କୃଷକଙ୍କ ତଥ୍ୟର ଡିଜିଟାଇଜେସନ

କେନ୍ଦ୍ର କୃଷିମନ୍ତ୍ରୀ  ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଦେଶର ସାଢେ ୮କୋଟି ଚାଷୀଙ୍କର ସମସ୍ତ ତଥ୍ୟର ଡିଜି ଟାଇଜେସନ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସରକାରଙ୍କର ଆଇଡିଆ ସ୍କିମ ଅର୍ଥାତ ଇଣ୍ଡିଆ ଡିଜିଟାଲ ଇକୋ ସିଷ୍ଟମ ଫର ଏଗ୍ରିକଲଚରର ଏହା ଅଂଶ। ଆନ୍ତର୍ଜାତିକ ଆଇଟି ସଂସ୍ଥା ମାଇକ୍ରୋସଫ୍ଟ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ  ଏହାକୁ ପ୍ରସ୍ତୁତ କରୁଛି । ଦେଶର କୃଷକ ଓ କୃଷି ଉଦ୍ୟୋଗ ଉପରେ ଭିତ୍ତି କରି କାରିଗରୀ କୌଶଳ ଓ ଡିଜିଟାଲ ତଥ୍ୟ ଭିତ୍ତି ପ୍ରସ୍ତୁତି ପାଇଁ ପରିକଳ୍ପିତ ‘ଏଗ୍ରିଷ୍ଟାର୍ଟ’ର ଅଂଶଭାବେ ଜାତୀୟ କୃଷି ତଥ୍ୟ ଭିତ୍ତିକୁ ପ୍ରସ୍ତୁତ କରାଯାଉଛି। ଏଥିରେ ଚାଷୀଙ୍କର ଡିଜିଟାଇଜ ଜମିଜମା ରେକର୍ଡ ରହିବ। ତଦ୍ଦ୍ବାରା ଚାଷୀଙ୍କୁ ସକରା଍କ ଓ ବ୍ୟକ୍ତି ସେବା ଯୋଗାଇ ହେବ। ତାହା ସେମାନଙ୍କର ଆୟ ବଢାଇବା ସହ କୃଷି ଉଦ୍ୟୋଗର ଦକ୍ଷତାରେ ଉନ୍ନତି ଆଣିବ। ଏ ସମସ୍ତ ସରକାରଙ୍କର କୃଷି ଉଦ୍ୟୋଗ ସପକ୍ଷବାଦୀ କାର୍ଯ୍ୟକ୍ରମ। ଏହାକୁ ସମସ୍ତେ ସ୍ବାଗତ କରିବେ ।

ଜାତୀୟ ସ୍ତରରେ କୃଷକମାନଙ୍କର ସବିଶେଷ ତଥ୍ୟକୁ ସଂଗ୍ରହ କରିବା ପାଇଁ ଚାଷୀ ସମ୍ପର୍କିତ ବିଭିନ୍ନ ଯୋଜନାର  ତଥ୍ୟକୁ ବ୍ୟବହାର କରାଯାଉଛି। ପିଏମକିଷାନ,ମୃତ୍ତିକା ସ୍ବାସ୍ଥ୍ୟକାର୍ଡ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ଆଧାର କାର୍ଡ ସାଙ୍ଗରେ ମିଶାଇ ସେସବୁକୁ ଜମି ରେକର୍ଡ ତଥ୍ୟ ସହ ସଂଯୁକ୍ତ କରାଯାଉଛି। ଏହାଦ୍ବାରା ଚାଷୀଙ୍କର ଏକ ପରିଚୟପତ୍ର ବା ଆଇଡି ସୃଷ୍ଟି କରାଯିବ। ତାକୁ ଜମି ରେକର୍ଡ ସହ ଯୋଡା ଯାଇ ପ୍ରତି ଚାଷୀଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା ହେବ । ସରକାରଙ୍କର ଯୁକ୍ତି ହେଲା ଡିଜିଟାଲ ତଥ୍ୟ ଭିତ୍ତି ବିଭିନ୍ନ ସବସିଡିକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିବ। ତାହା ବିଭିନ୍ନ ସେବା ଓ ନୀତିର ଉନ୍ନତ କାର୍ଯ୍ୟକାରିତାରେ ସହାୟକ ହେବ। ସରକାର  ସବୁ ସେବା ହିତାଧିକାରୀ ଯେଭଳି ସରଳ ପଦ୍ଧତିରେ ପାଇପାରିବେ ସେଥିପାଇଁ  ତଥ୍ୟ ଭିତ୍ତିକୁ ଉପଯୋଗୀ କରିବାକୁ ଯାଉଛନ୍ତି। ତଦ୍ଦ୍ବାରା ଡିବିଟି ବା ସିଧାସଳଖ ହିତାଧିକାରୀଙ୍କ ପାଖକୁ ସବସିଡି ଓ  ଅନ୍ୟାନ୍ୟ ଅର୍ଥ ପଠାଯିବା,ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଓ ଫସଲ ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ,ପାଣିପାଗ ପରାମର୍ଶ ଆଦି ସୁବିଧାରେ ପଠାଯାଇପାରିବ।

ଏକୀଭୂତ ତଥ୍ୟ ଭିତ୍ତି ଚାଷୀଙ୍କୁ ସବୁ ସୁବିଧା ସହଜରେ ଯୋଗାଇବାରେ ସାହାଯ୍ୟ କରିବ। ଏଥିରେ ଋଣ, ବୀମା ସୁବିଧା ସହ ସାର, ପୋକମରା ଔଷଧ ଓ ବିହନ ଆଦିର ତଥ୍ୟ ମଧ୍ୟ ଯୋଗା ଯାଇପାରିବ। ଦେଶରେ ଲୋକସଂଖ୍ୟା ଅଧିକ ଥିବାରୁ ଓ ବେଶୀ ଲୋକ ଗ୍ରାମାଞ୍ଚଳରେ ରହି ଚାଷ ଉପରେ ନିର୍ଭର କରୁଥିବା ଯୋଗୁଁ ଜମି ହୋଲଡିଂ ସଂଖ୍ୟା ମଧ୍ୟ ବେଶ ଅଧିକ। ଏହାର ସଂଖ୍ୟା ୧୪୦ ନିୟୁତରୁ ଅଧିକ। ସମନ୍ବିତ ତଥ୍ୟ ଭିତ୍ତି ଜମିର ବ୍ୟବହାର,ଫସଲ ଢାଞ୍ଚା ସହ ବିହନ,ସାର,ପୋକମରା ଔଷଧ  ଆଦି କୃଷି ପାଇଁ ଆବଶ୍ୟକ ସାମଗ୍ରୀର ବ୍ୟବହାର ସମ୍ପର୍କରେ ବେଶି ଆଲୋକପାତ କରିପାରିବ। ଏହାଦ୍ବାରା ବଜାର ଦକ୍ଷତାକୁ ମଧ୍ୟ ବଢାଇ ହେବ ବୋଲି ଆଶା କରାଯାଉଛି। ଉତ୍ପାଦିତ କୃଷି ସାମଗ୍ରୀ ମୂଲ୍ୟ ଅଟକଳ ଉପରେ ଚାହିଦା ତଥା ଯୋଗାଣର ଉନ୍ନତ ଅନୁମାନ କରିବା ଦ୍ବାରା ଏହା ସମ୍ଭବ ହେବ। ଅବଶ୍ୟ ତଥ୍ୟ ଭିତ୍ତି ସୃଷ୍ଟି କାର୍ଯ୍ୟକ୍ରମକୁ ନେଇ କେତେକ ମହଲରୁ ଉଦବେଗ ପ୍ରକାଶ ପାଇଛି। ତଥ୍ୟ ଗୋପନୀୟତା ସକ୍ରିୟ କର୍ମୀଙ୍କ ଠାରୁ ଆରମ୍ଭ କରି କୃଷକ ଗୋଷ୍ଠୀ ଏହା ଉପରେ ସ୍ବର ଉତ୍ତୋଳନ କଲେଣି। ଭାରତର ଡିଜିଟାଲ ସ୍ବାଧୀନତା ସଂଗଠନ ଇଣ୍ଟରନେଟ ଫ୍ରିଡମ ଫାଉଣ୍ଡେସନ ସରକାରଙ୍କୁ ଏକ ଖୋଲା ଚିଠି ଲେଖି ନିଜର  ଆଶଙ୍କା ସବୁ ଉତଥାପନ କରିଛି।

ଏହାପକ୍ଷରୁ କୁହାଯାଇଛି ଯେ,ଏ ସମ୍ପର୍କରେ ଚାଷୀ ସଂଗଠନ ଗୁଡ଼ିକ ସହ ପରାମର୍ଶ କରାଯାଇନାହିଁ। ଦେଶରେ ତଥ୍ୟ ଗୋପନୀୟତା ଆଇନ ନଥିବା ବେଳେ  ଚାଷୀଙ୍କ ତଥ୍ୟକୁ ଘରୋଇ ଉଦ୍ୟୋଗକୁ  ଦିଆଯାଉଥିବାରୁ ଆପତ୍ତି ଉଠୁଛି। ନିଷ୍ପତ୍ତିର ଉତ୍ତର ଦାୟିତ୍ବ ନେଇ ସ୍ପଷ୍ଟତା ନଥିବା  ବେଳେ କମ୍ପ୍ୟୁଟର ଭିତ୍ତିକ ଗାଣିତିକ ନିଷ୍ପତ୍ତି ନେବା ପ୍ରକ୍ରିୟା ଉପରେ  ଅଧିକ ନିର୍ଭରଶୀଳତାକୁ ନାପସନ୍ଦ କରାଯାଉଛି। ଅଭିଯୋଗ ହେଉଛି ଯେ, ଆଗ୍ରିଷ୍ଟାର୍ଟକୁ ଜମି ଜବରଦଖଲ ବା ଲୁଣ୍ଠନକାରୀ ଋଣଦାନ ଉଦ୍ଦେଶ୍ୟରେ ଅପବ୍ୟବହାର କରାଯାଇପାରେ। ଆଧାର ଓ ବାଧତୟତାମୂଳକ ପ୍ରମାଣିକରଣ ବ୍ୟବହାର ଅର୍ଥ ହେଲା ଯେଉଁମାନେ ଡିଜିଟାଲ ବିଭାଜନର ଭୁଲ୍‌ ପଟେ ରହିବେ ସେମାନେ କଲ୍ୟାଣମୂଳକ ଯୋଜନା ଓ କୃଷିସେବା ସୁବିଧାରୁ ବାଦ୍‌ ପଡିବେ।

ଡାଟା ଭିତ୍ତି ଓ ସଂଗନିରୀକ୍ଷଣ ଦ୍ବାରା ଆଇନଗତ ଅଧିକାରୀ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଚାଷୀଗୋଷ୍ଠୀଗୁଡ଼ିକ ଉପରୋକ୍ତ ଯୋଜନାରେ ସ୍ବଚ୍ଛତାର ଅଭାବ ଏବଂ ଏସମ୍ପର୍କରେ ତଥ୍ୟ ଦେବା ପାଇଁ ସରକାରଙ୍କର କୁଣ୍ଠାକୁ ସମାଲୋଚନା କରିଛନ୍ତି। ଯେହେତୁ ଜମି ଥିବା ଚାଷୀଙ୍କର ତଥ୍ୟ ଭିତ୍ତି ପ୍ରସ୍ତୁତ ହେବ ତଦ୍ଦ୍ବାରା ଭାଗଚାଷୀମାନେ ଆପେ ଆପେ ବାଦ ପଡିଯିବେ। ଯଦିଓ ସେମାନେ ଦେଶର କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ମଧ୍ୟରେ ସବୁଠାରୁ ବେଶୀ ସଂଖ୍ୟାରେ ଅଛନ୍ତି। ଜମି ମାଲିକାନା ଦିଗର ଗୁରୁତ୍ବ ଯୋଗୁଁ ମତ୍ସ୍ୟଜୀବୀ, ପଶୁପାଳନ ଓ ଗୋ-ପାଳନରେ ନିୟୋଜିତ ତଥା ବନଜାତ ଦ୍ରବ୍ୟ ସଂଗ୍ରହ କରି ଚଳୁଥିବା ଭୂମିହୀନ ଚାଷୀଶ୍ରେଣୀ ଏଥିଯୋଗୁଁ ଅସୁବିଧାରେ ପଡିପାରନ୍ତି। ଯେହେତୁ ଜମିର ରେକର୍ଡ ପରିବାରର ମୁଖ୍ୟ ପୁରୁଷ ବ୍ୟକ୍ତି ନାମରେ ଥାଏ ସେଥିଯୋଗୁଁ ମହିଳାମାନେ ବାଦ ପଡିଯିବେ ବୋଲି କୁହାଯାଉଛି। ଅକ୍ସଫାମର ସଦ୍ୟ ସର୍ଭେ ଅନୁସାରେ ଚାଷ ଜମିରେ କାମ ପୁରା ସମୟ ଦେଇ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଲେ ମହିଳା।

ଭୂମିହୀନ ଶ୍ରମିକ ମଧ୍ୟ ଏଥିରୁ ଅଲଗା ରହିବେ।ଦେଶର ଜମିଜମା ରେକର୍ଡ ଅନେକାଂଶରେ ବିଭ୍ରାନ୍ତିକର। ଏହାକୁ ସଜାଡିବାରେ ଆବଶ୍ୟକତା ରହିଛି। କିନ୍ତୁ ଅଭିଜ୍ଞତାରୁ ଦେଖାଯାଇଛି ଯେ,ଏହି ପ୍ରକିୟାରେ ଅନେକ ସମସ୍ୟା ସୃଷ୍ଟି ହୁଏ। ଗୋଟିଏ ସରଳ ଡାଟା ଏଣ୍ଟ୍ରି ବା ତଥ୍ୟ ଯୋଡା ଯିବାରେ ଭୁଲ ରହିଗଲେ ଅନେକ ବଡ ସମସ୍ୟା ଉପୁଜିବ। ଏବେ କୃଷି ସଂସ୍କାରକୁ ବିରୋଧ କରୁଥିବା ଚାଷୀମାନଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ନେଉଥିବାରୁ ଉପରୋକ୍ତ ପ୍ରସ୍ତାବ ସବୁ ଅଧିକ ଭୟ ସୃଷ୍ଟି କରୁଛି। ଚାଷୀଙ୍କୁ ଦିଆଯାଉଥିବା ସମ୍ପ୍ରସାରଣ ସେବା ସମେତ ବିଭିନ୍ନ ସରକାରୀ ସେବାର ଘରୋଇକରଣ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଏସବୁ ଯୋଗୁଁ ସରକାର କୃଷକ ଗୋଷ୍ଠୀଙ୍କୁ ବିଶ୍ବାସକୁ ନନେଇ କୌଣସି ସଂସ୍କାରମୂଳକ ନିଷ୍ପତ୍ତି ନେବା ଅନୁଚିତ।

 

Leave A Reply

Your email address will not be published.

ବ୍ରେକିଂ