ବିରୋଧୀଙ୍କ ଉପରେ ଚଢଉ

ନିକଟରେ ଅଭିନେତା ଓ ସାମାଜିକ କର୍ମୀ ସୋନୁ ସୁଦ ଏବଂ ପୂର୍ବତନ ଆଇଏଏସ ଅଫିସର ତଥା ମାନବିକ ଅଧିକାର କର୍ମୀ ହର୍ଷ ମନ୍ଦେରଙ୍କ ଘର ଓ ଅଫିସରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଚଢଉ ପୁଣି ସ୍ପଷ୍ଟ କରିଦେଇଛି ଯେ ଯେଉଁମାନେ ଏବେକାର ସରକାରଙ୍କୁ ସମାଲୋଚନା କରିବେ ଓ ବିରୋଧ କରିବେ ସେମାନଙ୍କ ଉପରେ ସରକାରୀ ସଂସ୍ଥାଗୁଡିକ ଜରିଆରେ କାର୍ଯ୍ୟାନୁଷ୍ଠାନ ହେବ। ସୁଦଙ୍କ କ୍ଷେତ୍ରରେ  ସେ ଜଣାଇନଥିବା ଆୟକୁ ଠାବ କରିବା ପାଇଁ ଚଢଉ  ହୋଇଥିବା ବେଳେ ମନ୍ଦେରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବେଆଇନ ଅର୍ଥଚାଲାଣ ନେଇ ହୋଇଛି। ଉଭୟ ଘଟଣା ପୁନର୍ବାର ସୂଚାଇ ଦେଇଛି ଯେ, ସମ୍ପ୍ରତି  କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥାଗୁଡିକ ରାଜନୈତିକ ଉଦ୍ଦେଶ୍ୟରେ କାମ କରୁଛନ୍ତି। ଅନ୍ୟ ଭାଷାରେ  କୁହାଗଲେ ଶାସକ ବିଜେପି ସେଗୁଡିକର ଅପବ୍ୟବହାର କରୁଛି ବୋଲି ରହିଥିବା ଧାରଣା ସୁଦୃଢ ହୋଇଛି।

ସୋନୁ ସୁଦଙ୍କର ମୁମ୍ବାଇ ଅଫିସରେ ଓ ଲକ୍ଷ୍ନୌସ୍ଥିତ ଏକ ରିୟଲ ଇଷ୍ଟେଟ କମ୍ପାନୀ ଉପରେ ତାଙ୍କ ସମ୍ପର୍କକୁ ନେଇ ଆୟକର ଚଢଉ ହୋଇଥିଲା। ସେହି ତଦନ୍ତକୁ ଏବେ ଅଧିକ ସ୍ଥାନକୁ  ପ୍ରସାରିତ କରାଯାଇଛି। ଆୟକର ବିଭାଗ ଏକ ରିୟଲ ଇଷ୍ଟେଟ କାରବାରରେ  ଅନିୟମିତତା ନେଇ ଚଢଉ ହୋଇଥିବା ବେଳେ ସେ ବିଜେପିର ବିରୋଧୀ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଭେଟି ଦଳର ବ୍ରାଣ୍ଡ ଆମ୍ବାସଡର ଭାବେ  ନିଯୁକ୍ତି ପାଇବା ପରେ ପରେ  ଚଢାଉ ହୋଇଥିବାରୁ ସ୍ବାଭାବିକ ଭାବେ ଏହାପଛରେ ରାଜନୈତିକ କାରଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶିତ ହେଉଛି। ୬୬ ବର୍ଷ ବୟସ୍କ ହର୍ଷ ମନ୍ଦେରଙ୍କ ଘର ଉପରେ  ଏନଫୋର୍ସମେଣ୍ଟ  ଡାଇରେକ୍ଟର  ଖାନତଲାସୀ  ପଛରେ ଯେଉଁ କାରଣ ଥାଉ ପଛେ ସେ ଶାସକ ଗୋଷ୍ଠୀଙ୍କର ଦୃଢ ସମାଲୋଚକ ଭାବେ ପରିଚିତ ଥିବାରୁ ଚଢଉ ସହ ସେହି କାରଣକୁ ଯୋଡା ଯାଉଛି। ସେ ସାମାଜିକ ନ୍ୟାୟ ଉପରେ ଅନେକ ବହି ଲେଖିଛନ୍ତି ଏବଂ ସେ ଜଣେ ସମ୍ମାନିତ ବ୍ୟକ୍ତି। ଉପରୋକ୍ତ ଦୁଇଟି ଚଢଉକୁ ନେଇ ୫୦୦ରୁ ଅଧିକ ବୁଦ୍ଧିଜୀବୀ ଯେଉଁ ବିବୃତି ଦେଇଛନ୍ତି ସେଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଏବେକାର ସରକାରଙ୍କର ପ୍ରତ୍ୟେକ ସମାଲୋଚକଙ୍କୁ ଧମକ ଦେଇ ଓ ଚୁପ କରିଦେବା ସକାଶେ ସରକାରୀ ଅନୁଷ୍ଠାନଗୁଡିକର ଅପବ୍ୟବହାର କରାଯାଉଛି।

ସବୁବେଳେ ଯେଉଁମାନେ ସରକାରରେ ଥା’ନ୍ତି ସେମାନେ ବିରୋଧୀଙ୍କୁ ଜବତ କରିବାକୁ ପୋଲିସ, ଟିକସ ବିଭାଗ ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଙ୍କୁ ଲଗାନ୍ତି। କିନ୍ତୁ ସେସବୁର ଅପବ୍ୟହାର ଗତ ୭ ବର୍ଷ ଧରି ଏବେକାର ଏନଡିଏ ସରକାର ବେଳେ ବଢିଯାଇଛି। ବିଜେପି ନେତୃତ୍ବାଧୀନ ନରେନ୍ଦ୍ର ମୋଦି ସରକାରଙ୍କର ପ୍ରଥମ ମିଆଦ ବେଳେ ସିବିଆଇ, ଇଡି ଓ ଆୟକର ଆଦି କେନ୍ଦ୍ରୀୟ ସଂସ୍ଥାଗୁଡିକୁ ବିରୋଧୀଙ୍କ ବିପକ୍ଷରେ ଅଧିକ ଲଗାଗଲା। ସରକାରଙ୍କର ଦ୍ବିତୀୟ ମିଆଦରେ ଏହି ଧାରା ବଢିଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ବେଳକୁ ବିରୋଧିଦଳ ନେତାମାନଙ୍କ ବିପକ୍ଷରେ ଏସବୁ ସଂସ୍ଥା ଅଧିକ କାର୍ଯ୍ୟାନୁଷ୍ଠାନ କରିଥିବା ଦେଖାଯାଇଛି। ୨୦୧୯ ଆନ୍ଧ୍ରପ୍ରଦେଶ  ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଆଗରୁ ଟିକସ କର୍ତ୍ତୃପକ୍ଷ ୧୬ ଜଣ ବିରୋଧିଦଳ ନେତାଙ୍କ ଉପରେ ଚଢଉ କରିଥିବା ବେଳେ  ମାତ୍ର ଜଣେ ବିଜେପି ନେତାଙ୍କ ବିରୋଧରେ ତଦନ୍ତ ହୋଇଥିଲା। ଏବର୍ଷ ଏପ୍ରିଲରେ ତାମିଲନାଡୁ ବିଧାନସଭା ନିର୍ବାଚନର  ଚାରିଦିନ ଆଗରୁ ଡିଏମକେ ମୁଖ୍ୟ ଓ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ  ହୋଇଥିବା ଏମ.କେ.ଷ୍ଟାଲିନଙ୍କ ଝିଅଜ୍ବାଇଁଙ୍କ ଚେନ୍ନାଇ ସମ୍ପତ୍ତି ଉପରେ ଆୟକର ବିଭାଗ ଚଢଉ କରିଥିଲା।

ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗରେ ସେହି ମାସରେ ଇଡି ଶରଧା ଚିଟଫଣ୍ଡ ମାମଲାରେ  ତୃଣମୂଳ କଂଗ୍ରେସ ମୁଖପାତ୍ର କୁଲାନ ବୋଷ ଓ ଦଳର ଏମପି ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ତିନିକୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଥିଲା। କର୍ଣ୍ଣାଟକରେ ବିଜେପି ବିରୋଧିଦଳରୁ  ବିଧାୟକଙ୍କୁ ଆଣି ରାଜ୍ୟର ଅଣବିଜେପି ସରକାରକୁ ଭାଙ୍ଗିବା ବେଳେ ବଡ କଂଗ୍ରେସ ନେତାମାନଙ୍କ ଘରେ ଚଢଉ କରାଯାଇଥିଲା। ବିରୋଧୀ ନେତାମାନଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ବ୍ୟତୀତ  ଅନ୍ୟ ସମାଲୋଚକମାନଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇଛି। ଏ ମାସରେ  ସମ୍ବାଦ ପ୍ରସାରଣକାରୀ ୱେବସାଇଟ ନ୍ୟୁଜକ୍ଲିକ ଓ ନ୍ୟୁଜଲଣ୍ଡ୍ରି ଉପରେ ଚଢଉ ଯୋଗୁଁ  ଏଡିଟର୍ସ କିଲ୍ଡ ଅଫ ଇଣ୍ଡିଆ ବାଧ୍ୟ ହୋଇ ତାକୁ ନିନ୍ଦା କରିଛି। ସଂଗଠନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସ୍ବାଧୀନ ଗଣମାଧ୍ୟମକୁ ସରକାରୀ ସଂସ୍ଥା ଗୁଡିକ ହଇରାଣ କରିବା ଓ ଡରାଇବାକୁ ଉଦ୍ୟମ କରିବାର ବିପଦଜ୍ଜନକ ଧାରା ବନ୍ଦ ହେବା ଦରକାର।କାରଣ ଏହାଦ୍ବାରା ସାମ୍ବିଧାନିକ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଯାଉଛି।

ଗତ ଜୁଲାଇରେ ଦେଶର ଅଗ୍ରଣୀ ସମ୍ବାଦପତ୍ର ଦୈନିକ ଭାସ୍କର ଅଫିସରେ ଓ ଲକ୍ଷ୍ନୌସ୍ଥିତ ଏକ ସମ୍ବାଦ ଚାନେଲ ଭାରତ ସମାଚାର ଉପରେ ଆୟକର ଚଢଉ ବିଷୟକୁ ଉଲ୍ଲେଖ କରି ଉକ୍ତ ବିବୃତିରେ କୁହାଯାଇଛି ଯେ,ସରକାରଙ୍କର କରୋନା ପରିଚାଳନା ତ୍ରୁଟିକୁ ସେମାନେ ଦର୍ଶାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସରକାରୀ ସଂସ୍ଥାଗୁଡିକର  ଏପରି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା ହେଉଥିଲେ ମଧ୍ୟ ସରକାର ତାକୁ ଭ୍ରୁକ୍ଷେପ କରୁନାହାନ୍ତି।ବରଂ ଯେଉଁମାନେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି  ସେମାନଙ୍କୁ ଦେଶ ବିରୋଧୀ ଆଖ୍ୟା ଦିଆଯାଇଛି। କ୍ଷମତାର ଏପରି ଅପବ୍ୟବହାରର ଯେ କିଛି ଲାଭ ହୋଇନାହିଁ ତାହା ଶାସକବର୍ଗ ବୁଝିବା ଉଚିତ। କାରଣ ଅଧିକାଂଶ କାର୍ଯ୍ୟାନୁଷ୍ଠାନ ପଛରେ ପ୍ରମାଣଯୋଗ୍ୟ ତଥ୍ୟ ନଥାଏ। ବରଂ ଏହି ପ୍ରକ୍ରିୟାରେ ଯେଉଁସବୁ ସରକାରୀ ଅନୁଷ୍ଠାନର ଅପବ୍ୟବହାର କରାଯାଉଛି ସେସବୁର ବିଶ୍ବସନୀୟତା ଚାଲିଯାଉଛି। ସେସବୁ ସଂସ୍ଥାରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ବିବେକବିରୋଧୀ କାମ କରି ମ୍ରିୟମାଣ ଅବସ୍ଥାରେ ରହୁଥିବେ । କାରଣ ସାଧାରଣରେ ସେମାନଙ୍କ ବିଭାଗ ବା ସଂସ୍ଥା ପରି ସେମାନେ ବିଶ୍ବାସ ସଙ୍କଟରେ ପଡୁଛନ୍ତି।

Leave A Reply

Your email address will not be published.

ବ୍ରେକିଂ