କରୋନାରେ ଆର୍ଥିକ ବ୍ୟବଧାନ ବୃଦ୍ଧି

କରୋନା ମହାମାରୀ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିବା ଦିନଠାରୁ ପ୍ରତ୍ୟେକ ବ୍ୟକ୍ତି ଏଥିରେ ପ୍ରଭାବିତ ହୋଇଛନ୍ତି ଓ ସାଧାରଣ ଲୋକଙ୍କର ଜୀବନର ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଦିଗ ଉପରେ ଏହାର ଛାପ ଭିନ୍ନ ଭାବେ ପଡିଛି । ଯଦିଓ ଏହା ସତ୍ୟ ଯେ କରୋନା ଭୂତାଣୁ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ କୌଣସି ପ୍ରଭେଦ ଦେଖିନାହିଁ, ତଥାପି  ଅନ୍ୟ ଯେକୌଣସି ପରିସ୍ଥିତି ଭଳି ଏଥିରେ ମଧ୍ୟ ଧନୀକଙ୍କ ଅପେକ୍ଷା ଗରିବଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିଛି । ଲାଭକ୍ଷତି ତୁଳନା କଲେ କରୋନା ପରି ଶତାବ୍ଦୀର ଅଭୁତପୂର୍ବ ସଙ୍କଟ ବେଳେ ବି ଧନୀ ଶ୍ରେଣୀ ଲାଭବାନ ହୋଇଛନ୍ତି । ଅବଶ୍ୟ ସବୁବେଳେ ମହାମାରୀ ହେଉ ବା ଅନ୍ୟ ଯେକୌଣସି ବିପର୍ଯ୍ୟୟ ହେଉ ଧନୀ ଓ ଗରିବଙ୍କ ପାଇଁ ଏପରି ଅବସ୍ଥା ଦେଖାଦେଇଥାଏ । କରୋନା ସମ୍ପର୍କରେ ଏଯାଏଁ ଯାହାକିଛି ତଥ୍ୟ ମିଳିଛି ଭାରତ ସମେତ ସମଗ୍ର ବିଶ୍ୱରେ ଧନୀ ଫାଇଦାଉଠାଇଛନ୍ତି ଓ ଗରିବ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅକ୍ସଫାମ ଆନ୍ତର୍ଜାତିକ ସଂସ୍ଥା ବିଭିନ୍ନ ଦେଶର ଅର୍ଥନୀତିଜ୍ଞମାନଙ୍କ ସହ କଥାବାର୍ତ୍ତା କରି ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ଏ ସମ୍ପର୍କିତ ଉଦବେଗଜନକ ତଥ୍ୟ ଲୋକଲୋଚନକୁ ଆସିଛି ।

ଅକ୍ସଫାମ ରିପୋର୍ଟରେ କୁହାଯାଇଛି ଯେ, କରୋନା ବେଳେ ଭାରତର ୧୦୦ ଜଣ ଅଗ୍ରଣୀ ବିଲିଅନେୟାରଙ୍କର ସମ୍ପତ୍ତି ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା ବଢିଛି । ଅର୍ଥାତ ଦେଶରେ ଥିବା ୧୩ କୋଟି ସବୁଠାରୁ ଗରିବ ଲୋକଙ୍କୁ ବିଲିଅନେୟାରମାନଙ୍କ ଲାଭରୁ  ପ୍ରତି ଗରିବ ଲୋକଙ୍କୁ  ୧ ଲକ୍ଷ ଟଙ୍କା ଦିଆଯାଇ ପାରିବ । ଦେଶରେ କରୋନା ବେଳେ ଚାକିରି  ହରାଇଥିବା ୧୨ କୋଟି ୨୦ ଲକ୍ଷ ଲୋକଙ୍କ ମଧ୍ୟରୁ  ୭୫ ପ୍ରତିଶତ  ଅଣଆନୁଷ୍ଠାନିକ ଉଦ୍ୟୋଗର । ଏହି କ୍ଷେତ୍ରରେ ସବୁଠାରୁ ଦୁର୍ବଳ ଓ ଗରିବ ଶ୍ରମଜୀବୀମାନେ କାମ କରନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଜଣେ ଅତି ଧନୀ ବ୍ୟକ୍ତି ଗତବର୍ଷ ପ୍ରତି ସେକେଣ୍ଡରେ ଯେତିକି ଅର୍ଥ  ରୋଜଗାର କରିଥିଲେ ସେତିକି ଟଙ୍କା ଆୟ କରିବା ପାଇଁ ଜଣେ ଭାରତୀୟ ଅଣକୁଶଳୀ ଶ୍ରମିକଙ୍କୁ ୩ ବର୍ଷ ଲାଗିବ । ସମଗ୍ର ବିଶ୍ୱରେ ସ୍ଥିତି ପ୍ରାୟ ଅନୁରୂପ । କରୋନା ଯୋଗୁଁ ବିଶ୍ୱର ସବୁଠାରୁ ଧନୀକ ଏକହଜାର ବ୍ୟକ୍ତି  ଯେତିକି ଆର୍ଥିକ କ୍ଷତି ସହିଥିଲେ ତାକୁ ସେମାନେ ଭରଣା କରିସାରିଲେଣି । କିନ୍ତୁ ଅତି ଗରିବ ଲୋକ ସହିଥିବା କ୍ଷତିକୁ ଭରଣା କରିବା ପାଇଁ ଅନ୍ୟୁନ ୧୦ବର୍ଷ ଲାଗିବ । ପୃଥିବୀର ସବୁଠାରୁ ଧନୀ ୧୦ଜଣ ବ୍ୟକ୍ତିଙ୍କର ସମ୍ପତ୍ତି କରୋନା ସମୟରେ ଯେତିକି ବଢିଛି ତାହା ବିଶ୍ୱକୁ ଦାରିଦ୍ର୍ୟ ଆଡକୁ ଠେଲି ହେବାରୁ ଅଟକାଇପାରିବ ଏବଂ ବିଶ୍ୱ ଜନସଂଖ୍ୟାର  ଟିକାକରଣ ଖର୍ଚ୍ଚ ବହନ କରିପାରିବ । କରୋନାର ଅସମାନ ପ୍ରଭାବ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ବଢିଛି । ଶିକ୍ଷା, ସ୍ବାସ୍ଥ୍ୟସେବା, ସାଧାରଣ ସୁବିଧାକୁ ପ୍ରବେଶ ଅଧିକାର ଏବଂ ସାମାଜିକ ଜୀବନ ଉପରେ ଏହା  ପରିଲକ୍ଷିତ ହୋଇଛି । ବିଶ୍ୱ ସାରା ଦରିଦ୍ରତମ ଲୋକ ଓ ଗରିବ ପରିବାରଗୁଡ଼ିକର ସବୁକିଛି କରୋନା ବେଳେ ସଙ୍କୁଚିତ  ହୋଇଯାଇଛି । ଏବେ ସବୁଠାରୁ ବଡ ଚାଲେଞ୍ଜ ହେଲା ସେମାନଙ୍କୁ ଯଥାଶୀଘ୍ର କରୋନା ପୂର୍ବ ସ୍ଥିତିକୁ ଉଠାଇବା ଓ ଅସମାନତା ହ୍ରାସ କରିବା । କରୋନା ପୂର୍ବରୁ ବି ବିଶ୍ୱର ଅସମାନତା ବଢୁଥିଲା । ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢିଚାଲିଥିଲା । କରୋନା ବିଶ୍ୱ ଜନଜୀବନକୁ ଏପରି ଧକ୍କା ଦେଇଛି ଯେ, ତାହା ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଅଧିକ ବିଭାଜିତ କରିଦେଇଛି । ଏଥିରେ ବଢିଥିବା ଅସମାନତା ଆଗାମୀ ଦିନରେ ଅଧିକ ଅସନ୍ତୋଷ ଓ ଅସ୍ଥିରତା ବଢାଇବ । ସେସବୁର ପରିଣାମ  ବେଶୀ କ୍ଷତିକାରକ ହେବ । ଏହାକୁ ଲକ୍ଷ୍ୟ କରି ସବୁଦେଶର ସରକାର ନିଜର ଅର୍ଥନୈତିକ ନୀତିକୁ ବଦଳାଇବା ଦରକାର । କିପରି  ଆର୍ଥିକ ତାରତମ୍ୟକୁ କମାଯିବ ଏବଂ ସମ୍ପତ୍ତି ତଥା ଆୟର ଉନ୍ନତତର ତଥା ସୁଷମ ବଣ୍ଟନ କରାଯାଇପାରିବ, ତାକୁ ଲକ୍ଷ୍ୟରେ ରଖି ସବୁଦେଶ କରୋନା ପରବର୍ତ୍ତୀ ଆର୍ଥିକ ନୀତି ପ୍ରଣୟନ କରନ୍ତୁ । ନୀତି ପ୍ରଣୟନକାରୀମାନେ  ଓ ପ୍ରଶାସକ ବୃନ୍ଦ ସମର୍ଥନୀୟ ବିକାଶ, ପରିବେଶଗତ ସୁସ୍ଥାବସ୍ଥା  ଏବଂ ସାମାଜିକ ନିରାପତ୍ତା ଆଦି ଦିଗକୁ ବେଶୀ  ଧ୍ୟାନ ଦିଅନ୍ତୁ । କାରଣ କରୋନାଜନିତ ସାମଗ୍ରୀକ ପ୍ରଭାବ ସହ ଏସବୁର ସମ୍ପର୍କ ରହିଛି । ଅତି ଧନୀକଙ୍କ ଉପରେ ଏକ ସ୍ବତନ୍ତ୍ର ଟିକସ ଲଗାଯିବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ସମସ୍ୟାର ସମାଧାନ ଏଥିରେ ସୀମିତ ନୁହେଁ  । କେବଳ ଆର୍ଥିକ ପଦକ୍ଷେପ ଦ୍ୱାରା ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇଯିବନାହିଁ ।  ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ନେଇ ଉଦବେଗ ପ୍ରକାଶ କରାଗଲା ବେଳେ ଅନେକ ଧନୀକଙ୍କ ପ୍ରତି ଇର୍ଷା ପ୍ରକାଶ କରନ୍ତି । କିନ୍ତୁ ତା’ର କୌଣସି ଅର୍ଥନାହିଁ ।  ଉଭୟ ଶ୍ରେଣୀ ମଧ୍ୟରେ ବ୍ୟବଧାନ ବୃଦ୍ଧି ବେଳେ ଗରିବ ଯଦି ଅଧିକ ଗରିବ ହେଉନଥାନ୍ତେ ତେବେ ହୁଏତ ଏସମସ୍ୟା ଚିନ୍ତାଜନକ ହୁଅନ୍ତାନାହିଁ । କିନ୍ତୁ କରୋନା ପରି ମହାମାରୀ ବେଳେ ବି ଯଦି ଧନୀକଙ୍କର ସମ୍ପତ୍ତି ବଢିବ ଓ ଗରିବଙ୍କ ଅବସ୍ଥା ଆହୁରି ଖରାପ ହେବ ତେବେ ତାହା ଭବିଷ୍ୟତରେ ସାଂଘାତିକ ଅସ୍ଥିରତା ସୃଷ୍ଟି କରିପାରେ । ଜନବହୁଳ ଭାରତରେ ଏହା ଆହୁରି ଗୁରୁତର ରୂପ ନେଇପାରେ । କେନ୍ଦ୍ର ସରକାର କରୋନା ପରବର୍ତ୍ତୀ ନୂଆ ବଜେଟ ପ୍ରସ୍ତୁତ କଲାବେଳେ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିବେ ବୋଲି ଆଶା କରାଯାଇପାରେ ।

Leave A Reply

Your email address will not be published.

ବ୍ରେକିଂ