ପାଣ୍ଡୋରା ବାକ୍ସର ରହସ୍ୟ

ପାଞ୍ଚ ବର୍ଷତଳେ ପାନାମା ପେପର୍ସ ବିବାଦ ଆନ୍ତର୍ଜାତିକ ସ୍ତରରେ ଆଲୋଡନ ସୃଷ୍ଟି କରିବା ପରେ  ଏବେ ଇଣ୍ଟରନ୍ୟାସନାଲ କନ୍‌ସୋର୍ଟିୟମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟ (ଆଇସିଆଇଜେ )ପାଣ୍ଡୋରା ପେପର୍ସ  ନାମରେ  ଆଉ କିଛି  ତଥ୍ୟ ଓ ଦସ୍ତାବିଜ ପ୍ରକାଶ କରି କଳାଧନ ଜମା ସମ୍ପର୍କିତ ବିସ୍ଫୋରକ ବିଷୟ ସାଧାରଣ ଆଲୋଚନାକୁ ଆଣିଛି । ଏଥିରେ ପ୍ରକାଶିତ ଆର୍ଥିକ ଦଲିଲଗୁଡିକରୁ ଦେଖାଯାଇଛି ଯେ କିପରି ଶହ ଶହ ବିଶ୍ବ ନେତା, ପ୍ରଭାବଶାଳୀ ରାଜନୀତିଜ୍ଞ, ବିଲିଅନେୟାର, ସେଲିବ୍ରିଟି, ବିଶିଷ୍ଟ ଧର୍ମଗୁରୁମାନେ ବିଦେଶରେ ଲୁଚାଇ କରି ପ୍ରଚୁର ଅର୍ଥ ରଖିଛନ୍ତି । ସେମାନେ ବଡ ବଡ ପ୍ରାସାଦ, ସମୁଦ୍ରକୂଳରେ ଅତ୍ୟନ୍ତ ବିଳାସପୂର୍ଣ୍ଣ ବଙ୍ଗଳା, ଭ୍ରମଣ ଲାଗି ଅତ୍ୟନ୍ତ ସୌଖିନ ବ୍ୟବସ୍ଥା ଥିବା  କ୍ଷୁଦ୍ର ପୋତ ଆଦି ଖର୍ଦ୍ଦିରେ ଗତ ୨୫ ବର୍ଷ ଧରି ବିପୁଳ ଅର୍ଥ ବିନିଯୋଗ କରିଛନ୍ତି ବୋଲି ମିଳିଥିବା କାଗଜପତ୍ରରୁ ଜଣାପଡିଛି୤ ବିଭିନ୍ନ ଦେଶରେ ୧୪ଟି ସଂସ୍ଥାର ପ୍ରାୟ ୧୨ ନିୟୁତ ଫାଇଲର ସମୀକ୍ଷା କରି ଆଇସିଆଇଜେ ଉପରୋକ୍ତ ନିର୍ଣ୍ଣୟରେ ପହଞ୍ଚିଛି।

ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଗୁପ୍ତ ସମ୍ପତ୍ତି ଏବେ ଆନ୍ତର୍ଜାତିକ ବ୍ୟାଙ୍କର ପରିସରକୁ ଆସିଛି ସେମାନଙ୍କ ମଧ୍ୟରେ ଜୋର୍ଡାନର ରାଜା ଅବଦୁଲ୍ଲା, ଚେକୋସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ ବାଭିଜ, ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସହଯୋଗୀମାନେ  ଅଛନ୍ତି। ଭାରତର ଅତି ଧନୀକ ବ୍ୟକ୍ତିମାନେ ମଧ୍ୟ ଏଥିରେ ରହିଛନ୍ତି ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆଇନଗତ ପନ୍ଥାରେ ଏହି ଅର୍ଥ ଉପାର୍ଜନ କରିଥିବାର କିଞ୍ଚିତ ପ୍ରମାଣ ନାହିଁ । ପାଣ୍ଡୋରା ପେପର୍ସରେ କୁହାଯାଇଛି ଯେ ୩୦୦ରୁ ଊର୍ଦ୍ଧ୍ବ ଭାରତୀୟ ବିଦେଶରେ ଏପରି ସମ୍ପତ୍ତି ସୃଷ୍ଟି କରିଛନ୍ତି।

ସମଗ୍ର ପୃଥିବୀରେ କଳାଧନ ସବୁବେଳେ ଏକ ବଡ ସମସ୍ୟା ହୋଇ ରହିଆସିଛି। ବେଆଇନ ପନ୍ଥାରେ ଅର୍ଥ ଆୟ ଏବଂ ସରକାରଙ୍କୁ ଟିକସ ଫାଙ୍କି ସେ ବାବଦ ଅର୍ଥକୁ ଲୁଚାଇ ରଖିବା ଅଭିଯୋଗ ଭାରତ ସମେତ ଅଧିକାଂଶ ଦେଶରେ ସର୍ବଦା ହୋଇଆସିଛି। ଯେଉଁ ଦେଶରେ ଗଣତନ୍ତ୍ର ଓ ଆଇନର ଶାସନ ସୁଦୃଢ ସେଠାରେ ଏହି ସମସ୍ୟା କମ। ଭାରତ ପରି ଗଣତାନ୍ତ୍ରିକ ତଥା ସମ୍ବିଧାନ ଦ୍ବାରା ଚାଳିତ ଦେଶ ସମ୍ପର୍କରେ ଯଦି ପାଣ୍ଡୋରା ପେପର୍ସରେ  ବା ତା’ପୂର୍ବରୁ ପ୍ରକାଶ ପାଇଥିବା ଅନୁରୂପ ପର୍ଦ୍ଦାଫାସରେ ବିଦେଶରେ ବେଆଇନ ଅର୍ଥ ଜମା ଓ ସମ୍ପତ୍ତି ସୃଷ୍ଟି ଅଭିଯୋଗ ରହିଲା ତେବେ ସହଜରେ ବୁଝି ହେବ ଯେ, ଭାରତୀୟ ବ୍ୟବସ୍ଥା ଦୁର୍ବଳ। ପାଣ୍ଡୋରା ପେପର୍ସ ଆଗରୁ ପାନାମା ପେପର୍ସ ଓ ପାରାଡାଇଜ ପେପର୍ସରେ ଅନୁରୂପ ତଥ୍ୟ ସବୁ ପ୍ରକାଶ ପାଇଥିଲା। ତଦ୍ଦ୍ବାରା ସମ୍ପୃକ୍ତ ସରକାର ସବୁ ନିୟାମକ ବ୍ୟବସ୍ଥାକୁ କଡାକଡି କରିବାକୁ ବାଧ୍ୟ ହୋଇଥିଲେ।

ଟିକସ ଏଡାଇବା ଓ ଟିକସକୁ ଫାଙ୍କିବା ମଧ୍ୟରେ ଫରକ ଥିଲେ ବି ଉଭୟ କ୍ଷେତ୍ରରେ ସରକାର କ୍ଷତିଗ୍ରସ୍ତ ହୁଅନ୍ତି । ବିଦେଶରେ ଯେଉଁମାନେ ଟିକସ ଫାଙ୍କି ଅର୍ଥ ଜମା କରି ରଖିବା ଲାଗି ସଂସ୍ଥା ସବୁ ସୃଷ୍ଟି କରିଛନ୍ତି ସେଗୁଡିକ ଅର୍ଥ ଚାଲାଣ ଓ ଚୋରା ସମ୍ପତ୍ତି ସୃଷ୍ଟିର ବେଆଇନ ମାଧ୍ୟମ । ଜଣାପଡିଛି ଯେ,ଯେଉଁ ବ୍ୟବସାୟୀମାନେ ଋଣ ଆଦାୟ ଟ୍ରିବ୍ୟୁନାଲ ଆଗରେ ନିଜକୁ ଦେବାଳିଆ ଘୋଷଣା କରିଛନ୍ତି ସେମାନେ ବିଦେଶରେ ବେନାମୀ ସଂସ୍ଥାରେ ପ୍ରଚୁର ଅର୍ଥ ଗଚ୍ଛିତ ରଖିଛନ୍ତି। ଭାରତରେ ସରକାରୀ ଅଫିସରମାନେ ବି ସ୍ବିସ୍‌ ବ୍ୟାଙ୍କ ଆଦିରେ ଅର୍ଥ ଜମାକରି ରଖିଛନ୍ତି। ଜଣେ ପୂର୍ବତନ ଆୟକର ମୁଖ୍ୟ କମିଶନରଙ୍କ ବିରୋଧରେ ଏହି ଅଭିଯୋଗ ପ୍ରକାଶ ପାଇଛି୤ କେତେକ ବ୍ୟବସାୟୀ ବିଦେଶରେ ଟ୍ରଷ୍ଟ ପ୍ରତିଷ୍ଠା କରି  ତା’ନାମରେ ସମସ୍ତ ଆଇନଗତ ସୁରକ୍ଷା ସହ ଅର୍ଥ ଓ ସମ୍ପତ୍ତି ଜମା କରିଛନ୍ତି। ସେମାନଙ୍କୁ ଋଣ ଦେଇଥିବା ବ୍ୟାଙ୍କ ଓ ସଂସ୍ଥାଗୁଡିକ ଯେପରି ଏଥିରୁ ନିଜ ଅର୍ଥ ଆଦାୟ କରିପାରିବେନାହିଁ  ତା’ର ବ୍ୟବସ୍ଥା କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଏପରି ଅନେକ ବ୍ୟକ୍ତି ଭାରତରେ ଅନୁସନ୍ଧାନକାରୀ ସଂସ୍ଥାଗୁଡିକ ନଜରରେ ଅଛନ୍ତି।

ସେପରି କେତେକ ବ୍ୟକ୍ତି ଜେଲରେ ଥିବା ବେଳେ କେତେକ ଜାମିନରେ ଯାଇଛନ୍ତି। ଏବେକାର ଖବର ପ୍ରକାଶ ପାଇବା ପରେ ଭାରତରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବିଭିନ୍ନ ସଂସ୍ଥାକୁ ଲଗାଇ ଏଗୁଡିକର ତଦନ୍ତ କରାଯିବ ବୋଲି ଘୋଷଣା କରିଛି ଏହା ସ୍ବାଗତଯୋଗ୍ୟ। କିନ୍ତୁ ଏଥିରେ  ସମସ୍ୟା ହେଲା ବିତ୍ତଶାଳୀ ଓ ପ୍ରଭାବଶାଳୀଙ୍କ ପାଖରେ ସବୁ କାର୍ଯ୍ୟାନୁଷ୍ଠାନକୁ ଏଡାଇବାର ସାମର୍ଥ୍ୟ ରହିଛି। ସାଧାରଣ ଲୋକେ ନିଜ ଟିକସ ଠିକ ଭାବରେ ପୈଠ କରନ୍ତି । ସେମାନଙ୍କୁ ଅନେକ ସମୟରେ ଅଧିକ ଟିକସ ଦେବାକୁ ପଡ଼େ ଓ ସେ ସମ୍ପର୍କରେ ସେମାନଙ୍କର ପ୍ରତିବାଦ କେହି ଶୁଣନ୍ତିନାହିଁ। କିନ୍ତୁ ସମ୍ଭ୍ରାନ୍ତଙ୍କ ପାଇଁ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ପାଣ୍ଡୋରା ପେପର୍ସ  କରୋନା ସଙ୍କଟ ସମୟରେ ବାହାରିଛି। ମହାମାରୀ ପୃଥିବୀରେ ବହୁ ମୂଲ୍ୟବାନ ଜୀବନ ନେଇଛି ସେତିକି ନୁହେଁ ତାରତମ୍ୟକୁ ବଢାଇ ଦେଇଛି।

ଆନ୍ତର୍ଜାତିକ ବଦାନ୍ୟ ସଂସ୍ଥା  ଅକ୍ସଫୋର୍ଡ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ,ପୃଥିବୀର ସବୁଠାରୁ ଧନୀ ଏକହଜାର ବ୍ୟକ୍ତି ସେମାନଙ୍କର କରୋନା ଜନିତ ଆର୍ଥିକ କ୍ଷତିକୁ ମାତ୍ର ୯ମାସ ମଧ୍ୟରେ ଭରଣା କରିଦେଇଛନ୍ତି। ଅଥଚ ବିଶ୍ବର ଦରିଦ୍ରତମ ଲୋକମାନଙ୍କୁ କରୋନାର ଆର୍ଥିକ କୁପ୍ରଭାବରୁ  ମୁକୁଳିବା ପାଇଁ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଲାଗିଯିବ। ଅସମାନତାର ଭୂତାଣୁ  ଭାରତକୁ ଅଧିକ କ୍ଷତି ପହଞ୍ଚାଇଛି। ଗତବର୍ଷର ଲକଡାଉନ ବେଳେ ଭାରତୀୟ ବିଲିଅନେୟାରମାନେ  ସେମାନଙ୍କର  ସମ୍ପତ୍ତି କୁଆଡେ ୩୫ ପ୍ରତିଶତ ବଢାଇଛନ୍ତି। ସମ୍ଭ୍ରାନ୍ତ ଧନୀକ ଲୋକେ ଭାରତ ପରି ବିକାଶଶୀଳ  ଦେଶଗୁଡ଼ିକରେ ସରକାରଙ୍କ ପାଇଁ ଆବଶ୍ୟକ ଥିବା ଟିକସ ଆୟକୁ  ଫାଙ୍କୁଥିବା ଦେଖାଯାଉଛି।  କିନ୍ତୁ ଏସବୁ ଦେଶରେ ଏହି ଅର୍ଥ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ,ଭିତ୍ତିଭୂମି ବିକାଶ,ସମାଜ କଲ୍ୟାଣ ଯୋଜନା ଓ ପରିବେଶ ସୁରକ୍ଷା ଆଦିରେ ଆବଶ୍ୟକ। ତେଣୁ ପାଣ୍ଡୋରା ପେପର୍ସ ଆଧାରରେ ସମ୍ପୃକ୍ତ ସବୁ ସରକାର ବିଧିବଦ୍ଧ ତଦନ୍ତ କରି ଏପରି ଆଇନ ଉଲ୍ଲଘଂନକାରୀମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ କରିବା ଉଚିତ।  ଉପରୋକ୍ତ ପ୍ରସଙ୍ଗରେ ମିଳିତ କାର୍ଯ୍ୟାନୁଷ୍ଠାନ ହିଁ  ନିବାରଣ ମୂଳକ ପ୍ରଭାବ ସୃଷ୍ଟି କରିପାରିବ।Odisha News, Latest Odia News, Breaking News Odisha, Top Headlines

 

Leave A Reply

Your email address will not be published.

ବ୍ରେକିଂ