ଭାରତ ଲାଗି ଉପକାରୀ ତ୍ରିରାଷ୍ଟ୍ରୀୟ ଚୁକ୍ତି

ଚୀନର ଉଗ୍ର ଆଭିମୁଖ୍ୟକୁ ମୁକାବିଲା କରିବା ପାଇଁ   ଅଷ୍ଟ୍ରେଲିଆ ଏବେ ଆମେରିକା ଓ ଇଂଲଣ୍ଡ ସହ  ଯେଉଁ ନିରାପତ୍ତା ଚୁକ୍ତି କରିଛି ତାହା  ଅନ୍ୟାନ୍ୟ ଉଦ୍ଦେଶ୍ୟ ସହ ଭାରତ ଲାଗି ଆଶ୍ବସ୍ତିଜନକ। ତିନିଦେଶର ଉକ୍ତ ରାଜିନାମାକୁ ଅକୁସ ବୋଲି କୁହାଯାଉଛି।  ଦକ୍ଷିଣ ଚୀନ ସାଗରରେ ଚୀନର ସମ୍ପ୍ରସାରଣବାଦୀ ଅଭିଯାନ ବିରୁଦ୍ଧରେ ଏହି ମେଣ୍ଟ ଉର୍ଦ୍ଦିଷ୍ଟ ବୋଲି ଧରାଯାଉଛି।  ବିଶେଷ ଭାବରେ  ଉକ୍ତ ଚୁକ୍ତି ଏପରି ସମୟରେ ହୋଇଛି ଯାହା ଆଫଗାନିସ୍ତାନକୁ ନେଇ ଆମେରିକା ସମ୍ପର୍କରେ ସୃଷ୍ଟି ହୋଇଥିବା ନୈରାଶ୍ୟ ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ।  ଆଫଗାନିସ୍ତାନରୁ ୨୦ ବର୍ଷ ପରେ ଆମେରିକା ନିଜର  ସେନା ପ୍ରତ୍ୟାହାର କରିବାରୁ ତାଲିବାନ ଗୋଷ୍ଠୀ ଉକ୍ତ ଦେଶକୁ  ଦଖଲ ନେଇଛନ୍ତି  ଏବଂ ଏବେ ଆଫଗାନିସ୍ତାନର ପରିସ୍ଥିତି ଖରାପ ହେଉଛି।  ସେଠାରେ ଅରାଜକତା ଓ ଅସ୍ଥିରତା ପୁନର୍ବାର ଫେରି ଆସିବାର ଆଶଙ୍କା ଦେଖା ଦେଇଛି।

ଏଥିଯୋଗୁଁ ଆମେରିକା ଆନ୍ତର୍ଜାତିକ ସ୍ତରରେ ସମ୍ମାନ ହରାଇଛି।  ପରୋକ୍ଷରେ ଏହା ଚୀନ ପାଇଁ ସହାୟକ ହୋଇଛି ଏବଂ ବେଜିଂ ଏହାର ଫାଇଦା ନେଇ ନିଜର ଆନ୍ତର୍ଜାତିକ ପ୍ରଭାବ ବୃଦ୍ଧି କରିବାକୁ ସୁଯୋଗ ପାଇଛି।  ଏହି ସ୍ଥିତିରେ ଅକୁସରେ  ଆମେରିକା ସାମିଲ ହେବା ତାତ୍ପର୍ଯ୍ୟପୂର୍ଣ୍ଣ।  ଏଥିରୁ ଜଣାପଡୁଛି ଯେ, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜର ଧ୍ୟାନକୁ ପୁନର୍ବାର କେନ୍ଦ୍ରୀଭୂତ କରିବାକୁ ଆମେରିକା ଚାହୁଁଛି।  ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଅକୁସ ଇଂଲଣ୍ଡର ବୈଦେଶିକ ନୀତିରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନରେ  ଆଭାସ ଦେଉଛି।  ୟୁରୋପୀୟ ୟୁନିଅନରୁ  ବାହାରି ଯିବା ପରେ ଇଂଲଣ୍ଡର ଏହି ପଦକ୍ଷେପକୁ ଆନ୍ତର୍ଜାତିକ ଦୃଷ୍ଟି କୋଣରୁ ଗୁରୁତ୍ବ ଦେବାକୁ ହେବ।

ବିଂଶଶତାବ୍ଦୀର ପ୍ରଥମ ଭାଗରେ ହିଟଲରଙ୍କ ଜର୍ମାନୀ ଯେଭଳି ବିଶ୍ବଶକ୍ତି ଗୁଡିକୁ ଚାଲେଞ୍ଜ ଦେଇଥିଲା ଚୀନ କ୍ଷେତ୍ରରେ ତା’ର  ପୁନରାବୃତ୍ତି ହେବାର ଆଶଙ୍କା ବଢୁଛି।  ଚୀନ ଏକ ଏକଛତ୍ରବାଦୀ ଦେଶ ଓ ତା’ର ବିଶାଳକାୟତା  ମଧ୍ୟ ତାକୁ ସୁହାଉଛି।  ପୂର୍ବର ସୋଭିଏତ ୟୁନିଅନ ଖଣ୍ଡ ଖଣ୍ଡ ହେବା ପରଠାରୁ ଏହି ଦେଶ ଓ ଆମେରିକା ଯେଭଳି ପୃଥିବୀର ଦୁଇ ପ୍ରଧାନ ଶକ୍ତି ଥିଲେ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ସେମାନଙ୍କର ଏହି ସ୍ଥିତି ଯେଭଳି ସ୍ପଷ୍ଟ ହୋଇଯାଇଥିଲା ସେ ଅବସ୍ଥା ଗତ ତିନିଦଶନ୍ଧିରେ  ବଦଳି ଯାଇଛି।  ଯଦିଓ ସେତେବେଳର ସୋଭିଏତ ୟୁନିଅନର ମୁଖ୍ୟ ଅଂଶ ଋଷ ଏକ ଶକ୍ତିଶାଳୀ ଦେଶ ତଥାପି ୱାଶିଂଟନ ବନାମ ମସ୍କୋ ଶୀତଳ ଯୁଦ୍ଧ ପରିସ୍ଥିତି ଆଉନାହିଁ।  ଏବେ ଆମେରିକା ପଛକୁ ଚୀନ ପୃଥିବୀର ଦ୍ବିତୀୟ ସମୃଦ୍ଧ ଓ ଶକ୍ତିଶାଳୀ ଦେଶ।  ଆନ୍ତର୍ଜାତିକ କ୍ଷେତ୍ରରେ ଆମେରିକାର ଗୁରୁତ୍ବ କିଛି କମିଥିବାରୁ ଚୀନ ବିଶ୍ବ ରାଷ୍ଟ୍ର ସମ୍ପ୍ରଦାୟରେ ଅଗ୍ରଣୀ ସ୍ଥିତି ନେବାକୁ ଉଦ୍ୟମ କରୁଛି।  ତାହା କଲା ବେଳେ ପଡୋଶୀ ଦେଶଗୁଡିକ ପ୍ରତି ଚୀନର ଉଗ୍ର ଆଭିମୁଖ୍ୟ ତା’ ସମ୍ପର୍କରେ ବିଶ୍ବରେ ସନ୍ଦେହ ବଢାଇଛି। ଏହି ସ୍ଥିତିର ସୁଯୋଗ ନେବାକୁ  ଆମେରିକା ଚାହେଁ।  ସେ କାରଣରୁ ବହୁ ବର୍ଷ ଧରି ପାକିସ୍ତାନ ସହ  ଆମେରିକାର ଘନିଷ୍ଠ ସମ୍ପର୍କ ଥିଲେ ସୁଦ୍ଧା ଭାରତ ସହ ସାମରିକ ସହଯୋଗ ବୃଦ୍ଧି ସକାଶେ ୱାଶିଂଟନ ବ୍ୟଗ୍ର।

ଚୀନ ଏସିଆରେ ବିଶେଷ ଭାବରେ  ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜର ପ୍ରଭାବ ବୃଦ୍ଧି କରୁଥିବାରୁ ଭାରତ ସମେତ ଏହି ଅଞ୍ଚଳର ଦେଶଗୁଡ଼ିକ ପାଇଁ ବିପଦ ରହୁଛି।  ଏହାକୁ ମୁକାବିଲା କରିବା ଲାଗି ଆମେରିକା, ଭାରତ,ଅଷ୍ଟ୍ରେଲିଆ ଓ ଜାପାନ ‘କ୍ବାଦ’ ଚତୁଃରାଷ୍ଟ୍ରୀୟ ମେଣ୍ଟ ଗଠନ କରିଛନ୍ତି।  ସେମାନେ ନୌକସରତ ମିଳିତ ଭାବେ କଲେଣି।  କ୍ବାଦ ଗଠନରେ ଚୀନ କ୍ଷୁବ୍ଧ।  କ୍ବାଦ ପଛକୁ ଅକୁସ ମେଣ୍ଟ ମଧ୍ୟ ଚୀନର ବିରକ୍ତିର କାରଣ ହୋଇଛି।  ତେଣୁ ବେଜିଂ ଆଶା କରାଯାଉଥିବା ଢଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମେଣ୍ଟ ଗଠନକାରୀ ରାଷ୍ଟ୍ରଗୁଡିକ ଶୀତଳଯୁଦ୍ଧ ମାନସିକତା ଓ ଆଦର୍ଶଗତ ବିଦ୍ବେଷ ନେଇ କାମ କରୁଥିବା ଆକ୍ଷେପ କରିଛି।

ଉଲ୍ଲେଖ ଯୋଗ୍ୟ ଯେ,ଉଭୟ କ୍ବାଦ ଓ ଅକୁସର ସଭ୍ୟରାଷ୍ଟ୍ରଗୁଡିକ ଗଣତାନ୍ତ୍ରିକ ଦେଶ।  ପୃଥÒବୀର ବୃହତ ଗଣତନ୍ତ୍ର ଗୁଡିକ ଚୀନ କମ୍ୟୁନିଷ୍ଟ ଦଳର  ଉଗ୍ର  ଭାବକୁ ମୁକାବିଲା କରିବା ପାଇଁ ହାତ ମିଳାଇବା ନିଶ୍ଚିତ ଭାବେ ଭୌଗୋଳିକ ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନର  ଇଙ୍ଗିତ।  ଏବେ ବିଶ୍ବରେ ଗଣତନ୍ତ୍ର ପ୍ରତି ଚାଲେଞ୍ଜ ରହୁଛି।  ଏପରି କି ଗଣତାନ୍ତ୍ରିକ ଦେଶଗୁଡିକରେ ବି ସେହି ବିପଦ ଦେଖାଦେଉଛି।  ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ ଆମେରିକାରେ ବି ସେହି ସମସ୍ୟା ଦେଖା  ଦେଇଥିଲା।  ଅକୁସ ସୃଷ୍ଟି ପରିପ୍ରେକ୍ଷୀରେ  ଭାରତ ଖୁସି ହେବାର କାରଣ ହେଲା ଯେଉଁ ରାଷ୍ଟ୍ରଗୁଡିକ ସହ ତା’ର ସାମରିକ ସହଯୋଗ ବଢୁଛି ସେମାନେ ନୂଆ ମେଣ୍ଟରେ ଅଛନ୍ତି।  କ୍ବାଦର ଦୁଇ ସଭ୍ୟ  ଅକୁସରେ ଥିବା ବେଳେ ଇଂଲଣ୍ଡ ସେଥିରେ ସାମିଲ ହୋଇଛି। ଏହା ପରୋକ୍ଷରେ ଇଂଲଣ୍ଡ ସହ ଭାରତର ସହଯୋଗ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଛି।

ଅବଶ୍ୟ ଭାରତ ସହ ପ୍ରତିରକ୍ଷା ସହଯୋଗ ଥିବା ଫ୍ରାନ୍ସ ଏବେ ଅଷ୍ଟ୍ରେଲିଆ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି।  ସବମେରିନ ନିର୍ମାଣ କରିବା ପାଇଁ ଫ୍ରାନ୍ସ ଅଷ୍ଟ୍ରେଲିଆ ସହ ଏକ କାରବାରକୁ ହରାଇଛି।  କ୍ବାଦ ଗୋଷ୍ଠୀର ଗୁରୁତ୍ବ ବଢିବାର ଏକ ସୂଚନା ହେଲା ଅକୁସ ଚୁକ୍ତି ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିବା ଜଣାଇବା ସହ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି।  ଏହି ଚୁକ୍ତି ଭାରତ-ପ୍ରଶାନ୍ତମହାସାଗର ଅଞ୍ଚଳରେ ଭାରସାମ୍ୟରେ ସ୍ଥିରତା ରକ୍ଷା କରିବାରେ ସାହାଯ୍ୟ କରିବ।  ତା’ସତ୍ତ୍ବେ ବିଭ୍ରାଟକାରୀ ଚୀନ ପ୍ରତି ଅଧିକ ସତର୍କତା ବଜାୟ ରଖାଯିବା ଜରୁରୀ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ