ସନ୍ତୋଷଜନକ ଟିକସ ସଂଗ୍ରହରୁ ଆଶା

ଦେଶରେ ଟିକସ ସଂଗ୍ରହ ସନ୍ତୋଷଜନକ ଧାରାରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କର ମୋଟ ଟିକସ ଆୟ ବଢୁଥିବାରୁ ଆଶା ଦେଖାଦେଇଛି ଯେ,ସରକାର ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ବିଭିନ୍ନ ବିଭାଗର  ଖର୍ଚ୍ଚ ବୃଦ୍ଧିକରି ଅର୍ଥନୀତିକୁ ଅଧିକ ସକ୍ରିୟ କରିବେ। ୨୦୨୧-୨୨ର ପ୍ରଥମ ୫ମାସ ଅଥଚ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ କେନ୍ଦ୍ର ସରକାରଙ୍କର ମୋଟ ଟିକସ ସଂଗ୍ରହ ବଜେଟରେ ରହିଥିବା ଲକ୍ଷ୍ୟର ୪୦ ପ୍ରତିଶତକୁ ଛୁଇଁଛି। କଣ୍ଟ୍ରୋଲର ଅଫ ଜେନେରାଲ ଆକାଉଣ୍ଟଙ୍କ ପକ୍ଷରୁ ପ୍ରକାଶିତ ଏହି ତଥ୍ୟରୁ ଦେଖାଯାଉଛି ଯେ,ପୂର୍ବର ରାଜସ୍ବ ସଂଗ୍ରହ ଧାରାକୁ ଏହି ଆୟ ଟପିଯାଇଛି । କିନ୍ତୁ କରୋନା ଜନିତ କାରଣରୁ ସରକାର ଏପର୍ଯ୍ୟନ୍ତ ଖର୍ଚ୍ଚ କ୍ଷେତ୍ରରେ ସଂଯତ ରହିଛନ୍ତି୤ ଆୟ ବଢୁଥିବାରୁ ଏହି ସ୍ଥିତି ନିଶ୍ଚିତ ଭାବେ ବଦଳିବ ବୋଲି ଆଶା।ସରକାର ଖର୍ଚ୍ଚ କ୍ଷେତ୍ରରେ ରଖିଥିବା କଟକଣାକୁ ଏବେ ଉଠାଇ ଦେଇ ଭିତ୍ତିଭୂମି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ଅର୍ଥ ଖର୍ଚ୍ଚ କରିବା ଉଚିତ।

ରାଜସ୍ବ ଆୟ କ୍ଷେତ୍ରରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସଂଗ୍ରହ ଉତ୍ସାହଜନକ ଭାବେ ବଢିଛି। ମୋଟ ଟିକସ ସଂଗ୍ରହରେ ପରୋକ୍ଷ ଟିକସ ଆୟର  ଅଂଶ ବେଶୀ୤ ସାମଗ୍ରୀ ଓ ସେବାକର (ଜିଏସଟି), କଷ୍ଟମ୍ସ ଓ ଅବକାରୀ ଶୁଳ୍କ ଆୟର ବୃଦ୍ଧି ଏକ ସୁସ୍ଥ ଧାରା ଦେଖାଇଛି। ଅବଶ୍ୟ ଚିନ୍ତାର କାରଣ ମଧ୍ୟ ରହୁଛି । ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବାବଦ ଆୟ ସନ୍ତୋଷଜନକ ନୁହେଁ। ସେ ବାବଦରେ ଚଳିତ ବର୍ଷ ୧.୭୫ ଲକ୍ଷ କୋଟି ଟଙ୍କା ମିଳିବାର ଲକ୍ଷ୍ୟ ଥିଲା। କିନ୍ତୁ ଏଯାଏଁ ମାତ୍ର ୮୩୬୯କୋଟି ଟଙ୍କା ଆଦାୟ ହୋଇଛି। ଏୟାରଇଣ୍ଡିଆ ବିକ୍ରି  ନିଷ୍ପତ୍ତିର ଫଳାଫଳ ଜଣାପଡିନାହିଁ। ଅନ୍ୟାନ୍ୟ ସରକାରୀ ଉଦ୍ୟୋଗ ସମ୍ପର୍କରେ ନିଷ୍ପତ୍ତି ଅଧାବାଟରେ ଅଟକିଛି  ବା ଆଗେଇନାହିଁ। ସରକାର ନିକଟରେ ଟେଲିକମ ଉଦ୍ୟୋଗ ପାଇଁ ଯେଉଁ ସହାୟତା ଘୋଷଣା କରିଛନ୍ତି ତା’ର ପ୍ରତିକୂଳ ପ୍ରଭାବ ପଡିପାରେ। ଟେଲିକମ କମ୍ପାନୀଗୁଡିକୁ ସେମାନଙ୍କର ଦେୟ  ପୈଠ କରିବାରେ ମହଲତ ଦେବା ନିଷ୍ପତ୍ତି ହୁଏତ ସେହି ଉଦ୍ୟୋଗର ଆର୍ଥିକ ସ୍ବାର୍ଥ ପାଇଁ  ଆବଶ୍ୟକ ଥିଲା। କିନ୍ତୁ ତଦ୍ଦ୍ବାରା ସରକାରଙ୍କର ଅଣଟିକସ ରାଜସ୍ବ ଆୟ ପ୍ରଭାବିତ ହେବ। ସରକାର ଅନ୍ୟ ଯୋଗାଯୋଗ ସେବାଗୁଡିକରୁ ୫୪ ହଜାର କୋଟି ଟଙ୍କା ପାଇବେ ବୋଲି ଆଶା ରଖିଥିଲେ। ପ୍ରକୃତ ଆୟ କମିଯାଇପାରେ। ଏବର୍ଷର ଖର୍ଚ୍ଚକୁ ଦେଖିଲେ ପ୍ରଥମ ୫ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ବ୍ୟୟ ବିଶେଷ ନଥିଲା।

ଗତବର୍ଷ ତୁଳନାରେ ଏହା ମାତ୍ର ୨ ପ୍ରତିଶତ ଅଧିକ ଥିଲା ।  ୨୦୧୯-୨୦ ତୁଳନାରେ  ଅଣସୁଧ ରାଜସ୍ବ ଖର୍ଚ୍ଚ ମାତ୍ର ୦.୮ ପ୍ରତିଶତ ଅଧିକ ଥିଲା। ଅବଶ୍ୟ ଗତ ଅଗଷ୍ଟରେ ସରକାରୀ ଖର୍ଚ୍ଚ  ବେଶ ବଢିଛି। ଉଭୟ  ରାଜସ୍ବ ଓ ପୁଞ୍ଜି ଖର୍ଚ୍ଚ ବୃଦ୍ଧିରେ ଏହା ୪୦ ପ୍ରତିଶତ ହୋଇଛି। ଟିକସ ସଂଗ୍ରହରେ ଉତ୍ସାହଜନକ ଧାରା ଅର୍ଥନୀତି ସମ୍ପର୍କରେ  ରହି ଆସିଥିବା ନିରାଶକୁ ଦୂର କରିବ। ଟିକସ ଅଧିକ ମିଳିବାର ଅର୍ଥ ଆର୍ଥିକ କ୍ଷେତ୍ର ସୁସ୍ଥ ହେଉଛି। ତଥାପି ଅନ୍ୟାନ୍ୟ  ଅନେକ ପ୍ରଶ୍ନ ରହୁଛି।  ୮ମାସ ପାଇଁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ଯୋଗୁଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ସାର ସବସିଡରେ ଆଉ ୧୫ ହଜାର  କୋଟି ଟଙ୍କା ଖର୍ଚ୍ଚ ହେବ। ରପ୍ତାନୀ ପ୍ରୋତ୍ସାହନ ବାବଦରେ ବାକି ଥିବା ୫୬ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ଅବଶ୍ୟ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧ ପାଇଁ ସରକାରଙ୍କର ଋଣ କାର୍ଯ୍ୟକ୍ରମରୁ ଜଣାପଡୁଛି ଯେ, ସରକାର ବଜେଟରେ ଯେତିକି ବିତ୍ତୀୟ ନିଅଣ୍ଟ ଅନୁମାନ କରିଥିଲେ ପ୍ରକୃତରେ ତାହା କମ ହେବ। ତା’ର ଅର୍ଥ ବର୍ଷର  ଦ୍ବିତୀୟାର୍ଦ୍ଧରେ ରାଜସ୍ବ ସଂଗ୍ରହର ସନ୍ତୋଷଜନକ ସ୍ଥିତିକୁ ଦେଖି  ସରକାର ଏହି ଅନୁମାନ ବଦଳାଇଲେଣି।

ଏବେ  ଟିକସ ସଂଗ୍ରହ ଯେଉଁ ଆଶ୍ବସ୍ତି ଆଣି ଦେଇଛି ତାକୁ ଆଧାର କରି ସରକାର ଅନ୍ୟାନ୍ୟ ଆୟ କାର୍ଯ୍ୟକ୍ରମକୁ ଆଗେଇ ନେବା ଉଚିତ। ପୁଞ୍ଜି ପ୍ରତ୍ୟାହାରକୁ ତ୍ବରାନ୍ବିତ କରାଯିବା ଦରକାର । ଯେହେତୁ ଏହା ଘୋଷିତ କାର୍ଯ୍ୟକ୍ରମ ସ୍ବଚ୍ଛତାର ସହ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଗଲେ ଗୋଟିଏ ପଟେ ବିବାଦକୁ ଏଡାଇ ହେବ ଓ ଅନ୍ୟପଟେ ଅର୍ଥ ମିଳିପାରିବ। ସେହିପରି ଅଣଟିକସ ରାଜସ୍ବକୁ ମଧ୍ୟ ଗୁରୁତ୍ବ ଦିଆଯିବା ଉଚିତ। ସେ ଦୁଇଟି କ୍ଷେତ୍ରର ସଫଳତା ଉପରେ ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟର ଅଭିବୃଦ୍ଧି ନିର୍ଭର କରୁଛି।  ପ୍ରଥମ କଥା ହେଲା ଟିକସ ଆୟ ବଢୁଥିବାରୁ ସରକାରୀ ବ୍ୟୟକୁ ଗୁରୁତ୍ବ ଦିଆଯିବା ଉଚିତ। ଯେଉଁ କ୍ଷେତ୍ରରେ ଖର୍ଚ୍ଚ କଲେ ସର୍ବାଧିକ ଉପକାର ମିଳିବ ସେସବୁକୁ ଅଗ୍ରାଧିକାର ଦିଆଯିବା ଲୋଡା।  ଅର୍ଥନୀତିକୁ  ଯେଉଁସବୁ ସହାୟତା ଦରକାର ତାହା ମଧ୍ୟ ଆଗାମୀ ମାସ ଗୁଡ଼ିକରେ ଘୋଷଣା କରାଯିବା ଉଚିତ୤ କରୋନା ତୃତୀୟ ଲହରର ଆଶଙ୍କା ସତ୍ତ୍ବେ ସଂକ୍ରମଣ କମିଥିବାରୁ ପ୍ରାୟ ଦେଢବର୍ଷରୁ ଅଧିକ ସମୟ ଧରି ବିପର୍ଯ୍ୟସ୍ତ ଭାରତୀୟ ଅର୍ଥନୀତିକୁ ସ୍ବାଭାବିକ ସମୟ ଅପେକ୍ଷା ଅଧିକ ସକ୍ରିୟ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରକାର ପ୍ରାକ୍‌-କରୋନା ସ୍ଥିତିରେ ପହଞ୍ଚିବା ପାଇଁ ଉଦ୍ୟମ କରିବା ଠିକ ହେବ୤ କେବଳ କେନ୍ଦ୍ର  ନୁହେଁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟିକସ ସଂଗ୍ରହରେ ସନ୍ତୋଷଜନକ ସ୍ଥିତି ଦେଖାଦେଇଛି, ଦେଖିବାକୁ ଗଲେ ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା  ଓଡ଼ିଶା ସ୍ଥିତି ଅଧିକ ଉତ୍ସାହଜନକ ।  ତେଣୁ କେନ୍ଦ୍ର ସମେତ ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟ ବି ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ମାସଗୁଡ଼ିକରେ ସରକାରୀ ଖର୍ଚ୍ଚ ବଢାଇ ବିକାଶକୁ ତ୍ବରାନ୍ବିତ କରନ୍ତୁ।

Leave A Reply

Your email address will not be published.

ବ୍ରେକିଂ