ମରୁଭୂମିକରଣ ତୀବ୍ରତର

ଭାରତ ସମ୍ପ୍ରତି ଯେଉଁ ବେଗରେ ଭୂ-ଭାଗର ମରୁଭୂମିକରଣ ଦେଇ ଗତି କରୁଛି ତାହା ଅତୀତରେ କେବେ ଦେଖାଯାଇନଥିଲା। ଏଥିରେ ଚାଷଜମି ଓ ଜଙ୍ଗଲ ମଧ୍ୟ ଅନ୍ତର୍ଭୁକ୍ତ। ଉର୍ବର ଜମି ସବୁ ବି ଏହି ଧାରାରେ ସାମିଲ ହେଲାଣି। ନିକଟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦେଶର  ମରୁଭୂମିକରଣ ଓ ଜମି ଅବକ୍ଷୟକରଣର ଯେଉଁ  ଆଟଲାସ  ପ୍ରସ୍ତୁତ କରିଛି ତାକୁ ସରକାର  ପ୍ରକାଶ କରିଛନ୍ତି ଏବଂ ସେଥିରେ ଅଧଃପତିତ ଜମି ସମ୍ପର୍କରେ ୨୦୧୮-୧୯ର ସବିଶେଷ ତଥ୍ୟ ଦିଆଯାଇଛି। ପୂର୍ବ ୧୫ ବର୍ଷର ଏକ ବି॥ଶ୍ଲେଷଣ ମଧ୍ୟ ଏଥିରେ ସ୍ଥାନିତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଦେଶର ପ୍ରାୟ ୩୦ ପ୍ରତିଶତ ଜମି ଅଧଃପତିତ ହୋଇସାରିଲାଣି। ବିଡମ୍ବନାର ବିଷୟ ଯେ  ଯେଉଁସବୁ ଇଲାକା ସବୁଜ ବିପ୍ଲବକୁ ସଫଳ କରିଥିଲା ସେହି ଅଞ୍ଚଳ ଏବେ ଅତ୍ୟନ୍ତ ନିକୃଷ୍ଟତା ପ୍ରବଣ।

ମରୁଭୂମିକରଣ ଏକ ପ୍ରାକୃତିକ ଭୂତାତ୍ତ୍ବିକ ପ୍ରକ୍ରିୟା। କିନ୍ତୁ ଏବେକାର ଧାରା ପ୍ରାୟତଃ ମାନବକୃତ। ସମ୍ପ୍ରତି ମଣିଷର କାର୍ଯ୍ୟଧାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମରୁଭୂମିକରଣକୁ ଆଗେଇ ନେଉଛି। ଏହି କାରଣରୁ ଏବେ ବ୍ୟାପକ ସ୍ତରରେ  ଓ ଦ୍ରୁତଗତିରେ ମରୁଭୂମିକରଣ ବଢୁଛି। ଆଗରୁ ଏହି ଅବସ୍ଥା ନଥିଲା। ସମ୍ପ୍ରତି ଏହାଏକ ବିଶ୍ବସ୍ତରୀୟ ସମସ୍ୟା। କିନ୍ତୁ ପ୍ରତିଦେଶ ଏହାକୁ ଅଲଗା ଭାବେ ନିଜସ୍ତରରେ ମୁକାବିଲା କରିବାକୁ ପଡ଼ିବ। ଯେହେତୁ ଏହାର କାରଣ ଓ ସମାଧାନ ମଧ୍ୟରେ ଯଥେଷ୍ଟ ବିଭିନ୍ନତା ରହିଛି ସେଥିଲାଗି ସ୍ବତନ୍ତ୍ର ଭାବେ ଏହାର ସମାଧାନ ପଦକ୍ଷେପ ଲୋଡା। ଅବଶ୍ୟ ସେଥିସହ କେତେକ ସମାନ ପ୍ରସଙ୍ଗ ରହିଛି ଯେଉଁଥି ପାଇଁ  ସମସ୍ତଙ୍କ ପାଇଁ ଗ୍ରହଣୀୟ  କୌଶଳ ଆବଶ୍ୟକ।

ପୃଥିବୀରେ ଜନସଂଖ୍ୟା ବୃଦ୍ଧି ଓ ମାନବୀୟ ସକ୍ରିୟତା ମୃତ୍ତିକା ଉପରେ ଚାପକୁ ବଢାଇଛି। ମାଟି ଉପରେ ମଣିଷର ନିର୍ଭରଶୀଳତା ସବୁ ସମୟରେ ରହିଆସିଛି। କିନ୍ତୁ ଜନସଂଖ୍ୟା ବଢିବା ସାଙ୍ଗକୁ ଜୀବନଶୈଳୀରେ ପରିବର୍ତ୍ତନ ସେହି ଚାପକୁ ଯେପରି ବଢାଉଛି ତାହା ଅତୀତରେ ନଥିଲା। ବ୍ୟାପକ ଅଞ୍ଚଳରେ ସମାନ ଧରଣର ସକ୍ରିୟତା ମୃତ୍ତିକା କ୍ଷୟ ଓ ମରୁଭୂମିକରଣର ମୁଖ୍ୟକାରଣ। ତ୍ରୁଟିପୂର୍ଣ୍ଣ ଜମି ବ୍ୟବହାର ପଦ୍ଧତିକୁ ଏଥିପାଇଁ ଦୋଷ ଦିଆଯାଉଛି। ଏଥିରେ କେତେକ କୃଷି କୌଶଳ ଅନ୍ତର୍ଭୁକ୍ତ। ଚାରଣ ଭୂମିର ମାତ୍ରାଧିକ ବ୍ୟବହାର ଅର୍ଥାତ ଗୋ-ସମ୍ପଦ ଦ୍ବାରା ଚାରଣ ଭୂମି କ୍ଷୟ ଓ ଏଥିଯୋଗୁଁ ମରୁଭୂମିକରଣ ମଧ୍ୟ ସମସ୍ୟାକୁ ବଢାଉଛି। ସାରା ପୃଥିବୀରେ  ବିଶେଷ ଭାବରେ ଆଧୁନିକ ଦେଶଗୁଡ଼ିକରେ  ଶିଳ୍ପାୟନ ଓ ସହରୀକରଣ ମଧ୍ୟ ଜମି ଅବକ୍ଷୟର କାରଣ। ଏବେ ବାୟୁମଣ୍ଡଳ ପରିବର୍ତ୍ତନ ଯୋଗୁଁ ଏହି ବିପଦ ବଢିଯାଇଛି। ଏହା ମୃତ୍ତିକା ପ୍ରତି ଅତି ଦୀର୍ଘମିଆଦୀ ବିପଦ ଆଣିଛି ଯାହାକୁ ବଦଳାଇବା କଷ୍ଟକର। ମୃତ୍ତିକାର ଅବକ୍ଷୟ  ଘଟିଲେ ତାହା ଜୀବନକୁ ସହାୟତା ଦେବାର ସାମର୍ଥ୍ୟ ହରାଏ। ତଦ୍ଦ୍ବାରା ବୃକ୍ଷଜଗତ ପ୍ରତି ବିପଦ ବଢେ। ଅର୍ଥାତ ମରୁଭୂମି ଅଞ୍ଚଳ ବଢିଲେ ସେସବୁ ଜମି ବୃକ୍ଷଶୂନ୍ୟ ହୋଇଯାଏ।କାରଣ ସେହି ଅଞ୍ଚଳର ମୃତ୍ତିକାରେ ଜଳସଂରକ୍ଷଣ ଶକ୍ତି ରହେନାହିଁ।

ଭାରତରେ ଜମି ଅବକ୍ଷୟର ଅର୍ଥନୈତିକ ମୂଲ୍ୟ ଦିନକୁଦିନ ବଢୁଛି। ୨୦୧୪ରେ ଏହା ୩ ଲକ୍ଷ କୋଟି ଟଙ୍କା ବୋଲି ଅଟକଳ କରାଯାଇଥିଲା। ସେ ସମୟରେ ଏହାର ଅଂଶ ଦେଶର ମୋଟ ଆଭ୍ୟନ୍ତରୀଣ ଉତ୍ପାଦନ ବା ଜିଡିପିରେ ୩ ପ୍ରତିଶତ ଥିଲା। ଗଲା ୭ ବର୍ଷ ଭିତରେ ଏହା ନିଶ୍ଚିତ ଭାବେ ବଢିଯାଇଥିବ। ଦେଶର ୨୬ଟି ରାଜ୍ୟରେ ମରୁଭୂମିକରଣ ବଢିଥିବା କୁହାଯାଉଛି। ତନ୍ମଧ୍ୟରୁ ୯ଟି ରାଜ୍ୟରେ ଏହା ସର୍ବାଧିକ ହୋଇଛି। ମରୁଭୂମିକରଣ ଚର୍ଚ୍ଚା ନୂଆ ନୁହେଁ। ବିଭିନ୍ନ ସମୟରେ ପରିବେଶବିତମାନେ  ଏହି ସମସ୍ୟା ଉଠାଇ ଆସିଛନ୍ତି। କିନ୍ତୁ ସମସ୍ୟା ବଢୁଛି ପଛେ ତାକୁ ରୋକାଯାଇ ପାରୁନାହିଁ କି କମାଯାଇ ପାରୁନାହିଁ। ଅବଶ୍ୟ ପ୍ରତିକାର ଉଦ୍ୟମ ଯେ ନାହିଁ ତାହା ନୁହେଁ। କିନ୍ତୁ ପ୍ରତିକାର ଅପେକ୍ଷା ଏହି ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଯେଭଳି ନକାରାତ୍ମକ ଢଙ୍ଗରେ ପ୍ରୋତ୍ସାହନ ଦିଆଯାଇଛି ତାହା ସମସ୍ୟା ବଢିବାର କାରଣ। ଭାରତ ୨୦୩୦ ସୁଦ୍ଧା ଭୂ-ଅବକ୍ଷୟରେ ନିସପକ୍ଷତା ହାସଲ ପାଇଁ  ଅଙ୍ଗୀକାରବଦ୍ଧ। ଅର୍ଥାତ ସେହି ସମୟ ସୁଦ୍ଧା ଅବକ୍ଷୟକୁ ରୋକାଯିବ। ଏହା ସମର୍ଥନୀୟ ବିକାଶ ଲକ୍ଷ୍ୟର ଅଂଶ। ଯାହାକୁ ସମଗ୍ର ବିଶ୍ବ ଗ୍ରହଣ କରିଛି।

୧୯୯୪ରେ ମରୁଭୂମିକରଣ ମୁକାବିଲା ଲାଗି ଜାତିସଂଘର ଆନ୍ତଃରାଷ୍ଟ୍ରୀୟ ଚୁକ୍ତିରେ ଭାରତ ସ୍ବାକ୍ଷର କରିଥିଲା ଯାହା ୧୯୯୬ରେ ଅନୁମୋଦିତ ହୋଇଥିଲା। ଚୁକ୍ତି ଉପରେ ସବୁ ପକ୍ଷଙ୍କର ଚତୁଃର୍ଦ୍ଦଶ ସମ୍ମିଳନୀ ୨୦୧୯ରେ ଦିଲ୍ଲୀରେ ହୋଇଥିଲା। ସେଥିରେ ଭାରତ ୨୬ ନିୟୁତ ହେକ୍ଟର ଅଧଃପତିତ ଜମିର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲା ତାହା ୨୦୧୫ର ପ୍ୟାରିସ ଜଳବାୟୁ ସମ୍ମିଳନୀରେ ଭାରତ କରିଥିବା ଅଙ୍ଗୀକାରଠାରୁ ୫ ନିୟୁତ ହେକ୍ଟର ଅଧିକ। ଭାରତ ମଧ୍ୟ ୧୯୭୦ର କମାଣ୍ଡ ଏରିଆ ବିକାଶ ଯୋଜନା, ୧୯୯୫ର ମରୁଭୂମି ବିକାଶ କାର୍ଯ୍ୟକ୍ରମ,୨୦୦୦ର ଜାତୀୟ ବନୀକରଣ କାର୍ଯ୍ୟକ୍ରମ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଯୋଜନାର ଅଂଶଥିବା,୨୦୧୪ ଜାତୀୟ ସବୁଜ ମିଶନ ଯୋଜନାକୁ କାର୍ଯ୍ୟକାରୀ କରୁଛି । ଏଥିରୁ ଜଣାପଡୁଛି ଯେ ମରୁଭୂମିକରଣ ସମସ୍ୟାକୁ ଦେଶ ବହୁବର୍ଷ ଧରି ଗୁରୁତ୍ବ ଦେଇଆସୁଛି। ତା’ସତ୍ତ୍ବେ ଯେ ପ୍ରକୃତ ଚିତ୍ର ଆହୁରି ଖରାପ ହୋଇଯାଇଛି ତା’ର ଉତ୍ତର ସରକାର  ବାହାର କରିବା ଉଚିତ। ଏଥିରୁ କୁହାଯିବ ଯେ ପ୍ରତିକାର ଯୋଜନାର କାର୍ଯ୍ୟକାରିତା ଯେଉଁ ବେଗରେ ହେଉଛି ମରୁଭୂମିକରଣ ତା’ଠାରୁ ତୀବ୍ରତର,ଏହା ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.

ବ୍ରେକିଂ