ଅଯୌକ୍ତିକ ଆତ୍ମସନ୍ତୋଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆମେରିକା ଗସ୍ତରୁ ଫେରିବା ପରେ ଦିଲ୍ଲୀ ବିମାନ ବନ୍ଦରରେ   ବିଜେପି ତାଙ୍କ ପାଇଁ ଯେଉଁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ  ଆୟୋଜନ କରିଥିଲା ତା’ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି।   କୁହାଗଲା ଯେ, ପ୍ରଧାନମନ୍ତ୍ରୀଙ୍କର ଏହା ଏକ ସଫଳ ଗସ୍ତ ଥିଲା, ଯାହା ବିଶ୍ବରେ  ଭାରତର ସମ୍ମାନକୁ ବଢାଇ ଦେଇଛି୤ ସ୍ବାଗତ ପୋଷ୍ଟର ଗୁଡ଼ିକରେ ମୋଦିଙ୍କୁ ‘ବିଶ୍ବ ପ୍ରିୟ’ବୋଲି ଉଲ୍ଲେଖ କରାଗଲା। ଯାହା ଗସ୍ତ ନେଇ ଟେଲିଭିଜନ ଚାନେଲ ଗୁଡ଼ିକରେ ଦିଆଯାଇଥିବା ‘ବିଶ୍ବଗୁରୁ’  ଆଖ୍ୟାଠାରୁ କିଛିଟା ଭିନ୍ନ ।  ଏସବୁ ପ୍ରଧାନମନ୍ତ୍ରୀ ସରକାରୀ କୂଟନୈତିକ ଶ୍ରେଣୀକୁ ଅପ୍ରସ୍ତୁତ କରିଛି ନା  ଜଣାନାହିଁ। କାରଣ ପ୍ରଧାନମନ୍ତ୍ରୀଙ୍କର ଗସ୍ତରେ ସେପରି କିଛି ଉଲ୍ଲେଖନୀୟ ସଫଳତା ମିଳିନାହିଁ ଯେଉଁଥିପାଇଁ ଗୀତନାଚର ଆନନ୍ଦ ଉଲ୍ଳାସ ହେବା କଥା।

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ସମସ୍ତ ଦିଗକୁ ଦେଖିଲେ ଏହାକୁ ଖୁବ ସଫଳ ବୋଲି କୁହାଯାଇ ପାରିବନାହିଁ।  ଏହାର ବାତାବରଣ ଓ ସକରାତ୍ମକ ସ୍ତରକୁ ବିଶ୍ଲେଷଣ କଲେ  ଆତ୍ମସନ୍ତୋଷ ଲାଭ କରିବାର କିଛିନାହିଁ। ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ  ଓ ମୋଦିଙ୍କ ମଧ୍ୟରେ ବ୍ୟକ୍ତିଗତ ସଂଯୋଗ ପୂର୍ବର ରାଷ୍ଟ୍ରପତିମାନଙ୍କ ଠାରୁ ଯଥେଷ୍ଟ କମ ମାନର ଥିଲା। ମୋଦି-ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ଯେଭଳି ଢଙ୍ଗରେ ଏକପ୍ରକାର ନିର୍ବାଚନ ପ୍ରଚାର କରିଥିଲେ ତାହା ହୁଏତ ବାଇଡେନ ପ୍ରଶାସନର ମାନସିକତାକୁ ପ୍ରଭାବିତ କରୁଥିବ। ଉଭୟ ମୋଦି ଓ ବାଇଡେନ ସେ ଦିଗଟି ସମ୍ପର୍କରେ ନିଶ୍ଚିତ ଭାବେ କଥାବାର୍ତ୍ତା ପୂର୍ବରୁ ଓ ସାକ୍ଷାତ ବେଳେ ସଚେତନ ଥିବେ। ତା’ବାଦ ବାଇଡେନ ପ୍ରଶାସନ ଯେଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକ ଅଧିକାର ଉପରେ ଗୁରୁତ୍ବ ଦେଇଚାଲିଛି ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ଅସ୍ବାଭାବିକ ଚାପ ବଢାଇଛି। କାରଣ ମୋଦି ୭ ବର୍ଷ ତଳେ କ୍ଷମତାକୁ ଆସିବା ପରଠାରୁ ଏ ଦୁଇଟି ପ୍ରଶ୍ନ ଉପରେ ତାଙ୍କ ସରକାର ବିଶ୍ବସନୀୟତା ସୂଚୀରେ ତଳକୁ ଖସି ଚାଲିଛି।

ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଆଗରୁ ମୋଦିଙ୍କ ନୀତିକୁ ସମାଲୋଚନା କରିଆସିଛନ୍ତି। ସେ ଏଥର ସ୍ପଷ୍ଟ ଭାବରେ ଗଣତନ୍ତ୍ର ପ୍ରତି ବିପଦ ନେଇ ନିଜର ଉଦବେଗକୁ ଉପସ୍ଥାପନ କରିଛନ୍ତି। ବାଇଡେନ ମଧ୍ୟ ମହାତ୍ମା ଗାନ୍ଧୀଙ୍କର ଅହିଂସା ଓ ସହିଷ୍ଣୁତା ନୀତି ଉପରେ ପରାମର୍ଶ ଦେବାକୁ ଆଗେଇ ଆସିବା ନିଶ୍ଚିତ ଭାବେ ମୋଦି ନେତୃତ୍ବାଧୀନ ଭାରତ ପାଇଁ ଅସୁଖକର। ଦେଖିବାକୁ ଗଲେ ଉଭୟେ ବାଇଡେନ ଓ କମଲା ଭାରତରେ ମୋଦି ସରକାରଙ୍କର। ସଂଖ୍ୟାଗରିଷ୍ଠତାବାଦ ଆଭିମୁଖ୍ୟ ନେଇ ନିଜର ଅସନ୍ତୋଷକୁ  ସ୍ପଷ୍ଟ କରିଥିଲେ । ହ୍ବାଇଟହାଉସ ବାହାରେ ଓ ପ୍ରଧାନମନ୍ତ୍ରୀ ରହୁଥିବା ହୋଟେଲ ଆଗରେ ପ୍ରତିବାଦ ବିକ୍ଷୋଭ  ହୋଇଥିଲା। ଟ୍ରମ୍ପ ସରକାର ଭାରତ ସମ୍ପର୍କରେ ଯାଉଥିବା ଭିନ୍ନ ଖବରକୁ ଗୁରୁତ୍ବ ଦେଉନଥିବା ବେଳେ ବାଇଡେନ ଏସବୁ ଏଡାଇ ଯିବାକୁ ରାଜି  ନୁହନ୍ତି। ହ୍ବାଇଟହାଉସରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନା ଉତ୍ସାହଜନକ ନଥିଲା।

ଏଥିରୁ ବୁଝାପଡିଲା ଯେ, ବୋଧହୁଏ ଟ୍ରମ୍ପ ୨୦୨୦ ରାଷ୍ଟ୍ରପତି  ନିର୍ବାଚନକୁ ସାମ୍ନା କରିବା ପୂର୍ବରୁ ମୋଦି ଆମେରିକା ଯାଇଥିବା ବେଳେ ପୁଣି ଟ୍ରମ୍ପ ସରକାର ଆସିବ ବୋଲି ଅକାରଣରେ ଯେଉଁ ଭାଷଣ ରଖିଥିଲେ ତାହା ଏବେ ବି ବାଇଡେନଙ୍କ ମନକୁ ବାରମ୍ବାର ବିଷାକ୍ତ କରୁଛି। ତଥାପି ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତରେ ସେହି ତିକ୍ତତାକୁ ଦୂର କରିବା ପାଇଁ ଚେଷ୍ଟା କରିବା ଉଚିତ ଥିଲା।  ତାଙ୍କର ଏହି ଗସ୍ତର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଏହା ଆଫଗାନିସ୍ତାନର ଘଟଣାବଳୀ ସମୟରେ ହୋଇଛି। ଯଦିଓ ଭାରତ ସହ ଏକପ୍ରକାର ସାମରିକ ସହଯୋଗ ପାଇଁ ଆମେରିକା ତା’ର ଅଙ୍ଗୀକାରକୁ ଦୋହରାଉଛି ତଥାପି ସ୍ବୀକାର କରିବାକୁ ହେବ ଯେ ଆଫଗାନିସ୍ତାନରେ  ଭାରତର ପ୍ରଧାନ ଚିନ୍ତାଗୁଡିକ ପ୍ରତି ବାଇଡେନଙ୍କ ଶାସନ ଧ୍ୟାନ ଦେଲାନାହିଁ ଏବଂ ପାକିସ୍ତାନ ହାତକୁ ସାମରିକ ଫାଇଦା ହସ୍ତାନ୍ତର କରିଦେଲା। ଅବଶ୍ୟ ମୋଦି ଏ ପ୍ରସଙ୍ଗରେ କଠୋର ଦୃଷ୍ଟିଭଙ୍ଗୀ ନେଇ ପାରିନଥାନ୍ତେ । ଆଫଗାନିସ୍ତାନକୁ ଏକ ଉଗ୍ରବାଦୀ ଗୋଷ୍ଠୀ  ହାତରେ ଛାଡି ଦେବା ଯାହାକୁ ପାକିସ୍ତାନ ସେନା ନିୟନ୍ତ୍ରଣ କରୁଛି ତାହା ନିଶ୍ଚିତ ଭାବେ ଭାରତର ଜାତୀୟ ନିରାପତ୍ତା ପ୍ରତି ବିପଦ ହେବ୤ ଏହି ବିଶ୍ଲେଷଣ ମୋଦି ସ୍ପଷ୍ଟ ଭାବେ ବାଇଡେନଙ୍କ ଆଗରେ ଉପସ୍ଥାପନ କରିଛନ୍ତି କି ନା ଜଣାନାହିଁ। ଏ ପ୍ରସଙ୍ଗରେ ସ୍ପଷ୍ଟ  ଆଶ୍ବାସନା ନମିଳିଲେ  ଭାରତ ଉଲ୍ଲସିତ ହେବାର କୌଣସି କାରଣନାହିଁ। 

ଅବଶ୍ୟ ବିଶ୍ବ ଉଗ୍ରବାଦ ବିରୋଧରେ ମିଳିତ ଲଢେଇ ସମ୍ପର୍କରେ ଆମେରିକା କହିଛି  କିନ୍ତୁ ତାହା ପୁରୁାତନ ପ୍ରଗଳ୍ଭତା।ସମ୍ପ୍ରତି ଭାରତର ପରିସରରେ ଯେଉଁ ନୂଆ ପରିସ୍ଥିତି ଉପୁଜିଛି ସେହି ପରିପ୍ରେକ୍ଷୀରେ ଏହି ଆଭିମୁଖ୍ୟ ଯଥେଷ୍ଟ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆମେରିକାର ତ୍ରିରାଷ୍ଟ୍ରୀୟ ମେଣ୍ଟ ‘ଅକୁସ’ ଘୋଷିତ ହୋଇଛି। ତାହା ପୂର୍ବରୁ ଗଠିତ ଚତୁଃରାଷ୍ଟ୍ରୀୟ ମେଣ୍ଟ  କ୍ବାଦ୍‌ ଯେଉଁଥିରେ  ଅଷ୍ଟ୍ରେଲିଆ, ଜାପାନ, ଭାରତ ଓ ଆମେରିକା ଅଛନ୍ତି  ତାହା ନୂଆମେଣ୍ଟ ଦ୍ବାରା ନ୍ୟୁନ ହୋଇଯାଇଛି । ଯଦିଓ ଏବେ କୁହାଯାଉଛି ଯେ କ୍ବାଦ ଅଣସାମରିକ ପ୍ରସଙ୍ଗଗୁଡିକୁ କାର୍ଯ୍ୟ ସୂଚୀରେ ରଖିଛି। ତଥାପି କୁହାଯାଉଛି ଯେ ମୋଦି ନିଶ୍ଚିତ ଭାବେ ନୂଆ ବ୍ୟବସ୍ଥାରେ ଖୁସି ନଥିବେ। କାରଣ କ୍ବାଦରେ ଯୋଗ  ଦେଇ ଭାରତ ଚୀନକୁ ଅଧିକ କ୍ଷୁବ୍ଧ କରିସାରିଛି। ବୈଠକ ପୂର୍ବରୁ ଏପର୍ଯ୍ୟନ୍ତ ଧାରଣା ଥିଲା ଯେ ମୋଦିଙ୍କର ବୈଦେଶିକ ନୀତି ଭାରତର ପ୍ରାଧାନ୍ୟକୁ ବଢାଇ ଆସିଛି। ଏବେ ତାହା ଅଧିକ ଚାଲେଞ୍ଜର ସମ୍ମୁଖୀନ ହେବ। ଆଗରୁ ଆମେରିକା ବାଣିଜ୍ୟ କାରବାର ବଢାଇବା ପାଇଁ ଭାରତ ଉପରେ ଚାପ  ଦେଉଥିଲା। ଏଥର ମୋଦି ସେହି ଯୁକ୍ତି କଲେ।  କିନ୍ତୁ ଆମେରିକା ସେଥିରେ ଆଗ୍ରହ ଦେଖାଇଲାନାହିଁ। କୌଣସି ଦେଶରେ ନେତାମାନେ ଜାତିସଂଘରେ  ରୁଟିନ ଭାଷଣ ଦେଇ ଫେରିବା ପରେ ଶାସକଦଳ ଏପରି ସମ୍ବର୍ଦ୍ଧନା ଆୟୋଜନ କରିନାହିଁ। ପ୍ରଧାନମନ୍ତ୍ରୀଙ୍କର ଏଥରର ସେହି ଭାଷଣ ମଧ୍ୟ ଅସାଧାରଣ ନଥିଲା  ଓ ସେଥିରେ ବିଶେଷ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇନଥିଲା।

Leave A Reply

Your email address will not be published.

ବ୍ରେକିଂ