ନିରୁତ୍ସାହଜନକ କୃଷି ବଜେଟ  

ଗତ ପ୍ରାୟ ବର୍ଷେ ହେଲା ଭାରତୀୟ କୃଷି ଉଦ୍ୟୋଗ ଭଲ ଅଥବା ଭୁଲ କାରଣ ପାଇଁ ହେଉ ଚର୍ଚ୍ଚାରେ ରହିଛି । କରୋନାରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ କୃଷି ହିଁ ସମସ୍ତ ବାଧାବିଘ୍ନ ମଧ୍ୟରେ ଆଶାର ଆଲୋକ ଦେଖାଇଲା । ଏହି ଜନବହୁଳ ଦେଶରେ ସର୍ବାଧିକ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ଓ ସେମାନେ କୃଷି ଉପରେ ନିର୍ଭର କରୁଥିବା କାରଣରୁ ଭଲ ଫସଲ ନିରାଶାର ବାତାବରଣକୁ ଅନେକାଂଶରେ ଘୋଡାଇ ପକାଇଲା। କିନ୍ତୁ କରୋନା ମାସ ଗୁଡିକର ଶେଷ ବେଳକୁ କେନ୍ଦ୍ର ସରକାରଙ୍କ ବିବାଦୀୟ ତିନୋଟି କୃଷି ଆଇନ ବିରୋଧରେ  ରାଜଧାନୀ ଦିଲ୍ଲୀ ସୀମାରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ କୃଷକ ଶ୍ରେଣୀର ଅସନ୍ତୋଷକୁ ପ୍ରତିଫଳିତ କରିଛି । ସରକାର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ସତ୍ତ୍ୱେ ଅଚଳ ଅବସ୍ଥା ଜାରି ରହିଛି । ନୂଆ କେନ୍ଦ୍ର ବଜେଟ ବିବାଦୀୟ  ପ୍ରସଙ୍ଗଗୁଡ଼ିକର ଉତ୍ତର ଦେବ ବୋଲି ଆଶା କରାଯାଉଥିଲା । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଭାଷାରେ ଏହା ନୂଆ ଆଇନ ସମ୍ପର୍କରେ ଲୋକଙ୍କ ମନରେ ଥିବା ସମସ୍ତ ଆଶଙ୍କାକୁ ଦୂର କରିଛି ବୋଲି ଦାବି କରାଯାଇଥିଲେ ସୁଦ୍ଧା ଚାଷୀ ପ୍ରତିନିଧି ଓ କୃଷିନୀତି ବିଶେଷଜ୍ଞ ମଧ୍ୟରେ ବଜେଟ ପ୍ରସ୍ତାବ ଗୁଡ଼ିକ ବିଶ୍ୱାସ ସୃଷ୍ଟି କରିପାରିନାହିଁ । ବଜେଟରେ କେତେକ ପ୍ରଧାନ କୃଷି ଯୋଜନା ପାଇଁ  ବ୍ୟୟବରାଦ କମାଯାଇଥିବା ତା’ର ଅନ୍ୟତମ କାରଣ  । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୧୧ ହଜାର  କୋଟି ଟଙ୍କାର  ବ୍ୟୟବରାଦ ହ୍ରାସର କୌଣସି ଯଥାର୍ଥତା ନାହିଁ । କୃଷି ଗବେଷଣା ଓ ଶିକ୍ଷା ପାଇଁ ଅର୍ଥ ବରାଦ ବଢିଥିଲେ ମଧ୍ୟ ତାହା ଖୁବ ସାମାନ୍ୟ ।

କରୋନା ପରବର୍ତ୍ତୀ କେନ୍ଦ୍ର ବଜେଟରେ କୃଷି ଓ ଗ୍ରାମାଞ୍ଚଳ ଉଦ୍ୟୋଗକୁ ପ୍ରାଧାନ୍ୟ ଦିଆଯାଉଥିବା କୁହାଯାଉଛି । ୨୦୨୨ ସୁଦ୍ଧା ଅର୍ଥାତ ବର୍ଷ ଶେଷବେଳକୁ ଦେଶର ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରର ଏନଡିଏ ସରକାର ତିନିବର୍ଷ ହେଲା ଘୋଷଣା କଲେଣି । ସେ ଦୃଷ୍ଟିରୁ ଓ କରୋନା ବେଳେ କୃଷି ଉଦ୍ୟୋଗ ଭଲ କରିଥିବାରୁ ନିଶ୍ଚିତ ଭାବେ ଆଶା କରାଯାଉଥିଲା ଯେ, ବଜେଟ କୃଷିକୁ ବାସ୍ତବରେ ଅଧିକ ପ୍ରାଧାନ୍ୟ ଦେବ । କିନ୍ତୁ ଏଥିରେ କେବଳ ଫସଲ ଅମଳ ପରବର୍ତ୍ତୀ ଭିତ୍ତିଭୂମି ସୃଷ୍ଟି ପାଇଁ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ କେତେକ ସାମଗ୍ରୀ ଉପରେ କୃଷି ସେଟ ପ୍ରବର୍ତ୍ତନ ପ୍ରସ୍ତାବ ବ୍ୟତୀତ ଅନ୍ୟ କୌଣସି ଉଲ୍ଲେଖନୀୟ  ବିଶେଷତ୍ୱ ନାହିଁ । ସେ ଦୃଷ୍ଟିରୁ ପ୍ରଶ୍ନ ଉଠୁଛି ଆଉ ବର୍ଷକ ଭିତରେ କିପରି ଚାଷୀମାନଙ୍କର ଆୟ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଋଣ ପ୍ରଦାନ ଲକ୍ଷ୍ୟକୁ ୧୦ ପ୍ରତିଶତ ବଢାଇ ୧୬.୫ ଲକ୍ଷ କୋଟି ଟଙ୍କା ଫସଲ ଋଣ ଦିଆଯିବ ବୋଲି ଘୋଷଣା କରିଛନ୍ତି । ତଦ୍ଦ୍ୱାରା ଚାଷୀଙ୍କର କ୍ରୟ ଶକ୍ତି ବଢିବ । କିନ୍ତୁ ସେଥିରେ ମଧ୍ୟ ସେମାନେ ଋଣ ଜାଲରେ ଛନ୍ଦି ହୋଇଯିବେ । ଦେଶରେ ସମବାୟ କୃଷି ଋଣ  ଅଧିକାଂଶ  ସ୍ଥାନରେ କାଗଜପତ୍ର ହିସାବରେ ସୀମିତ । ଅର୍ଥାତ ପୂର୍ବ ବର୍ଷ ଚାଷୀ ନେଇଥିବା ଋଣକୁ ପ୍ରକୃତରେ ପରିଶୋଧ ନକରି ତାକୁ ସାନି ଋଣ ଭାବେ ନେଉଥିବା କାଗଜପତ୍ରରେ ଦର୍ଶାଉଛନ୍ତି । ସମବାୟ ସମିତି ସବୁ ଏହି ଢଙ୍ଗରେ ଚାଲିଛନ୍ତି । ଫଳରେ ଚାଷୀଙ୍କ ପାଖରେ ଫସଲ ପାଇଁ ବିହନ, ସାର, ପୋକମରା ଔଷଧ ଆଦି କିଣିବା ଲାଗି ଅର୍ଥ ରହୁନାହିଁ ।  ଅନେକ ଚାଷୀ ଋଣ ଛାଡ ଆଶାରେ ଅପେକ୍ଷା କରି ରହୁଛନ୍ତି ଓ ଋଣ ପରିଶୋଧ କରିବାକୁ ଚାହୁଁନାହାନ୍ତି ।  ଏବେ କୃଷି ଭିତ୍ତିଭୂମି ପାଣ୍ଠିକୁ କୃଷିଜାତ ସାମଗ୍ରୀ  ବିପଣନ ମଣ୍ଡିକୁ ସମ୍ପ୍ରସାରିତ କରିବାର ନିଷ୍ପତ୍ତି ପଛରେ ଆନ୍ଦୋଳନକାରୀ ଚାଷୀଙ୍କୁ ଆଶ୍ୱାସନା ଦେବାର ଲକ୍ଷ୍ୟ ରହିଛି । ଅର୍ଥାତ ନୂଆ କୃଷି ଆଇନ ପ୍ରଚଳିତ ବ୍ୟବସ୍ଥା ପ୍ରତି ବିପଦ ନୁହେଁ  । ଅବଶ୍ୟ ନୂଆ ଆଇନକୁ ସରକାର ଦେଢ ବର୍ଷ ପାଇଁ  କାର୍ଯ୍ୟକାରୀ କରିବେନାହିଁ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସର୍ବନିମ୍ନ ସହାୟକ ଦର ଯୋଜନାରେ ଉନ୍ନତି ଅଣାଯାଇଛି । ତଦ୍ଦ୍ୱାରା ଉତ୍ପାଦନ ଖର୍ଚ୍ଚଠାରୁ ଅନ୍ୟୂନ ଦେଢଗୁଣ ଅଧିକ ମୂଲ୍ୟରେ ସରକାର କୃଷିଜାତ ପଦାର୍ଥ ସଂଗ୍ରହ କରିବେ ।   ଆନ୍ଦୋଳନକାରୀ ଚାଷୀଙ୍କ ମନରେ ସନ୍ଦେହ ରହୁଛି ଯେ, କେତେବେଳେ ହୁଏତ ସର୍ବନିମ୍ନ ସହାୟକ ଦର ବ୍ୟବସ୍ଥା ଉଠାଇ ଦିଆଯିବ । ଅବଶ୍ୟ ସରକାର ଏହାକୁ ଅସ୍ୱୀକୀର କରିଛନ୍ତି । ଭାରତ ପରି ବଡ ଦେଶରେ କୌଣସି ସରକାର ଅନ୍ତତଃ ଆଗାମୀ କିଛି ବର୍ଷ ଧରି କୃଷକ ଶ୍ରେଣୀକୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ । ସେଥିପାଇଁ ସର୍ବନିମ୍ନ ସହାୟକ ଦର ବ୍ୟବସ୍ଥା ଅବ୍ୟାହତ ରହିବାକୁ ବାଧ୍ୟ । ତଥାପି ଏବେକାର ପରିସ୍ଥିତିରେ ସରକାର ସନ୍ଦେହୀ ଚାଷୀମାନଙ୍କୁ ଏ ସମ୍ପର୍କରେ ଆଶ୍ୱାସନା ଦେବା ଜରୁରୀ ଓ ଏ ସମ୍ପର୍କିତ ଘୋଷଣା ସ୍ବାଗତଯୋଗ୍ୟ । ଏତିକିରେ ଚାଷୀମାନେ ସନ୍ତୁଷ୍ଟ ହେବେ କି ନା କହିହେବନାହିଁ । କାରଣ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ସହରରେ ଆନ୍ଦୋଳନକାରୀ ଚାଷୀଙ୍କର ଟ୍ରାକ୍ଟର ପରେଡ ବେଳେ ହିଂସାକାଣ୍ଡ  ଓ କେନ୍ଦ୍ର ବଜେଟ ପରେ ବି ଚାଷୀ ଆନ୍ଦୋଳନ ଅବ୍ୟାହତ ରହିଛି । ଏବେ ଦେଖାଯାଉଛି ରାଜଧାନୀ ଦିଲ୍ଲୀକୁ ଚାରିପଟୁ  ଅର୍ଥାତ ଉତ୍ତରପ୍ରଦେଶ ପଟୁ ସେଠାକାର ଚାଷୀମାନେ ଓ ହରିଆନା, ପଞ୍ଜାବ ପଟର ଚାଷୀମାନେ ଅନ୍ୟ ଦିଗରୁ ଆନ୍ଦୋଳନ ଚାଲୁ ରଖିଛନ୍ତି । ସେମାନେ କୃଷି ଆଇନ ଗୁଡିକର ପୂର୍ଣ୍ଣ ପ୍ରତ୍ୟାହାର ମୂଳଦାବି ଉପରେ ଅଟଳ । ଏହି ସମସ୍ୟା ଲାଗି ରହିଥିବା ବେଳେ ସରକାର ଦେଶରେ ଆସନ୍ତା ବର୍ଷ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କୌଣସି କାର୍ଯ୍ୟସୂଚୀ ବଜେଟରେ ଉପସ୍ଥାପନ କରିନଥିବା ନିରୁତ୍ସାହଜନକ ।

Leave A Reply

Your email address will not be published.

ବ୍ରେକିଂ