ଉତ୍ତର ଭାରତ ରାଜନୀତିର ନୂଆମୋଡ
ଦିଲ୍ଲୀ ସୀମାରେ କ୍ରମାଗତ ଚାଷୀ ଆନ୍ଦୋଳନ ଚାଲିବା ପରେ ତା’ର କ୍ଷତିକାରକ ପ୍ରଭାବ ଶାସକ ବିଜେପି ଉପରେ ପଡିଛି। ଅନ୍ତତଃ ଦିଲ୍ଳୀ ପାଖାପାଖି ରାଜ୍ୟ ଗୁଡିକରେ ଏହା ଅନୁଭୂତ ହୋଇଛି। ଏବେ ପଞ୍ଜାବରେ ପୌର ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ସାଙ୍ଗକୁ ଅକାଳୀ ଦଳ ଓ ବିଜେପି ଶୋଚନୀୟ ଭାବେ ପରାଜୟବରଣ କରିବା ପରେ କୁହାଯାଉଛି ଯେ, ଚାଷୀ ଆନ୍ଦୋଳନର ନିର୍ବାଚନୀ ପ୍ରଭାବ ଏଥିରେ ପରିଲକ୍ଷିତ ହେଲା। କାରଣ ପଞ୍ଜାବ ଚାଷୀମାନେ କେନ୍ଦ୍ର ସରକାରଙ୍କର ତିନୋଟି ଯାକ କୃଷି ସଂସ୍କାର ଆଇନକୁ ବିରୋଧ କରି ଗତ ନଭେମ୍ବରରୁ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିଲେ । କୃଷକ ଆନ୍ଦୋଳନ ବିଜେପିକୁ ପଞ୍ଜାବରେ ଦୁର୍ବଳ କରିବା ସାଙ୍ଗକୁ ହରିଆନାରେ ତା’ର ପତିଆରାକୁ ହ୍ରାସ କରିଛି ଏବଂ ଚାଷୀଙ୍କ ପ୍ରଭାବ ଥିବା ପଶ୍ଚିମ ଉତ୍ତର ପ୍ରଦେଶରେ ଦଳ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି। ବିଜେପି ପାଇଁ ଏହା ଖୁସିର ବିଷୟ ନୁହେଁ । କାରଣ ବର୍ଷେ ପରେ ପଞ୍ଜାବ ଓ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯଦି ଚାଷୀ ଅସନ୍ତୋଷ ବଢିଲା ତେବେ ହିନ୍ଦୀ ଭାଷାଭାଷୀ ଉତ୍ତର ଭାରତରେ ବିଜେପିକୁ ସାଧାରଣ ଲୋକଙ୍କର ଅସନ୍ତୋଷର ଶିକାର ହେବାକୁ ପଡ଼ିବ।
ଦେଶରେ ମୁଖ୍ୟ ବିରୋଧୀଦଳ କଂଗ୍ରେସର ସ୍ଥିତି ଦୁର୍ବଳ। କିନ୍ତୁ ଏହାର ନେତା ରାହୁଲ ଗାନ୍ଧୀ ଆନ୍ଦୋଳନକାରୀ ଚାଷୀଙ୍କ ଦାବିକୁ ସମର୍ଥନ କରୁଛନ୍ତି। କଂଗ୍ରେସ ପଞ୍ଜାବରେ କ୍ଷମତାରେ ରହିଛି। ଚାଷୀଙ୍କ ଆନ୍ଦୋଳନ ଦଳକୁ ସୁହାଇଛି। ପୌର ନିର୍ବାଚନରେ ତା’ର ଉପକାର ଶାସକ କଂଗ୍ରେସ ଓ ଏହାର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ମିଳିଲା। ସେଠାରେ ମୁଖ୍ୟ ବିରୋଧୀ ଅକାଳୀ ଦଳ ଚାଷୀ ଆନ୍ଦୋଳନ ଯୋଗୁଁ ଏନଡିଏରୁ ଓହରି ଆସି କୃଷକଙ୍କ ସପକ୍ଷରେ କହୁଛି। ତଥାପି ପୌର ନିର୍ବାଚନରେ ଅକାଳୀ ଦଳକୁ ଫାଇଦା ମିଳିନାହିଁ।
ପଞ୍ଜାବ ପୌର ନିର୍ବାଚନରୁ ଯେଉଁ ଧାରାର ସୂତ୍ରପାତ ହୋଇଛି ତାହା ଆଗାମୀ ଦିନରେ କେତେଦୂର ଅନ୍ୟାନ୍ୟ ଅଞ୍ଚଳକୁ ବିଶେଷ ଭାବରେ ଉତ୍ତରଭାରତକୁ ପ୍ରଭାବିତ କରିବ ତାହା ଦେଖିବା କଥା। ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଦିଲ୍ଳୀରେ ଆନ୍ଦୋଳନକାରୀ ଚାଷୀଙ୍କର ଟ୍ରାକ୍ଟର ଯାତ୍ରା ହିଂସାତ୍ମକ ହେବାପରେ ଆନ୍ଦୋଳନକାରୀଙ୍କର ନୈତିକ ବଳ ଭାଙ୍ଗି ଯିବ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ଅଶିଦଶକର ପଶ୍ଚିମ ଉତ୍ତର ପ୍ରଦେଶର ଚାଷୀ ନେତା ଯେପରି ସେ ସମୟରେ ଦିଲ୍ଲୀକୁ ଅଚଳ କରିଦେଇଥିଲେ ତା’ର ପୁନରାବୃତ୍ତି ଏବେ ତାଙ୍କର କନିଷ୍ଠପୁତ୍ର ରାକେଶ ଟିକାୟତଙ୍କଠାରେ ଘଟିଛି। କନିଷ୍ଠ ଟିକାୟତ ଏବେ ଉତ୍ତରପ୍ରଦେଶ ଚାଷୀଙ୍କର ସ୍ବର। ତାଙ୍କ ନେତୃତ୍ବରେ ଚାଷୀ ଆନ୍ଦୋଳନ ଏବେ ପଶ୍ଚିମ ଉତ୍ତର ପ୍ରଦେଶର କୃଷିଜୀବୀ ଜାଠ ସମ୍ପ୍ରଦାୟଙ୍କୁ ଉଜ୍ଜୀବିତ କରିଛି। ସେମାନେ ଗତ କିଛି ବର୍ଷ ଧରି ବିଜେପିକୁ ସମର୍ଥନ କରୁଥିଲେ।
ଏବେ ସେମାନେ ବିଜେପି ଛାଡିଲେ ତା’ର ପ୍ରଭାବ କେବଳ ଉତ୍ତରପ୍ରଦେଶରେ ନୁହେଁ ହରିଆନା ଓ ଅନ୍ୟାନ୍ୟ ପାଖାପାଖି ରାଜ୍ୟରେ ପଡ଼ିବ। ଅବଶ୍ୟ ସଂଖ୍ୟା ଦୃଷ୍ଟିରୁ ଜାଠମାନେ ସେତେ ଅଧିକ ନୁହଁନ୍ତି ଯେ ସେମାନେ ବିଜେପିକୁ ହରାଇ ଦେବେ। ସେଥିପାଇଁ ଅନ୍ୟ ସମ୍ପ୍ରଦାୟ ଗୁଡ଼ିକ ଆବଶ୍ୟକ। ୬୦ ଦଶକ ଶେଷ ଭାଗରେ ଚୌଧୁରୀ ଚରଣ ସିଂ ଜାଠ ଓ ମୁସଲମାନମାନ ସମ୍ପ୍ରଦାୟଙ୍କୁ ନେଇ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ କଂଗ୍ରେସକୁ ଅସୁବିଧାରେ ପକାଇଥିଲେ। ଏଣୁ ୧୯୬୭ରେ କଂଗ୍ରେସ ଓ ଉତ୍ତରଭାରତର କେତେକ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିଲା। ଏବେ ଉତ୍ତର ପ୍ରଦେଶରେ ମୁଜାଫର ନଗର ଦଙ୍ଗା ପରେ ଜାଠ ଓ ମୁସଲମାନଙ୍କ ମଧ୍ୟରେ ଯେଉଁ ତିକ୍ତତା ହୋଇଥିଲା ତାହା ଦୂର ହେବାର ସୂଚନା ମିଳିଛି।
ମୁସଲମାନ ଚାଷୀମାନେ ଏବେ ପୁନର୍ବାର ଟିକାୟତ ନେତୃତ୍ବ ଅଧିନକୁ ଫେରିଛନ୍ତି ଯଦ୍ଦ୍ବାରା ଜାଠମାନଙ୍କ ସହ ସେମାନଙ୍କର ବୁଝାମଣା ଆରମ୍ଭ ହୋଇଛି। ସେହି ଅବସ୍ଥାରେ ଚୌଧୁରୀ ଚରଣ ସିଂଙ୍କ ନାତି ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ବୁଝାମଣା ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନରେ ସେମାନେ ହୁଏତ ମେଣ୍ଟ କରିପାରନ୍ତି। ତା’ହେଲେ ଏବେକାର ଚାଷୀ ଆନ୍ଦୋଳନ ସେମାନଙ୍କୁ ପଶ୍ଚିମ ଓ କେନ୍ଦ୍ରୀୟ ଉତ୍ତର ପ୍ରଦେଶରେ ସାହାଯ୍ୟ କରିବ। ଏବେ ଚାଷୀ ଆନ୍ଦୋଳନ ପରେ ନିର୍ଦ୍ଦଳୀୟ ମହାପଞ୍ଚାୟତ ଗୁଡ଼ିକ ସକ୍ରିୟ ହୋଇଯାଇଛନ୍ତି।
କୃଷକଙ୍କ ପ୍ରସଙ୍ଗ ସେମାନଙ୍କ ଆଲୋଚନାର ବିଷୟ ହୋଇଥିଲେ ବି ବିରୋଧୀଦଳ ଗୁଡ଼ିକ ସେସବୁ ସହ ଯୋଗାଯୋଗ ରଖୁଛନ୍ତି। ହରିଆନାରେ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଦା ସେଠାକାର ତୁଙ୍ଗ ଜାଠନେତା। ସେ ଜାଠ ବନାମ ଅଣଜାଠ ରାଜନୀତି କରି ବିଜେପିକୁ ଫାଇଦା ଦେବାକୁ ଚାହୁଁନାହାନ୍ତି। କିନ୍ତୁ ଚାଷୀ ଆନ୍ଦୋଳନର ଫାଇଦା ତାଙ୍କ ଆଡକୁ ଯାଉଛି। ରାଜସ୍ଥାନରେ କଂଗ୍ରେସ ଶାସନରେ ଥିବା ବେଳେ ଦଳର ନେତା ସଚ୍ଚିନ ପାଇଲଟ ଗୁଜର ଓ ମୀନା ସମ୍ପଦ୍ରାୟ ଗୁଡିକୁ ଚାଷୀ ଅସନ୍ତୋଷ ପ୍ରସଙ୍ଗରେ ମହାପଞ୍ଚାୟତ ଜରିଆରେ ସଂଗଠିତ କରିବାକୁ ଚେଷ୍ଟା କରୁଛନ୍ତି। ତାହା ତାଙ୍କର ବ୍ୟକ୍ତିଗତ ନେତୃତ୍ବ ସୁଦୃଢ କରିବାରେ ସାହାଯ୍ୟ କରିବାକୁ ଉଦ୍ଦିଷ୍ଟ ଥିଲେ ସୁଦ୍ଧା ପରୋକ୍ଷରେ ତଦ୍ଦ୍ବାରା କୃଷକଙ୍କ ଅସନ୍ତୋଷକୁ ରାଜନୈତିକ ରୂପ ଦେବ। ସେସବୁ ଦେଖିଲେ ଜଣାପଡୁଛି ଯେ,କେନ୍ଦ୍ର ସରକାରଙ୍କର କୃଷି ସଂସ୍କାର ଆଇନ ଯେତେ ମହତ ଉଦ୍ଦେଶ୍ୟରେ ଆଧାରିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁହନ୍ତୁ ପଛେ ତାହା ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିକୁ ନୂଆମୋଡ ଦେବାକୁ ଯାଉଛି।