ତାଲିବାନ ସରକାରର ବିଶ୍ଵାସ ସଙ୍କଟ

ଆଫଗାନିସ୍ତାନରେ  ତାଲିବାନ ଏବେ କ୍ଷମତା ଦଖଲ କରିବା ପରେ ଏହାର ନେତୃତ୍ବର ଆଭିମୁଖ୍ୟ ସୁଧୁରିଛି ବୋଲି ଆଶାନିରାଶାର ଦ୍ବନ୍ଦ୍ବ ମଧ୍ୟରେ  ଯେତିକି ଧାରଣା ସୃଷ୍ଟି ହୋଇଥିଲା ତାହା ନୂଆ କ୍ୟାବିନେଟ ଗଠନ ପରଠାରୁ ବଦଳିବା ଆରମ୍ଭ କରିଛି। ଏହି ଆଶଙ୍କା ଯଦି ଆଗାମୀ କେଇଦିନ ମଧ୍ୟରେ ପରବର୍ତ୍ତୀ ଘଟଣାବଳୀ ଗୁଡ଼ିକରେ ଦୃଢୀଭୂତ ହେବ ତେବେ ତାଲିବାନ ଗୋଷ୍ଠୀ ପୂର୍ବବତ ଆଫଗାନିସ୍ତାନବାସୀଙ୍କ ସମେତ  ସମଗ୍ର ବିଶ୍ବକୁ ନିରାଶ କରିବେ। ରାଜଧାନୀ କାବୁଲକୁ  ଅକ୍ତିଆର କରି ଏହି ଗୋଷ୍ଠୀ ରାଷ୍ଟ୍ରପତି ଭବନରେ ପ୍ରଥମ ଦିନ ଯେପରି ବିଜୟର ଉଲ୍ଲାସର ପାର୍ଟି କଲେ ତାହା ପ୍ରଥମ ଦିନ ନିରାଶା ସୃଷ୍ଟି କରିଥିଲା। ଅନେକ ହୁଏତ ଭାବିଥିଲେ ଯେ,୨୦ବର୍ଷ କାଳ ଆଫଗାନିସ୍ତାନ ଆମେରିକା ନିୟନ୍ତ୍ରଣରେ ଥିବାରୁ କ୍ଷମତାରେ ଥିବା ତାଲିବାନମାନେ ଶିକ୍ଷା ଲାଭ କରି ରାଜନୈତିକ ବିଜ୍ଞତା ହାସଲ କରିଥିବେ। ଦୁଃଖର କଥା  ନୂଆ ତାଲିବାନ ସରକାର ଦେଶବାସୀଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ସକ୍ଷମ ବୋଲି ଜଣାପଡୁନାହିଁ। ଯଦିଓ ଆଫଗାନମାନେ ବହୁ ଦଶନ୍ଧି ଧରି ଗୃହଯୁଦ୍ଧରେ ଆକ୍ରାନ୍ତ ନିଜ ଦେଶରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ଚାହାଁନ୍ତି ।

କ୍ୟାବିନେଟ ଗଠନ ପ୍ରକ୍ରିୟାରେ ବିଳମ୍ବରୁ ବୁଝାପଡୁଛି ଯେ, ତାଲିବାନଗୋଷ୍ଠୀ ଆମେରିକା ନିଜର ସେନା ପ୍ରତ୍ୟାହାରର ସମୟ ଘୋଷଣା କରିବା ପରେ  ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ଯେତିକି ସହଜ ଥିଲା ତାହା ଅପେକ୍ଷା ସରକାର ଗଠନ କରିବା ତା’ପାଇଁ ଅଧିକ ଜଟିଳ ହୋଇଛି। ମୂଳରୁ ସଂଗଠନରେ କ୍ଷମତାକନ୍ଦଳ ପରିଲକ୍ଷିତ ହୋଇଛି। ଏହି କାରଣରୁ  କ୍ୟାବିନେଟ ଗଠନ ବିଳମ୍ବିତ ହେଲା ଏହି ସମସ୍ୟାର ସମାଧାନ କିପରି ହେଲା ଓ କାହା ପ୍ରଭାବରେ ଏହା ସମ୍ଭବ ହେଲା ତାହା  ବାହ୍ୟ ବିଶ୍ବ ଜାଣେନାହିଁ। କିନ୍ତୁ ଦେଖାଗଲା ଯେ ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୂଲା ଅବଦୁଲ୍ଲା ଘନି ବରଦାର ଦେଶର ସର୍ବୋଚ୍ଚ ନେତା ବା  ପ୍ରଧାନମନ୍ତ୍ରୀ ଆଶା କରାଯାଉଥିଲେ ମଧ୍ୟ ତାହା ହେଲାନାହିଁ। ସର୍ବଶେଷରେ ସଂଗଠନର ଆଉ ଜଣେ ପ୍ରତିଷ୍ଠାତା ମୂଳା ମହମ୍ମଦ ହାସନ ଅଖୁନ୍ଦ ବିଜୟୀ  ହେଲେ । ସେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବରଦାର ପ୍ରଧାନମନ୍ତ୍ରୀ ପଦରେ ସନ୍ତୁଷ୍ଟ ରହିବାକୁ ପଡିଛି। ଏବେ ସ୍ଥିର ସରକାର ଗଠନ କରି ସାଧାରଣ ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିବାରର ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କର। କେବଳ ତାଲିବାନ ସମର୍ଥକଙ୍କୁ  ସନ୍ତୁଷ୍ଟ କରି ସରକାର ଚଳାଇବା ଠିକ ହେବନାହିଁ। କିନ୍ତୁ ନୂଆ ପ୍ରଧାନମନ୍ତ୍ରୀଙ୍କର  ଭାବମୂର୍ତ୍ତି ବିଶ୍ବାସ ସୃଷ୍ଟିକାରୀ ନୁହେଁ। ୨୦୦୧ରେ ତାଲିବାନ ଯେତେବେଳେ କ୍ଷମତାକୁ ଆସିଥିଲା ସେ ସମୟରେ ଏହି ଗୋଷ୍ଠୀ ଦେଶର ସାଂସ୍କୃତିକ ଐତିହ୍ୟର  ପ୍ରତୀକ  ବାମିଆନ ବୁଦ୍ଧମୃର୍ତ୍ତିକୁ ଧ୍ବଂସ କରିଦେଇଥିଲେ। ଯଦିଓ ଆଫଗାନିସ୍ତାନ ପାଇଁ ସେହି  ଶିଳ୍ପୀ  ସବୁବେଳେ ଆନ୍ତର୍ଜାତିକ ଆକର୍ଷଣ ଥିଲା। ୬ଷ୍ଠ ଶତାବ୍ଦୀରେ ବାମିଆନ ଉପତ୍ୟକାରେ ପଥରରେ ଖୋଦେଇ ହୋଇଥିବା ଏହି ମୂର୍ତ୍ତି ପ୍ରତି  ତାଲିବାନ ସମର୍ଥକଙ୍କର ରୋଷ ପ୍ରକାଶ ପାଇବାର କାରଣ ଥିଲା ଯେ, ସେସବୁ ମୂର୍ତ୍ତି ଯାହାକୁ ଇସଲାମୀୟ ବ୍ୟବସ୍ଥାରେ ବିରୋଧ କରାଯାଏ।

ଦୁଇଟି ଯାକ ବୁଦ୍ଧ ମୂର୍ତ୍ତି ଉପରେ ସେତେବେଳେ ଆକ୍ରମଣର ଆଦେଶ ଦେଇଥିବା ବ୍ୟକ୍ତିଜଣକ ଏବେ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି।  ତାଙ୍କର ମାନସିକତା ଯଦି ବଦଳିନଥିବ ତେବେ ସମଗ୍ର ବିଶ୍ବ ତାଙ୍କଠାରୁ ବା ସରକାରଙ୍କ ଠାରୁ କିପ୍ରକାର ଅଗ୍ରଗତି ଆଶା କରିବ ? ତାଲିବାନ ଗୋଷ୍ଠୀରେ ଯେ,  ଭିନ୍ନ ଉଦାରବାଦୀ ବିଚାରାଧାରାର ବିକଳ୍ପ ନେତା ଥିବେ ସେହି ଆଶା କରିବା ବୃଥା। ଯେଉଁମାନେ ଆଶା କରୁଥିଲେ ଯେ, ନୂଆ ସରକାର ଏକ ଜାତୀୟ ସରକାରର ଚରିତ୍ର ବହନ କରିବ ସେମାନେ  ମୂଳରୁ ଭୁଲ ପ୍ରମାଣିତ ହୋଇଛନ୍ତି। ତାଲିବାନ ଯେତେବେଳେ ଆଫଗାନିସ୍ତାନ ସରକାର ଓ ତାକୁ ସମର୍ଥନ କରୁଥିବା ଆମେରିକା ସେନା ବିରୋଧରେ ଲଢେଇ କରୁଥିଲା ତାକୁ ନେତୃତ୍ବ ଦେଉଥିବା କ୍ଷୁଦ୍ର ଯୋଦ୍ଧା ଗୋଷ୍ଠୀ ମଧ୍ୟରୁ ନୂଆ ମନ୍ତ୍ରୀମାନଙ୍କୁ ମନୋନୟନ କରାଯାଇଛି। ୩୩ ଜଣିଆ କ୍ୟାବିନେଟରେ ଜଣେ ବି ମହିଳା ନାହାନ୍ତି୤ ତାଲିବାନ ଗୋଷ୍ଠୀ ପ୍ରଥମେ କ୍ଷମତାକୁ ଆସିବା ବେଳେ  ମହିଳାମାନେ ସର୍ବାଧିକ  ନିର୍ଯାତନା ଭୋଗିଥିଲେ।

ତାଲିବାନ କର୍ମୀମାନେ ପ୍ରାୟତଃ ପାସ୍ତୁନ ସମ୍ପ୍ରଦାୟର। ତେଣୁ ସଂଖ୍ୟାଧିକ ମନ୍ତ୍ରୀ ସେହି ସମ୍ପ୍ରଦାୟରୁ ଆସିଛନ୍ତି। ଆଫଗାନିସ୍ତାନ ବିଭିନ୍ନ ଜାତି ଓ ଗୋଷ୍ଠୀର ଦେଶ। ସେଠାରେ ହିନ୍ଦୁ ଓ ଶିଖଙ୍କ ସମେତ ଅଣମୁସଲମାନମାନେ ବି ଅଛନ୍ତି। ଚୀନକୁ ଛାଡିଦେଲେ ଖୁବ କମ ଦେଶ ଆଫଗାନିସ୍ତାନରେ ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଫଗାନିସ୍ତାନର ମନ୍ତ୍ରୀମାନଙ୍କୁ ବାହାରେ  କେହି ଜାଣନ୍ତିନାହିଁ। ସେମାନଙ୍କର ଏକମାତ୍ର ପରିଚୟ ହେଲା ସେମାନେ ଲଢୁଆ। ସଶସ୍ତ୍ର ଲଢେଇ କରିବାର ଅର୍ଥ ନୁହେଁ ଯେ ସେମାନେ ଭଲ ଶାସକ ହେବେ। ଆଉ ଏକ ଚିନ୍ତାଜନକ ଦିଗ ହେଲା ତାଲିବାନ ନେତୃତ୍ବ ଉପରେ ପାକିସ୍ତାନର ନିୟନ୍ତ୍ରଣ ଅଧିକ। ପାକିସ୍ତାନରେ ସୁଶାସନର ଭଲ ରେକର୍ଡ ନଥିବା ବେଳେ ତା’ର ପରାମର୍ଶରେ  କିପରି  ନୂଆ ଆଫଗାନିସ୍ତାନ ସରକାର ଦକ୍ଷ ଶାସନ ଦେଇପାରିବ ? କୁହାଯାଉଛି  ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇ ହସ୍ତକ୍ଷେପରେ ତାଲିବାନ ନେତୃତ୍ବ ସଂକଟ ଦୂର ହେଲା। ଅବଶ୍ୟ ଆଫଗାନ ଲୋକେ ଜାତୀୟତାବାଦୀ ଓ ସେମାନେ ପାକିସ୍ତାନ ନିୟନ୍ତ୍ରଣକୁ  ବେଶୀ ଦିନ ସହ୍ୟ କରିନପାରନ୍ତି। ତଥାପି ଏବେ ପାକ ପ୍ରଭାବକୁ ନ୍ୟୂନ କରାଯିବନାହିଁ। ଏଣୁ  ଭାରତ ଏବେ ଠିକଭାବେ କୂଟନୈତିଜ୍ଞ ଓ ରାଜନୈତିକ  ଗୋଟି ଚାଳନା କରିବା ଆବଶ୍ୟକ। ଭାରତ ମୂଳରୁ ଦୋହାସ୍ଥିତ ତାଲିବାନ ଅଫିସ ଜରିଆରେ ଏହି ଗୋଷ୍ଠୀର ନେତୃତ୍ବକୁ ଯୋଗାଯୋଗ କରିଥିଲା। ଉକ୍ତ ଅଫିସ ମୂଳା ଅବଦୁଲ୍ଲା ଘନି ବରଦାରଙ୍କ ନିୟନ୍ତ୍ରଣରେ ଥିଲା। କିନ୍ତୁ ସେ ଏବେ ନେତୃତ୍ବ ଦୌଡରେ ହାରି ଯାଇଛନ୍ତି। ଏଣୁ ଭାରତକୁ ଅପେକ୍ଷା କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ହେବ।

Leave A Reply

Your email address will not be published.

ବ୍ରେକିଂ