ଗୁଜରାଟରେ ପୁର୍ନବାର ହାଇକମାଣ୍ଡ ସଂସ୍କୃତିର ଛାପ

ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ପରେ ଏବେ ଗୁଜରାଟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛି। ଦୁଇମାସ ମଧ୍ୟରେ ତିନିଜଣ ମୁଖ୍ୟମନ୍ତ୍ରୀ ବଦଳିବା ଓ ତନ୍ମଧ୍ୟରୁ ଦୁଇଜଣ ବିଧାନସଭା ନିର୍ବାଚନ ପାଖେଇ ଆସିଥିବା ବେଳେ ହଟିବା  ଦେଖିଲେ ଜଣାପଡୁଛି ଯେ ଗାନ୍ଧୀ ପରିବାର ଅଧିନରେ କଂଗ୍ରେସରେ ଯେପରି ହାଇକମାଣ୍ଡ ସଂସ୍କୃତିର ସୁଦୃଢୀକରଣ ହୋଇଥିଲା ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ତାକୁ ଅନୁକରଣ କରୁଛି। କଂଗ୍ରେସ ସ୍ବାଧୀନତାର ପରବର୍ତ୍ତୀ ସମୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ବେଳେ ବିଭିନ୍ନ ରାଜ୍ୟର ଲୋକପ୍ରିୟ ନେତାମାନଙ୍କ ଜରିଆରେ ଦଳୀୟ ବ୍ୟବସ୍ଥାକୁ ସୁଦୃଢ କରୁଥିଲା।  କିନ୍ତୁ ପରେ  ବିଶେଷ ଭାବରେ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଟାଣୁଆ ଆଞ୍ଚଳିକ ନେତାମାନଙ୍କୁ ଗୌଣ କରାଯାଇ ବା ହଟାଯାଇ ବିଶେଷ ପ୍ରଭାବ ନଥିବା ଅଥଚ ହାଇକମାଣ୍ଡଙ୍କ ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ଥିବା ନେତାମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ବଛାଗଲା।  ବିଜେପିରେ ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ସମୟରେ ଆଞ୍ଚଳିକ ନେତୃତ୍ବକୁ ପ୍ରୋତ୍ସାହନ ଦିଆଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ନିୟନ୍ତ୍ରଣ ବିଜେପିରେ ବଢିବା ପରେ ଏବେ ଦେଖାଯାଉଛି ଯେ ଦଳରେ ହାଇକମାଣ୍ଡ ବ୍ୟବସ୍ଥାକୁ  ଅନୁସରଣ କରାଯାଉଛି। ସେଥିରେ ମୁଖ୍ୟମନ୍ତ୍ରୀମାନଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ଆଗରୁ ସେମାନଙ୍କୁ ହଟାଯାଇ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବସାଯାଉଛି।

ଗୁଜରାଟରେ ୨୦୧୬ରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୟ ରୂପାନୀଙ୍କୁ  କୌଣସି କାରଣ ଦର୍ଶାନଯାଇ ବଦଳାଯାଇ ଶାସନଗତ ଅଭିଜ୍ଞତା ନଥିବା ପ୍ରାୟତଃ ଅଜଣା  ଜଣେ ବିଧାୟକ ଭୂପେନ୍ଦ୍ର ପଟେଲଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି। ୨୦୨୨ରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ  ତା’ପୂର୍ବରୁ ରାଜ୍ୟର ପ୍ରଭାବଶାଳୀ ପଟେଲ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଅବଶ୍ୟ ଗୁଜରାଟ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ନିଜ ରାଜ୍ୟ ହୋଇଥିବାରୁ  ଓ ଗତ ବିଧାନସଭା ନିର୍ବାଚନରେ ଦଳ ବେଶ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇ କ୍ଷମତାକୁ ଆସିଥିବା କାରଣରୁ ଏଥର ପୁନଃ ବିଜୟ ଲକ୍ଷ୍ୟରେ ଏହି ପରିବର୍ତ୍ତନ କରିଛି। କିନ୍ତୁ ରାଜ୍ୟ ନେତୃତ୍ବ ସମ୍ପର୍କରେ ବିଜେପି ଏବେ ଯେଭଳି ଗୋଟିକ ପରେ ଗୋଟିଏ ନିଷ୍ପତ୍ତି ନେଉଛି ସେଥିରୁ ଜଣାପଡୁଛି ଯେ ଏଣିକି କଂଗ୍ରେସ ପରି କେନ୍ଦ୍ରୀୟ ନେତୃତ୍ବର ମନୋନୀତ ବ୍ୟକ୍ତିମାନେ ହିଁ ରାଜ୍ୟ ଦାୟିତ୍ବରେ ରହିବେ। ଏହାକୁ ଦେଖିଲେ କୁହାଯିବ ଯେ ଦୁଇଟି ଯାକ ପ୍ରଧାନ ଜାତୀୟ ଦଳର ଧାରା ସମାନ।

ଗୁଜରାଟ କ୍ଷେତ୍ରରେ ବିଦାୟୀ ମୁଖ୍ୟମନ୍ତ୍ରୀ ରୂପାନୀଙ୍କର ରେକର୍ଡ ସେପରି ସନ୍ତୋଷଜନକ ନଥିଲା। କରୋନା ପରିଚାଳନାରେ ତାଙ୍କ ସରକାରର ତ୍ରୁଟିବିଚ୍ୟୁତି ସମାଲୋଚିତ ହୋଇଥିଲା। ଗୁଜରାଟ ହାଇକୋର୍ଟ ମଧ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଗୁଜରାଟରେ ବିଭିନ୍ନ ସାମାଜିକ ଓ ଜାତିଗତ ଗୋଷ୍ଠୀର ଗୁରୁତ୍ବ ସବୁବେଳେ ରହିଆସିଛି ଓ ଯାହାକୁ ବ୍ୟବହାର କରି ମାଧବ ସିଂ ସୋଲାଙ୍କି ଦୀର୍ଘଦିନ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିଲେ। ରୂପାନୀ ସେପରି ଶକ୍ତିଶାଳୀ ଗୋଷ୍ଠୀ ଗୁଡିକୁ ସାଙ୍ଗରେ ନେଇପାରିନଥିବା କୁହାଯାଉଛି। ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପଛରେ  ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ  ଅନାଦିବେନ ପଟେଲଙ୍କ ସମର୍ଥନ ରହିବ ବୋଲି କୁହାଯାଉଛି। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ଛାଡି ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀମତୀ ପଟେଲ ତାଙ୍କ ମନୋନୟନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନଚେତ ମାତ୍ର ଥରେ ବିଧାୟକ ହୋଇଥିବା ଭୂପେନ୍ଦ୍ର ହୁଏତ  ମୁଖ୍ୟମନ୍ତ୍ରୀ ପଦ ପାଇବା କଷ୍ଟକର ହୋଇଥା’ନ୍ତା।

ସାଧାରଣତଃ ରାଜ୍ୟରେ ସଂଖ୍ୟାଧିକ ବିଧାୟକ ବିଦ୍ରୋହ କଲେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଆବଶ୍ୟକ ହୋଇଥାଏ। କିନ୍ତୁ ଗୁଜରାଟ କ୍ଷେତ୍ରରେ ରୂପାନୀ ମୁଖ୍ୟମନ୍ତ୍ରୀ ଥିଲେ ହେଁ ଦିଲ୍ଲୀର ଇଙ୍ଗିତରେ ସରକାର ଚାଲୁଥିଲା ବୋଲି କୁହାଯାଉଥିଲା। ଗୁଜରାଟ କ୍ଷେତ୍ରରେ ଏହା ସ୍ବାଭାବିକ ମଧ୍ୟ । କାରଣ ସେଠାକାର ଯେ କେହି ମୋଦି ଓ ଅମିତ ଶାହାଙ୍କ ପାଖରେ  ପହଞ୍ଚି ପାରୁଥିଲେ। ନେହରୁ -ଗାନ୍ଧୀ ପରିବାରର ଶାସନ ବେଳେ ଯେଭଳି କଂଗ୍ରେସରେ ଉତ୍ତରପ୍ରଦେଶର ପ୍ରାଧାନ୍ୟ ଥିଲା ମୋଦି ଶାସନ ବେଳେ ଗୁଜରାଟ ସେହି ଗୁରୁତ୍ବ ପାଉଛି। ଏବେ ବିଜେପି  ଶାସିତ ରାଜ୍ୟଗୁଡ଼ିକରେ ଦଳ ମୁଖ୍ୟମନ୍ତ୍ରୀ ମାନଙ୍କର ଗୁରୁତ୍ବ କମିଯାଇଛି ଯାହା ଇନ୍ଦିରା  ଓ ରାଜୀବଗାନ୍ଧୀଙ୍କ କଂଗ୍ରେସ ବେଳେ ହେଉଥିଲା। ଏବେ ଅଣବିଜେପି ଶାସିତ ରାଜ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡିକ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ  କ୍ଷମତା ତଥା ପ୍ରଭାବ  ଦୃଷ୍ଟିରୁ ତାରତମ୍ୟ ବେଶ ଅଧିକ। ଅବଶ୍ୟ ସେପରି ଦେଖିଲେ ଆଞ୍ଚଳିକଦଳ ମୁଖ୍ୟମନ୍ତ୍ରୀମାନେ ବିଜେପି ଓ କଂଗ୍ରେସ ପରି ଜାତୀୟ ଦଳ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ବହୁ ଗୁଣରେ ଅଧିକ ଶକ୍ତିଶାଳୀ। ବିଜେପିରେ ହାଇକମାଣ୍ଡ ସଂସ୍କୃତି ସୁଦୃଢ ହେବାରେ ଆଉ ଏକ ସାହାଯ୍ୟକାରୀ କାରଣ ହେଲା ଦଳ ଜାତୀୟ ତଥା ରାଜ୍ୟ ନିର୍ବାଚନଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଆଧାରରେ ଲଢୁଛି। ଏଣୁ ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ଲୋକପ୍ରିୟତାକୁ ଦଳ ଗୁରୁତ୍ବ ଦେଉନାହିଁ।

ଗୁଜରାଟ ପରି ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ବିଜେପି ପୁରୁଖା ନେତାମାନଙ୍କୁ ଛାଡି ସୀମିତ ପ୍ରଭାବ ଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା। ବିଜେପି ମଧ୍ୟ ସମ୍ପୂର୍ଣ୍ଣ ଭାବେ ସଂଘ ପରିବାର ସହ ମୂଳରୁ ରହିଥିବା ନେତାଙ୍କୁ ଯେ, କେବଳ ଗୁରୁତ୍ବ ଦେଉଛି ବୋଲି ଯେଉଁ ଧାରଣା ଥିଲା ତାହା ବଦଳୁଛି। ଆସାମରେ ପ୍ରାୟ ୫ ବର୍ଷରୁ କିଛି ଅଧିକକାଳ ଆଗରୁ କଂଗ୍ରେସରୁ ବିଜେପିକୁ ଆସି ଦଳରେ ଦ୍ବିତୀୟ ପ୍ରଧାନ ନେତା ହୋଇଥିବା ହେମନ୍ତ ବିଶ୍ବଶର୍ମା ଏଥରର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଲେ। କର୍ଣ୍ଣାଟକରେ ଜନତାଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର.ବୋମାଇଙ୍କର ପୁତ୍ର ବାସବରାଜ ବୋମାଇ ୨୦୦୮ରେ ବିଜେପିକୁ ଆସି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବାଜପାୟୀ ଓ ଆଡଭାନୀଙ୍କ ସମୟରେ ଆଞ୍ଚଳିକ ନେତାଭାବେ ପ୍ରାଧାନ୍ୟ ପାଇଁ କଲ୍ୟାଣ ସିଂ, ଉମା ଭାରତୀ, ବସୁନ୍ଧରା ରାଜେ, ରମଣ ସିଂ, ବି.ଏସ. ୟେଦୁରପ୍ପା ଓ ଶିବରାଜ ସିଂ ଚୌହାନ ପ୍ରମୁଖ ନିଜ ନିଜ ରାଜ୍ୟରେ ଦଳର ସ୍ଥିତିକୁ ସୁଦୃଢ କରିଥିଲେ। ଏବେ ସେହି ଧାରାକୁ ବିଜେପି ଛାଡି ଦେଉଥିବାରୁ ଭବିଷ୍ୟତରେ କଂଗ୍ରେସ ପରି ସମସ୍ୟାର ସମ୍ମୁଖୀନ ହୋଇପାରେ।

 

Leave A Reply

Your email address will not be published.

ବ୍ରେକିଂ