ଆଫଗାନିସ୍ତାନରେ ଜାତିସଂଘର ଆବଶ୍ୟକତା

ଆଫଗାନିସ୍ତାନରେ ବଢୁଥିବା ମାନବୀୟ ସଙ୍କଟ ସମ୍ପର୍କରେ ସମାଧାନ ଉଦ୍ୟମ ଖୋଜୁଥିବା ଜାତିସଂଘ ସମ୍ମିଳନୀକୁ ଭାରତ ବିଜ୍ଞତାର ସହ ସୂଚାଇ  ଦେଇଛି ଯେ କେବଳ ଆଫଗାନବାସୀଙ୍କର ଆବଶ୍ୟକତା ନେଇ ବଦାନ୍ୟତା ଦେଖାଇବା  ଯଥେଷ୍ଟ ହୋଇନପାରେ। ତାଲିବାନ ଗୋଷ୍ଠୀ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ଭାରତ ସମେତ ବିଭିନ୍ନ ଦେଶରେ ଯେଉଁ ଉଦବେଗ ଦେଖା ଦେଇଛି ତାକୁ ବିଚାରକୁ ନେଲେ ତାଲିବାନ ହାତକୁ ସିଧାସଳଖ  ସାହାଯ୍ୟ ଯୋଗାଇବା କେତେ ଦୂର ଠିକ ହେବ ତାହା ମୁଖ୍ୟ ପ୍ରଶ୍ନ।

ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି କାରଣ ଓ ଅନ୍ୟାନ୍ୟ ଦିଗକୁ ଦେଖି ପରାସ୍ତତା ଆଡକୁ ଯାଉଥିବା ଆଫଗାନିସ୍ତାନରେ  ଜାତିସଂଘର ଏକ କେନ୍ଦ୍ରୀୟ ଭୂମିକା ପାଇଁ ଆହ୍ବାନ ଦେଇଛନ୍ତି। ତା’ର ଅର୍ଥ ହେଲା ଆଫଗାନିସ୍ତାନରେ ଆନ୍ତର୍ଜାତିକ ସମ୍ପ୍ରଦାୟର ମିଳିତ ହସ୍ତକ୍ଷେପ ଲୋଡା। ତାହା ଜାତିସଂଘ ହିଁ କରିପାରିବ, ଯାହାକୁ ଅନ୍ୟ ଦେଶଗୁଡିକ ସମର୍ଥନ କରିବେ। ଏପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆଫଗାନିସ୍ତାନକୁ ସୁଧାରିବା ପାଇଁ  ନିର୍ଦ୍ଦିଷ୍ଟ କେତେକ ବିଦେଶୀ ରାଷ୍ଟ୍ର ଉଦ୍ୟମ କରିଆସିଛନ୍ତି ତାହା ସାମୟିକ ସଫଳତା ଦେଇଥିଲେ ସୁଦ୍ଧା ସେସବୁ ଦେଶର ଧୈର୍ଯ୍ୟଚ୍ୟୁତ ପରେ ସେଠାରେ ପୁନର୍ବାର ଅନିଶ୍ଚୟତା ଫେରିଆସିଛି। ଅବଶ୍ୟ ଜୟଶଙ୍କରଙ୍କ ଯୁକ୍ତି ପଛରେ ଆଫଗାନିସ୍ତାନରେ ମାନବିକତାବାଦୀ ହସ୍ତକ୍ଷେପର ଯୁକ୍ତି ରହିଛି ଯାହା ଜାତିସଂଘ ଦ୍ବାରା ସମ୍ଭବ ହେବ। ଏକ ବହୁପକ୍ଷ ମଞ୍ଚ ଦ୍ବାରା ଆଫଗାନବାସୀଙ୍କୁ ସହାୟତା ଦିଆଗଲେ ସେଥିରେ ପକ୍ଷପାତିତା ନରହି ସବୁ ଶ୍ରେଣୀ ପାଖରେ ତାହା ପହଞ୍ଚି ପାରିବ। ତଦ୍ଦ୍ବାରା ଜାତିସଂଘ ମଧ୍ୟ ସୁରକ୍ଷାର ବଳୟରେ ସାହାଯ୍ୟ ବଣ୍ଟନ କରିପାରିବ।

ଭାରତ ଆଫଗାନିସ୍ତାନରେ ଗତ ୨୦ବର୍ଷର ଆମେରିକା ହସ୍ତକ୍ଷେପ ସମୟରେ ଓ ଏବେ ତାଲିବାନ ଦେଶକୁ ଦଖଲକୁ ନେବାପରେ  ଆଫଗାନିବାସୀଙ୍କ ପାଖରେ ଛିଡା ହେବାର ଆନ୍ତରିକତାକୁ ବାରମ୍ବାର ଦୋହରାଇଛି। ଏବେ ୟୁଏନଡିପି ହିସାବରେ ଆଫଗାନିସ୍ତାନର ଦାରିଦ୍ର୍ୟହାର ୭୨ ପ୍ରତିଶତରୁ ୯୭ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଜଣାପଡିବା ସାଙ୍ଗକୁ  ଦେଶର ଉଭୟ ଆର୍ଥିକ ଓ ଅଭାବ ତଥା ଦରବୃଦ୍ଧି ସମସ୍ୟା ଉତ୍କଟ ହୋଇଛି। ଭାରତ ଯେହେତୁ ଗତ କିଛିବର୍ଷ ଧରି ଆଫଗାନିସ୍ତାନରେ ବିଫୁଳ ଅର୍ଥ ବ୍ୟୟ କରି ବିକାଶ ମୂଳକ କାର୍ଯ୍ୟକ୍ରମରେ ନିୟୋଜିତ ଥିଲା ଓ ସିଧାସଳଖ ଆଫଗାନିସ୍ତାନ ଜନସାଧାରଣଙ୍କ ସହ  ଐତିହାସିକ ସମ୍ପର୍କ ଭିତ୍ତିରେ  ପ୍ରତ୍ୟକ୍ଷ ଯୋଗାଯୋଗ ବଢାଇଥିଲା  ସେ କାରଣରୁ ଏବେ  ସେଠାକାର ମାନବୀୟ ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦେଉଛି।

ଆନ୍ତର୍ଜାତିକ ସମ୍ପ୍ରଦାୟ ଏ ଦିଗଟିକୁ ଧ୍ୟାନ ଦେବେ ବୋଲି ଆଶା। ଜାତିସଂଘ ଆଫଗାନିସ୍ତାନରେ ଏକକୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ୬୦୬ ନିୟୁତ ଡଲାର ଆବଶ୍ୟକତା ଥିବା ଦର୍ଶାଇଛି। କିନ୍ତୁ ବିଶ୍ବ ସମ୍ପ୍ରଦାୟ ଏକ ବିଲିୟନ ଡଲାର ସାହାଯ୍ୟର ଅଙ୍ଗୀକାର ଦେଇସାରିଲେଣି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସମେତ ଅଧିକାଂଶ ବିଶ୍ବ ନେତାଙ୍କର ଯୁକ୍ତି ହେଲା ଏହି ସାହାଯ୍ୟ ଆଫଗାନିସ୍ତାନରେ ଅଭାବୀ ଲୋକଙ୍କ ପାଖରେ ପହଞ୍ଚି ନପାରେ । ଶାସନରେ ଥିବା ତାଲିବାନ ଗୋଷ୍ଠୀକୁ ଏହା ଦିଆଗଲେ ସେମାନେ ଏହି ସାହାଯ୍ୟକୁ ଠିକଭାବେ ବାଣ୍ଟିବେ ବୋଲି ସେମାନଙ୍କର ଭରସା ନାହିଁ। ଏହି ସ୍ଥିତିରେ ଦାରିଦ୍ର୍ୟ ଓ ଅଭାବ ଭିତରକୁ ଠେଲି ହୋଇଯାଇଥିବା ଆଫଗାନବାସୀଙ୍କୁ ସିଧାସଳଖ ଆନ୍ତର୍ଜାତିକ ସାହାଯ୍ୟକାରୀ ଦଳଙ୍କ ଜରିଆରେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ଯୋଗାଯିବା ଉଚିତ। ଏହି ଦାୟିତ୍ବ ଜାତିସଂଘ ନେବା ଉଚିତ। ଜାତିସଂଘ ଟିମ ଆଗରୁ ଆଫଗାନସ୍ତାନରେ କାମ କରିଛନ୍ତି। ଜାତିସଂଘ ପୃଥିବୀର ସବୁ ଦେଶର ସଂଗଠନ ହୋଇଥିବାରୁ ଖାଦ୍ୟ ରିଲିଫ ସମେତ ଅନ୍ୟାନ୍ୟ ସାହାଯ୍ୟ ତାର ଅଧିକାରୀମାନେ ବାଣ୍ଟିବା ଠିକ ହେବ।

ଏଥିପାଇଁ ଆଫଗାନିସ୍ତାନର  ନୂଆ ସରକାର ସହ ଚୁକ୍ତି ହେବା ଲୋଡା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମାସ ୨୪ ତାରିଖରେ ଆମେରିକା ଯାଉଛନ୍ତି। ସେଠାରେ ସେ ଚତୁଃରାଷ୍ଟ୍ରୀୟ କ୍ବାଦ ସଂଗଠନର ନେତାମାନଙ୍କର ଶୀର୍ଷ ବୈଠକରେ ଯୋଗଦେବେ। ସେ ମଧ୍ୟ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଉଦବୋଧନ ଦେବେ। ନିଶ୍ଚିତ ଭାବେ ତାଙ୍କର ଏହି ଗସ୍ତରେ  ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପ୍ରସଙ୍ଗ ଗୁରୁତ୍ବ ପାଇବ। ସେ ନିଶ୍ଚିତ ଭାବେ ଆଫଗାନିସ୍ତାନ ଘଟଣାବଳୀରେ ପାକିସ୍ତାନର ସକ୍ରିୟତା ବୃଦ୍ଧି ବିଷୟ  ବିଚାରକୁ ନେଇ ଭାରତର କୌଶଳକୁ ଉପସ୍ଥାପନ କରିବେ। ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନଙ୍କର  ପାକିସ୍ତାନ ସମ୍ପର୍କିତ ସଦ୍ୟ ମନ୍ତବ୍ୟ ଗୁରୁତ୍ବପୂର୍ଣ୍ଣ।

ସେ କହିଛନ୍ତି ଯେ,ଆମେରିକା ପାକିସ୍ତାନ ସହ ତା’ର ସମ୍ପର୍କର ପୁନଃ ମୂଲ୍ୟାୟନ କରିପାରେ। ଆଫଗାନିସ୍ତାନରେ ଇସଲାମାବାଦ ଯେଉଁ ଭୂମିକା ନେବା ଉଚିତ ସେହି ଭିତ୍ତିରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ତାହା ଯଥାର୍ଥ। କିନ୍ତୁ ତାହା ସହ ବ୍ଲିଙ୍କେନ କହିଛନ୍ତି ଯେ, ଆବଶ୍ୟକ ହେଲେ ଆଫଗାନିସ୍ତାନରେ  ଭାରତରୁ ଆମେରିକା ବିମାନ ଆକ୍ରମଣ କରିବା ପାଇଁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଛି ଏହା ଏକ ନୂଆ ପ୍ରସ୍ତାବ। ଆମେରିକା ଓ ଭାରତ ମଧ୍ୟରେ ଘନିଷ୍ଠତା ବଢିଥିବାରୁ ଆମେରିକା ଉପରୋକ୍ତ  ପ୍ରସ୍ତାବ ବିଷୟ ବିଚାର କରୁଛି। କିନ୍ତୁ ଏ ସମ୍ପର୍କରେ ଭାରତ ସତର୍କତା ଅବଲମ୍ବନ କରିବା ଉଚିତ। ସେହି ଅବସ୍ଥାରେ ଆଫଗାନିସ୍ତାନରୁ କାମ କରୁଥିବା ଆନ୍ତର୍ଜାତିକ ଉଗ୍ରବାଦୀମାନେ ଅଧିକ ଭାରତ ବିରୋଧୀ ହୋଇପାରନ୍ତି। କିନ୍ତୁ ଆଫଗାନିସ୍ତାନରେ ଅସ୍ଥିରତା ବଢିଲେ ଆମେରିକା ବା ନାଟୋ ପରି ସଂଗଠନ ବ୍ୟତିରେକ ଜାତିସଂଘର ଶାନ୍ତି ରକ୍ଷା ବାହିନୀ(ଆଇଟିକେଏଫ)କୁ ସେଠାରେ ମୃତୟନ କରାଯାଇ ପାରିବ। ନିର୍ଦ୍ଦିଷ୍ଟ  କେତେକ ଦେଶକୁ ଆଫଗାନିସ୍ତାନରେ ନିଜ ସେବା ମୃତୟନ କରିବା ଦାୟିତ୍ବ ଦେବା ପରିବର୍ତ୍ତେ  ଜାତିସଂଘ ଜରିଆରେ ସେହି ଦାୟିତ୍ବ ତୁଲାଇବା ଠିକ ହେବ। ଅବଶ୍ୟ ତାଲିବାନ ନିୟନ୍ତ୍ରଣରେ ଯଦି ପରିସ୍ଥିତି ଖରାପ ହେଲା ତା’ପରେ ଏ ପ୍ରସ୍ତାବକୁ ବିଚାର କରାଯାଇପାରେ ।

Leave A Reply

Your email address will not be published.

ବ୍ରେକିଂ