ଅଯୌକ୍ତିକ ଆଦେଶରୁ ମୁକ୍ତି  

୧୯୫୪ର ସ୍ୱତନ୍ତ୍ର ବିବାହ ଆଇନରେ ରହିଥିବା ଏକ ଅଯୌକ୍ତିକ ସର୍ତ୍ତକୁ ଉଠାଇ ଦେଇ ଆହ୍ଲାବାଦ ହାଇକୋର୍ଟ ବ୍ୟକ୍ତିଗତ ସ୍ୱାଧୀନତା ପ୍ରସଙ୍ଗରେ ଏକ ଉଦାରବାଦୀ  ସମୟୋଚିତ ରାୟ ଦେଇଛନ୍ତି । ଏହି ଆଇନରେ ରହିଥିବା ଏକ ବାଧ୍ୟତାମୂଳକ ଆବଶ୍ୟକତାକୁ  କୋର୍ଟ ଇଚ୍ଛାଧୀନ ପରିଚୟ ଦେଇଛନ୍ତି । ଆଇନର ୫ ଧାରାରେ ରହିଥିଲା ଯେ,ଉକ୍ତ  ଆଇନ ଅନୁସାରେ ବିବାହ କରିବାକୁ ଇଚ୍ଛୁକ ଦମ୍ପତି ୩୦ ଦିନିଆ  ଆଗୁଆ ସାଧାରଣ ନୋଟିସ ଦେବାକୁ ପଡ଼ିବ । ଯେଉଁଥିରେ ଯୋଡିକୁ ବିରୋଧ କରୁଥିବା ଯେକୌଣସି ବ୍ୟକ୍ତି ଯାହା କିଛି ଆପତ୍ତି ଉଠାଇ ପାରିବେ । ଏହି ସର୍ତ୍ତ ଦମ୍ପତିଙ୍କର ସ୍ୱାଧୀନତା ଓ ଗୋପନୀୟତାକୁ  ଉଲ୍ଲଘଂନ କରୁଛି ବୋଲି କୋର୍ଟ ଦର୍ଶାଇଛନ୍ତି । ଏହାକୁ ବାଧ୍ୟତାମୂଳକ ଆଇନଗତ ଆବଶ୍ୟକତା ଭାବେ ଦର୍ଶାଗଲେ ତଦ୍ୱରା ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ । କିନ୍ତୁ ଏହି ସର୍ତ୍ତକୁ ଇଚ୍ଛାଧୀନ  ବୋଲି ବାଖ୍ୟା କରାଗଲେ  ଏବେକାର ଆଇନରୁ ଏହାକୁ ହଟାଯିବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି । ପ୍ରଚଳିତ ଆଇନକୁ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିମାନେ ବିଶେଷ ଭାବେ ଏବେ ଧର୍ମ, ସମ୍ପ୍ରଦାୟ ଓ ଜାତିଭିତ୍ତିରେ ବିବାହ ବିବାଦ ଉଠାଉଥିବା ଶ୍ରେଣୀ ଅପବ୍ୟବହାର କରିବାକୁ ଚେଷ୍ଟା କରୁଥିବାରୁ କୋର୍ଟଙ୍କର ଆଦେଶ ନିଜ ପସନ୍ଦରେ ବିବାହ କରିବାକୁ ଚାହୁଁଥିବା ଯୁବକ ଯୁବତୀଙ୍କୁ  ଏକ ଅନୁଦାର ଆଇନଗତ ଅଙ୍କୁଶରୁ ମୁକ୍ତି ଦେଇଛି ।

ଭାରତୀୟ ସମାଜରେ ରହି ଆସିଥିବା ଅନେକ ବ୍ୟବସ୍ଥା ପରିବର୍ତ୍ତିତ ପରିସ୍ଥିତି ସହ ଯେ ଖାପଖାଉନାହିଁ ତାହା ଜଣାଶୁଣା । ଦେଶ ମୂଳରୁ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷତାକୁ ନିଜର ମୂଳଭିତ୍ତିଭାବେ ଗ୍ରହଣ କରିଛି । ତାହା ଭାରତକୁ ସମଗ୍ର ପୃଥିବୀରେ ଏକ ଉଦାର ରାଷ୍ଟ୍ରର ପରିଚୟ ଦେଇଛି । କିନ୍ତୁ ଗତ କେଇ ଦଶନ୍ଧି ମଧ୍ୟରେ ରାଜନୈତିକ ସ୍ୱାର୍ଥ ପାଇଁ ଜାତି ଓ ଧର୍ମଗତ ବିବେକକୁ ଉସୁକା ହୋଇଆସିଛି । ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠିତ ହେବା ପରଠାରୁ ଦେଶରେ ହିନ୍ଦୁ ସଂଖ୍ୟା ଗରିଷ୍ଠତାକୁ ଅଧିକ ପ୍ରାଧାନ୍ୟ ଦେଇ ସଂଖ୍ୟା ଲଘୁମାନଙ୍କୁ ବିଶେଷ ଭାବରେ ପ୍ରଥମ ସଂଖ୍ୟାଲଘୁ  ମୁସଲମାନଙ୍କୁ  ନ୍ୟୂନ କରିବା ପାଇଁ ଉଦ୍ୟମ ହୋଇଆସିଛି । ତାହା ଭୋଟ ରାଜନୀତି ପାଇଁ ହେଉ ବା ଅନ୍ୟ ଯେକୌଣସି କାରଣ ଲାଗି ହେଉପଛେ  ତଦ୍ଦ୍ୱାରା ଦେଶର ମାନସିକତାକୁ ସାମ୍ପ୍ରଦାୟିକ ଭିତ୍ତିରେ  ବିଭାଜିତ କରିବା ପାଇଁ ଉଦ୍ଦିଷ୍ଟ । ସ୍ୱାଧୀନତା ସାଙ୍ଗକୁ ଦେଶ ବିଭାଜନ ବେଳେ ଏପରି ମାନସିକତା ସୃଷ୍ଟି ହୋଇଥିଲା । ଗୋଟିଏ ଜାତି ବା ଧର୍ମର କେହି ଅଲଗା ଜାତି ବା ଧର୍ମରେ ବିବାହ କଲେ ତଥାକଥିତ ଜାତି ଓ ଧର୍ମରକ୍ଷକମାନେ ପ୍ରତିବାଦର ସ୍ୱର ଉଠାଇ ହିଂସାକାଣ୍ଡ କରିବାକୁ ମଧ୍ୟ ପଛାଉନାହାନ୍ତି । କେତେକ ରାଜ୍ୟରେ ସ୍ୱଗୋତ୍ର ବିବାହକୁ ବିରୋଧ କରାଯାଇ ବା ପରିବାର  ପସନ୍ଦ କରୁନଥିବା ସ୍ଥାନରେ ବିବାହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟୁଛି । ଯାହାକୁ ଅନରକିଲିଂ କୁହାଯାଉଛି । ଏସବୁ ପ୍ରଥା ଏକ ଆଧୁନିକ ସମାଜର ବିବର୍ତ୍ତନ ପ୍ରକ୍ରିୟାର ପରିପନ୍ଥୀ । ବିଶ୍ୱର ସବୁ ସମୃଦ୍ଧ ଦେଶରେ ବିବାହଯୋଗ୍ୟ  ବୟସର ଯୁବକଯୁବତୀଙ୍କର  ଜୀବନସାଥୀ ବାଛିବାର ଯେଉଁ ଅଧିକାର ରହିଛି ତାହା ବ୍ୟକ୍ତି ସ୍ୱାଧୀନତାର ଅଂଶ । ଜାତି ଓ ଧର୍ମ ବ୍ୟବସ୍ଥା ଉପରେ ପ୍ରତିଷ୍ଠିତ ଭାରତୀୟ ସମାଜ ମଧ୍ୟ ଏହାକୁ କେତେକାଂଶରେ ଗ୍ରହଣ କଲାଣି । ଏହି ପରିବର୍ତ୍ତନ ଧାରା ସୁଦୃଢ ହେବ ଏବଂ ତାହା ହେବା ଉଚିତ । ଆହ୍ଲାବାଦ ହାଇକୋର୍ଟଙ୍କର ଉପରୋକ୍ତ ଆଦେଶ ପରୋକ୍ଷରେ ଏହି ଧାରାର ବାସ୍ତବତାକୁ  ଗ୍ରହଣ କରିଛି । କିନ୍ତୁ କୋର୍ଟଙ୍କ ରାୟକୁ ଗୁରୁତ୍ୱ ଦେବାର ଯେଉଁ ସ୍ୱତନ୍ତ୍ର କାରଣ ରହିଛି ତାହା ସମ୍ପ୍ରତି ଘଟଣାବଳୀ ଉପରେ ଆଧାରିତ । ଯେହେତୁ ଏବେ ବିବାହକୁ ଦକ୍ଷିଣପନ୍ଥୀ ଗୋଷ୍ଠୀଗୁଡିକ ବିରୋଧ କରୁଛନ୍ତି ଏଣୁ ତାହା ଗତ ୫/୬ ବର୍ଷର ବିଭାଜିତ ସାମାଜିକ ବ୍ୟବସ୍ଥାରେ ତୀବ୍ର ରୂପ ନେଇଛି, ସେ ପରିପ୍ରେକ୍ଷୀରେ ରାୟର ଯଥାର୍ଥତାକୁ ବିଚାର କରିବାକୁ ହେବ । ତା’ଛଡା ବିବାହ ପାଇଁ ୩୦ ଦିନିଆ ନୋଟିସକୁ ଅନେକ ସମୟରେ ପରିବାର ଲୋକେ ବା ଆତ୍ମୀୟମାନେ ନିଜ ଇଚ୍ଛାରେ ବିବାହ କରିବାକୁ ଯୁବକଯୁବତୀଙ୍କୁ ପରୋକ୍ଷରେ ଭାବପ୍ରବଣତାର ବ୍ଲାକମେଲ  ଆକାରରେ ବ୍ୟବହାର କରୁଥିଲେ । ତଦ୍ଦ୍ୱାରା ପ୍ରେମୀ ଯୁଗଳଙ୍କୁ ବା ବିବାହ ପାଇଁ ଆଗ୍ରହୀ ପୁଅ ଝିଅଙ୍କୁ ସେମାନେ ଶାନ୍ତିରେ ରଖାଇ ଦେଉନଥିଲେ । ଉଦ୍ଦେଶ୍ୟ ହେଲା ବାହାଘର ଭାଙ୍ଗିଯାଉ ଏବଂ ପୁଅଝିଅ ପରିବାର ପସନ୍ଦ କରୁଥିବା ପ୍ରାର୍ଥୀଙ୍କୁ ବିବାହ କରନ୍ତୁ । ଆହ୍ଲାବାଦ ହାଇକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଯାଇଛି ଯେ, ଉତ୍ତରପ୍ରଦେଶ ସମେତ କେତେକ ବିଜେପି ଶାସିତ ରାଜ୍ୟ ଯେଉଁ ଲଭ ଜିହାଦ ଆଇନ ପ୍ରଣୟନ କରିଛନ୍ତି ଓ କରିବାକୁ ଯାଉଛନ୍ତି ଅକାମୀ ହୋଇଯିବ । ଏସବୁ ଆଇନ ଧାର୍ମିକ ସ୍ୱାଧୀନତା ଅଧିକାରର ଉଲ୍ଲଘଂନ କରୁଛି । କାରଣ ଏଥିରେ ଜଣକର ଧର୍ମପରିବର୍ତ୍ତନ ପାଇଁ ସରକାରୀ ସ୍ୱୀକୃତୀ ଆବଶ୍ୟକ । ସେସବୁ ଆଇନ ମଧ୍ୟ ପ୍ରତ୍ୟାହୃତ ହେବା ଦରକାର । ଏକ ଆଧୁନିକ ଉଦାର ସମାଜରେ ରକ୍ଷଣଶୀଳତା ଭିତ୍ତିକ ପୁରୁଣା ଆଇନକୁ ଯେ ଉଠାଇ ଦିଆଯିବା ଆବଶ୍ୟକ ସେତିକି ନୁହେଁ, ନୂଆ ଆଇନ ମଧ୍ୟ ଏକ ପରିବର୍ଦ୍ଧିତ ଆଧୁନିକ ସମାଜର ପରିଚୟ ବହନ କରିବା ଲୋଡା । ଦୀର୍ଘମିଆଦୀ ଭିତ୍ତିରେ ଦେଖିବାକୁ ଗଲେ ଭାରତକୁ ଆନ୍ତର୍ଜାତିକ ସମ୍ପ୍ରଦାୟରେ ଅଗ୍ରଣୀ ସ୍ଥିତି ହାସଲ କରିବା ପାଇଁ ଅର୍ଥନୈତିକ ସମୃଦ୍ଧି ଆଣିବା ସହ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ବିସ୍ୱସ୍ତରୀୟ ଗ୍ରହଣୀୟତା ପ୍ରତିଷ୍ଠା କରିବାକୁ ପଡ଼ିବ ।

Leave A Reply

Your email address will not be published.

ବ୍ରେକିଂ