ଟିକା ଜୀବନ ରକ୍ଷାକାରୀ

କେନ୍ଦ୍ର ସରକାର କରୋନା ଅନୁସରଣକାରୀ ତଥ୍ୟକୁ ଉଲ୍ଲେଖ କରି ଯାହା କହିଛନ୍ତି ତାହା ଆଶ୍ବସ୍ତିକର । ସେଥିରୁ କରୋନା ପ୍ରତିଷେଧକ ଟିକାର ଜୀବନ ରକ୍ଷାକାରୀ ସାମର୍ଥ୍ୟ ନେଇ ଯାହାକିଛି ସଂଶୟ ଥିଲା ତାହା ଦୂର ହୋଇଛି। କୋଭିଡ-୧୯ ଟ୍ରାକର ବୋଲି କୁହାଯାଉଥିବା ଏହି ବ୍ୟବସ୍ଥା କରୋନା ସମ୍ପର୍କିତ ତଥ୍ୟାବଳୀ ସଂଗ୍ରହ କରୁଥିବା ବିଭିନ୍ନ  ପୋର୍ଟାଲ ଯେଉଁଥିରେ ବିଭିନ୍ନ ପରୀକ୍ଷାର ବିବରଣୀ ମଧ୍ୟ ରହିଛି ସେସବୁର  ତାଳମୂଳ ଉପରେ ପ୍ରସ୍ତୁତ। ଏଥିରୁ ସାରାଂଶ ବାହାରିଛି ଯେ, ଭାରତରେ ଦିଆଯାଉଥିବା କରୋନା ଟିକା ମୃତ୍ୟୁହାରକୁ ରୋକିବା ପାଇଁ ପ୍ରାୟତଃ ସକ୍ଷମ। କାରଣ ଟିକାର ପ୍ରଥମ ଡୋଜ ୮୬.୬ ପ୍ରତିଶତ ମୃତ୍ୟୁହାର ରୋକିବା ପାଇଁ ସକ୍ଷମ ଥିବା ବେଳେ ଟିକାର ଦ୍ବିତୀୟ ଡୋଜ ଦିଆଯିବା ପରେ ମୃତ୍ୟୁହାରକୁ ୯୭.୫ ପ୍ରତିଶତ ଅଟକା ଯାଇପାରିବ। ଏହାକୁ  ଉଲ୍ଲେଖନୀୟ ସଫଳତା ବୋଲି ଧରାଯିବ।

ଏହି ଉତ୍ସାହଜନକ ତଥ୍ୟ ନିଶ୍ଚିତ ଭାବେ କରୋନା ଟିକା ସମ୍ପର୍କରେ ସନ୍ଦେହ  ଓ କୁଣ୍ଠାକୁ ଦୂର କରିବ ବୋଲି ଆଶା। ଯେଉଁମାନଙ୍କର ଟିକା ନେବା ନେଇ  ଅନାଗ୍ରହ ଥିଲା ସେମାନେ ନିଶ୍ଚିତ ଭାବେ ଏହି ରିପୋର୍ଟ ଦେଖିବା ପରେ  ଯଥାଶୀଘ୍ର ଟିକା ନେବେ ବୋଲି ଆଶା। ଭାରତରେ ଯଦି କରୋନା ଟିକାର  ଏହି ସଫଳତା ପ୍ରମାଣିତ ତେବେ ନିଶ୍ଚିତ ଭାବେ ସମଗ୍ର ବିଶ୍ବ ଲାଗି ଉକ୍ତ ଯୁକ୍ତି ପ୍ରଯୁଜ୍ୟ। ସବୁଠାରୁ ସମୃଦ୍ଧ ଆମେରିକାରେ ବହୁ ଲୋକ ଟିକା ନେଇନଥିବାରୁ ସେଠାରେ ପୁଣି ସଂକ୍ରମଣ ବଢୁଛି ଏବଂ ସେଠାକାର ପ୍ରଶାସନ ଟିକା ପ୍ରସାର ନେଇ କରୁଥିବା ଉଦ୍ୟମକୁ ଲୋକେ ସମର୍ଥନ କରିବା ଉଚିତ। ବିଶ୍ବସ୍ବାସ୍ଥ୍ୟ ସଂଗଠନ ଟିକା ପ୍ରସ୍ତୁତ କରିପାରୁନଥିବା ବା ଅର୍ଥାଭାବ ଯୋଗୁଁ ବିଦେଶରୁ ଏହାକୁ ଆମଦାନୀ କରିବାକୁ ସକ୍ଷମ ହେଉନଥିବା ଗରିବ ରାଷ୍ଟ୍ର ଗୁଡିକରେ ଟିକା ଦାନ ଉପରେ ଯେଉଁ ଗୁରୁତ୍ବାରୋପ କରିଛନ୍ତି ସେ କ୍ଷେତ୍ରରେ ସମୃଦ୍ଧ ଦେଶଗୁଡ଼ିକ ସହଯୋଗ କରିବା ଆବଶ୍ୟକ। କାରଣ ସଂଗଠନ କହିଛି ଯେ, ପୃଥିବୀରେ ସମସ୍ତେ ଟିକା ନନେଲେ ସଂକ୍ରମଣ ପୁଣି ବଢି ନୂଆ ପ୍ରଜାତିର ଭୂତାଣୁ ବାହାରିପାରନ୍ତି। ଯେହେତୁ ଟିକା ପ୍ରତିରୋଧକ ବୋଲି ଭାରତରେ ପରୀକ୍ଷା ପରେ ସାବ୍ୟସ୍ତ ହୋଇଛି ସେ କାରଣରୁ ସବୁ ଦେଶରେ ଟିକାର ଆପାତତଃ ସେହି ସାମର୍ଥ୍ୟ ଥିବ, ଏଣୁ ସମଗ୍ର ବିଶ୍ବରେ ଟିକାଦାନକୁ ସମ୍ପୂର୍ଣ୍ଣ କରିବା ପାଇଁ ଯୁଦ୍ଧକାଳୀନ ଉଦ୍ୟମ ହେବା ଦରକାର ଓ ସେଥିସହ ଛୋଟ ପିଲାଙ୍କ ପାଇଁ ଯଥାଶୀଘ୍ର ଟିକା ବାହାର କରାଯାଇ ଶିଶୁ ତଥା କମ ବୟସର ବାଳକବାଳିକାଙ୍କୁ କରୋନା ଟିକା ଦିଆଯିବା ଲୋଡା।

ଭାରତରେ ଯଦି ଗତ ମେ’ମାସରେ କରୋନାର ଦ୍ବିତୀୟ ଲହର ସର୍ବୋଚ୍ଚ ସୀମା ଛୁଇଁବା ଆଗରୁ  ଅଧିକ ଲୋକଙ୍କୁ ଟିକା ଦିଆଯାଇଥା’ନ୍ତା ତେବେ ହୁଏତ କ୍ଷତି କମିଯାଇଥା‘ନ୍ତା। ଏବେ ବି ଚିନ୍ତାର ବିଷୟ ଯେ,ଦେଶରେ  ମାତ୍ର ୨୦ ପ୍ରତିଶତରୁ  କମ ବୟସ୍କ ଲୋକ ଡବଲ ଡୋଜ ଟିକା  ନେଇଛନ୍ତି। ପ୍ରାୟ ୯ ମାସ ତଳେ ଦେଶବ୍ୟାପୀ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ସୁଦ୍ଧା ସଫଳତହାର ସନ୍ତୋଷଜନକ ନୁହେଁ ଏବଂ ଡିସେମ୍ବର ଶେଷ ସୁଦ୍ଧା ସବୁ ଯୋଗ୍ୟ ଲୋକଙ୍କୁ ଟିକା ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସବୁ ବୟସ୍କଙ୍କୁ ବର୍ଷ ଶେଷ ସୁଦ୍ଧା ଟିକା ଦେବାକୁ ହେଲେ ପ୍ରତିଦିନ ଟିକାଦାନ ଏକକୋଟି ଡୋଜରୁ ଅଧିକ ହେବା ଦରକାର। ଏବେ ପୂଜା ଋତୁ ଆସୁଛି। ତା’ଛଡା ଆସନ୍ତାବର୍ଷ ପ୍ରଥମ ଭାଗରେ ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ଓ ଅନ୍ୟ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ପୁଣି କରୋନା ତୃତୀୟ ଲହରର ଆଗମନ ସମ୍ପର୍କରେ ସତର୍କବାଣୀ ଆସିଛି। ଏହି କାରଣରୁ ଟିକାଦାନକୁ ତ୍ବରାନ୍ବିତ କରାଯିବ ଦରକାର। ଅଧିକ ଲୋକ  ଟିକା ନେଲେ ତୃତୀୟ ଲହର ଆସିଲେ ବି ତାହା ଦ୍ବିତୀୟ ଲହର ପରି ଭୟଙ୍କର ହେବନାହିଁ। ଏବେ ଯେହେତୁ ପ୍ରମାଣିତ ହୋଇଛି ଯେ, କରୋନା ଟିକା ନେଇଥିବା ଲୋକେ ପ୍ରାୟତଃ ସୁରକ୍ଷିତ। ସେହି କାରଣରୁ ତୃତୀୟ ଲହର ମୁକାବିଲା ସକାଶେ ଟିକାଦାନକୁ ଦ୍ରୁତତର କରାଯିବା ଲୋଡା। ଅବଶ୍ୟ ଟିକାଦାନ ପରେ ବି କରୋନା ଶୃଙ୍ଖଳା ପାଳନ କରିବାକୁ ହେବ। ଟିକାର ସୁରକ୍ଷାକାରୀ ସାମର୍ଥ୍ୟ ସତ୍ତ୍ବେ ସଂକ୍ରମଣକୁ ରୋକିବା ପାଇଁ ମୁଖା ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା ଭଳି ସତର୍କତା ପାଳନ ଜରୁରୀ।

ଦେଖାଯାଉଛି ଯେ, ଟିକା  ନେଇଥିବା ଲୋକେ ବି ସଂକ୍ରମିତ ହେଉଛନ୍ତି। ଟିକା ପରେ ବି ସଂକ୍ରମଣ ମାରକ ନୁହେଁ ବୋଲି ଦେଖାଯାଉଥିଲେ ସୁଦ୍ଧା ସଂକ୍ରମଣକୁ ମୂଳରୁ ଏଡାଇବା ପାଇଁ ସତର୍କତା ମୂଳକ ପ୍ରତିକାରର ଗୁରୁତ୍ବ ରହିଛି। କାରଣ ଅଯଥା ଲୋକଙ୍କୁ କଷ୍ଟ ଭୋଗିବାକୁ ପଡୁଛି ଓ ଔଷଧ ଖାଇବାକୁ ପଡୁଛି। ଅନେକ ସମୟରେ ଟିକା ନେଇଥିବା ଲୋକେ ସଂକ୍ରମିତ ହେଲେ ହାତରୁ ଖର୍ଚ୍ଚ କରି ଔଷଧ ଖାଉଛନ୍ତି। ତଦ୍ଦ୍ବାରା ସେମାନେ ଖର୍ଚ୍ଚାନ୍ତ ହେଉଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ. ବାଇଡେନ କହିଛନ୍ତି ଯେ, ସେଠାରେ ଟିକା ନେବାକୁ ଯୋଗ୍ୟ  ୨୫ ପ୍ରତିଶତ ଲୋକ ଯେଉଁମାନଙ୍କ ସଂଖ୍ୟା ୮ କୋଟି ସେମାନେ ଟିକା ନେଇନଥିବାରୁ ସେମାନଙ୍କ ଆଡୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ସେହିମାନଙ୍କୁ ଟିକା ଦେବାପାଇଁ ଆମେରିକା ବ୍ୟାକୁଳ। ଆମେରିକାରେ ଅନେକ ଲୋକ ଟିକା ନେବାକୁ କୁଣ୍ଠିତ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ତେଣୁ ୧୦୦ ବା ତଦୁର୍ଦ୍ଧ୍ବ କର୍ମଚାରୀ ଥିବା ବ୍ୟବସାୟୀ ସଂସ୍ଥାଗୁଡ଼ିକ ନିଜ ଷ୍ଟାଫଙ୍କୁ କରୋନା ଟିକା ଦେବାକୁ ଅର୍ଥାତ ସପ୍ତାହକ ଥରେ ସେମାନଙ୍କର ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ କମ୍ପାନୀଗୁଡିକୁ  ଜରିମାନା ଦେବାକୁ ପଡ଼ିବ। ଆମେରିକାରେ ସମସ୍ତେ ଟିକା  ନେଉ ନଥିବାରୁ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ଦେଢ ଲକ୍ଷ ଟପିଗଲାଣି। ଯାହା ଭାରତର ଏବେକାର ସଂକ୍ରମଣ ସଂଖ୍ୟାଠାରୁ ୫ ଗୁଣ ଅଧିକ। ଏଣୁ ଭାରତ ଟିକାଦାନ ସମ୍ପର୍କରେ ସମସ୍ତ ଅବହେଳାକୁ ଦୂର କରି ନୂଆ ସଂକ୍ରମଣର ବିପଦକୁ ରୋକିବା ପାଇଁ ପଦକ୍ଷେପ ନେଉ।

 

Leave A Reply

Your email address will not be published.

ବ୍ରେକିଂ