ଶ୍ରୀଲଙ୍କାରେ ଭାରତ ବିରୋଧୀ ନିଷ୍ପତ୍ତି ପଛରେ ଚୀନ

କଲମ୍ବୋ ବନ୍ଦରରେ ପୂର୍ବ କଣ୍ଟେନର ଟର୍ମିନାଲ ନିର୍ମାଣରେ  ଭାରତର ସମ୍ପୃକ୍ତି ଥିବା ରାଜିନାମାକୁ ଶ୍ରୀଲଙ୍କା ସରକାର ଏବେ ବାତିଲ କରି ଦେଇଥିବାରୁ ଦ୍ବିପାକ୍ଷିକ ସମ୍ପର୍କ ବଡ ଧକ୍କା ଖାଇଛି । ଚୀନ ସପକ୍ଷବାଦୀ ଗଜଭାୟା ଭ୍ରାତୃଦ୍ୱୟ ଗତ ନିର୍ବାଚନ ପରେ କ୍ଷମତାକୁ ଆସିବା ପରଠାରୁ ଶ୍ରୀଲଙ୍କା ଚୀନ କଥାରେ  ଅଧିକ ପରିଚାଳିତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା  ଏବଂ ଏବେ କଲମ୍ବୋ ବନ୍ଦର ସମ୍ପର୍କିତ ନିଷ୍ପତ୍ତି ପଛରେ ଚୀନର ହାତ ଥାଇପାରେ ବୋଲି ଧାରଣା ସୃଷ୍ଟି ହୋଇଛି । ୨୦୧୯ରେ ପୂର୍ବ ସରକାର ବେଳେ ହୋଇଥିବା ଉପରୋକ୍ତ ରାଜିନାମା ଅନୁସାରେ ଭାରତ, ଚୀନ ଓ ଶ୍ରୀଲଙ୍କା  ମିଳିତ ଭାବେ ରାଜଧାନୀ କଲମ୍ବୋର ବନ୍ଦର ଟର୍ମିନାଲ ନିର୍ମାଣ କରିବା କଥା ଏବଂ ସେଥିରେ ଶ୍ରୀଲଙ୍କା ସବୁଠାରୁ ବଡ ପକ୍ଷ ହେବ ବୋଲି ସ୍ଥିର ହୋଇଥିଲା । ସେତେବେଳେ ଭାରତ ସପକ୍ଷବାଦୀ  ମୈତ୍ରୀପାଳ ଶିରିସେନା ଶ୍ରୀଲଙ୍କାର ରାଷ୍ଟ୍ରପତି ଥିଲେ । କିନ୍ତୁ ତାଙ୍କ ପରେ ଗୋଟବାୟା ରାଜପାକସେ  ରାଷ୍ଟ୍ରପତି ହେଲେ ଏବଂ  ଗତବର୍ଷର  ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଦର ଶ୍ରମିକଙ୍କ ପ୍ରତିବାଦ ଯୁକ୍ତି ଦେଖାଇ ସେ ରାଜିନାମାକୁ ସସପେଣ୍ଡ କରିଦେଲେ  । ଅବଶ୍ୟ ସେତେବେଳେ  ଶ୍ରୀଲଙ୍କା ପକ୍ଷରୁ କୁହାଯାଇଥିଲା ଯେ, ନିର୍ବାଚନ ସରିବା ପରେ  ଚୁକ୍ତିକୁ ପୁନଃ ସକ୍ରିୟ କରାଯିବ । କିନ୍ତୁ ତାହା ହେଲାନାହିଁ । ନିର୍ବାଚନରେ ରାଜପାକସେଙ୍କର ଶ୍ରୀଲଙ୍କା ପୁଡୁଜାନାଦଳ (ଏସଏଲପିପି) ବିପୁଳ ଭୋଟରେ କ୍ଷମତାକୁ ଆସିଲା । ତାହା ରାଷ୍ଟ୍ରପତିଙ୍କ ହାତମୁଠାକୁ ଅଧିକ ଟାଣ କଲା ।  ତା’ସତ୍ତ୍ୱେ ସରକାର ବନ୍ଦର ପ୍ରକଳ୍ପ ନେଇ ଟାଳଟୁଳ ନୀତି ଗ୍ରହଣ କଲେ  । ଏବେ ଶ୍ରୀଲଙ୍କା ଏକତରଫା ଭାବେ ଏହି ପ୍ରକଳ୍ପ ରାଜିନାମାକୁ ବାତିଲ କରିବାକୁ ନିଷ୍ପତ୍ତି କରିଥିବାରୁ ସେଠାରେ ଭାରତର ପତିଆରା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ଶ୍ରୀଲଙ୍କା ଯେହେତୁ ଭାରତର ଦକ୍ଷିଣ ଉପକୂଳର ପଡୋଶୀ ଓ ତା’ ସହ ଦେଶର ଘନିଷ୍ଠ ପୁରୁଣା ସମ୍ପର୍କ ରହିଛି ସେ ଦୃଷ୍ଟିରୁ ଏବେକାର ଘଟଣାବଳୀ ଭାରତର ସ୍ୱାର୍ଥକୁ ଚରମ ଆଘାତ ବୋଲି ଧରାଯାଉଛି । ଉକ୍ତ ଦ୍ୱୀପ ଦେଶରେ ଭାରତର ଅର୍ଥନୈତିକ ଓ ସାମରିକ ସ୍ବାର୍ଥ ରହିଛି, ତାହା ବ୍ୟାହତ ହେବା ସାଙ୍ଗକୁ ନୂଆଦିଲ୍ଳୀ ଓ କଲମ୍ବୋ ମଧ୍ୟରେ  ବିଶ୍ବାସ ଏବଂ ସଦଭାବ ମଧ୍ୟ ବଦଳିଯିବ୤ ଶ୍ରୀଲଙ୍କାର ନିଷ୍ପତ୍ତିରେ ଜାପାନ ବି ବିବ୍ରତ । କଲମ୍ବୋ ବନ୍ଦର ଟର୍ମିନାଲ ପ୍ରକଳ୍ପରେ ଭାରତର ସମ୍ପୃକ୍ତିକୁ  ବନ୍ଦର କର୍ମଚାରୀ, ସିଂହଳୀ ଜାତୀୟତାବାଦୀ ଓ ବୌଦ୍ଧ ସନ୍ନ୍ୟାସୀମାନେ ଦୃଢଭାବେ ବିରୋଧ କରୁଥିଲେ  । ସେମାନେ ଚାହୁଁଥିଲେ ଯେ, ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବେ ଶ୍ରୀଲଙ୍କା  ସରକାରଙ୍କର ହେଉ । କିନ୍ତୁ ପ୍ରକଳ୍ପ ରାଜିନାମା ବାତିଲ ନିଷ୍ପତ୍ତି କେବଳ ଏହି ଯୁକ୍ତି ଉପରେ ପର୍ଯ୍ୟବେଶିତ ନୁହେଁ ବୋଲି ସନ୍ଦେହ କରାଯାଉଛି ।

ଶିରିସେନା ସରକାର ପୂର୍ବରୁ ଏବେକାର ରାଷ୍ଟ୍ରପତି ଗୋଟବାୟା ରାଜପାକସେଙ୍କ  ଭାଇ ମହିନ୍ଦା ରାଜପାକସେ  ଶ୍ରୀଲଙ୍କାର ଶାସନ ମୁଖ୍ୟ ଥିବା ବେଳେ ସେ ଦେଶରେ ଚୀନର ପ୍ରଭାବ ବଢିଥିଲା । ମହିନ୍ଦା ରାଜପାକସେ ତାମିଲ ଉଗ୍ରବାଦୀ ସଂଗଠନ ଏଲଟିଟିଇକୁ ନିପାତ କରି ଦେଶରେ ସିଂହଳୀ ସଂଖ୍ୟାଗରିଷ୍ଠତାବାଦକୁ ସୁଦୃଢ କରିଥିଲେ । ତାଙ୍କ ଶାସନ ବେଳେ ଚୀନ ଶ୍ରୀଲଙ୍କାରେ ଗୁଡିଏ ଭିତ୍ତିଭୂମି ପ୍ରକଳ୍ପ  ଆରମ୍ଭ କରିଥିଲା । ତଦ୍ଦ୍ୱାରା ଶ୍ରୀଲଙ୍କା ଏକପ୍ରକାର ଚୀନ ପାଖରେ  ଋଣ ଗ୍ରସ୍ତ ହୋଇଯାଇଥିଲା ବୋଲି ସରକାର ବଦଳିବା ପରେ ଅଭିଯୋଗ ହୋଇଥିଲା । ଭାରତ ଚୀନର ପ୍ରଭାବକୁ ପ୍ରତିହତ କରିବା ପାଇଁ ଶିରିସେନା ସରକାର ସମୟରେ ଶ୍ରୀଲଙ୍କା ସହ ସମ୍ପର୍କକୁ  ଘନିଷ୍ଠ କରିଥିଲା । କିନ୍ତୁ ରାଜପାକସେ ପରିବାର  କ୍ଷମତାକୁ ଆସିବା ପରେ  ଭାରତ ପାଇଁ ପୁନର୍ବାର ଚିନ୍ତା ସୃଷ୍ଟି ହୋଇଥିଲା । ନୂଆରାଷ୍ଟ୍ରପତି  ଗୋଟବାୟା ରାଜପାକସେ  ଦାୟିତ୍ୱ ନେବା ପରେ ଭାରତ ସହ ମଧ୍ୟ ସୁସମ୍ପର୍କ ରକ୍ଷା କରି  ଭାରସାମ୍ୟ ପ୍ରତିଷ୍ଠାର ସୂଚନା ଦେଇଥିଲେ  । ନୂଆଦିଲ୍ଲୀ ମଧ୍ୟ  ନୂଆ ସରକାର ସହ ଉତ୍ତମ ସମ୍ପର୍କ  ବଜାୟ ରଖିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ   ଏବେକାର ନିଷ୍ପତ୍ତିରେ ସ୍ବାଭାବିକ ଭାବେ ଆଶଙ୍କା ସୃଷ୍ଟି ହୋଇଛି ଯେ,  ଶ୍ରୀଲଙ୍କା ଉପରେ  ଚୀନର ପୂର୍ଣ୍ଣ ପ୍ରଭାବ ରହୁଛି ଓ  ଶ୍ରୀଲଙ୍କା ହୁଏତ ପୁଣି  ଭାରତଠାରୁ  ଦୂରେଇ ଯାଇ  ପରୋକ୍ଷରେ ଚୀନ ନିୟନ୍ତ୍ରଣରେ ରହିବ ।  ଯେଉଁ ଯୁକ୍ତିରେ କଲମ୍ବୋ ବନ୍ଦର ଟର୍ମିନାଲ  ବାତିଲ ହୋଇଛି ତାହା ପୃଥିବୀରେ ଅଜଣା ନୁହେଁ । ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଗୁଡିକରେ ସାର୍ବଭୌମତ୍ବ କର୍ତ୍ତୃତ୍ୱ ନେଇ  ସବୁ ଦେଶରେ ସ୍ବର ଉତ୍ତୋଳନ ହୁଏ  । ଶ୍ରୀଲଙ୍କା କ୍ଷେତ୍ରରେ ଦେଖାଯାଉଛି ଯେ,  ଏପରି ପ୍ରତିବାଦ କେବଳ ଭାରତ ପାଇଁ ହେଉଛି । ଚୀନ ସେଠାରେ  ପ୍ରାୟ ଡଜନେ ପ୍ରକଳ୍ପ ନିର୍ମାଣ କରୁଛି । ସେଠାକାର ହମ୍ବାଣ୍ଟୋଟା ବନ୍ଦର  ପ୍ରକଳ୍ପକୁ ଚୀନ ଯେପରି ବିବାଦୀୟ ଢଙ୍ଗରେ ହାତକୁ ନେଇ ପୁଞ୍ଜି ଖଟାଇଛି ତା’ଉପରେ ପ୍ରତିବାଦ ହୋଇଥିଲେ ହେଁ ଶ୍ରୀଲଙ୍କା ସରକାର  ପ୍ରକଳ୍ପକୁ ବାତିଲ କରିବା ଦୂରେ ଥାଉ ଚୀନ ପ୍ରତି ଅନୁକୂଳ ମନୋଭାବ ଦେଖାଇ ଚାଲିଛନ୍ତି । କୁହାଯାଉଛି ଯେ, ରାଜପାକସେ ସରକାର କଲମ୍ବୋ ବନ୍ଦରର ପଶ୍ଚିମ କଣ୍ଟେନର ଟର୍ମିନାଲ ବିକାଶ ଦାୟିତ୍ୱ ଭାରତକୁ ଯାଚୁଛନ୍ତି । ତାକୁ ଯେ  ବନ୍ଦର ଶ୍ରମିକ ୟୁନିୟନ  ବିରୋଧ କରିବ ନାହିଁ ତା’ର ଗ୍ୟାରେଣ୍ଟିନାହିଁ । ଶ୍ରୀଲଙ୍କା ସରକାର  ଉପରେ ନୂଆ ପ୍ରସ୍ତାବ ନେଇ ନିର୍ଭର କରିହେବ କି ନା ତାହା ଏକ ପ୍ରଶ୍ନ । ତଥାପି ଭାରତ ଏ ପ୍ରସ୍ତାବକୁ ହାତରୁ ଛାଡିଦେବା ଅନୁଚିତ । ନୂଆ ପ୍ରକଳ୍ପରେ ଭାରତର ଗୁରୁତ୍ୱପୂର୍ଣ୍ଣ ସାମରିକ ଓ ଅର୍ଥନୈତିକ ସ୍ୱାର୍ଥ ସାଧିତ ହେବ କି ନା ତାକୁ ଅନୁଧ୍ୟାନ କରାଯିବା  ଉଚିତ । ଏତିକି ଯେ, ଭାରତ ଯଦି ବିକଳ୍ପ ପ୍ରସ୍ତାବ ଗ୍ରହଣ କରେ ସେଥିରେ  ଶ୍ରୀଲଙ୍କା ସରକାରଙ୍କଠାରୁ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ହାସଲ କରିବାକୁ ହେବ ।

 

Leave A Reply

Your email address will not be published.

ବ୍ରେକିଂ