ମୌସୁମୀ ଅନିୟମିତା

ମୌସୁମୀ ବର୍ଷାରେ  ଅନିୟମିତତା ଯୋଗୁଁ ଏବର୍ଷ ଦେଶର କୃଷି ଉତ୍ପାଦନ ପ୍ରଭାବିତ ହୋଇପାରେ । ସ୍ବାଭାବିକ ବର୍ଷ ଅପେକ୍ଷା ଏଥର ଅଧିକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗ  ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବାର ପୂର୍ବାନୁମାନ କରିଥିଲେ ମଧ୍ୟ ବୃଷ୍ଟିପାତ ସେହି ଅନୁସାରେ ହୋଇନାହିଁ। ଗତ ଅଗଷ୍ଟରେ ୨୪ ପ୍ରତିଶତ କମ ବର୍ଷା ହୋଇଛି। ଗଲା ଜୁନରୁ ଆରମ୍ଭ ହୋଇଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଏମାସରେ ସରିବାକୁ ଯାଉଥବା ବେଳେ ପୂର୍ବର ହାରାହାରି ବୃଷ୍ଟିପାତ ତୁଳନାରେ ଏପର୍ଯ୍ୟନ୍ତ ୭.୯ ପ୍ରତିଶତ କମ ବର୍ଷା ହୋଇଛି। ଏହି କାରଣରୁ ବର୍ଷା ଋତୁ ଆରମ୍ଭ ବେଳେ କୃଷି ଉତ୍ପାଦନ ସମ୍ପର୍କରେ ଯେଉଁ ଉଜ୍ଜ୍ବଳ ଆଶା ଦେଖା ଦେଇଥିଲା ସେଥିରେ ଏବେ ସନ୍ଦେହ ସୃଷ୍ଟି ହେଉଛି। ଗତବର୍ଷ ଆରମ୍ଭରେ କରୋନା ସଂକ୍ରମଣ ବଢି ଏବର୍ଷ ଏଯାଏଁ ପ୍ରଥମ ଓ ଦ୍ବିତୀୟ ଲହରରେ ଅର୍ଥନୀତିକୁ ବେଶ କ୍ଷତିଗ୍ରସ୍ତ କରିଥିଲେ ସୁଦ୍ଧା କୃଷି ଉଦ୍ୟୋଗ ସନ୍ତୋଷଜନକ ସଫଳତା ଦେଖାଇ ଆସିଛି।

ଗତବର୍ଷର ଭଲ ଫସଲ ପରେ ଏବର୍ଷ ମଧ୍ୟ ତା’ର ପୁନରାବୃତ୍ତି ହେବ ବୋଲି ମୌସୁମୀ ଆରମ୍ଭ ଆଗରୁ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗର ପୂର୍ବାନୁମାନରୁ ଆଶା ସୃଷ୍ଟି କରିଥିଲା। ଏବେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଶେଷ ଭାଗରେ ପହଞ୍ଚିଥିବା ବେଳେ  ବର୍ଷାରେ ଅନିୟମିତତା ପୂର୍ବ ଧାରଣାକୁ ବଦଳାଇ ଦେଇଛି।

ଏବର୍ଷ ଜୁନରେ ମୌସୁମୀ ପ୍ରଭାବ ଆରମ୍ଭ ହେବା ପରେ ହଠାତ ତିନିସପ୍ତାହ ଧରି ଜୁନ ୨୦ରୁ  ବର୍ଷା ଛାଡିଗଲା। ତାହା ଖରିଫ ଋତୁର ବୁଣା ସମୟ। ମୌସୁମୀ ବର୍ଷା ପରବର୍ତ୍ତୀ ସମୟରେ  ସକ୍ରିୟ  ହୋଇଥିଲେ ମଧ୍ୟ ଫସଲ ବୁଣାରେ ବିଳମ୍ବ ଉତ୍ପାଦନକୁ ପ୍ରଭାବିତ କରିବ  ବୋଲି ଆଶଙ୍କା ରହୁଛି। ଧାନ, କପା ଓ ସୋୟାବିନ ଉପରେ ଏହାର ପ୍ରଭାବ ପଡିଛି। ଚଳିତ ସେପ୍ଟେମ୍ବରରେ ଏଯାଏଁ ଅଧିକ ବର୍ଷା ହୋଇଛି। ଏହାଦ୍ବାରା ରବିଫସଲକୁ ଲାଭ ହେବ। କିନ୍ତୁ ଏଥିରେ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଛି। କେବଳ ଚଳିତ ଖରିଫ ଋତୁରେ ବର୍ଷା କମିବା ଯୋଗୁଁ ଯେ  ଉତ୍ପାଦନ ବାଧାପ୍ରାପ୍ତ ହେବ ସେତିକି ନୁହେଁ ବୃଷ୍ଟିପାତରେ ଅନିୟମିତତା ମଧ୍ୟ ଉତ୍ପାଦନ ହ୍ରାସର ଅନ୍ୟ ଏକ କାରଣ। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ କିଛି ବର୍ଷ ଧରି ବର୍ଷାରେ ଅସ୍ଥିରତା ଦେଖାଦେଉଛି। ଗୋଟିଏ ସ୍ଥାନରେ ପୂର୍ବ ରେକର୍ଡ ଭଙ୍ଗ କରି ସୀମିତ ସମୟ ମଧ୍ୟରେ ପ୍ରଚୁର ବର୍ଷା ହେଉଛି।

୨୦୦୫ରେ ମୁମ୍ବାଇ ସହରର ବନ୍ୟା ଠାରୁ ଆରମ୍ଭ କରି ନିକଟରେ  ଦିଲ୍ଲୀରେ ଓ ଏବେ ଦୁଇଦିନ ତଳେ ଭୁବନେଶ୍ବରରେ ଅଧିକ ବର୍ଷା  ସହରମାନଙ୍କରେ ଜଳବନ୍ୟା ସୃଷ୍ଟି କରୁଥିବା ବେଳେ  ଚାଷ ଜମି ଥିବା ବ୍ୟାପକ ଅଞ୍ଚଳରେ ଅନାବୃଷ୍ଟି ମରୁଡି ସୃଷ୍ଟି କରୁଛି। ଦୀର୍ଘ କେଇ ସପ୍ତାହ ଧରି ବର୍ଷା କମିଯାଇ ଫସଲର ବୃଦ୍ଧିକୁ ପ୍ରଭାବିତ କରୁଥିବା ବେଳେ  ପରେ ଅତ୍ୟଧିକ ବର୍ଷା ଫସଲକୁ ନଷ୍ଟ କରୁଛି। ଭାରତରେ ଏହି ଧାରା ଏଥରର ବର୍ଷା ଋତୁରେ ମଧ୍ୟ ପରିଲକ୍ଷିତ ହୋଇଛି।  ଉପରୋକ୍ତ କାରଣରୁ ଚଳିତ ଖରିଫ ଋତୁର ଉତ୍ପାଦନ ସମ୍ପର୍କରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ଆଶଙ୍କା ସତ୍ୟ ପ୍ରମାଣିତ ହେଲେ ତା’ର ପ୍ରଭାବ ଅର୍ଥନୀତି ଉପରେ ପଡିବ।  ୨୦୧୯-୨୦ ଓ ୨୦୨୦-୨୧ରେ  କରୋନା ଜନିତ ଅର୍ଥନୀତର ଚାପକୁ କୃଷି  ଅନେକାଂଶରେ ଲାଘବ କରିଦେଇଥିଲା। ଯେହେତୁ ଭାରତରେ  ସର୍ବାଧିକ ଲୋକ ଗାଁରେ ରୁହନ୍ତି ଓ ସେମାନେ କୃଷି ଉପରେ  ନିର୍ଭର କରନ୍ତି ସେ  କାରଣରୁ ସନ୍ତୋଷଜନକ କୃଷି ଉତ୍ପାଦନ ଜନସାଧାରଣଙ୍କ ଆର୍ଥିକ ସ୍ଥିତିକୁ  ଅନେକାଂଶରେ ବଞ୍ଚାଇ ଦେଇଥିଲା।

୨୦୧୯-୨୦ରେ କୃଷି ଉଦ୍ୟୋଗର ଅଭିବୃଦ୍ଧି ୪.୩ ପ୍ରତିଶତ ହୋଇଥିଲା। ଅଥଚ ସେ ବର୍ଷ ସାମଗ୍ରୀକ ଅର୍ଥନୀତି ମାତ୍ର ୪ ପ୍ରତିଶତ ବଢିଥିଲା। ୨୦୨୦-୨୧ରେ ଅର୍ଥନୀତି ୭.୩ ପ୍ରତିଶତ ସଙ୍କୁଚିତ ହୋଇଯାଇଥିବା ବେଳେ କୃଷି ଉଦ୍ୟୋଗର ଅଭିବୃଦ୍ଧି ୪.୬ ପ୍ରତିଶତ ହୋଇଥିଲା। ଏବର୍ଷ କୃଷି ଉତ୍ପାଦନରେ ଗତ ଦୁଇବର୍ଷର ଧାରା  ଆଶା କରାଯାଇନପାରେ । କୃଷି ଉତ୍ପାଦନ କମିଲେ  ତା’ର ପରିଣାମ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେବ। ଚାଷୀଙ୍କର  ତଥା କୃଷିକ୍ଷେତ୍ରରୁ ଆୟ କମିଯିବ। ତଦ୍ଦ୍ବାରା ଗ୍ରାମାଞ୍ଚଳରେ ଚାହିଦା ହ୍ରାସ ପାଇବ। ଅଥଚ ଏବେ ଅର୍ଥନୀତିର ପୁନରୁଦ୍ଧାର  ପାଇଁ ସାମଗ୍ରୀକ ଚାହିଦା ବୃଦ୍ଧି ଜରୁରୀ। ଚାଷ ବାଧାପ୍ରାପ୍ତ ହେଲେ ସେହି ଉଦ୍ୟୋଗରେ ନିଯୁକ୍ତି ମଧ୍ୟ କମିବ। ଦେଶର ଅର୍ଥନୀତି ସମ୍ପର୍କରେ ଅନୁଧ୍ୟାନ କରୁଥିବା ସେଣ୍ଟର ଫର ମନିଟରିଂ ଦି ଇଣ୍ଡିଆନ ଇକୋନୋମିକ (ସିଏମଆଇଇ) କହିଛି ଯେ, ଗତ ଜୁନ-ଜୁଲାଇରେ କୃଷି କ୍ଷେତ୍ରର ନିଯୁକ୍ତି ୧୨୪ ନିୟୁତ ଥିବା ବେଳେ  ଗତ ଅଗଷ୍ଟରେ ତାହା ୧୧୬କୁ ହ୍ରାସ ପାଇଛି।

ମୌସୁମୀ ଋତୁ ଆରମ୍ଭରେ ବୁଣାବୁଣି ବିଳମ୍ବ ଯୋଗୁଁ ନିଯୁକ୍ତି ହ୍ରାସ ପାଇଥିଲା। ଫସଲ ଉତ୍ପାଦନ କମିଲେ ଖାଦ୍ୟ ସାମଗ୍ରୀର ଦର ବଢିଯିବ। ଦେଶରେ ଗତ  କେଇମାସ ଧରି  ମୁଦ୍ରାସ୍ଫୀତି ସମସ୍ୟା ଲାଗି ରହିଛି। ଖାଦ୍ୟ ସାମଗ୍ରୀର ଦର ବଢିଛି।ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି ଅଗ୍ରାଧିକାର ଦେଇ ମୁଦ୍ରାସ୍ପୀତିକୁ ଗୁରୁତ୍ବ ଦେଇନାହିଁ। ସର୍ବୋଚ୍ଚ ବ୍ୟାଙ୍କ ଆଶା କରିଥିଲା ଯେ, ଗତ ଦୁଇବର୍ଷ ପରି ଏବର୍ଷ ମଧ୍ୟ  ଭଲ ଫସଲ ହେବ। ଏହି ହିସାବ ଏଥର ଏପଟସେପଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶର ମୋଟ ଅର୍ଥନୀତିରେ କୃଷି ଅଂଶ କମିଯାଇଥିଲେ ସୁଦ୍ଧା ଏବେ ବି ତାହା ୧୮ ପ୍ରତିଶତ ରହିଛି। ବଡ କଥା ହେଲା ବେଶୀ ଲୋକ କୃଷି ଉପରେ ନିର୍ଭରଶୀଳ। ଅର୍ଥନୀତିର ଅନ୍ୟ ଉଦ୍ୟୋଗଗୁଡ଼ିକ ମୁଣ୍ଡ ଟେକିବାକୁ ସମୟ ଲାଗିପାରେ। ଏହି ଅବସ୍ଥାରେ କୃଷିର କ୍ଷତି  ସାମଗ୍ରୀକ ସ୍ଥିତିକୁ  ଅଧିକ ଖରାପ କରି ଦେଖାଇବ। କେନ୍ଦ୍ର ତଥା ରାଜ୍ୟଗୁଡିକ ଏହି ଅବସ୍ଥାରେ ଗ୍ରାମାଞ୍ଚଳ ଦୁରାବସ୍ଥା ପ୍ରତି ଅଧିକ ଧ୍ୟାନ  ଦେବାକୁ ହେବ।

 

Leave A Reply

Your email address will not be published.

ବ୍ରେକିଂ