ଚାଷୀ ଆନ୍ଦୋଳନର ଗ୍ରହଣଯୋଗ୍ୟ ସମାଧାନ ଲୋଡା

ବର୍ଷେ ତଳେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି  କୃଷି ସଂସ୍କାର ଆଇନ ବିରୋଧରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଏପର୍ଯ୍ୟନ୍ତ ଅବ୍ୟାହତ ରହିଥିବା ବେଳେ ତା’ର ବର୍ଷପୂର୍ତ୍ତି ଉପଲକ୍ଷେ ଆନ୍ଦୋଳନକାରୀମାନେ ଏବେ ଭାରତ ବନ୍ଦ ପାଳନ କରିଛନ୍ତି, ଯାହା ଅନେକ ସ୍ଥାନରେ ସଫଳ ହୋଇଛି । ଏଥିରୁ ଜଣାପଡୁଛି ଯେ ପ୍ରଥମେ ଦିଲ୍ଲୀ ବାହାରେ ପଞ୍ଜାବ, ହରିଆନା ଓ ପଶ୍ଚିମ ଉତ୍ତରପ୍ରଦେଶର ଚାଷୀମାନେ ରାସ୍ତାରୋକ ଆଦି ଆୟୋଜନ କରି ଆରମ୍ଭ କରିଥିବା ଏହି ଆନ୍ଦୋଳନ ପ୍ରତ୍ୟାହୃତ ହେବାର ଆଶା କ୍ଷୀଣ। କାରଣ ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ଅଞ୍ଚଳର କୃଷକ ଗୋଷ୍ଠୀ ଗୁଡ଼ିକ ଏଥିରେ ସାମିଲ ହୋଇଛନ୍ତି ଏବଂ ଆନ୍ଦୋଳନରତ ନେତୃବୃନ୍ଦ ସେମାନଙ୍କର ଜିଦରେ ଅଟଳ ରହିଛନ୍ତି। ସେମାନେ ଚାହାନ୍ତି ଯେ ଆଇନଗୁଡିକ ପ୍ରତ୍ୟାହୃତ ହେଉ  ଓ ସରକାରଙ୍କର ସମସ୍ତ ବିକଳ୍ପ ପ୍ରସ୍ତାବକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।  ଅନ୍ୟପକ୍ଷରେ ସରକାର ବୋଧହୁଏ ଏପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କର ଧୈର୍ଯ୍ୟକୁ ପରୀକ୍ଷା କରୁଛନ୍ତି । ଆନ୍ଦୋଳନକାରୀ ମାନଙ୍କ ସହ ସରକାରଙ୍କର ବହୁବାର ଆଲୋଚନା ସତ୍ତ୍ବେ କୌଣସି ପକ୍ଷ ନିଜ ଜିଦରୁ ଓହରୁ ନାହାନ୍ତି। ସରକାର  ଭାବୁଛନ୍ତି ଯେ, ଆନ୍ଦୋଳକାରୀଙ୍କର ମୂଳ ଦାବିକୁ ଗ୍ରହଣ କଲେ ତାହା ସରକାରଙ୍କ ପାଇଁ ଅତ୍ୟନ୍ତ ଅସମ୍ମାନର ବିଷୟ ହେବ।

ଯଦିଓ ବର୍ଷେତଳେ ଦିଲ୍ଲୀ ସୀମାରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ସବୁ ରାଜ୍ୟକୁ ବ୍ୟାପୀନାହିଁ। ତଥାପି  ଚାଷୀଙ୍କ ଅସନ୍ତୋଷ ପ୍ରସଙ୍ଗ ଜାତୀୟ ସ୍ତରରେ ଚର୍ଚ୍ଚିତ ହେଉଛି । ଏହା ମଧ୍ୟରେ ଆନ୍ଦୋଳନକାରୀମାନେ ନିଜ ଆଭିମୁଖ୍ୟରେ କଠୋର ହୋଇଛନ୍ତି। ସେମାନଙ୍କ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ ହୋଇଥିବା ସତ୍ତ୍ବେ ଓ ନେତୃବୃନ୍ଦଙ୍କୁ ନିଜ ଅସନ୍ତୋଷର ବାର୍ତ୍ତା ପ୍ରଚାର କରିବାରେ ସରକାରୀକଳ ସମସ୍ତ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ସୁଦ୍ଧା କୃଷକ ନେତାମାନଙ୍କର ସଂକଳ୍ପ ଅତୁଟ ରହିଛି। ଚାଷୀଙ୍କର ରାସ୍ତା ଅବରୋଧକୁ ପୋଲିସ ଜରିଆରେ ଉଠାଇବା ପାଇଁ ରାସ୍ତାକଡ଼ରେ ଶିବିର ପକାଇଥିବା ଆନ୍ଦୋଳନକାରୀମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ବନ୍ଦ କରିବା ଲାଗି ସମସ୍ତ ଉଦ୍ୟମ ହୋଇଛି।

ବିକ୍ଷୋଭ ଅଞ୍ଚଳକୁ ବାରମ୍ବାର ଇଣ୍ଟରନେଟ ସେବା କାଟି ଦିଆଯାଇଛି। ଯେଉଁ ସବୁ ସାମାଜିକ ଗଣମାଧ୍ୟମ ମଞ୍ଚ କୃଷକ ବିକ୍ଷୋଭ ଖବର ପ୍ରଚାର କରୁଥିଲେ ସେମାନଙ୍କ ଉପରେ  ସେସବୁ ବନ୍ଦ କରିବା ଲାଗି ଚାପ ପକାଯାଇଛି।  ଏହାମଧ୍ୟରେ ବର୍ଷା ସମେତ ବିଭିନ୍ନ ଋତୁର ପ୍ରଭାବ ଆନ୍ଦୋଳନକାରୀମାନେ ଦେଖି ସାରିଛନ୍ତି। ସେମାନଙ୍କର ନିଷ୍ଠାକୁ ସମ୍ମାନ ଦେବାକୁ ପଡିବ ଯେ ଏ ସମସ୍ତ ସମସ୍ୟା ଭିତରେ ଆନ୍ଦୋଳନକାରୀମାନେ ସୁସଂଗଠିତ ଶିବିର ସବୁ ପ୍ରତିଷ୍ଠା କରିଛନ୍ତି,ଯେଉଁଠାରେ ଖାଦ୍ୟ, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ସେବା ଯୋଗାଯାଉଛି। ବର୍ଷା,ଶୀତ ଓ ଖରାର ପ୍ରତିକୂଳ ସାଙ୍ଗକୁ କରୋନା ମହାମାରୀ ସତ୍ତ୍ବେ  ଚାଷୀ ଶିବିର ସବୁ ସକ୍ରିୟ  ରହିବା ଆନ୍ଦୋଳନକାରୀମାନଙ୍କର ମନୋବଳକୁ ପ୍ରମାଣିତ କରୁଛି ।

ବୋଧହୁଏ ସେମାନେ ଦେଶବାସୀଙ୍କୁ ଆନ୍ଦୋଳନ କ୍ରମାଗତ ଭାବେ ବର୍ଷେକାଳ ଚାଲି ଆସିଲାଣି ବୋଲି ମନେ ପକାଇ ଦେବାକୁ ଭାରତ ବନ୍ଦ ପାଳନ କଲେ୤ ସରକାରଙ୍କ କୃଷି ସଂସ୍କାର ଆଇନଗୁଡିକ ବିଷୟରେ ବହୁତ କିଛି ଲେଖାଗଲାଣି। ସରକାର କହୁଛନ୍ତି ଯେ, ସେସବୁ ଚାଷୀଙ୍କ ସ୍ବାର୍ଥ ରକ୍ଷା ଲାଗି ଉଦ୍ଦିଷ୍ଟ। ଚାଷୀଙ୍କୁ ଦଲାଲମାନଙ୍କ କବଳରୁ ମୁକ୍ତ କରି ଓ ସେମାନଙ୍କୁ ସରକାରୀ ମଣ୍ଡି ବାହାରେ ନିଜ ଉତ୍ପାଦିତ ସାମଗ୍ରୀକୁ ସିଧାସଳଖ ଖର୍ଦ୍ଦିକାରୀଙ୍କୁ ବିକିବା ପାଇଁ ଅନୁମତି ଦେଇ ସରକାର ଚାଷୀଙ୍କର ଆୟ ବଢାଇବାକୁ ଚାହୁଁଛନ୍ତି। ସରକାରଙ୍କର ଏହି ଯୁକ୍ତିକୁ ଚାଷୀନେତାମାନେ ଗ୍ରହଣ କରୁନାହାନ୍ତି। ଆନ୍ଦୋଳନକାରୀ ଚାଷୀଙ୍କର ଯୁକ୍ତି ହେଲା ଏହି ଆଇନ ଦ୍ବାରା ସରକାର ଭିନ୍ନ ବାଟରେ ସରକାରୀ ଖାଦ୍ୟ ସଂଗ୍ରହ ବ୍ୟବସ୍ଥାକୁ ଉଠାଇ ଦେବାକୁ ଚାହାନ୍ତି,ଯାହା ବହୁବର୍ଷ ଧରି ସର୍ବନିମ୍ନ ସହାୟକ ଦର ବ୍ୟବସ୍ଥାରେ ଚାଲିଆସିଛି୤ ଏହି ଆଇନରେ କୋର୍ଟକୁ ଯିବା ବ୍ୟବସ୍ଥା ବନ୍ଦ କରାଯାଇଥିବାରୁ ଓ ବିବାଦ ସମାଧାନ କେବଳ ଅଫିସରମାନେ କରିବେ ବୋଲି ବ୍ୟବସ୍ଥା ରହିଥିବାରୁ ଚାଷୀଙ୍କର ସନ୍ଦେହ ବଢୁଛି। ସେମାନଙ୍କର ଭୟ ହେଲା ଯଦି ମୁଦ୍ରାସ୍ଫୀତି ହେଲା ତେବେ ଚାଷୀଙ୍କୁ ମୂଲ୍ୟ  ଦେବାକୁ ପଡ଼ିବ ଯାହା ବାରମ୍ବାର ଅତୀତରେ ପିଆଜ,ଚିନି ଓ କପା ଆଦି କ୍ଷେତ୍ରରେ ହୋଇଛି। ଯେତେବେଳେ ସରକାର ଜରୁରୀ କ୍ଷମତା ପ୍ରୟୋଗ କରି  ମହଜୁଦକରଣ ଅଟକାଇବା ସାଙ୍ଗକୁ ରପ୍ତାନୀ ଓ ଆମଦାନୀ ନିୟନ୍ତ୍ରଣ କରିଛନ୍ତି ବା ଦରକୁ କିଛି ସମୟ ପାଇଁ  ଅପରିବର୍ତ୍ତିତ ରଖିଛନ୍ତି।

କେନ୍ଦ୍ର ସରକାର ମୂଳରୁ ଯେଉଁ ଢଙ୍ଗରେ ଚାଷୀ ଆନ୍ଦୋଳନକୁ ପରିଚାଳନା କରିଛନ୍ତି ସେଥିରେ ଏସବୁ ସନ୍ଦେହ ବଢିଯାଇଛି। କୃଷି ରାଜ୍ୟ ସରକାରଙ୍କ ବିଷୟ। କୃଷି ସମ୍ପର୍କିତ ଯେକୌଣସି ଆଇନ କେନ୍ଦ୍ର ସରକାର ପ୍ରଣୟନ କଲାବେଳେ ରାଜ୍ୟଗୁଡ଼ିକୁ ପରାମର୍ଶ କରିବା ଉଚିତ। ଏକ୍ଷେତ୍ରରେ ତାହା ହୋଇନାହିଁ । ସଂସଦରେ ଯେକୌଣସି ବିଲ୍‌ ଉପରେ ବିସ୍ତୃତ ବିତର୍କ ହେବା ଉଚିତ୤ ଭିନ୍ନ ମତକୁ ସରକାର ସମ୍ମାନ ଦେବା ଦରକାର। ଏକ୍ଷେତ୍ରରେ ତାହା ହେଲାନାହିଁ। ଅବଶ୍ୟ ଏବେକାର ସରକାର ସମୟରେ ବିପୁଳ ସଂଖ୍ୟା ଗରିଷ୍ଠତାର ବାରମ୍ବାର ଅପପ୍ରୟୋଗ ହୋଇଛି ଯେଉଁଥିରେ ଅନେକ ବିଲ୍ ବିନା ଆଲୋଚନା ବା ଖୁବ ସଂକ୍ଷିପ୍ତ ବିତର୍କ ପରେ  ପାସ କରିଦିଆଯାଇଛି୤ ବିଲ୍‌ ନେଇ ବିବାଦ ହେଲେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ବା ସିଲେଟ କମିଟିରେ ଆଲୋଚନା ହେବା କଥା। ତଦ୍ଦ୍ବାରା ଏକ ବୁଝାମଣା ବାହାରିଥାଏ।

ଏହି ପ୍ରସଙ୍ଗରେ ତାହା ହେଲାନାହିଁ। ଚାଷୀଙ୍କ ସହ ଆଲୋଚନା ଲାଗି ସରକାର ପ୍ରସ୍ତାବ ଦେଲା ବେଳେ ନିଜ ମୂଳ ଜିଦରୁ ଓହରିଲେନାହିଁ। ୩୨ଟି କୃଷକ ସଂଘକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ବେଳେ ସରକାରଙ୍କ ଆଭିମୁଖ୍ୟ ଦେଖି ଅଧିକ କଠୋର ହୋଇଯାଇଛି। ଏଣୁ ଆନ୍ଦୋଳନର ବର୍ଷକ ପରେ ବି ସମାଧାନର କୌଣସି ଆଶା ଦେଖାଯାଉନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆରବର୍ଷ ସେହି ସମୟ ସୀମା ପୁରିଯିବ। କୃଷକଙ୍କ ଆୟ ଦିଗକୁ ଦେଖିଲେ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ ।ଏଣୁ କୃଷକ ଆନ୍ଦୋଳନର ବର୍ଷପୂର୍ତ୍ତି ପରେ ସରକାର ବିରୋଧିଦଳଗୁଡିକୁ ବିଶ୍ବାସକୁ ନେଇ ନୂଆ କୃଷି ସଂସ୍କାର ଆଇନ ଉପରେ ଏକ ଗ୍ରହଣ ଯୋଗ୍ୟ ସର୍ବସମ୍ମତି ଆଣନ୍ତୁ ଓ ଆନ୍ଦୋଳନର ପରିସମାପ୍ତି ଘଟାନ୍ତୁ।

Leave A Reply

Your email address will not be published.

ବ୍ରେକିଂ