କଂଗ୍ରେସକୁ ପଞ୍ଜାବ ଧକ୍କା

ସମ୍ପାଦକୀୟ: କଂଗ୍ରେସ ଦଳ ଓ ଏହାର ନେତୃବୃନ୍ଦ ଯେ କୌଣସି କାରଣ ନଥାଇ ନିଜକୁ ଧ୍ବଂସ କରିବା ମାର୍ଗରେ ଯାଉଛନ୍ତି ସେ ସମ୍ପର୍କରେ ଆଉ କାହାର କିଛି ସନ୍ଦେହନାହିଁ। ଗତ ୭ ବର୍ଷର ବିଭିନ୍ନ ଘଟଣାବଳୀ ସହ ଏବେ ପଞ୍ଜାବ ସଙ୍କଟ ଉକ୍ତ ଧାରଣାକୁ ପ୍ରମାଣିତ କରିଛି। ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବପୁରାତନ ଦଳ ହାଇକମାଣ୍ଡ ସଂସ୍କୃତିକୁ ସ୍ବୀକୃତି ଦେବା ଦ୍ବାରା ବିଳମ୍ବରେ ହେଲେ ବି ସାବ୍ୟସ୍ତ ହୋଇଯାଇଛି ଯେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ  ସମ୍ମାନ ନଦେଲେ ଯେକୌଣସି ଦଳ ପରିଶେଷରେ ପତନ୍ମୋମୁଖୀ ହେବାକୁ ବାଧ୍ୟ। ଦୁଇଟି ଦୁଇଟି ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ କଂଗ୍ରେସ ଏହା ମଧ୍ୟରେ ଅନେକ ରାଜ୍ୟକୁ ହରାଇ ଏକ ଗୌଣ  ଜାତୀୟ ଦଳ ସ୍ଥିତିକୁ ଖସି ଆସିଛି ଏବଂ ଖୁବ ସମ୍ଭବତଃ ତାକୁ ଦେଖି  ଇତିମଧ୍ୟରେ  ଦୁଇଟି ଆଞ୍ଚଳିକ ଶକ୍ତି ଆମ୍‌ ଆଦମୀ ପାର୍ଟି ଓ ତୃଣମୂଳ କଂଗ୍ରେସ ନିଜ ନିଜର ଜାତୀୟ ଅଭିଳାଷକୁ ସ୍ପଷ୍ଟ କଲେଣି ।

କଂଗ୍ରେସ ଛାଡୁଥିବା ସ୍ଥାନକୁ ଦଖଲ କରିବା ଲାଗି ସେମାନେ ଉଦ୍ୟମ କରିବାରେ କିଛି ଭୁଲ ଅଛି ବୋଲି କୁହାଯିବନାହିଁ। ଏବେକାର ପଞ୍ଜାବ ସଙ୍କଟ ନିଶ୍ଚିତ ଭାବେ ଅରବିନ୍ଦ କେଜରିୱାଲଙ୍କ ଆମ୍‌ ଆଦମୀ ପାର୍ଟି ପାଇଁ ସୁଯୋଗ ସୃଷ୍ଟି କରିବ। କାରଣ ୨୦୧୭ ବିଧାନସଭା ନିର୍ବାଚନରେ ଉକ୍ତ ଦଳ ସେଠାରେ ମୁଖ୍ୟ ବିରୋଧୀ ସ୍ଥିତି ହାସଲ କରିଥିଲା ଯଦିଓ ପରେ ଦଳରେ ଅନେକ ଅନ୍ତର୍ଦ୍ବନ୍ଦ୍ବ ଦେଖା ଦେଇଥିଲା। କଂଗ୍ରେସର ପଞ୍ଜାବ ସମସ୍ୟା  ପୁନର୍ବାର ଦଳରେ ଗାନ୍ଧୀ ପରିବାରର ବିଫଳ ନେତୃତ୍ବକୁ ପଦାରେ ପକାଇଛି। କାରଣ ଏବେ ଦଳକୁ ବସ୍ତୁତଃ ପରିଚାଳନା କରୁଥିବା ଭାଇଭଉଣୀ ରାହୁଲ ଓ ପ୍ରିୟଙ୍କା ଅମରିନ୍ଦର ସିଂଙ୍କ ଭଳି ଅଭିଜ୍ଞ ନେତାଙ୍କ ପାଇଁ ବାଧ୍ୟତାମୂଳକ ଅବ୍ୟାହତି ସୃଷ୍ଟି କରି ଜଣେ ଅସ୍ଥିର ଚପଳମତି ନଭଜ୍ୟୋତ ସିଂ ସିଦ୍ଧୁଙ୍କୁ  ପ୍ରାଧାନ୍ୟ ଦେଲେ। ସିଦ୍ଧୁ ଯେ ମାତ୍ର ୭୨ ଦିନ ସଭାପତି ପଦରେ ରହିବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ତଥା କେତେକ ନୂତନ ନିଯୁକ୍ତି  ନେଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ତାହା  ବିଧାନସଭା ନିର୍ବାଚନର କେଇ ମାସ ଆଗରୁ  କଂଗ୍ରେସକୁ ବିଶ୍ବସନୀୟତା ସଙ୍କଟକୁ ଠେଲି  ଦେବାକୁ ବାଧ୍ୟ। ଚାଲିଥିବା ବୁଝାମଣା ଉଦ୍ୟମରେ ଏହି ସମସ୍ୟାର ସମାଧାନ ହେଲେ ବି କଂଗ୍ରେସର ନୈତିକ ସାମର୍ଥ୍ୟ ଆଉ ରହିବନାହିଁ୤ ଦଳୀୟ ହାଇକମାଣ୍ଡଙ୍କ କୃତ ଏହି ଭୁଲ କେବଳ ପଞ୍ଜାବରେ ନୁହେଁ ସମଗ୍ର ଦେଶରେ ଦଳକୁ ଆହୁରି ମ୍ରିୟମାଣ ସ୍ଥିତିକୁ ନେଇଯିବ।

କେନ୍ଦ୍ରରେ ଓ ଅନେକ ରାଜ୍ୟରେ କ୍ଷମତାରେ ଥିବା ବିଜେପି ପଛକୁ ଦ୍ବିତୀୟ ଜାତୀୟ ଦଳ ଭାବେ ପରିଚିତ କଂଗ୍ରେସ ଏବେ ମାତ୍ର ତିନୋଟି ରାଜ୍ୟରେ ଏକାକୀ ନିଜେ କ୍ଷମତାରେ ଅଛି। ପଞ୍ଜାବ ତନ୍ମଧ୍ୟରୁ ଅନ୍ୟତମ୤ ଗତ ୪ ବର୍ଷରୁ ଅଧିକ ଦିନଧରି କଂଗ୍ରେସ ପଞ୍ଜାବରେ ଶାସନ କରିଥିବା ବେଳେ  ଅନେକ ବିଶୃଙ୍ଖଳା ଦେଖା ଦେଇଥିଲା । ତ୍ରୁଟିବିଚ୍ୟୁତିକୁ ରୋକିବା  ବା ଦଳ ତଥା ଶାସନରେ ଭାରସାମ୍ୟ ରକ୍ଷା କରିବା କିମ୍ବା ନିର୍ବାଚନ ପ୍ରତିଶ୍ରୁତି ପାଳନର ଯାଞ୍ଚ କରିବା ଆଦି ଅନେକ ଦିଗକୁ ହାଇକମାଣ୍ଡ ଧ୍ୟାନ ଦେଇନଥିଲେ। ଦୀର୍ଘଦିନର ଅନ୍ତର୍ଦ୍ବନ୍ଦ୍ବ ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଇଚ୍ଛା ବିରୋଧରେ ହାଇକମାଣ୍ଡ  ସିଦ୍ଧୁଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଲେ। ତା’ପରେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଯେପରି ଅସମ୍ମାନଜନକ ପରିସ୍ଥିତିରେ ଇସ୍ତଫା ଦେଲେ ତାହା ବ୍ୟକ୍ତିଗତ ଭାବରେ ତାଙ୍କ ଅପେକ୍ଷା କଂଗ୍ରେସର ବେଶୀ କ୍ଷତିକଲା।୤ ବୁଝାମଣା ପ୍ରାର୍ଥୀଭାବେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ଚନ୍ନୀଙ୍କୁ ନିଯୁକ୍ତି ଦିଆଯିବା ସହ କ୍ୟାବିନେଟ ଗଠନ ଓ ଅନ୍ୟାନ୍ୟ ନିଯୁକ୍ତିରେ ଜଣାଗଲା ଯେ, ହାଇକମାଣ୍ଡ ସବୁ କିଛି ନିୟନ୍ତ୍ରଣ କରୁଛନ୍ତି। ତାକୁ ନେଇ ସିଦ୍ଧୁ କ୍ଷୁବ୍ଧ ହୋଇ  ନାଟକୀୟ ଢଙ୍ଗରେ ଦଳ ସଭାପତି ପଦରୁ ଇସ୍ତଫା ଦେବା ଦ୍ବାରା କଂଗ୍ରେସକୁ ସବୁଠାରୁ ବଡ ଧକ୍କା ହୋଇଛି।

ବଦନାମ ଯୁକ୍ତ ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ କରାଯିବା,ଆଡଭୋକେଟ ଜେନେରାଲଙ୍କ ସମେତ କେତେକ ଅଫିସରଙ୍କର ନିଯୁକ୍ତି ନେଇ ସିଦ୍ଧୁ ଓ ଚନ୍ନୀଙ୍କ ମଧ୍ୟ ମତଭେଦ ଦେଖାଦେଲା। ମଙ୍ଗଳବାର ଦିନ ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ କଥାବାର୍ତ୍ତା ହୋଇଥିଲେ ସୁଦ୍ଧା କିଭଳି ଭାବେ ବିବାଦର ସମାଧାନ ହେବ ତା’ଉପରେ ସବୁକିଛି ନିର୍ଭର କରୁଛି। ଏହାମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂ ଦିଲ୍ଲୀ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି। ଯଦିଓ ସେ କହିଛନ୍ତି ଯେ ସେ ବିଜେପିରେ ଯୋଗ ଦେଉନାହାନ୍ତି,ତଥାପି ସେ କଂଗ୍ରେସ ଛାଡୁଥିବା ସ୍ପଷ୍ଟ କରିଛନ୍ତି। ପଞ୍ଜାବରେ କଂଗ୍ରେସର ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଥିବା ବେଳେ  ଅମରିନ୍ଦରଙ୍କ ପରି ଯଦି ଟାଣୁଆ ନେତା ଆଗାମୀ ନିର୍ବାଚନରେ ଦଳ ବିରୋଧରେ କାମ କରିବେ ତେବେ କଂଗ୍ରେସ ପଞ୍ଜାବକୁ ହାତରେ ରଖିବା କଷ୍ଟକର।

ରାଜ୍ୟରେ ମୂଳରୁ ବିଜେପିର ସ୍ଥିତି ସନ୍ତୋଷଜନକ ନଥିଲେ ସୁଦ୍ଧା କଂଗ୍ରେସ ଗୋଟିଏ ପ୍ରଧାନ ରାଜ୍ୟକୁ ହରାଉ ତାହା ଦଳ ଚାହିଁବ। ଚାଷୀ ଆନ୍ଦୋଳନ ଯୋଗୁଁ ବିଜେପିର ଦୀର୍ଘଦିନର ଯୋଡିଦାର ଅକାଳୀ ସେଠାରୁ ଅଲଗା ହୋଇଯାଇଛି। ଅକାଳୀ ମଧ୍ୟ ରାଜ୍ୟରେ ତା’ର ପୂର୍ବସ୍ଥିତି ଫେରି ପାଇବାକୁ ଚେଷ୍ଟା କରୁଛି୤ କଂଗ୍ରେସର ସଙ୍କଟ ଉଭୟ ଆମ ଆଦମୀ ପାର୍ଟି ଓ ଅକାଳୀ ଦଳକୁ ସାହାଯ୍ୟ କରିବ। କଂଗ୍ରେସ ହାଇକମାଣ୍ଡ ଏହି ଅବସ୍ଥାରେ ନିଜ ସ୍ଥିତିକୁ ବଞ୍ଚାଇବା ପାଇଁ ପଞ୍ଜାବରେ କିପରି ବୁଝାମଣା କରିବ ଓ ତାକୁ ଲୋକେ କେତେ ଦୂର ଗ୍ରହଣ କରିବେ ତା’ ଉପରେ ଅନେକ କିଛି ନିର୍ଭର କରୁଛି୤ ପଞ୍ଜାବ ଅଘଟଣ କଂଗ୍ରେସ ହାଇକମାଣ୍ଡ ଯେ ଦୁଇ ଉତ୍ତରାଧିକାରୀ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଅଧିକ କ୍ଷତି ଆଣି ଦେଇଛି, ନେତୃତ୍ବ ଉପରେ ସେମାନଙ୍କର ନୈତିକ ଓ ରାଜନୈତିକ ଦାବି ଏବେ ଅଧିକ ପ୍ରଶ୍ନର ସମ୍ମୁଖୀନ ହେବ।

Leave A Reply

Your email address will not be published.

ବ୍ରେକିଂ