ଆଞ୍ଜେଲା ମର୍କେଲଙ୍କ ପରେ ଜର୍ମାନୀ

ଜର୍ମାନୀରେ ରାଜନୈତିକ ଅନିଶ୍ଚୟତା ସୃଷ୍ଟି ହୋଇଛି। କାରଣ ଗତ ସପ୍ତାହରେ ସେଠାରେ ଅନୁଷ୍ଠିତ ନିର୍ବାଚନରେ କୌଣସି ପକ୍ଷକୁ ସ୍ପଷ୍ଟ ବହୁମତ ମିଳିନାହିଁ। ସୋସିଆଲ ଡ୍ରେମୋକ୍ରାଟ୍‌ମାନେ (ଏସପିଡି)ଡିଭାଇସ ଚାନସେଲର ଆଞ୍ଜେଲା ମର୍କେଲ ଖ୍ରୀଷ୍ଟିଆନ ଡ୍ରେମୋକ୍ରାଟିକ ୟୁନିୟନ (ସିଡିୟୁ) ଦଳଠାରୁ  ସାମାନ୍ୟ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।  ଉଭୟ ଦଳ  ଅନ୍ୟ ଦୁଇଟି କ୍ଷୁଦ୍ର ଦଳଙ୍କୁ ନେଇ ମିଳିତ ସରକାର ଗଢିବାର ଆଶା ରଖିଛନ୍ତି। ଅନ୍ୟ ଦୁଇ ଦଳ ଗ୍ରୀନ୍ସ ଓ ଫ୍ରି ଡ୍ରେମୋକ୍ରାଟିକ ପାର୍ଟି(ଏଫଡିଟି) ଆଦର୍ଶଗତ ଦୃଷ୍ଟିରୁ ପରସ୍ପରର ବିରୋଧୀ। ଉଭୟ ଅନେକ ପ୍ରସଙ୍ଗରେ ଏକାଠି ହେବା କଷ୍ଟକର। ଏଥିରେ ଅସ୍ବାଭାବିକତା  କିଛିନାହିଁ। ବିଶ୍ବରେ ଖ୍ୟାତି ଅର୍ଜନ କରିଥିବା ମର୍କେଲ ରେକର୍ଡ ୪ଥର କ୍ଷମତାରେ ରହିବା ପରେ ଅବ୍ୟାହତି ନେବାକୁ ଘୋଷଣା କରିବାରୁ ଜର୍ମାନୀ ଏକ ସ୍ବତନ୍ତ୍ର ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଜଣାପଡୁଥିଲା।  ୟୁରୋପର ସର୍ବବୃହତ ଆର୍ଥିକ ଶକ୍ତିର ଦକ୍ଷ ଚାନସେଲର ଭାବେ ମର୍କେଲ ନିଜ ଦଳ ତଥା ଜର୍ମାନୀର ରାଜନୀତି ପାଇଁ ଏତେ ଗୁରୁତ୍ବପୂର୍ଣ୍ଣ ଥିଲେ ଯେ ତାଙ୍କର ଶୂନ୍ୟସ୍ଥାନ ପୂରଣ ହେବା ସମ୍ଭବନୁହେଁ। ଏବେ ତାଙ୍କର ଅବସର ବିଶ୍ବ ସ୍ତରରେ ଅନୁରୂପ ଜଣେ ନେତାଙ୍କର ପ୍ରୟୋଜନୀୟତା ଓ ଗ୍ରହଣୀୟତାକୁ ବିଚାରକୁ ଆଣିଛି।

 ୟୁରୋପ ଶରଣାର୍ଥୀ ସଙ୍କଟ ବ୍ରେକଜିଟ ଯୋଗୁଁ  ଅସ୍ଥିରତା ଦେଇ ଗତିକରୁଛି। ସେହି ସ୍ଥିତିରେ ମର୍କେଲ ନିଜର ସର୍ବଗ୍ରହଣୀୟ ରାଜନୀତି ଯୋଗୁଁ ୟୁରୋପର ତୁଙ୍ଗନେତାଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ । ସେ ରାଜନୈତିକ ସର୍ବସମ୍ମତି ଜରିଆରେ ତଥା ନିଷ୍ପତ୍ତିମୂଳକ ନେତୃତ୍ବ ଦ୍ବାରା ୟୁରୋପୀୟ ୟୁନିୟନର ଗୁଡିଏ ଚାଲେଞ୍ଜକୁ ମୁକାବିଲା କରିଥିଲେ । ଅବଶ୍ୟ ସାଧାରଣ ଜୀବନରେ ତାଙ୍କର ଏହି ଅଙ୍ଗୀକାର ସବୁବେଳେ ରହିଥିଲା । ମର୍କେଲ ମଧ୍ୟ ସମ୍ପ୍ରତି ମୁଣ୍ଡ ଟେକୁଥିବା ଦକ୍ଷିଣପନ୍ଥୀ ଉଗ୍ରଜାତୀୟତାବାଦକୁ ରୋକିବାକୁ ଉଦ୍ୟମ କରୁଥିଲେ।  ଏହା ଜଣାଶୁଣା ଯେ, ଉକ୍ତ ଧାରା ଏବେ କେବଳ ୟୁରୋପ ନୁହେଁ ପୃଥିବୀର ଅନେକ ଅଞ୍ଚଳକୁ ବ୍ୟାପୁଛି । ତାହା ମଧ୍ୟରେ ମର୍କେଲ ଯେ ଦୃଢତାର ସହ ଉଦାର ମୂଲ୍ୟବୋଧ ପାଇଁ ଯୁକ୍ତି କରୁଥିଲେ,ତାହା ତାଙ୍କର ଭାବମୂର୍ତ୍ତିକୁ ବଢାଇ ଦେଇଥିଲା । ତାଙ୍କର ନେତୃତ୍ବରେ ଜର୍ମାନୀ ଅନେକାଂଶରେ ଆର୍ଥିକ ଦୃଷ୍ଟିରୁ ରକ୍ଷଣଶୀଳ ରହିଥିଲା । ସେ ମଧ୍ୟ ଜଣେ ଦୃଢ ପରିବେଶ ସଂରକ୍ଷଣବାଦୀ ଥିଲେ ।

ସେ ଜର୍ମାନୀକୁ ପ୍ରାୟତଃ ଅକ୍ଷୟଶକ୍ତି  ମୁହାଁ କରାଇଥିଲେ । ଏବେ ବିଶ୍ବରେ ଜଳବାୟୁ ସମ୍ପର୍କିତ ଯେଉଁସବୁ କଠୋର ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ପଡୁଛି, ମର୍କେଲଙ୍କ ଅଧୀନରେ ଜର୍ମାନୀ ସେହି ଭିତରେ ଅନୁଗାମୀ ଥିଲା। ଉତ୍ତର ଆଫ୍ରିକାରୁ ଯେତେବେଳେ ସଂଘର୍ଷମୂଳକ ପରିସ୍ଥିତିରେ ଶରଣାର୍ଥୀମାନେ ଆଶ୍ରୟ ପାଇଁ ୟୁରୋପକୁ ପଳାଇ ଆସିଲେ ସେତେବେଳେ ମର୍କେଲ ସେମାନଙ୍କୁ ଗ୍ରହଣ କରିବା ପାଇଁ ଅଗ୍ରଣୀ ଭୂମିକା ନେଇଥିଲେ। କରୋନା ସମୟରେ କ୍ଷୁଦ୍ର ଦେଶଗୁଡ଼ିକ ବିପର୍ଯ୍ୟୟର ସମ୍ମୁଖୀନ ହେଲା ବେଳେ ସେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ  ୟୁରୋପର ଧନୀ ଦେଶ ଭାବେ ୟୁରୋପୀୟ ୟୁନିୟନର ନେତୃତ୍ବ ନେଇଥିଲେ। ମର୍କେଲଙ୍କର କାର୍ଯ୍ୟାକାଳ ବିଶ୍ବ ସମ୍ପ୍ରଦାୟର ନେତୃବୃନ୍ଦଙ୍କ ପକ୍ଷରେ ଏକ ଶିକ୍ଷଣୀୟ ବିଷୟ। ଅନେକ ଦିଗରୁ ପୃଥିବୀ ଏବେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛି ସେଥିରେ ଦାୟିତ୍ବବାନ ମର୍କେଲ ଅନୁକରଣୀୟ। ଜର୍ମାନୀର ଗୁରୁତ୍ବ ବୃଦ୍ଧି଄ ସାଙ୍ଗକୁ ୟୁରୋପୀୟ ୟୁନିୟନର ସଭ୍ୟ ରାଷ୍ଟ୍ରଗୁଡିକୁ ତଥା  ଅନ୍ୟାନ୍ୟ ଦେଶଗୁଡିକୁ ତାଙ୍କ ସରକାରର ସାହାଯ୍ୟ ବ୍ୟକ୍ତିଗତ ଭାବେ ମର୍କେଲରଙ୍କର ତଥା ଜର୍ମାନୀର ସମ୍ମାନ ବଢାଇଛି। ବୋଧହୁଏ ସେ ରାଜନୈତିକ ଅବ୍ୟାହତି ନନେଇଥିଲେ ଦେଶର ଭୋଟ ଫଳାଫଳ ଅସ୍ପଷ୍ଟ ହୋଇନଥାନ୍ତା। ନିଜେ ଓହରିଯିବା ଘୋଷଣା କରି ମର୍କେଲ ହୁଏତ ଏକ ଆଦର୍ଶ ସୃଷ୍ଟି କରିଛନ୍ତି ଯାହା କ୍ଷମତାଶାଳୀ ଖୁବକମ ନେତା କରିବାକୁ ଇଚ୍ଛା ପ୍ରକାଶ କରିବେ।

ମର୍କେଲଙ୍କର ଅବସର ସମେତ ଏକ ସଙ୍କଟମୂଳକ ସମୟରେ ଜର୍ମାନୀ ଗତ ସେପ୍ଟେମ୍ବର ୨୬ ତାରିଖରେ ନିର୍ବାଚନକୁ ଗଲା। ଏହି କାରଣରୁ ଏଥର ଭୋଟ ସମ୍ପୂର୍ଣ୍ଣ ବଳ କଷାକଷି ମଧ୍ୟରେ ହୋଇଥିଲା। କରୋନା ଓ ତତ୍‌ଜନିତ ଅର୍ଥନୈତିକ  ନିମ୍ନଗତିର ପ୍ରଭାବ ଦେଶର ୬ କୋଟି ଭୋଟରଙ୍କ ମନକୁ ଆନ୍ଦୋଳିତ କରୁଥିଲା ଯେଉଁମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଭୋଟ ଦାନରେ ଭାଗ ନେଇଥିଲେ। ଗତ ଜୁଲାଇରେ ଜର୍ମାନୀ ବନ୍ୟା ଜଳବାୟୁ ପରିବର୍ତ୍ତନର ଉଗ୍ରଭାବକୁ ଆହୁରି ସ୍ପଷ୍ଟ କରିଥିଲା। ତାହା ମଧ୍ୟ ଭୋଟରମାନଙ୍କ ବିଚାରକୁ ପ୍ରଭାବିତ କରିଥିବା ନିଶ୍ଚିତ।

ନୂଆ ସରକାରରେ କ୍ଷୁଦ୍ରଦଳଗୁଡିକ ଭାଗ  ନେବାକୁ ଯାଉଥିବାରୁ ଜର୍ମାନୀ ଜଳବାୟୁ ପରିବେଶକୁ ଅଧିକ ଗୁରୁତ୍ବ ଦେବା ନିଶ୍ଚିତ। ସେ କ୍ଷେତ୍ରରେ ଭାରତ ଓ ଅନ୍ୟ ଦେଶଗୁଡିକୁ ଜର୍ମାନୀ ଜଳବାୟୁ ପରିବର୍ତ୍ତନ ସମସ୍ୟା କ୍ଷେତ୍ରରେ ଅଧିକ ସକ୍ରିୟ କରିବାକୁ ଚାହିଁବ। ଜର୍ମାନୀ ନିର୍ବାଚନର ଫଳାଫଳକୁ  ଦେଖି ଭାରତ ନୂଆ ସରକାର ନେତୃତ୍ବରେ ଜର୍ମାନୀ ସହ ସହଯୋଗ ବଢାଇବା ଉଚିତ। ଅକ୍ଷୟ ଶକ୍ତି ବିକାଶରେ ବୈଷୟିକ କୌଶଳ ହସ୍ତାନ୍ତର ପାଇଁ ଭାରତ ଜର୍ମାନୀର ସାହାଯ୍ୟ ନେଇପାରିବ୤ ବିଦ୍ୟୁତ ଚାଳିତ ଯାନବାହନକୁ ଏଥିରେ ସାମିଲ କରାଯିବା ଉଚିତ। ଜର୍ମାନୀର ଗବେଷଣା କେନ୍ଦ୍ରଗୁଡିକ ଯଦି ସୌରଶକ୍ତି ଉତ୍ପାଦନ ପାଇଁ ସୋଲାର  ଚାନେଲଗୁଡିକର  ଦକ୍ଷତା ବୃଦ୍ଧି ଲାଗି କାମ କରୁଛନ୍ତି ତେବେ ସେହି ପରିପ୍ରେକ୍ଷୀରେ ଜର୍ମାନୀ ଭାରତରେ ଛାତ ଉପର ସୌର ବିଦ୍ୟୁତ ଉତ୍ପାଦନ ଓ ଗ୍ରୀଡ଼ଗୁଡ଼ିକର ଅକ୍ଷୟଶକ୍ତି ଉପଯୋଗୀକରଣ ସକାଶେ  ଭାରତରେ ଅଧିକ ପ୍ରକଳ୍ପ କରିପାରିବ। 

ଦୁଃଖର ବିଷୟ  ଯେ, ସମ୍ଭାବନା ଥିବା ସତ୍ତ୍ବେ ଦ୍ବିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିବିନିଯୋଗ ବଢୁନାହିଁ୤ ୨୦୦୦ ଏପ୍ରିଲରୁ ଭାରତକୁ ଯେଉଁ ୫୩୦ ବିଲିୟନ  ଡଲାର ବିଦେଶୀ ପୁଞ୍ଜି ବିନିଯୋଗ ଆକାରରେ ଆସିଛି ସେଥିରେ ଜର୍ମାନୀର ଅଂଶ ମାତ୍ର ୧୪ ବିଲିୟନ ଡଲାର। ଅନ୍ୟଦେଶରେ ପୁଞ୍ଜିବିନିଯୋଗ କ୍ଷେତ୍ରରେ ଜର୍ମାନୀ ଯଦିଓ ଆମେରିକା, ଚୀନ ଓ ଜାପାନ ସହ ସମାନ ସ୍ଥିତିରେ ରହିଛି ତଥାପି ଭାରତ ସେଥିରେ ବିଶେଷ ଲାଭବାନ ହୋଇନାହିଁ। ଭାରତରେ ଥିବା ପ୍ରାୟ ୨ ହଜାର ଜର୍ମାନ କମ୍ପାନୀ ଏଠାରେ  ନିଜର ଉପସ୍ଥ଄ତିକୁ ବଢାଇବା ଉଚିତ। ଦୁଇଦେଶ ମଧ୍ୟରେ ବାର୍ଷିକ ବାଣିଜ୍ୟ  କାରବାର ୨୦ ବିଲିୟନ ଡଲାର  କରାଯାଇପାରିବ। ଭାରତ ଯଥାଶୀଘ୍ର ଜର୍ମାନୀର ନୂଆ ନେତୃତ୍ବ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ଦରକାର। କାରଣ ଜର୍ମାନୀ କେବଳ ଯେ ୟୁରୋପୀୟ ୟୁନିୟନର  ପ୍ରବେଶ ପଥ ନୁହେଁ ଚୀନ ସହ ଭାରତର ବୃହତ୍ତର ସାମରିକ ମୁକାବିଲାରେ ଏହାକୁ ଶକ୍ତିଶାଳୀ ସହଯୋଗୀଭାବେ ନିଆଯାଇପାରିବ।

Leave A Reply

Your email address will not be published.

ବ୍ରେକିଂ