ନେତାଜୀଙ୍କ ମନ ଆଇନାରେ ଗାନ୍ଧୀଜୀ

 ସମ୍ପାଦକୀୟ: ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀ ଓ ଭାରତର ଜାତୀୟତାବାଦୀ ଆନ୍ଦୋଳନର କୋଟି କୋଟି ଜନତାଙ୍କ ହୃଦୟର ମୁକୁଟବିହୀନ ସମ୍ରାଟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ସ୍ୱାଧୀନତା ସଂଗ୍ରାମ ପାଇଁ ସମର୍ପିତ ଦୁଇଟି ଦିବ୍ୟ ଆତ୍ମା । ସେମାନଙ୍କର ଲକ୍ଷ୍ୟ ଗୋଟିଏ ଥିଲେ ବି ପଥଥିଲା ପୃଥକ । ଏ ପରିପ୍ରେକ୍ଷୀରେ ଏହି ଦୁଇ ମହାମନିଷୀଙ୍କୁ ଠିକଣା ଭାବେ ବୁଝିନପାରି ଓ ଅନୁସରଣ ନ କରି କେତେକ ଅପପ୍ରଚାର କରନ୍ତି ଭାରତମାତାର ଏ ଦୁଇ ବିଭୂତିଙ୍କୁ ପରସ୍ପରର ଶତ୍ରୁ ଭାବେ । କିନ୍ତୁ ଉଭୟ ନେତାଙ୍କ ଆଚରଣ ଓ ଉଚ୍ଚାରଣ ଏବଂ ଇତିହାସର ଦସ୍ତାବିଜ୍‍ କୁହେ ଭିନ୍ନ କଥା ।

ଗାନ୍ଧୀଜୀଙ୍କ ଠାରୁ ନେତାଜୀ ବୟସରେ ପ୍ରାୟ ୨୬ ବର୍ଷ ସାନ, ଏକପ୍ରକାର ପୁଅ ବୟସର । ଉଭୟଙ୍କ ତ୍ୟାଗ ଏବଂ ଦେଶ ମାତୃକା ପାଇଁ ସେବା ଓ ସମର୍ପଣର ଭାବ ଅନନ୍ୟ । ସେଇଥିପାଇଁ ତ ଏ ଦୁଇ ମହାପୁରୁଷଙ୍କୁ ଏ କୃତଜ୍ଞ ଜାତି ଶତାଧିକ ବର୍ଷ ଧରି ମନେ ରଖିଛି ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଝୁରିବାକୁ ବାଧ୍ୟ ହେବ ବି ।

ନେତାଜୀଙ୍କ ଜନ୍ମ ଓଡ଼ିଶାର କଟକ ମାଟିରେ । ଏଇଠି ବି ତାଙ୍କ ବାଲ୍ୟଶିକ୍ଷା । ପରେ କଲିକତା ଓ ବିଲାତରେ ପାଠ ପଢ଼ିବା ସହ ସେତେବେଳର ମର୍ଯ୍ୟାଦା ସମ୍ପନ୍ନ ଆଇସିଏସ୍‍ ଚାକିରି ପାଇଁ ମନୋନୀତ ହୋଇଥିଲେ । କିନ୍ତୁ ଭାରତମାତାକୁ ବ୍ରିଟିଶ୍‍ ଶୃଙ୍ଖଳରୁ ଉଦ୍ଧାର କରିବା ପାଇଁ ଯାହା ମନ ଓ ପ୍ରାଣ ବ୍ୟାକୁଳିତ ହେଉଥିଲା ସେ କ’ଣ ବ୍ରିଟିଶ୍‍ ସରକାର ଅଧିନରେ ଉଚ୍ଚ ପଦବୀରେ ଗୋଲାମୀ କରିପାରିଥାନ୍ତା? ଏ ସଂକ୍ରାନ୍ତରେ ଦୃଢ଼ ନିଷ୍ପତ୍ତି ନେଇ ସେ ଭାରତ ଫେରି ବିଭିନ୍ନ ପର୍ଯ୍ୟାୟରେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତାଙ୍କ ଯୁବ ନେତୃତ୍ୱ, ଉଦ୍ଦାମତ୍ତା ଓ ବଜ୍ର ଆହ୍ୱାନ ନୂଆ ଶିହରଣ ସୃଷ୍ଟି କରିଥିଲା । ୧୯୩୪ରୁ ଗାନ୍ଧୀଜୀ ଓ ୧୯୩୯ରୁ ନେତାଜୀ କଂଗ୍ରେସର ସଭ୍ୟପଦ ଛାଡ଼ିଥିଲେ । ଇତିହାସର ଏହା ଭିନ୍ନ ପ୍ରସଙ୍ଗ । ଭାରତ ମାଟିରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଜୀ ସତ୍ୟାଗ୍ରହର ଅମ୍ଳାନ ଅସ୍ତ୍ର ପ୍ରୟୋଗ କରୁଥିବା ବେଳେ ନେତାଜୀ ଜୀବନକୁ ବାଜି ଲଗାଇ ବିଦେଶ ଚାଲିଯାଇ ସେଠାରୁ ଇଂରେଜ ଶାସନର ମୂଳୋତ୍ପାଟନ ପାଇଁ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ ।
ଗାନ୍ଧୀଜୀ ସତ୍ୟ, ଅହିଂସା, ସତ୍ୟାଗ୍ରହ, ସ୍ୱଦେଶୀ ଓ ଅସହଯୋଗ ବଳରେ ସ୍ୱାଧୀନତା ଆନ୍ଦୋଳନ ଚଳାଇ ସୂତା ଖିଅରେ ସ୍ୱରାଜ ଆସିବ ବୋଲି କହୁଥିବା ବେଳେ ନେତାଜୀ କିନ୍ତୁ ସଶସ୍ତ୍ର ସଂଗ୍ରାମରେ ବ୍ରିଟିଶ୍‍ଙ୍କୁ ଭାରତରୁ ନିପାତ କରିବାକୁ ଚାହୁଁଥିଲେ । ଫରାସୀ ଓ ରୁଷ୍‍ ବିପ୍ଲବର ଇତିହାସ ନେତାଜୀଙ୍କୁ ପ୍ରଭାବିତ କରିଥିଲା । ଦେଶର ସ୍ୱାଧୀନତା ପାଇଁ ବିଦେଶୀ ରାଷ୍ଟ୍ରର ସାମରୀକ ସହାୟତା ଏମିତିକି ସନ୍ତ୍ରାସବାଦ ଦ୍ୱାରା ବିଦେଶୀ ଶାସନର ଅବସାନ ଘଟାଇବା ସପକ୍ଷରେ ଥିଲେ ନେତାଜୀ । ଶତ୍ରୁର ଶତ୍ରୁକୁ ମିତ୍ର କରି ସଶସ୍ତ୍ର ସଂଗ୍ରାମ ପାଇଁ ସେ ନେତୃତ୍ୱ ନେଇଥିଲେ ଇଣ୍ଡିଆନ ନ୍ୟାସନାଲ ଆର୍ମି ଓ ଫ୍ରି ଇଣ୍ଡିଆ ସେଣ୍ଟରର । ରୁଷିଆ, ଜର୍ମାନୀ ଓ ଇଟାଲୀର ସେତେବେଳର ନେତା ଷ୍ଟାଲିନ୍‍, ମୁସୋଲିନି ଓ ହିଟଲରଙ୍କ ସହ ସମ୍ପର୍କ ସ୍ଥାପନ କରି ବ୍ରିଟିଶ୍‍ ବିରୁଦ୍ଧରେ ନେତାଜୀ ଯୁଦ୍ଧ ଘୋଷଣା କରିଥିଲେ । ଅଟକ ବନ୍ଦୀ ଥିବା ବେଳେ ବ୍ରିଟିଶ୍‍ ପୁଲିସକୁ ଚକ୍‍ମା ଦେଇ ସେ ବିଦେଶ ଚାଲିଯାଇ ସେଠାରେ ଆଇଏନ୍‍ଏକୁ ସଂଗଠିତ କରି ରେଙ୍ଗୁନ୍‍ ପଟୁ ବ୍ରିଟିଶ୍‍ଙ୍କୁ ତଡ଼ିବା ଲାଗି ସାମରୀକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ନେତାଜୀଙ୍କର ଆହ୍ୱାନ ଥିଲା, ‘ମତେ ତମେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧୀନତା ଦେବି ।’ ଗାନ୍ଧୀଜୀଙ୍କ ଅହିଂସା ନୀତିର ଏହା ପରିପନ୍ଥୀ ଥିଲେ ବି ନେତାଜୀଙ୍କ ଦେଶାତ୍ମବୋଧକୁ ମୁକ୍ତକଣ୍ଠରେ ସ୍ୱୀକାର କରି ଗାନ୍ଧୀଜୀ ତାଙ୍କୁ ସମ୍ବୋଧନ କରୁଥିଲେ ପାଟ୍ରିଅଟ୍‍ ଅଫ୍‍ ପାଟ୍ରିଅଟ୍ସ ବୋଲି ।

୧୯୪୨ରେ ଗାନ୍ଧୀଜୀ ଭାରତଛାଡ଼ ଆନ୍ଦୋଳନର ବିଗୁଲ ବଜାଇ ଦେଶବାସୀଙ୍କୁ ‘କର ବା ମର’ ଆହ୍ୱାନ ଦେଇ ସ୍ୱାଧୀନତା ଆନ୍ଦୋଳନ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇଥିଲେ । ଲକ୍ଷାଧିକ ସଂଗ୍ରାମୀଙ୍କ କାରାବରଣ, ସହସ୍ରାଧିକଙ୍କ ଜୀବନଦାନ ଓ ଅଗଣିତ ଦେଶପ୍ରେମୀଙ୍କ ନିର୍ଯାତନାବରଣ ସମଗ୍ର ବିଶ୍ୱକୁ ଚମକାଇ ଦେଲା । ଏହି ସମୟରେ ୧୯୪୪ ଜୁଲାଇ ୬ ତାରିଖରେ ଦକ୍ଷିଣ-ପୂର୍ବ ଏସିଆର କୌଣସି ଏକ ସ୍ଥାନରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଦେଶବାସୀଙ୍କୁ ଦେଇଥିବା ଆଇଏନ୍‌ଏ ରେଡ଼ିଓର ବେତାର ଭାଷଣରେ ଗାନ୍ଧୀଜୀଙ୍କୁ ଜାତିର ଜନକ ଭାବେ ସମ୍ବୋଧନ କରିଥିଲେ । ନେତାଜୀଙ୍କୁ ନିଖୋଜ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତାଙ୍କ ପୁତୁରା ଶିଶିର କୁମାର ବୋଷ୍‌ଙ୍କ ଦ୍ୱାରା ରଚିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ପୁସ୍ତକରେ ଏ କଥା ଉଲ୍ଲେଖ ରହିଛି । ଏହି ବେତାର ଭାଷଣରେ ନେତାଜୀ କହିଥିଲେ, ‘ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଜାଦ୍ ହିନ୍ଦ୍ ଫୌଜ୍‌ର ସୈନ୍ୟମାନେ ଭାରତ ମାଟିରେ ସାହସର ସହ ଲଢ଼ୁଛନ୍ତି….. ଏହି ସଶସ୍ତ୍ର ସଂଗ୍ରାମ ଶେଷ ବ୍ରିଟିଶ୍ ଲୋକଟିକୁ ଭାରତ ମାଟିରୁ ବିତାଡ଼ିତ କରିବା ଯାଏଁ ଓ ନୂଆଦିଲ୍ଲୀର ଭାଇସ୍‌ରାୟଙ୍କ ପ୍ରାସାଦ ଉପରେ ଆମ ଜାତୀୟ ତ୍ରିରଙ୍ଗା ପତାକା ଗର୍ବର ସହ ଉଡ଼ିବା ଯାଏଁ ଚାଲିବ । ହେ ଜାତିର ପିତା- ଭାରତର ମୁକ୍ତି ପାଇଁ ଏହି ପବିତ୍ର ସଂଗ୍ରାମରେ ଆମେ ଆପଣଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରୁଛୁ ।’ ନେତାଜୀ ଗାନ୍ଧୀଜୀଙ୍କୁ ଜାତିର ଜନକ ଭାବେ ସମ୍ବୋଧନ କରିବା ପରେ ଲୋକେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନରେ ବି ଏହିଭଳି ଡାକି ଆସୁଛନ୍ତି ।

ନେତାଜୀ କଲିକତାର ପ୍ରେସିଡେନ୍ସି ଜେଲ୍‌ରେ ବନ୍ଦୀ ଥିବା ବେଳେ ୧୯୪୦ ମସିହାରେ ବ୍ରିଟିଶ୍ ସରକାରଙ୍କୁ ଯେଉଁ ପତ୍ର ଲେଖିଥିଲେ ତାହା ବେଶ୍ ପ୍ରଣିଧାନ ଯୋଗ୍ୟ । ଏଠାରେ ଉଲ୍ଲେଖନୀୟ ଯେ ସେଠାରେ କାରାରୁଦ୍ଧ ଥାଇ ନେତାଜୀ ପୂର୍ବବଙ୍ଗର ଢାକା ନିର୍ବାଚନ ମଣ୍ଡଳୀରୁ କେନ୍ଦ୍ରୀୟ ବିଧାନସଭାକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ । ଏହି ଐତିହାସିକ ପତ୍ରର ଗୋଟିଏ ସ୍ଥାନରେ ଲେଖା ଅଛି, ‘କଷ୍ଟ ସହିଷ୍ଣୁତା ଓ ତ୍ୟାଗର ଫଳ କେବେ ବ୍ୟର୍ଥ ଯାଏନାହିଁ….. ମରଣଶୀଳ ପୃଥିବୀରେ ସବୁକିଛି କ୍ଷୟିଷ୍ଣୁ ଓ ନିଶ୍ଚୟ କ୍ଷୟ ପାଇବ- କିନ୍ତୁ ଚିନ୍ତା, ଆଦର୍ଶ ଓ ସ୍ୱପ୍ନ କେବେ କ୍ଷୟ ହୁଏ ନାହିଁ । ଗୋଟିଏ ଚିନ୍ତା ବା ଆଦର୍ଶର ସଫଳତା ପାଇଁ ଜଣେ ଲୋକର ମୃତ୍ୟୁ ହୋଇପରେ, କିନ୍ତୁ ତାଙ୍କ ମୃତ୍ୟୁ ପରେ ସେହି ଚିନ୍ତା ବା ଚେତନା ହଜାର ହଜାର ଜୀବନ ମାଧ୍ୟମରେ ପୁଣି ପ୍ରକଟିତ ଓ ବିକଶିତ ହୋଇଥାଏ….. ଗୋଟିଏ ଆଦର୍ଶ ପାଇଁ ଜଣେ ଯଦି ବଞ୍ଚିଥାଏ ଓ ସେଥିପାଇଁ ମୃତ୍ୟୁବରଣ କରେ, ତାହାଠାରୁ ବଳି ଜୀବନର ଆଉ ବଡ଼ ସଫଳତା କ’ଣ ଥାଇପାରେ….. ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ପରିବର୍ତ୍ତନର ସନ୍ଧିକ୍ଷଣରେ ଶାନ୍ତିରେ ଆତ୍ମବଳିଦାନ ଅପେକ୍ଷା ଜୀବନର ଆଉ କେଉଁ ସାର୍ଥକ ପରିସମାପ୍ତି ହୋଇପାରେ?’ ଏହି ଦିବ୍ୟ ଉକ୍ତି ଉଭୟ ଗାନ୍ଧୀଜୀ ଓ ନେତାଜୀଙ୍କ ଆବର୍ତ୍ତମାନରେ ପ୍ରତିଫଳିତ । ଏଠାରେ ଉଲ୍ଲେଖନୀୟ ଯେ ଏହି ଦୁଇ ଦିବ୍ୟାତ୍ମାଙ୍କ ମଧ୍ୟରେ ନୀତି ଓ ଆଦର୍ଶଗତ ଫରକ ଥିଲା, କିନ୍ତୁ ସେମାନଙ୍କ ଅବିଚଳିତ ଲକ୍ଷ୍ୟ ଥିଲା ଦେଶର ସ୍ୱାଧୀନତା ହାସଲ କରିବା ପାଇଁ । ଉଭୟ ଉଭୟଙ୍କ ଦେଶପ୍ରେମ ଓ ତ୍ୟାଗକୁ ବିଭିନ୍ନ ସମୟରେ ଭୂରି ଭୂରି ପ୍ରଶଂସା କରିଛନ୍ତି ।

କେବଳ ସେତିକି ନୁହେଁ ଗାନ୍ଧୀଜୀଙ୍କ ସହ କାରାରୁଦ୍ଧ ଥିବା ବେଳେ ୧୯୪୪ ଫେବୃଆରୀ ୨୨ରେ ତାଙ୍କ ସହଧର୍ମିଣୀ ଓ ସହକର୍ମିଣୀ କସ୍ତୂରବାଙ୍କ ଦେହାନ୍ତ ହୋଇଥିଲା ଏବଂ ଆଗା ଖାଁ ପ୍ୟାଲେସ୍‍ କ୍ୟାମ୍ପ୍‍ ଜେଲ୍‍ ପରିସର ମଧ୍ୟରେ ତାଙ୍କ ଚିତା ମଧ୍ୟ ଜଳିଥିଲା । ଏ ଖବର ପାଇ ନେତାଜୀ ସୁଭାଷ ଯେଉଁ ଆବେଗଭରା ବାର୍ତ୍ତା ଦେଇ ପ୍ରତିଶୋଧ ଚାହିଁଥିଲେ ତାହା ଥିଲା ଦେଶପ୍ରେମରେ ଭରପୂର ସର୍ବଶ୍ରେଷ୍ଠ ଶୋକାଞ୍ଜଳି । ଏଥିରେ ନେତାଜୀ ଉଲ୍ଲେଖ କରିଥିଲେ, ‘ଶ୍ରୀମତୀ କସ୍ତୁରବା ଗାନ୍ଧୀଙ୍କ ପରଲୋକ ହୋଇଛି । ବ୍ରିଟିଶ୍‍ ସରକାରଙ୍କ ପୁନାରେ ଥିବା ଏକ ଜେଲ୍‍ରେ ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଦେଶର ୩୮ କୋଟି ୮୦ ଲକ୍ଷ ଲୋକ ଏବଂ ବିଦେଶରେ ଥିବା ମୋର ସହଯୋଦ୍ଧାମାନଙ୍କ ସହିତ ମୁଁ କସ୍ତୁରବାଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରୁଛି । ତାଙ୍କର ଯେଭଳି ଦୁଃଖଦ ବିୟୋଗ ଘଟିଲା ତାହା ନିଶ୍ଚିତ ଭାବରେ ଗୋଟିଏ ଗୋଲାମ ଦେଶର ଜଣେ ଅଧିବାସୀଙ୍କ ପାଇଁ ବେଶ୍‍ ସମ୍ମାନଜନକ ଓ ଗୌରବମୟ । ଭାରତ ପାଇଁ ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ……. ବସ୍ତୁତଃ ଇଂରେଜ ସରକାର ମହାତ୍ମା ଗାନ୍ଧୀଙ୍କୁ କଷ୍ଟ ଦେଇ ତାଙ୍କ ଶରୀର ଓ ମନୋବଳକୁ ଭାଙ୍ଗିଦେବା ଲାଗି କସ୍ତୁରବାଙ୍କୁ ଠିକଣା ଭାବେ ଚିକିତ୍ସା ସୁବିଧା ଯୋଗାଇନଥିଲେ । ଏ ପରିପ୍ରେକ୍ଷୀରେ ଇଂରେଜ ସରକାର ପାଇଁ ମୁଁ କେବଳ ଘୃଣା ହିଁ ବ୍ୟକ୍ତ କରିପାରେ । କସ୍ତୂରବାଙ୍କର ଯେଭଳି ନିଧନ ହେଲା ତାହାକୁ ମୁଁ ବ୍ରିଟିଶ୍‍ ସରକାରର ଏକ ନିର୍ମମ ହତ୍ୟାକାଣ୍ଡ ବୋଲି ଅଭିହିତ କରି ଏହି ଦୋଷରେ ସରକାର ଦୋଷୀ ବୋଲି କହିପାରେ ।

କସ୍ତୁରବା ବାସ୍ତବରେ ଏକ ସହିଦର ମୃତ୍ୟୁ ଲାଭ କରିଛନ୍ତି । ଗାନ୍ଧୀଜୀ ଓ ତାଙ୍କ ମହାନ୍‍ ପତ୍ନୀ କସ୍ତୁରବା ଜେଲ୍‍ ଭିତରେ ମରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ଜେଲ୍‍ରୁ ମୁକୁଳିବା ପାଇଁ ସେମାନେ ଚାହୁଁନଥିଲେ । ଇଂରେଜମାନେ ଚକ୍ରାନ୍ତ କରିଥିଲେ ଯେ ଗାନ୍ଧୀଜୀଙ୍କ ଆଖି ଆଗରେ କସ୍ତୂରବା ଛଟ୍‍ପଟ୍‍ ହୋଇ ମରନ୍ତୁ । ଇଂରେଜମାନଙ୍କ ଏହି ଅପରାଧିକ ମାନସିକତା ପୂରଣ ହୋଇଛି । ଏହି ମୃତ୍ୟୁ ଜଘନ୍ୟ ହତ୍ୟାକାଣ୍ଡଠାରୁ କମ୍‍ ନୁହେଁ । ବ୍ରିଟିଶ୍‍ ସରକାର ଗାନ୍ଧୀଜୀ ଓ ଭାରତୀୟମାନଙ୍କୁ ଭଲ ଭାବରେ ବୁଝିନାହାନ୍ତି । ସେମାନେ ଗାନ୍ଧୀଜୀ ଓ ଭାରତୀୟମାନଙ୍କୁ ଯେତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଲେ ମଧ୍ୟ ଗାନ୍ଧୀଜୀ ତାଙ୍କ ନିଷ୍ପତ୍ତିରୁ ଇଞ୍ଚେ ହେଲେ ହଟିବେ ନାହିଁ । ଦେଶ ବିଦେଶରେ ରହୁଥିବା ଭାରତୀୟମାନେ କସ୍ତୁରବାଙ୍କ ଦୁଃଖଦ ମୃତ୍ୟୁରୁ ସ୍ପଷ୍ଟ ଜାଣିପାରୁଛନ୍ତି ଯେ ହୃଦୟହୀନ ଇଂରେଜ ସରକାର ଜଣ ଜଣ କରି ଆମ ନେତାମାନଙ୍କୁ ମାରିଦେବାର ନିଷ୍ପତ୍ତି ନେଇଛି ……. କସ୍ତୁରବାଙ୍କ ଭଳି ଜଣେ ମହାନ୍‍ ମହିଳା ବାସ୍ତବରେ ଭାରତୀୟମାନଙ୍କ ପାଇଁ ମା’ ଭଳି । ତାଙ୍କ ପ୍ରତି ନମ୍ରତାର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ଏ ଗଭୀର ଶୋକ ସମୟରେ ଗାନ୍ଧୀଜୀଙ୍କ ପ୍ରତି ମଧ୍ୟ ସମବେଦନା ଜଣାଉଛି । କସ୍ତୁରବାଙ୍କ ନିକଟ ସମ୍ପର୍କରେ ଅନେକଥର ଆସିବାର ସୌଭାଗ୍ୟ ମୋତେ ମିଳିଛି । ସେ ଭାରତୀୟ ନାରୀ ଜାତିର ଆଦର୍ଶ । ଶକ୍ତିଶାଳୀ, ଧୈର୍ଯ୍ୟବତୀ, ନୀରବ ସାଧିକା ତଥା ଆତ୍ମନିର୍ଭରଶୀଳ ମଧ୍ୟ ଥିଲେ । ଦେଶର ସ୍ୱାଧୀନତା ଆନ୍ଦୋଳନରେ ଲକ୍ଷ ଲକ୍ଷ ମହିଳା ସାମିଲ ହେବା ପଛରେ କସ୍ତୁରବାଙ୍କର ପ୍ରେରଣା ଥିଲା ।

ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହରେ ବି ତାଙ୍କର ଢେର୍‍ ଯୋଗଦାନ ଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ମହିଳାମାନେ ଯେପରି ଅଧିକ ସଂଖ୍ୟାରେ ସାମିଲ ହୋଇପାରିବେ ସେ ଦିଗରେ ସେ ଅନେକ କାମ କରିଛନ୍ତି ଏବଂ ପୁଅମାନେ ଏ କ୍ଷେତ୍ରରେ ଝିଅମାନଙ୍କଠାରୁ ଯେପରି ପଛରେ ପଡ଼ି ନ ଯାଆନ୍ତି ସେଥିଘେନି ଆହ୍ୱାନ ମଧ୍ୟ ସୃଷ୍ଟି କରିଥାନ୍ତି । ସ୍ୱାଧୀନତା ଆନ୍ଦୋଳନରେ ବହୁବାର କାରାବରଣ କରିବା ସଙ୍ଗେ ସଙ୍ଗେ ଜଣେ ସଚ୍ଚା ସତ୍ୟାଗ୍ରହୀ ଭାବେ ମଧ୍ୟ କାମ କରିଯାଇଛନ୍ତି ……. ଯେ ପର୍ଯ୍ୟନ୍ତ ଭାରତରେ ଇଂରେଜ ଶାସନ ରହିଥିବ ସେ ପର୍ଯ୍ୟନ୍ତ ସେମାନଙ୍କ ଅତ୍ୟାଚାର ଚାଲିଥିବ । ଭାରତର ଯୁବକ ଯୁବତୀମାନେ ବ୍ରିଟିଶ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ବିଲୋପ କରି କସ୍ତୁରବାଙ୍କ ମୃତ୍ୟୁର ପ୍ରତିଶୋଧ ନେଇପାରିବେ ।

ପୂର୍ବ ଏସିଆରେ ରହୁଥିବା ଭାରତୀୟମାନେ ଇଂରେଜ ଶାସନ ବିରୁଦ୍ଧରେ ଯୁଦ୍ଧ ଚଳାଇଛନ୍ତି ଏବଂ ସେମାନଙ୍କ ଉପରେ ସ୍ୱତନ୍ତ୍ର ଦାୟିତ୍ୱ ରହିଛି । ଏଠି ରହୁଥିବା ପ୍ରତ୍ୟେକ ଭଉଣୀଙ୍କର ଯୁଦ୍ଧରେ ଭାଗ ନେବା ଏକ ପରମ କର୍ତ୍ତବ୍ୟ । ଦୁଃଖର ଏହି ମୁହୂର୍ତ୍ତରେ ଆମେ ଆଉଥରେ ପବିତ୍ର ଶପଥ ନେବା ଯେ ଶେଷ ଇଂରେଜ ଯେ ପର୍ଯ୍ୟନ୍ତ ଭାରତରୁ ବିଦା ନ ନେଇଛି ସେ ପର୍ଯ୍ୟନ୍ତ ଆମେ ସବୁ ଆମର ସଶସ୍ତ୍ର ସଂଗ୍ରାମ ଅବ୍ୟାହତ ରଖିବା ।’ କସ୍ତୁରବାଙ୍କ ମୃତ୍ୟୁପରେ ତାଙ୍କୁ ସହିଦର ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ଭାରତୀୟ ମାତୃଜାତିର ପ୍ରତୀକ ଭାବେ ଉଲ୍ଲେଖ କରି କସ୍ତୂରବାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପଇଁ ଏହା ଥିଲା ‘Homage to Mother of the Indian People’ ଶୀର୍ଷକ ଆଲେଖ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଅବେଗଭରା ବଜ୍ର ଆହ୍ୱାନର କିୟଦଂଶ । ନେତାଜୀଙ୍କ ବିମାନ ଦୁର୍ଘଟଣାଜନିତ ମୃତ୍ୟୁ ସମ୍ବାଦକୁ ଗାନ୍ଧୀଜୀ ଅସ୍ୱୀକାର ଓ ଅଗ୍ରାହ୍ୟ କରିବା ସଙ୍ଗେ ସଙ୍ଗେ ସେ ବଞ୍ଚିଥିବାଘେନି ଦୃଢ଼ୋକ୍ତି କରୁଥିଲେ ।

ନେତାଜୀ ବି ଅନ୍ତର୍ଦ୍ଧାନ ହେବା ପୂର୍ବରୁ ତାଙ୍କ ଆଇଏନ୍‍ଏକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ସହ ସାମିଲ୍‍ ହେବାକୁ କହିଥିଲେ । ନୋଆଖାଲିରେ ଗାନ୍ଧୀଜୀଙ୍କ ପଦଯାତ୍ରା, କଲିକତାରେ ଶାନ୍ତି ଅଭିଯାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ବେଲିଆଘାଟର ଦଙ୍ଗା ବିଧ୍ୱସ୍ତ ଅଞ୍ଚଳରେ ଗାନ୍ଧୀଜୀ ଗଭୀର ମନସ୍ତାପରେ ବିନିଦ୍ର ରଜନୀ କାଟିଥିବା ବେଳେ ଏମିତିକି ୧୯୪୮ ଜାନୁଆରୀ ୩୧ ତାରିଖର ଗାନ୍ଧୀଜୀଙ୍କ ମହାଯାତ୍ରାରେ ଆଇଏନ୍‍ଏର ବହୁ ଯବାନ ସାମିଲ ଥିଲେ । ଏହା ହେଉଛି ଇତିହାସର କଥାବସ୍ତୁ । କନ୍ତୁ ଗାନ୍ଧୀଓନେତାଜୀଙ୍କ ଆନ୍ଦୋଳନ ଓ ଅଭିଯାନରେ ଆଦୌକେବେ ସାମିଲ ନଥବି । କିଛିଗୋଷ୍ଠୀ କନ୍ତୁ ଇତିହାସର କଦର୍ଥ କରି ଯେଉଁ ଭିନ୍ନ ଚିତ୍ର ରଖିଛନ୍ତି ତାହା ସତ୍ୟର କଷଟି ପଥରରେ ଯେ ବାରମ୍ବାର ମିଥ୍ୟା ପ୍ରମାଣିତ ହେଉଛି ତାହା ସେମାନେ ବୁଝିବା ଆବଶ୍ୟକ ।

Leave A Reply

Your email address will not be published.

ବ୍ରେକିଂ