ ବଦଳା ଯାଇଥିଲା

ଗତ ଜୁଲାଇରେ ସୁପ୍ରିମକୋର୍ଟ ଏସବୁ ପରିବର୍ତ୍ତନକୁ ଓଲଟାଇ ଦେଲେ। କୋର୍ଟ କହିଲେ ଯେ,ଟ୍ରିବ୍ୟୁନାଲଗୁଡିକ ସ୍ବାଧୀନଭାବରେ କାମ କରିବାକୁ ହେଲେ କାର୍ଯ୍ୟକାଳ, ପାରିଶ୍ରମିକ ଓ ଚାକିରି ସର୍ତ୍ତାବଳୀର ନିରାପତ୍ତା ରହିବା ଦରକାର। ଏବେ କୋର୍ଟ କ୍ଷୁବ୍ଧ ଯେ, ପୂର୍ବୋକ୍ତ ବ୍ୟବସ୍ଥାଗୁଡିକୁ ୨୦୨୧ ଟ୍ରିବ୍ୟୁନାଲ ସଂସ୍କାର ଆଇନରେ ପୁନର୍ବାର ଅନ୍ତର୍ଭୁକ୍ତ କରାଯାଉଛି। ଏହି ଆଇନକୁ ଚାଲେଞ୍ଜ କରାଯାଇ ଆସିଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ରକୁ ନୋଟିସ ଦେଇସାରିଛନ୍ତି। ଏହାର ଶୁଣାଣୀ ହେବ। କିନ୍ତୁ ଏଥିମଧ୍ୟରେ ସରକାର  ଟ୍ରିବ୍ୟୁନାଲରେ ଥିବା ଖାଲି ପଦବୀଗୁଡିକୁ ଯଥାଶୀଘ୍ର ପୂରଣ କରିବା ଉଚିତ। ଦେଶରେ ଯେଉଁସବୁ ଟ୍ରିବ୍ୟୁନାଲ ହେଉଛି ସେଥିରେ ଅଧିକାଂଶ ସମୟରେ ଅବସରପ୍ରାପ୍ତ ଜଜମାନେ ନିଯୁକ୍ତି ପାଉଛନ୍ତି। ଏଥିସହ ସେହି ପଦବୀରେ ଅବସରପ୍ରାପ୍ତ ବିଚାରପତିମାନଙ୍କ ସମେତ ଅଭିଜ୍ଞ ଆଡଭୋକେଟମାନଙ୍କୁ ବି ନିଯୁକ୍ତି ଦିଆଯିବା ଉଚିତ।

Leave A Reply

Your email address will not be published.

ବ୍ରେକିଂ